ଶ୍ରୀ ଚୈତନ୍ୟ

 

 

 

 

 

 

 

 

 

 

ଶ୍ରୀ ଚୈତନ୍ୟ

ଶ୍ରୀ ଗୋରାଚାନ୍ଦ ମିଶ୍ର

 

ଶ୍ରୀ ଚୈତନ୍ୟ

 

ନିମାଇଁ ଥରେ ଥରେ ନିଜକୁ ରାଧା ଓ ଗୋପୀ ମନେକରି କୃଷ୍ଣ-ବିରହରେ ଅଧୀର ହୋଇପଡ଼ୁଥିଲେ । ମନ ଭିତରେ ଏହି ରାଧା—ଭାବ ରହୁଥିଲା ବହୁ ସମୟ ଧରି । ଯାହାକୁ ଦେଖୁଥିଲେ, ପଚାରୁଥିଲେ—“ମୋ କୃଷ୍ଣଙ୍କୁ ଦେଖିଚ ? ଅକ୍ରୂର ତାଙ୍କୁ ନେଇଗଲେ ମଥୁରାକୁ । ମୁଁ ସେଦିନଠୁ ତାଙ୍କ ବାଟ ଚାହିଁ ବସିରହିଚି । ତାଙ୍କୁ ଛାଡ଼ି ମୁହୂର୍ତ୍ତେ ସୁଦ୍ଧା ମୁଁ ରହିପାରିବିନି । ଦେଖିଲେ କହିବ, ରାଧା ଓ ଗୋପୀମାନେ ନଖାଇ ନପିଇ ତୁମକୁ ଝୁରି ଝୁରି ମରୁଛନ୍ତି ।’’

 

ଦିନେ ନିମାଇଁ (ଶ୍ରୀଚୈତନ୍ୟ) ଠିକ ଏଭଳି ରାଧା—ଆବେଶରେ ଥିବାବେଳେ ତାଙ୍କ ପିଲାଦିନର ଜଣେ ସାଙ୍ଗ କୃଷ୍ଣାନନ୍ଦ ତାଙ୍କ ପାଖରେ ପହଞ୍ଚିଲେ । କୃଷ୍ଣାନନ୍ଦଙ୍କ ଡାକ ନା ଥିଲା ଆଗାମ ବାଗୀଶ । ସେ ଥିଲେ ଜଣେ ବିଦ୍ଵାନ୍, ପଣ୍ଡିତ ଏବଂ ତାନ୍ତ୍ରିକ ।

 

ବାଗୀଶ ଲକ୍ଷ୍ୟକଲେ ଦାଣ୍ଡପିଣ୍ଡାରେ ବସି ନିମାଇଁ ଗୁଣୁଗୁଣୁ ହୋଇ କ’ଣ ଗୁଡ଼ାଏ କହୁଚି-। କାନପାତି ଶୁଣିଲେ ସେ । ନିମାଇଁ ଗାଳିଦେବାରେ ଲାଗିଛି କୃଷ୍ଣଙ୍କୁ—‘‘କୃଷ୍ଣଟା ନିପଟ ଦଗାଦିଆ-। ଗୋପୀମାନଙ୍କ ମନପ୍ରାଣରେ ପ୍ରେମର ଗଙ୍ଗା ବୁହାଇଦେଇ ଖସି ଚାଲିଗଲା । କୁଳଭୁଆସୁଣୀ ଗୋପୀମାନଙ୍କୁ କୁଳହରା କରାଇ ଦେଇ ଛାଡ଼ି ଚାଲିଯିବା କ’ଣ ଠିକ ହେଲା ? କୃଷ୍ଣଠୁ ବଳି ନିଷ୍ଠୁର ନିର୍ଦ୍ଦୟ କେହି ନାହିଁ । ତାକୁ ଭଜନ କରି କି ଲାଭ ? ବରଂ ଗୋପୀଙ୍କୁ ଭଜିବା ଭଲ ।’’

 

ସୁଯୋଗ ଉଣ୍ଡି କୃଷ୍ଣାନନ୍ଦ କହିଉଠିଲେ, ‘‘ଆରେ ନିମାଇଁ, ମୁଁ ତ ସେହି କଥା କହିବାକୁ ଆସିଛି । ଶୁଣିଲି ତୁ କୃଷ୍ଣ କୃଷ୍ଣ ହୋଇ ଦିନରାତି ଖାଉନୁ, ପିଉନୁ, ଶୋଉନୁ । କୃଷ୍ଣକୁ ଆଜିଠୁ ଛାଡ଼-।’’ ନିମାଇଁଙ୍କ ମନରେ ହଠାତ୍ ଆସିଗଲା ଅନ୍ୟ ଭାବ । ସେ ଭାବିଲେ ଅକ୍ରୁର ଭଳି ଆଉ ଜଣେ କଂସର ଦୂତ ଆସିଛି ଗୋପପୁରରୁ କୃଷ୍ଣଙ୍କୁ ନେଇଯିବା ପାଇଁ । ନିମାଇଁ ପାଖରେ ପଡ଼ିଥିଲା ଗୋଟିଏ ଠେଙ୍ଗା । ସେ ଠେଙ୍ଗା ଉଠେଇ ବାଗୀଶଙ୍କୁ କହିଲେ, ‘‘ଯାଉଚୁ ନା ଏଇଠୁ, ନହେଲେ……” କୃଷ୍ଣାନନ୍ଦ ପ୍ରାଣ ବିକଳରେ ଧାଇଁଲେ । ନିମାଇଁ ଠେଙ୍ଗା ଧରି ତାଙ୍କୁ ଗୋଡ଼େଇବାରେ ଲାଗିଲେ ତାଙ୍କ ପଛେ ପଛେ । କିଛି ବାଟ ଯିବା ପରେ ନିମାଇଁଙ୍କ ମନରୁ ରାଧା ତଥା ଗୋପୀ ଆବେଶ ଚାଲିଗଲା । ସ୍ଵାଭାବିକ ଅବସ୍ଥାକୁ ଫେରିଆସିଲେ ସେ... । ଏହି ଘଟଣାରେ ସେ ଭାରି ଲଜ୍ଜିତ ହୋଇପଡ଼ିଲେ । କିନ୍ତୁ ଏହି ଘଟଣାଟି ତାଙ୍କ ଜୀବନକୁ ଓଲଟପାଲଟ କରିଦେଲା । ତା’ପରେ ସେ ଗୃହ ତ୍ୟାଗ କରି ହେଲେ ସନ୍ନ୍ୟାସୀ... ତାଙ୍କ ନାଁ ନିମାଇଁରୁ ହେଲା ଶ୍ରୀଚୈତନ୍ୟ ।

 

୧୪୮୬ ଖ୍ରୀଷ୍ଟାବ୍ଦ ଫାଲ୍‍ଗୁନ ପୂର୍ଣ୍ଣମୀ । ସେଦିନ ଥିଲା ଚନ୍ଦ୍ରଗ୍ରହଣ । ଶ୍ରୀଚୈତନ୍ୟ ଜନ୍ମଗ୍ରହଣ କରିଥିଲେ ଠିକ୍ ସେହି ଚନ୍ଦ୍ରଗ୍ରହଣ ସମୟରେ, ଭାଗୀରଥୀ ତୀରବର୍ତ୍ତୀ ନବଦ୍ୱୀପ ବା ନଦିୟାରେ । ଚନ୍ଦ୍ରଗ୍ରହଣ ଥିଲା ଏକ ଶୁଭ ସୂଚନା । ‘ହରିବୋଲି’ ଧ୍ଵନିରେ ସମଗ୍ର ନଦିୟା ସେତେବେଳେ ମୁଖରିତ । ତେର ମାସ ଗର୍ଭଧାରଣ ପରେ ମାଆ ଶଚୀଦେବୀ ଜନ୍ମଦେଲେ ଶ୍ରୀଚୈତନ୍ୟଙ୍କୁ ।

 

ଶ୍ରୀଚୈତନ୍ୟଙ୍କ ପିତାଙ୍କ ନାମ ପଣ୍ଡିତ ଜଗନ୍ନାଥ ମିଶ୍ର । ସେ ଥିଲେ ଭରଦ୍ୱାଜ ଗୋତ୍ରୀୟ କୁଳୀନ ବ୍ରାହ୍ମଣ । ଜଗନ୍ନାଥଙ୍କ ପିତାଙ୍କ ନାମ ଉପେନ୍ଦ୍ର ନାଥ । ଏମାନଙ୍କ ପୂର୍ବ-ପୁରୁଷମାନେ ଥିଲେ ଓଡ଼ିଶାର ଯାଜପୁର ନିବାସୀ । ସେତେବେଳର ଉତ୍କଳ ସମ୍ରାଟ୍ କପିଳେନ୍ଦ୍ର ଦେବ ଭ୍ରମରବର ବ୍ରାହ୍ମଣଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଉ—ଥିଲେ । ତେଣୁ ଯାଜପୁରର କେତେକ ନୈଷ୍ଠିକ ବ୍ରାହ୍ମଣ କିଏ କୁଆଡ଼େ ଚାଲିଯାଇଥିଲେ । ଜଗନ୍ନାଥ ମିଶ୍ରଙ୍କ ପୂର୍ବ-ପୁରୁଷମାନେ ମଧ୍ୟ ପ୍ରାଣ ଭୟରେ ଚାଲିଯାଇଥିଲେ ବଙ୍ଗଦେଶର ଶ୍ରୀହଟ୍ଟ ଜିଲ୍ଲାକୁ । ବଙ୍ଗଳା ରାଜ୍ୟକୁ କୁହାଯାଉଥିଲା ଗୌଡ଼ଦେଶ ।

 

ସେତେବେଳେ ନଦିୟା ଧନଜନ ଗୋପଲକ୍ଷ୍ମୀରେ ଭରପୂର ଥିଲା । ବହୁ ପଣ୍ଡିତ, ବିଦ୍ୱାନ୍, ମେଧାବୀ ବ୍ୟକ୍ତି ଜନ୍ମଗ୍ରହଣ କରିଥିଲେ ଏଠାରେ । ଘରେ ଘରେ ଆଧ୍ୟାତ୍ମିକତାର ଚର୍ଚ୍ଚା ଚାଲିଥିଲା । କି ସ୍ତ୍ରୀ କି ପୁରୁଷ ସମସ୍ତଙ୍କର ବିଦ୍ୟାର୍ଜ୍ଜନ ଲାଗି ଯଥେଷ୍ଟ ଆଗ୍ରହ ଥିଲା । ଗୋଟିଏ ଦୁଇଟି ନୁହଁ, ସେଠାରେ ବହୁ ସଂସ୍କୃତ ବିଦ୍ୟାଳୟ ରହିଥିବାରୁ ପୃଥିବୀର ବିଭିନ୍ନ ସ୍ଥାନରୁ ଶିକ୍ଷାର୍ଥୀମାନେ ସେଠାକୁ ଆସୁଥିଲେ ବିଦ୍ୟାଲାଭ ଲାଗି । ଜଗନ୍ନାଥ ମିଶ୍ର ମଧ୍ୟ ଆସିଥିଲେ ଶ୍ରୀହଟ୍ଟରୁ ନବଦ୍ୱୀପ (ନଦିୟା)କୁ ସଂସ୍କୃତ ଭାଷାରେ ଶିକ୍ଷାଲାଭ କରିବା ଲାଗି ।

 

ସେ ଥିଲେ ଜଣେ ମେଧାବୀ ଛାତ୍ର; ତେଣୁ ‘ପୁରନ୍ଦର’ ଉପାଧି ଲାଭ କରିଥିଲେ । ୟାଙ୍କ ରୂପ ଓ ଗୁଣ ଉଭୟ ଥିଲା ସୁନ୍ଦର । ସେ ଯେଉଁ ସଂସ୍କୃତ ବିଦ୍ୟାପୀଠର ଛାତ୍ର ଥିଲେ ସେ ବିଦ୍ୟାପୀଠର ପ୍ରଧାନ ଅଧ୍ୟାପକ ଥିଲେ ପଣ୍ଡିତ ନୀଳାମ୍ବର ଚକ୍ରବର୍ତ୍ତୀ । ସେ ଜଗନ୍ନାଥଙ୍କ ସ୍ଵଭାବରେ ଏତେ ମୁଗ୍ଧ ହୋଇପଡ଼ିଥିଲେ ଯେ, ସେ ନିଜ ଜ୍ୟେଷ୍ଠାକନ୍ୟା ଶଚୀଦେବୀଙ୍କୁ ବିବାହ ଦେଇଥିଲେ ଜଗନ୍ନାଥଙ୍କ ସହିତ । ବିବାହ ପରେ ଶ୍ରୀ ଜଗନ୍ନାଥ ମିଶ୍ର ଶ୍ରୀହଟ୍ଟକୁ ନ ଫେରି ସ୍ଥାୟୀଭାବରେ ବସବାସ କଲେ ନବଦ୍ୱୀପରେ । ଶଚୀଦେବୀ ଆଠୋଟି ଝିଅଙ୍କୁ ଜନ୍ମ ଦେଲେ ସତ, କିନ୍ତୁ ଜଣେ ବ୍ୟତୀତ କେହିହେଲେ ବଞ୍ଚିଲେନି । ତାଙ୍କର ନବମ ଗର୍ଭରୁ ଜାତ ହେଲା ଏକ ପୁତ୍ର ସନ୍ତାନ । ବାପ ମା’ ଏ ପୁଅଟିର ନାଁ ଦେଇଥିଲେ ବିଶ୍ୱରୂପ । ତେରମାସ ଗର୍ଭ ଧାରଣ ପରେ ଦଶମ ଗର୍ଭରୁ ଜନ୍ମ ଲାଭ କଲେ ମହାପ୍ରଭୁ ଶ୍ରୀ ଗୌରାଙ୍ଗ । ସେ ଯେଉଁ ଘରେ ଜନ୍ମ ହୋଇଥିଲେ ସେ ଘରକୁ ଲାଗିକରି ଥିଲା ଏକ ବଡ଼ ନିମ୍ବଗଛ । ତେଣୁ ମା’ ଶଚୀଦେବୀ ପିଲାର ନାଁ ରଖିଥିଲେ ନିମାଇଁ । କିନ୍ତୁ ବାପା ନାଁ ଦେଇଥିଲେ ବିଶ୍ୱମ୍ବର । ପରେ ସେ ପରଚିତ ହେଲେ ନାନା ନାମରେ; ଯଥା—ଗୌରହରି, ଗୋରା, ଗୋରାଚାନ୍ଦ, ଶ୍ରୀଗୌରାଙ୍ଗ, ଶ୍ରୀକୃଷ୍ଣ-ଚୈତନ୍ୟ, ମହାପ୍ରଭୁ ଶ୍ରୀ ଚୈତନ୍ୟ ଦେବ । ବ୍ରତୋପନୟନବେଳେ ତାଙ୍କ ନାମ ରଖା—ଯାଇଥିଲା ଶ୍ରୀ ଗୌରାଙ୍ଗ ।

 

ପିଲାଦିନୁ ସେ ଭାରି ସୁନ୍ଦର ଥିଲେ; କିନ୍ତୁ ଭାରି କାନ୍ଦ—ବୋବା କରୁଥିଲେ । ମା’ ଶଚୀଦେବୀ ଯେତେ ବୁଝେଇଲେ ବି ବୁଝୁନଥିଲେ । ଥରେ ଥରେ ସେ କାନ୍ଦି କାନ୍ଦି କଳାକାଠ ପଡ଼ି–ଯାଉଥିଲେ । ଶଚୀଦେବୀ ଦିନେ ସ୍ଵପ୍ନରେ ଦେଖିଲେ, କିଏ ଜଣେ ଆସି ତାଙ୍କୁ କହୁଛି, ‘‘ପିଲାଟି କାନ୍ଦୁଛି ବୋଲି ଭାରି ବ୍ୟସ୍ତ ହେଉଛୁ, ନା ? ହରି ଛଡ଼ା ହରିକି ବୁଝେଇବ କିଏ ? ପିଲାର କାନରେ ‘ହରିନାମ’ ପଡ଼ିବାମାତ୍ରେ ତା କାନ୍ଦ ବନ୍ଦ ହୋଇଯିବ । ‘ହରିନାମ’ ହିଁ ଏକମାତ୍ର ଉପାୟ ।’’

 

ସାତ ଝିଅ ଆଗରୁ ଯାଇଥିଲେ | ନିମାଇଁ ହେଉଛି ସାନ ପୁଅ । ତେଣୁ ପିଲାଟି ଦିନୁ ବାପା-ମା’ଙ୍କର ସେ ଥିଲେ ଗେହ୍ଲାପୁଅ । ହାମୁଡ଼ିବା ଆରମ୍ଭ କରିବା ମାତ୍ରେ ମା ଶଚୀଙ୍କର ଏକମାତ୍ର କାମ ଥିଲା ପୁଅକୁ ଜଗି ରହିବା । କାରଣ ନିମାଇଁ ଆଖି ପିଛୁଳାକେ କୁଆଡ଼େ ଯେ କେତେବେଳେ ଚାଲିଯାଉଥିଲେ ତାଙ୍କୁ ଖୋଜି ପାଇବା କଷ୍ଟକର ହେଉଥିଲା । ମା’ଙ୍କର ବଡ଼ ଭୟ ଥିଲା, ହୁଏତ ସେ ଦାଣ୍ଡକୁ ଚାଲିଯିବ ନଚେତ୍ ନଈକୂଳକୁ ଚାଲିଯିବ । ତେଣୁ ସେ ପୁଅକୁ କାଖେଇ କାଖେଇ ବୁଲୁଥିଲେ । ଘରକାମ ସରିଲେ ଅଗଣାରେ ପୁଅକୁ ଛାଡ଼ିଦେଇ ବାରଣ୍ଡାରେ ବସି ତା ଖେଳ ଦେଖୁଥିଲେ ।

 

ହାମୁଡ଼ାରୁ ଚାଲିବା ଆରମ୍ଭ କଲେ ନିମାଇଁ । ବାପ-ମା’ଙ୍କର ଭୟ ବଢ଼ିବାକୁ ଲାଗିଲା । ଦିନେ ହଠାତ୍ ଏକ ନାଗ ସାପକୁ ଧରି ନିମାଇଁ ଖେଳୁଥିବା ଦେଖାଗଲା । ସେ ଦିନଠୁ ମା’ ଶଚୀ ପୁଅକୁ ଗୋଡ଼େ ଗୋଡ଼େ ଜଗିରହିଲେ । ତଥାପି ଖସି ପଳାଉଥିଲେ ସେ । ତାଙ୍କ ଗଳାରେ ଦିନେ ଅଳଂକାର ଥିବା ଦେଖି ଏକ ଚୋର ନିମାଇଁଙ୍କୁ କାଖରେ ଧରି ଚାଲିଯାଇଥିଲା । ବହୁତ ଖୋଜାଖୋଜି କଲେ ବାପ-ମା’ ଓ ସାଇପଡ଼ିଶା ଲୋକେ । ସମସ୍ତେ ଭାବିଲେ ପିଲାଟିକି କିଏ ନେଇ ଚାଲିଗଲା, ଆଉ ଫେରିବନି । କିନ୍ତୁ କିଛି ସମୟ ପରେ ଦେଖାଗଲା ନିମାଇଁ ଦୌଡ଼ି ଦୌଡ଼ି ଆସୁଛି ନିଜ ଘର ଆଡ଼କୁ । ପରେ ଜଣାଗଲା ଯିଏ ତାକୁ ନେଇଥିଲା ତାର ଜୀବନରେ ଘଟିଛି ଏକ ବିରାଟ ପରିବର୍ତ୍ତନ । ସେ ନିମାଇଁକୁ ଛାଡ଼ିଦେବା ପରେ ସଂସାରର ମୋହ-ମାୟାକୁ ମଧ୍ୟ ଛାଡ଼ି ହୋଇଉଠିଲା ଜଣେ ପରମ ସନ୍ନ୍ୟାସୀ ।

 

ବୟସ ବଢ଼ିବା ସଂଗେ ସଂଗେ କ୍ରମଶଃ ରୂପଲାବଣ୍ୟରେ ଝଟକି ଉଠିଲେ ନିମାଇଁ । ଗୋରା ତକ୍ ତକ୍ ଚେହେରା । ମନେ-ହେଉଥିଲା ଯେପରି ସୁନାରେ ଛାଉଣି ହୋଇଛି ତାଙ୍କ ଦେହ-। ହାତର ପାପୁଲି ଓ ପାଦର ଗୋଇଠିଗୁଡ଼ିକ ଦେଖାଯାଉଥିଲା ଦୁଧ-ଅଳତା ରଙ୍ଗର-। ପାଞ୍ଚବର୍ଷ ବୟସରେ ସେ ଯେତେବେଳେ ଏଠିକି ସେଠିକି ଧାଇଁଯାଉଥିଲେ ମନେହେଉଥିଲା ତାଙ୍କର କୋମଳ ପାଦରୁ ଯେପରି ସିନ୍ଦୂର ଝରିଆସୁଛି । ଓଠ ଦୁଇଟି ଲାଲ ଲାଲ । ପଦ୍ମପାଖୁଡ଼ା ଭଳି ଆଖି ଦୁଇଟି । ଯେ କୌଣସି ଲୋକର ଲୋଭ ହେଉଥିଲା ତାକୁ କୋଳକୁ ଟାଣି ଆଣିବା ପାଇଁ-। ସାଇପଡ଼ିଶା ସମସ୍ତଙ୍କର ସେ ଥିଲେ ନୟନପିତୁଳା । ଅଳ୍ପ ବୟସରୁ ସେ କଥା କହିବା ଆରମ୍ଭ କରିଥିଲେ । ଏଭଳି କଥାସବୁ କହୁଥିଲେ, ଯାହା ଶୁଣିବା ମାତ୍ରେ ସମସ୍ତେ ଆଚମ୍ବିତ ହୋଇଉଠୁଥିଲେ-। ସେ ଜ୍ଞାନୀଙ୍କ ଭଳି ନାନା କଥା କହିବାରେ ଥରେ ମା’ ଶଚୀ ତାଙ୍କୁ କହିଲେ, ‘‘ତୁ ଗୋଟାଏ ପାଗଳ ।’’ ସଙ୍ଗେ ସଙ୍ଗେ ନିମାଇଁ ଉତ୍ତର ଦେଲେ, ‘‘ନା ମା ! ମୁଁ ପାଗଳ ନୁହେଁ । ମୁଁ ପାଗଳ ହେବି କାହିଁକ ? କେବଳ ମୁଁ ଠିକ୍ ଅଛି, ଆଉ ସମସ୍ତେ ପାଗଳ ।’’ ପାଞ୍ଚବର୍ଷ ବୟସରେ ନିମାଇଁଙ୍କ ମୁହଁରୁ ଏଭଳି ସବୁ ଉତ୍ତର ଶୁଣି ସମସ୍ତେ ଅବାକ୍ ହୋଇପଡୁ଼ଥିଲେ ।

 

ମା’ ପୁଅ ସାଙ୍ଗରେ ଖେଳୁଥିଲା କି ପୁଅ ମା’ ସାଙ୍ଗରେ ଖେଳୁଥିଲେ ଏହା ଜାଣିବା କଷ୍ଟକର ହୋଇଉଠୁଥିଲା । ଥରେ ଥରେ ମା’ ଯେପରି ଚିଡ଼ିଉଠିବେ ସେଇଭଳି କେତେକ କାମ କରୁଥିଲେ ସେ । ଦିନେ ମାଆ ସାଙ୍ଗରେ ଯାଉ ଯାଉ ନିମାଇଁ ବାଟରେ ପଡ଼ିଥିବା ଏକ ମଇଳା ହାଣ୍ଡିକି ଗୋଡ଼ରେ ଆଡ଼େଇ ଦେଇ ଦଉଡ଼ି ଆସିଲେ ମା’ ପାଖକୁ । ‘‘ହାଣ୍ଡିଟାକୁ ଛୁଇଁ ମୋତେ ଛୁଁ ନା” ବୋଲି ଯେତେ ସେ କହିଲେ ନିମାଇଁ ମାନିଲେନି । ଚଟ୍ କିନି ମାଆକୁ ଜାବୁଡ଼ି ଧରି କହିଲେ, ‘‘ଛୁଆଁ କଣ ଲୋ ? ଏ ପୃଥବୀରେ ମାଟି, ପାଣି, ପବନ, ନିଆଁ ଓ ଆକାଶ ଛଡ଼ା କିଛି ନାହିଁ । ହାଣ୍ଡିଟାକୁ ଛୁଇଁବାରେ ମୋର ତ କୌଣସି ଦୋଷ ହୋଇନି । ଛୁଆଁ ହୋଇଯିବୁ ବୋଲି ଡରୁଛୁ କାହିଁକି ?’’

 

ନିମାଇଁଙ୍କ ବାଳଲୀଳା ଥିଲା ଅତି ଅଲୌକିକ । ସେ ଶୋଇଥିବାବେଳେ ତାଙ୍କର ଚାରିପଟେ ଚନ୍ଦ୍ର ମଣ୍ଡଳ ଭଳି ଏକ ଆଲୋକର ମଣ୍ଡଳ ଦେଖାଯାଉଥିଲା । ମାଆ ଶଚୀ ପୁଅକୁ କୋଳରେ ଧରି ଶୋଉଥିଲେ । ଦିନେ ସେ ସ୍ୱପ୍ନରେ ଦେଖିଲେ ଦେବତାମାନେ ସ୍ୱର୍ଗରୁ ଓହ୍ଲେଇ ଆସି ପୁଅର ଚାରିପଟେ କରପତ୍ର ଯୋଡ଼ି ବସିଛନ୍ତି, ସ୍ତବପାଠ କରିବାରେ ଲାଗିଛନ୍ତି । ଭାରି ଡରଲାଗିଲା ତାଙ୍କୁ । ପୁଅକୁ ଉଠେଇ କହିଲେ, ‘‘ଯାଆ ବାପାଙ୍କ ପାଖରେ ଶୋଇବୁ ।’’ ବାପା ଶୋଉଥିଲେ ଆଉ ଏକ ବଖରାରେ । ପୁଅ ଗଲାବେଳେ ଉଭୟ ବାପ ମାଆଙ୍କ କାନରେ ପଡ଼ିଲା ପାଦର ନୂପୁର ଶବ୍ଦ । ଜଗନ୍ନାଥ ମିଶ୍ରେ ଜାଣିପାରିଲେ ପୁଅ ଦେହରେ ବାଳଗୋପାଳଙ୍କ ଆବିର୍ଭାବ ଘଟିଛି । ତା’ ଆରଦିନ ସ୍ତ୍ରୀ ଶଚୀଦେବୀଙ୍କୁ ସବୁକଥା ବୁଝାଇ କହିଲେ ସେ; କିନ୍ତୁ ଶଚୀଦେବୀ ଭାବିଲେ ନିଶ୍ଚୟ ପୁଅ ଉପରେ କାହାର ଦୃଷ୍ଟି ପଡ଼ିଥିବାରୁ ଏଭଳି କୁଲକ୍ଷଣ ଦେଖାଯାଉଛି । ସେ ଧରିନେଲେ ଏସବୁ ଶୁଭ ନୁହେଁ; ଅଶୁଭ ଲକ୍ଷଣ । ପୁଅକୁ ଝଡ଼ାଝଡ଼ି କରାଇବାରେ ଲାଗିଲେ ସେ । ଷଷ୍ଠୀ ଦେବୀଙ୍କୁ ସନ୍ତୁଷ୍ଟ କରିବା ଲାଗି ନାନା ପୂଜାବ୍ରତ ମଧ୍ୟ କଲେ; ତଥାପି ତାଙ୍କ ମନ ମାନିଲା ନାହିଁ ।

 

କୁଆଡ଼େ ଯିବୁନି, କାହା ସାଙ୍ଗରେ ମିଶିବୁନି ବୋଲି ନିମାଇଙ୍କୁ ମାଆ ଯେତେ ବୁଝେଇଲେ ମଧ୍ୟ ସେ ଘରେ ସ୍ଥିର ହୋଇ ରହୁ ନ ଥିଲେ । ସାଙ୍ଗପିଲାଙ୍କୁ ଧରି ସବୁବେଳେ ଖେଳରେ ମାତୁଥିଲେ ।’’ମୋ କଥା ନ ମାନିଲେ ମୁଁ ମରିଯିବି’’ କହି ଶଚୀଦେବୀ ଲୁହ ଗଡ଼େଇ କାନ୍ଦିବା ମାତ୍ରେ ନିମାଇଁ ତାଙ୍କୁ ଏଭଳି କଥା କହି ଭୁଲେଇ ଦେଉଥିଲେ ଯେ କ୍ଷଣକରେ ତାଙ୍କ କାନ୍ଦ ବନ୍ଦ ହୋଇଯାଉଥିଲା । ଶଚୀଙ୍କ ମୁହଁରେ ହସ ଫୁଟିଉଠୁଥିଲା ।

 

ନୃତ୍ୟଗୀତରେ ଥିଲେ ନିମାଇଁ ଧୁରନ୍ଧର । ସେତେବେଳେ କିଶୋର ବୟସ । ସେ ସାଙ୍ଗ ଝିଅପୁଅଙ୍କ ମେଳରେ ନାନା ଭଙ୍ଗୀରେ ଏଡ଼େ ସୁନ୍ଦର ନାଚୁଥିଲେ ଯେ ତାଙ୍କ ନାଚକୁ ଦେଖି ଦେଖଣାହାରୀ ମୋହିତ ହୋଇପଡୁ଼ଥିଲେ । ମନେହେଉଥିଲା, ଯେପରି ବାଳୁତ ବୟସରେ ଶ୍ରୀକୃଷ୍ଣ ନାଚୁଛନ୍ତି । ନାଚ ଲାଗି ତାଙ୍କର ଭାରି ସୁନାମ ଥିଲା । ନଦିୟାର ସ୍ତ୍ରୀଲୋକମାନେ ଯେତେବେଳେ ଯେଉଁଠି ତାଙ୍କୁ ଦେଖୁଥିଲେ ଘେରିଯାଉଥିଲେ । କହୁଥିଲେ—ନିମାଇଁ, ତୁ ଟିକିଏ ନାଚ୍; ନାଚ ଦେଖିଲେ ଯାଇ ତତେ ଛାଡ଼ିବୁ । ଥରେ ଥରେ ସାଙ୍ଗ ସାଥୀଙ୍କ ମେଳରେ ଖେଳୁ ଖେଳୁ ତାଙ୍କ ମନକୁ କଣ ଆସୁଥିଲା କେଜାଣି ଖଣ୍ଡି ଏ କାଠିକୁ ବଂଶୀ କରି କୃଷ୍ଣଙ୍କ ଭଳି ନାଚିଉଠୁଥିଲେ । ଦି’ ହାତକୁ ଉପରକୁ ଉଠାଇ ହରି ହରି ଗାଇ ଗାଇ ନାଚି ନାଚି ବି ଭୋଳ ହୋଇ ପଡୁ଼ଥିଲେ । ଭାବାବେଶରେ ତାଙ୍କ ଆଖିରୁ ଲୁହ ଝରି—ଆସୁଥିଲା । ହରିବୋଲ, ହରିବୋଲ କହି ସେ ଧୂଳିରେ ଲୋଟି ପଡ଼ୁଥିଲେ । ସାଙ୍ଗସାଥୀମାନେ ମଧ୍ୟ ତାଙ୍କ ସାଥୀରେ ନାଚୁଥିଲେ । ଥରେ ଥରେ ରାସଲୀଳା ମଧ୍ୟ ଚାଲୁଥିଲା । ନିମାଇଁ ହେଉଥିଲେ ଶ୍ରୀକୃଷ୍ଣ, ସାଙ୍ଗରେ ଥିବା ଝିଅ ଓ ପୁଅମାନେ ହେଉଥିଲେ ଗୋପୀ ଗୋପାଳ । ମଝିରେ ନିମାଇଁ । ତାଙ୍କ ଚାରିପଟେ ଅନ୍ୟମାନେ ହାତ ଧରାଧରି ହୋଇ ରାସଲୀଳାରେ ମାତିଉଠୁଥିଲେ ।

 

ଏଭଳି ପ୍ରତିଦିନ ନାଚ ଚାଲିଥାଏ । ବାଟରେ କିଏ ଯାଉଛି ଆସୁଛି ସେଥିପ୍ରତି ଦୃଷ୍ଟି ନ ଥାଏ ସେମାନଙ୍କର । ଥରେ ଜଣେ ଭଦ୍ରଲୋକ ନିମାଇଁ ଓ ସାଙ୍ଗମାନଙ୍କର ନୃତ୍ୟ ଦେଖି ଏଭଳି ବିଭୋର ହୋଇଉଠିଲେ ଯେ, ସେ ମଧ୍ୟ ପିଲାଙ୍କ ସହିତ ପିଲାଟିଏ ଭଳି ନାଚିଲେ । ନାଚ ବନ୍ଦ ହେବା ପରେ ସେ ଏତେ ଲଜ୍ଜିତ ହୋଇପଡ଼ିଲେ ଯେ, ମୁହୂର୍ତ୍ତେ ସୁଦ୍ଧା ସେଠାରେ ନ ରହି ଖସି—ପଳେଇଲେ । ପରେ ସେ ଅନ୍ୟ ବୟସ୍କ ଲୋକଙ୍କୁ ଯାଇ କହିଲେ,’’ସତରେ ନିମାଇଁ ପିଲାଟା ମନରେ ଗୋଟାଏ ନିଶା ଧରେଇ ଦେଉଛି । ତା ନାଚ ଦେଖିଲେ ଗୋଡ଼ ଆପେ ଆପେ ଉଠିଯାଉଛି ।’’

 

ନଦିୟାରେ ସବୁ ପିଲା ଠିକ୍ ଚାରିବର୍ଷ ଚାରିମାସ ଚାରିଦିନରେ ଖଡ଼ି ଛୁଉଁଥିଲେ । କେହି ହେଲେ ଅପାଠୁଆ ରହୁ ନ ଥିଲେ; ବିଶେଷତଃ ବ୍ରାହ୍ମଣ କୂଳରେ । ନିମାଇଁଙ୍କୁ ପାଞ୍ଚବର୍ଷ ହୋଇ ଆସିଲାଣି, ତଥାପି ପାଠଶାଳାରେ ଭର୍ତ୍ତି ହୋଇ ନ ଥିବାରୁ ତାଙ୍କ ବାପା ମନେ ମନେ ଭାରି ବିରକ୍ତ ହୋଇପଡ଼ିଲେ । ସେ ନିଜେ ଥିଲେ ଜଣେ ବିଦ୍ୱାନ୍ ସୁପଣ୍ଡିତ । ତଥାପି ତାଙ୍କ ପୁଅ ଏପର୍ଯ୍ୟନ୍ତ ଖଡ଼ି ଛୁଇଁ ନଥିବାରୁ ବ୍ୟସ୍ତହୋଇ ସବୁବେଳେ ସ୍ତ୍ରୀ ଶଚୀ ଦେବୀଙ୍କୁ କହୁଥିଲେ, ‘‘ତୁମେ ପିଲାଟାକୁ ଗେହ୍ଲାକରିବା ଫଳରେ ସେ ପାଠର ନାଁ ଧରୁନି ।’’ ଦିନେ ବିରକ୍ତରେ ନିମାଇଁଙ୍କୁ ଶାସ୍ତି ଦେବାକୁ ବାହାରିଲେ । କିନ୍ତୁ ଶାସ୍ତି ଦେବେ କଣ, ନିମାଇଁଙ୍କ ଆଖିରେ ଲୁହ ଦେଖି ତାଙ୍କ ହୃଦୟ ତରଳିଗଲା । ତାଙ୍କୁ ପାଠଶାଳାକୁ ପଠାଇବା ପ୍ରସ୍ତାବ ବନ୍ଦରହିଲା ।

 

ନିମାଇଁ ବାପା ଓ ବଡ଼ଭାଇ ବିଶ୍ୱରୂପକୁ ଟିକିଏ ଡରୁଥିଲେ । କିନ୍ତୁ ମା’ ପ୍ରତି ଆଦୌ ଡର ନଥିଲା । ହେଇ ବାପା ଆସିଲେଣି ବୋଲି ତାଙ୍କୁ ଡରେଇବା ଉଦ୍ଦେଶ୍ୟରେ କେହି କହିଦେଲେ ସେ ଦୌଡ଼ିଯାଉଥିଲେ ମା’ ପାଖକୁ । ମା’ ପାଖରେ ପହଞ୍ଚିଯିବା ମାତ୍ରେ ତାଙ୍କର ସବୁ ଡରଭୟ ଚାଲିଯାଉଥିଲା । ମା’ ଶଚୀଙ୍କ ମନରେ କାହିଁକି କେଜାଣି ବଡ଼ ଭୟ ଥିଲା ଯେ ଦିନେ ନିମାଇଁ ତାଙ୍କୁ ଛାଡ଼ି ଚାଲିଯିବ । ସେ ଭାବୁଥିଲେ, ଇଏ ମୋ ପୁଅ ନୁହେଁ; ଆଉ ଜଣେ କିଏ । ସେ ବହୁ ବ୍ରତ ଉପବାସ କରୁଥିଲେ । ଛୁଆଁ ଛୁଇଁକୁ ଭାରି ବାରୁଥିଲେ । ନାନା ଅନ୍ଧବିଶ୍ଵାସ ମଧ୍ୟ ଥିଲା । ନିମାଇଁ ମଧ୍ୟ ଜାଣିଶୁଣି ତାଙ୍କୁ ଭାରି ଚିଡ଼ଉଥିଲେ । କୌଣସି ଅଛବ ଲୋକଙ୍କୁ ଦେଖିବା ମାତ୍ରେ ତାକୁ ଛୁଇଁସାରି ଦୌଡ଼ିଆସି ମା’ଙ୍କୁ ଛୁଇଁ ଦେଉଥିଲେ । ଫଳରେ ମା’ ଶଚୀ ଅବେଳରେ ଗାଧୋଉଥିଲେ । ତାଙ୍କୁ ପୁଣି ଲୁଗା ବଦଳେଇବାକୁ ପଡୁ଼ଥିଲା । ଦିନେ ଦିନେ ଥରକୁ ଥର ଏଭଳି କରିବାରେ ମା’ଶଚୀ ନିମାଇଁକୁ ବୁଝେଇ କହିଲେ, ‘‘ତୁ ବ୍ରାହ୍ମଣ ପିଲା, ଚଣ୍ଡାଳକୁ ଛୁଇଁ ମୋତେ ଆସି ଛୁଉଁଚୁ ! ଘରେ କେତେ ଲୁଗା ଅଛି ଯେ ଥରକୁ ଥର ବଦଳଉଥିବି ?’’ ନିମାଇଁ ହସି ହସି କହିଲେ, ‘‘ଦେହ ବାହାରର ପବିତ୍ରତା ରକ୍ଷା କରିବା ଏକ ଭ୍ରମ । ଭିତରେ ପବିତ୍ର ହୋଇଉଠିଲେ ସବୁ ପବିତ୍ର । ମନରୁ ଛୁଆଁ ଅଛୁଆଁ ଭାବ ଛାଡ଼ ।’’

 

ଥରେ ଥରେ ମା’ ପୁଅଙ୍କର ଏହିଭଳି ବେଶ୍ କଥୋପକଥନ ଚାଲେ । ନିମାଇଁଙ୍କ ମୁହଁର ପଦେ କଥାକୁ ସେ ପଦେ ଗୀତ ଭଳି ମନେ କରୁଥିଲେ । ବାସ୍ତବିକ ନିମାଇଁଙ୍କ କଣ୍ଠର ସ୍ୱର ଥିଲା ଅତି ମଧୁର । ତାଙ୍କ କଥାରେ ଥିଲା ସଙ୍ଗୀତର ଲାଳିତ୍ୟ । ଘରେ କେହି ନଥିଲା ବେଳେ ଶଚୀଦେବୀ ନିମାଇଁ ପାଖରେ ବସି ଅତି କାକୁତି ମିନତି ହୋଇ କହୁଥିଲେ, ‘ବାପା, ପଦେ କଥା କହ ତ ! ତୋ କଥା ଶୁଣିବାକୁ ଭାରି ଭଲଲାଗୁଛି ।’’ ନିମାଇଁ ମାଆଙ୍କ ମନକୁ ଠିକ୍ ଭାବରେ ଜାଣିପାରୁଥିଲେ । ‘କଥା କହି’ କହିଲେ ସେ ଓଠକୁ ଚିପି ହାତକୁ ଠାରି କହୁଥିଲେ କହିବିନି । ଶଚୀ ମା’ ଅତି ନେହୁରା ହେଲେ ନିମାଇଁ କେବଳ ଟିକେ ହସିଦେଉଥିଲେ । ମାଆ କହୁଥିଲେ,’’ଏବେ ତ କଥା କହୁନୁ—ବଡ଼ ହେଲେ କ’ଣ ମୋ କଥା ବୁଝିବୁ ନା ମୋତେ ପଚାରିବୁ ?’’ ତଥାପି ନିମାଇଁ କୌଣସି ଉତ୍ତର ଦେଉନଥିଲେ ।

 

ମା’ ଶଚୀ ପୁଅକୁ ଉସ୍କେଇଲା ଭଳି କହୁଥିଲେ,’’ଦେଖ୍ ନିମାଇଁ ମୁଁ ଯଦି ଏବେ ମରିଯିବି, ତତେ କିଏ ଦେଖାଚାହାଁ କରିବ ? ତୁ ମା’ ଛେଉଣ୍ଡ ହୋଇପଡ଼ିବୁ । ଭୋକରେ ସଢ଼ିବୁ—କେହି ପଚାରିବେନି ।’’ ତଥାପି ନିମାଇଁ ରହୁଥିଲେ ନିରୁତ୍ତର । ଏଭଳି ଭାବରେ ମା’ ପୁଅଙ୍କ ମଧ୍ୟରେ ବହୁ ସମୟ ଧରି ଖେଳ କୌତୁକ ଚାଲେ ।

 

ନିମାଇଁ ଅତି ଦୁଷ୍ଟାମି କଲେ ମା’ ଶଚୀ ହାତରେ ବାଡ଼ିଟାଏ ଧରି ଦୌଡୁ଼ଥିଲେ ନିମାଇଁ ପଛେ ପଛେ । କିନ୍ତୁ ନିମାଇଁ ଭାରି ଚାଲାକ୍ । ବାଟରେ ଯାଉଥିବା କୌଣସି ଅଛବ ଲୋକକୁ ଛୁଇଁଦେଇ ଦୌଡ଼ିଆସୁଥିଲେ ମାଆଙ୍କୁ ଛୁଇଁବାକୁ । ମା’ ବିଚାରୀ ପୁଅ ଛୁଇଁ ଦେବ ଭାବି ଦୌଡ଼ି ଦୌଡ଼ି ଯାଇ ଘରେ ପଶିଯାଉଥିଲେ, କବାଟ କିଳିଦେଉଥିଲେ । ଥରେ ଏଭଳି ମା’ ପୁଅଙ୍କ ଦୌଡ଼ା-ଦୌଡ଼ି ବେଳେ ନିମାଇଁ କିଛି ନ ପାଇ ଗୋଟିଏ କୁକୁର ପିଲାକୁ କାଖରେ ଧରି ଆସିଲେ ମା’ ଆଡ଼କୁ । କୁକୁରକୁ ଛୁଇଁଲେ ମଣିଷ ଛୁଆଁ ହୋଇଯାଏ । ସେତେବେଳେ ଉଚ୍ଚ ହିନ୍ଦୁ କୂଳରେ ଏ ଅନ୍ଧ-ବିଶ୍ୱାସ ରହିଥିଲା । ପୁଅ କାଖରେ କୁକୁରଛୁଆ ଦେଖି ଶଚୀଦେବୀ ଦୌଡ଼ିପଳେଇଲେ ଘରକୁ-

 

ଆଉ ଦିନକର ଘଟଣା । ନିମାଇଁଙ୍କୁ ସେତେବେଳେ ଚାରି ପାଞ୍ଚବର୍ଷ ବୟସ । ଭାରି ଜିଦ୍ ଧରି କାନ୍ଦିବାରେ ଲାଗିଲେ ସେ । ଯେତେ ବୁଝାଇଲେ ମଧ୍ୟ ବୁଝିଲେ ନାହିଁ । ହରିନାମ ମଧ୍ୟ କୌଣସି କାମ ଦେଲା ନାହିଁ । ମା’ ପଚାରିଲେ, ‘‘ଆରେ କଣ ଚାହୁଁଚୁ କହ ଭଲା ?’’ ନିମାଇଁ କହିଲେ,‘‘ଆଜି ଏକାଦଶୀ ଉପବାସ । ଜଗଦୀଶ ଓ ହିରଣ୍ୟ ଘରେ ଠାକୁରଙ୍କ ପାଇଁ ଯେଉଁ ଭୋଗ ବଢ଼ାହୋଇଛି, ତାକୁ ଆଣ, ମୁଁ ଖାଇବି ।’’

 

ଜଗଦୀଶ ଓ ହିରଣ୍ୟ ନିମାଇଁଙ୍କ ଦି’ପଟ ପଡ଼ିଶା ଘରର ଲୋକ । ସେ ଦୁହେଁ ଏକାଦଶୀ ଉପବାସ କରନ୍ତି । ତେଣୁ ଶ୍ରୀକୃଷ୍ଣ ପାଖରେ ଭୋଗ ଲଗାଇବା ପାଇଁ କେତେକ ଫଳମୂଳ ସଜାଡ଼ି ରଖିଥିଲେ; କିନ୍ତୁ ଭୋଗ ଲାଗି ନ ଥିଲା । ନିମାଇଁଙ୍କର ଜିଦ୍ ସେସବୁ ଜିନିଷ ଆଣ, ମୁଁ ଖାଇବି । କି କି ଜିନିଷ ଅଛି, ସେ କଥା ମଧ୍ୟ କହିଦେଲେ । ଆଶ୍ଚର୍ଯ୍ୟ ହୋଇଉଠିଲେ ସମସ୍ତେ । ସେମାନଙ୍କ ଘରକୁ ନ ଯାଉଣୁ ଏ ସବୁ ଭୋଗରାଗ କଥା ସେ ଜାଣିଲା କିପରି ? ନଦିୟାର ଯେ ସବୁ ବ୍ରାହ୍ମଣ ଏକାଦଶୀ ବ୍ରତ ପାଳୁଥିଲେ, ତା ନୁହେଁ । ଜଗଦୀଶ ଓ ହିରଣ୍ୟ ଏକାଦଶୀ ଉପବାସ କରିଥିବା ନିମାଇଁ ଜାଣିଲା କିଭଳି ? କିଂତୁ ସେମାନେ ତ ଭୋଗ ପାଇଁ ସଜାଡ଼ିଛନ୍ତି; ଭୋଗ ନ ହେଉଣୁ ମାଗିଲେ କ’ଣ ଦେବେ ? ତା’ଛଡ଼ା ପିଲାଟା ଜିଦ୍ କରୁଛି ବୋଲି ବାପ-ମା’ ଯାଇ ମାଗିବେ ବା କିପରି ? ତେଣୁ ସେମାନେ ପିଲାର ମନକୁ ଭୁଲେଇ-ଭାଲେଇ ଦେବା ପାଇଁ ବହୁତ ଚେଷ୍ଟା କଲେ-। କିଂତୁ ସବୁ ଚେଷ୍ଟା ବିଫଳ ହୋଇପଡ଼ିଲା । ନିମାଇଁ କହିଲେ, ‘‘ସେ ଭୋଗ ଛଡ଼ା ମୁଁ କିଛି ଖାଇବିନି ।’’

 

ଯାହାହେଉ ପିଲାଟା ଇମିତି ଜିଦ୍ ଧରିଛି ବୋଲି ଜଗଦୀଶ ଓ ହିରଣ୍ୟଙ୍କ କାନରେ ପଡ଼ିଲା । ଦୁହେଁ ଆସିଲେ ନିମାଇଁ ପାଖକୁ । ନିମାଇଁଙ୍କୁ ଦେଖୁ ଦେଖୁ ସେମାନେ ଅନୁଭବ କରିପାରିଲେ, ଯେଉଁ ବାଳଗୋପାଳଙ୍କ ପାଖରେ ସେମାନେ ଭୋଗ ଲଗାଇ ଥାଆନ୍ତେ, ସେଇ ବାଳଗୋପାଳ ସ୍ଵୟଂ ବିରାଜମାନ ହୋଇଛନ୍ତି ନିମାଇଁଙ୍କ ଦେହରେ; ତେଣୁ ସେ ନିଜ ଭୋଗ ନିଜେ ଖାଇବା ପାଇଁ ଜିଦ୍ ଧରିଛି । ସଙ୍ଗେ ସଙ୍ଗେ ନିଜ ନିଜ ଘରକୁ ଯାଇ ସଜାଡ଼ିଥିବା ଭୋଗ ଧରି ଆସିଲେ ନିମାଇଁ ପାଖକୁ । କହିଲେ, ‘‘ନିମାଇଁ, ତୁ ହେଉଛୁ ଆମର ବାଳଗୋପାଳ, ନେ ଖାଆ ।’’

 

ପରବର୍ତ୍ତୀ ଜୀବନରେ ଏଇ ଜଗଦୀଶ ଓ ହିରଣ୍ୟ ନିମାଇଁ ତଥା ମହାପ୍ରଭୁ ଶ୍ରୀଚୈତନ୍ୟଙ୍କର ହୋଇଥିଲେ ପଟ୍ଟଶିଷ୍ୟ । ଅଳ୍ପ ବୟସରୁ ନିମାଇଁ ମହା ମହା ପଣ୍ଡିତଙ୍କ ଭଳି ବଡ଼ ବଡ଼ କଥା କହିବା ଫଳରେ ମାଆ ଶଚୀ ପ୍ରକୃତ ରହସ୍ୟ ବୁଝି ନ ପାରି ଭାବୁଥିଲେ ଯେ, ପିଲାଟା ହୁଏତ ପାଗଳ ହୋଇଯିବ । ତା’ଭିତରେ ଭୂତ କି ଡାହାଣୀ ପଶିଯାଇଛି । ନିମାଇଁ କିମିତି ଭଲ ହେବ ଏଇ ଚିନ୍ତା ଥିଲା ତାଙ୍କର । ସାହିପଡ଼ିଶାର ସ୍ତ୍ରୀଲୋକଙ୍କ ସହିତ କଥାବାର୍ତ୍ତା ବେଳେ ଶଚୀଦେବୀ କହୁଥିଲେ, ‘‘କିଏ କଣ ଜାଣିଚ ମୋତେ ଟିକେ କହ । ପିଲଟା ଶୋଇବା ବେଳେ ରାତିରେ ତା ଚାରିପଟେ ଏକ ବଡ଼ ଆଲୁଅ ଆସି ପଡ଼ୁଛି । ସେ ଆଲୁଅ ଭିତରେ କେତେକ ଲୋକ ଆସି ବସୁଥିବା ମଧ୍ୟ ମୋର ମନେହେଉଚି ।’’

 

ସ୍ତ୍ରୀଲୋକେ ଶଚୀଙ୍କ ମୁହଁରୁ ଏସବୁ କଥା ଶୁଣିବା ମାତ୍ରେ ମତ ଦେଉଥିଲେ—ଏଗୁଡ଼ାକ ହେଉଛି ଡାହାଣୀ ଚିରୁଗୁଣୀଙ୍କ କାମ । ଭଲ ଗୁଣିଆଁ ଡକେଇ ଏ ଭୂତ-ଡାହାଣୀଙ୍କୁ ନ ହଟେଇଲେ ପିଲାର ଭଲ ଦଶା ନାହିଁ । ଥରେ ଥରେ ମାଇପିଙ୍କ ଭିତରେ ଏଭଳି କଥାବାର୍ତ୍ତା ଚାଲିଥିବା ବେଳେ ନିମାଇଁ ଆସି ହଠାତ୍ ପହଞ୍ଚି ଯାଉଥିଲେ । ସମସ୍ତେ ନିମାଇଁଙ୍କୁ ବୁଝେଇ କହୁଥିଲେ, ତୁ ହେଉଛୁ ବ୍ରାହ୍ମଣ ଘରର ପିଲା । ଦିଅଁ ଦେବତାଙ୍କୁ ମାନିବା କଥା, ପୂଜାକରିବା କଥା । ତୁ ତ କ’ଣ କାହାକୁ କିଛି ମାନୁନୁ ?

 

ନିମାଇଁ ହସି ହସି କହୁଥିଲେ–ମୁଁ କାହାକୁ ପୂଜା କରିବିନି । ତମେ ସମସ୍ତେ ମତେ ପୂଜା କର । ମୁଁ କଣ ଠାକୁର ନୁହଁ ? ‘ଛୋଟ ମୁହଁରେ ବଡ଼ କଥା’ କହି ସ୍ତ୍ରୀଲୋକେ ଶଚୀଦେବୀଙ୍କୁ ନାନା ଭାବରେ ଭର୍ତ୍ସନା କରୁଥିଲେ । କହୁଥିଲେ, ପିଲାଟାକୁ ଟିକେ ସଂଯତ କରାଅ । ଯାହା ପାରୁଛି ତାହା କହିଯାଉଛି । ପିଲାଟା ମୁହଁରେ ଲାଜ ନାହିଁ କି ତମ ମୁହଁରେ ଲାଜ ନାହିଁ । ଶଚୀଦେବୀ ଲଜ୍ଜିତ ହୋଇ କ୍ଷମା କାତର ସ୍ଵରରେ ସମସ୍ତଙ୍କୁ କହୁଥିଲେ—ପିଲାଟା କଥାକୁ ଇମିତି ଧରିଲେ ଚଳିବ ? ତାକୁ କ୍ଷମା ଦିଅ ।

 

ବହୁ ପରାମର୍ଶ ପରେ ଶଚୀଦେବୀ ସ୍ଥିର କଲେ ଷଷ୍ଠୀ ଠାକୁରାଣୀଙ୍କ ପୂଜା କରିବେ । ଏଥିଲାଗି ବ୍ରତ ଉପବାସ କଲେ । ବ୍ରତ ଉଦ୍‍ଯାପନ ଦିନ କେହି ନ ଜାଣିଲା ଭଳି ସେ ପିନ୍ଧିଲା ଶାଢ଼ି–କାନିକୁ ଘୋଡ଼େଇ ଭୋଗ ଧରି ବାହାରିଲେ ତାଙ୍କ ସାହିମୁଣ୍ଡରେ ଥିବା ଷଷ୍ଠୀ ଠାକୁରାଣୀଙ୍କ ପାଖକୁ । କିଂତୁ ନିମାଇଁଙ୍କୁ ଲୁଚେଇବ କିଏ ? ହଠାତ୍ ମାଆଙ୍କୁ ଯାଇ ଧରିଲେ ବାଟରେ । କହିଲେ, ଯାହା ଭୋଗ ନେଉଛୁ ମତେ ଦେ ।

 

‘‘ଘରକୁ ଯାଆ, ମୁଁ ଭୋଗ କରି ଆଣିଲେ ଖାଇବୁ” ବୋଲି ନିମାଇଁକୁ ମା’ ଯେତେ ବୁଝେଇଲେ ମଧ୍ୟ ଆଦୌ ବୁଝିଲେନି ସେ । କହିଲେ, ଭାରି ଭୋକ ହେଉଛି, ଏଇଠି ଦେ, କେହି ଦେଖିବେନି, ଖାଇଦେବି । ମାଆ କହିଲେ—ଆରେ ଭୋଗ ପରା ହେଇନି, ଖାଇବୁ କିମିତି ? ନିମାଇଁ କ’ଣ ବୁଝିବା ପିଲା ? ଭୋଗଥାଳିରୁ କିଛିଟା ମିଠା ଓ ଫଳ ନେଇ ସଙ୍ଗେ ସଙ୍ଗେ ଖାଇବା ଆରମ୍ଭ କରିଦେଲେ ।

 

ଭାରି ବ୍ୟସ୍ତ ହୋଇପଡ଼ିଲେ ମା’ ଶଚୀ । ଭୋଗ ଅଇଁଠା ହୋଇଯିବାରୁ ତାଙ୍କ ମନ ଖରାପ ହୋଇଗଲା । କହିଲେ, ତୁ ଯାହା କଲୁଣି, ହେଇ ଯାଉଛି, ଏହିକ୍ଷଣି ଗଙ୍ଗାରେ ବୁଡ଼ିମରିବି । ନିମାଇଁ ହସି ହସି କହିଲେ—ମୁଁ ଖାଇଲେ ଯାହା ଷଷ୍ଠୀ ଠାକୁରାଣୀ ଖାଇଲେ ତାହା । ତୁ ଜାଣିନୁ ମୁଁ ଖାଇଲେ ଷଷ୍ଠୀ ଠାକୁରାଣୀ ଭାରି ଖୁସି ହେବେ ।

 

ଶଚୀ ଠାକୁରାଣୀଙ୍କ ପାଖକୁ ଯିବେ କଣ, ପୁଅକୁ ଧରି ଫେରି-ଆସିଲେ ଘରକୁ । ବ୍ରତ ଉଦ୍‍ଯାପନ ସେତିକିରେ ହୋଇଗଲା । ମନେ ମନେ ଠାକୁରାଣୀଙ୍କୁ ପ୍ରାର୍ଥନା କରି କହିଲେ, ଷଷ୍ଠୀ ମାଆ, ମୁଁ ଆଉ କ’ଣ କରିବି ? ଏଣିକି ଏ ପିଲା କଥା ତତେ ଲାଗିଲା ।

 

ସେତେବେଳେ ନବଦ୍ୱୀପରେ ମୁରାରି ଗୁପ୍ତ ନାମରେ ଜଣେ ବିଖ୍ୟାତ କବିରାଜ ଥିଲେ । ଯୁବକ ବୟସ । ଯୋଗବାଶିଷ୍ଠ ସଂପର୍କରେ ତାଙ୍କର ଜ୍ଞାନ ଥିଲା ପ୍ରଗାଢ଼ । ସେ ଯୋଗବାଶିଷ୍ଠକୁ ବିଶ୍ଳେଷଣ କରି କହୁଥିଲେ —‘ସେ’ ଓ ‘ମୁଁ’ ସମାନ ।

 

ଦିନେ କେତେକ ବନ୍ଧୁଙ୍କ ସହିତ ମୁରାରି ପଣ୍ଡିତ ଏହି ତତ୍ତ୍ୱ ବଖାଣୁଥିବା ବେଳେ ଦେଖାଗଲା ନିମାଇଁ ଆସି କେତେବେଳେ ଘରର କାନ୍ଥକୁ ଆଉଜି ଠିଆହୋଇଛନ୍ତି । ପଣ୍ଡିତେ ହାତକୁ ହଲେଇ, ମୁହଁକୁ ନାନା ଭଂଗି କରି ଯେପରି କଥା କହୁଥିଲେ, ନିମାଇଁ ଠିକ୍ ତାଙ୍କୁ ଅନୁକରଣ କରି ନିଜ ହାତକୁ ହଲାଇବାରେ ଲାଗିଲେ । ଶ୍ରୋତାମାନେ ପଣ୍ଡିତଙ୍କ ଆଡ଼କୁ ନ ଚାହିଁ ନିମାଇଁ ଆଡ଼କୁ ଚାହିଁ ରହିଥିବା ଦେଖି ମୁରାରି ପଣ୍ଡିତେ ଭାରି ଚିଡ଼ିଗଲେ । କହିଲେ, ଶୁଣୁଥିଲି ଜଗନ୍ନାଥ ମିଶ୍ରଙ୍କ ପୁଅଟା ଭାରି ଚଗଲା, ଆଜି ଆଖିରେ ଦେଖିଲି ।

 

ନିମାଇଁ ମଧ୍ୟ ସହଜ ପିଲା ନୁହଁନ୍ତି । ସେ ପଣ୍ଡିତଙ୍କୁ ଗଲାବେଳେ କହିଦେଇଗଲେ, ଆଜ ରାତିରେ ଖାଇଲାବେଳେ ତୁମକୁ ଦେଖିଦେବି । ପଣ୍ଡିତ କିଂତୁ କଥା ରହସ୍ୟରେ ନିମାଇଁର ଧମକକୁ ପୂରାପୂରି ଭୁଲିଯାଇଥିଲେ । ରାତିରେ ଘରେ ପହଞ୍ଚି ଠିକ୍ ଖାଇବାକୁ ବସିଛନ୍ତି ନିମାଇଁ କୁଆଡ଼ୁ ଦୌଡ଼ିଆସି ପଣ୍ଡିତଙ୍କ ଭାତଥାଳି ଅପରିଷ୍କାର କରି ଦେଇ ଚାଲିଗଲେ । ମୁରାରି ପଣ୍ଡିତେ ଏକାବେଳକେ ଅବାକ୍ । ମନେ ମନେ ଭାବିଲେ, ପିଲାଟା ପାଗଳ ନୁହେଁ ତ ? ଭାବିଥିଲେ ପିଲାଟାକୁ ଦି’ଚାପୁଡ଼ା ବସେଇବେ, କିଂତୁ କ୍ରୋଧ ସଂବରଣ କରିନେଲେ ସେ । ଠିକ୍ ସେତେବେଳକୁ ନିମାଇଁ ପୁଣି ଫେରିଆସି ପଣ୍ଡିତଙ୍କୁ କହିଲେ, ‘‘ତୁମେ ଲୋକଙ୍କୁ ଯାହା ଶିକ୍ଷା ଦେଉଛ, ତାହା ଅତି ବିପଜ୍ଜନକ । ଲୋକଙ୍କ ମନରେ କେବଳ ଭ୍ରମ ସୃଷ୍ଟି କରୁଛ । ମନ ଓ ପ୍ରାଣ ଦେଇ ଶ୍ରୀକୃଷ୍ଣଙ୍କୁ ପୂଜା କର, କୃଷ୍ଣ-ଭକ୍ତିରସ ପାନ କର । ନିଜ ପଣ୍ଡିତପଣିଆଁ ଦେଖାଅନି । ଭଗବାନ ଓ ତୁମେ ଏକ ଓ ଅଭିନ୍ନ ବୋଲି ଛଳନା କରି ଲୋକଙ୍କୁ ଭୁଲ ବାଟରେ ନିଅ ନାହଁ । ଯିଏ ଛଳନା କରେ ମୁଁ ତୁମ ପ୍ରତି ଏବେ ଯାହା କଲି, ଭଗବାନ ତା ପ୍ରତି ସେଇଭଳିଆ ଆଚରଣ କରିଥାଆନ୍ତି ।’’

 

ମୁରାରିଙ୍କର ମନ ସଂଗେ ସଂଗେ ବଦଳିଗଲା । ମନରେ ଶିକ୍ଷା-ଦୀକ୍ଷାର ଯେଉଁ ଗର୍ବ ଥିଲା ତାହା ଧୂଳିସାତ୍ ହୋଇଗଲା । ନିମାଇଁ ଭଳି ଏକ ଛୋଟ ପିଲା ମୁହଁରୁ ସେ ଏଭଳି ନୀତିବାକ୍ୟ ଶୁଣିବେ ବୋଲି କଳ୍ପନା କରି ନ ଥିଲେ । ସେ, ଅନୁଭବ କଲେ ସ୍ୱୟଂ ବାଳକୃଷ୍ଣ ନିମାଇଁ ଦେହରେ ପ୍ରବେଶ କରିଛନ୍ତି । ଏ ନିମାଇଁର କଥା ନୁହଁ, ସ୍ଵୟଂ ଭଗବାନ ଶ୍ରୀକୃଷ୍ଣଙ୍କ କଥା । କିଂତୁ ସେତେବେଳକୁ ନିମାଇଁ ମୁରାରିଙ୍କ ଘରୁ ଖସି ପଳାଇଯାଇଥିଲେ । ସେ ଦୌଡ଼ିଯାଇ ମାଆଙ୍କ ଲୁଗାକାନି ଆଢ଼ୁଆଳରେ ନିଜ ମୁହଁକୁ ଲୁଚେଇବାକୁ ଚେଷ୍ଟା କରୁଥିଲେ ।

 

ମୁରାରି ପଣ୍ଡିତେ ମୁହୂର୍ତ୍ତେ ସୁଦ୍ଧା ବିଳମ୍ବ ନ କରି ସିଧା ଗଲେ ଜଗନ୍ନାଥ ମିଶ୍ରଙ୍କ ଘରକୁ । ଶରୀ ମା’ ଭାବିଲେ ନିମାଇଁ କଣ ନା କଣ କାଣ୍ଡ ଘଟାଇ ଆସିଛି ମୁରାରିଙ୍କ ଘରେ; ନଚେତ୍ ମୁରାରି କବିରାଜ ତାଙ୍କ ଘରକୁ ବିନା ଡକରାରେ ଆସନ୍ତେ କାହିଁକି ? ତା’ଛଡ଼ା ନିମାଇଁ ଯେପରି ଆଚରଣ କରୁଛି ସେଥିରେ ମା’ଙ୍କ ସନ୍ଦେହ ବଢ଼ିବା ମଧ୍ୟ ସ୍ଵାଭାବିକ ।

 

କିଂତୁ ମୁରାରି ପଣ୍ଡିତେ ସିଧା ଆସି ନିମାଇଁର ଗୋଡ଼ତଳେ ଲମ୍ବଦଣ୍ଡା ହୋଇ ପଡ଼ିଗଲେ-। ଏକାବେଳକେ ସାଷ୍ଟାଙ୍ଗ ପ୍ରଣିପାତ । ପିତା ଜଗନ୍ନାଥ ମିଶ୍ର ଏ ଦୃଶ୍ୟ ଦେଖି ବିସ୍ମିତ ହୋଇପଡ଼ିଲେ-। ସଂଗେ ସଂଗେ କହିଉଠିଲେ, ‘‘ଇଏ କଣ କରୁଚ ପଣ୍ଡିତେ ? ନିମାଇଁ ଛୋଟ ପିଲା, ତାକୁ ମୁଣ୍ଡିଆ ମାରୁଚ ? ଏଥିରେ ପିଲାର ବରଂ କ୍ଷତି କରୁଚ ।’’

 

କିଂତୁ ମୁରାରି ପଣ୍ଡିତ କହିଦେଇ ଗଲେ, ‘‘ଏ ପିଲାଟିକୁ କମ୍ ଭାବ ନାହିଁ ମିଶ୍ରେ ! ଇଏ କିଏ ଅଳ୍ପ ଦିନ ଭିତରେ ଜାଣିପାରିବ ।’’ ପିତା ଜଗନ୍ନାଥ ମିଶ୍ର କିଂତୁ ତାଙ୍କ ପୁଅ ନିମାଇକୁ ଚିହ୍ନିବା ଲାଗି ବେଶିଦିନ ବଂଚି ରହି ନ ଥିଲେ ।

 

ସେତେବେଳେ ନିମାଇଁଙ୍କ ବଡ଼ଭାଇ ବିଶ୍ଵରୂପଙ୍କ ବୟସ ଷୋହଳ ବର୍ଷ । ସେ ମଧ୍ୟ ଦେଖିବାକୁ ଥିଲେ ଭାରି ସୁନ୍ଦର । ଅତି ମେଧାବୀ ଥିଲେ ସେ । ଅଳ୍ପ ବୟସରେ ସଂସ୍କୃତ ଭାଷାରେ ଅଗାଧ ଜ୍ଞାନ ଲାଭ କରିପାରିଥିଲେ ବିଶ୍ୱରୂପ । ନୈଷ୍ଠିକ ବ୍ରାହ୍ମଣମାନଙ୍କ ଭଳି ସେ ନାନା ବ୍ରତ ଉପାସନା କରୁଥିଲେ । ଦେବାଳୟକୁ ଯାଇ ପୂଜା ପ୍ରାର୍ଥନାରେ ବହୁତ ସମୟ ଅତିବାହିତ କରୁଥିଲେ-। ଥରେ ଶାନ୍ତିପୁରରୁ ଆସିଥିଲେ ଅଦ୍ୱୈତ ଆଚାର୍ଯ୍ୟ ନବଦ୍ୱୀପକୁ । ଅଦ୍ୱୈତଙ୍କ ଘର ଶାନ୍ତିପୁର-। କୌଣସି ଏକ ପଣ୍ଡିତ ମହାସଭାକୁ ନିମନ୍ତ୍ରିତ ହୋଇ ସେ ଆସିଥିଲେ ନବଦ୍ୱୀପ ବା ନଦିୟା-। ବିଶ୍ୱରୂପ ତାଙ୍କ ସଂପର୍କରେ ଆସିବା ପରେ କିଭଳି କାହିଁକି ତାଙ୍କ ମନ ଆଉ ସଂସାର ଭିତରେ ରହିଲାନି । ଆଚାର୍ଯ୍ୟଙ୍କ ସହିତ ସେ କେବଳ ଶ୍ରୀକୃଷ୍ଣଙ୍କ ଅବତାର, ଗୀତା, ଭାଗବତ, ମୋକ୍ଷଲାଭ ସଂପର୍କରେ ଚର୍ଚ୍ଚା କରିବାକୁ ଲାଗିଲେ । ଆଗେ ସେ ନିମାଇଁଙ୍କୁ ମୁହୂର୍ତ୍ତେ ସୁଦ୍ଧା ଛାଡ଼ି ରହି ପାରୁ ନ ଥିଲେ; କିଂତୁ ଏଣିକି ତାଙ୍କ ମନ ବଦଳିବାରେ ଲାଗିଲା । ମା ବାପା, ଭାଇ ବଂଧୁ, ସାହିପଡ଼ିଶା, ଘରଦ୍ୱାର ଆଦିଠାରୁ ତାଙ୍କ ମନ ତୁଟିଗଲା । ସେ ଅଦ୍ୱୈତ ଆଚାର୍ଯ୍ୟଙ୍କ ପାଖରେ ବସିରହି ଶାସ୍ତ୍ର ଆଲୋଚନାରେ ଏପରି ବୁଡ଼ି ରହୁଥିଲେ ଯେ ଥରେଥରେ ଖାଇବା କଥା ବି ଭୁଲିଯାଉଥିଲେ-। ମା’ ଶଚୀ ଦେବୀ ନିମାଇଁଙ୍କୁ ପଠଉଥିଲେ ତାଙ୍କୁ ଖାଇବାକୁ ଡାକି ଆଣିବା ପାଇଁ-

 

ବିଶ୍ୱରୂପର ମନୋଭାବରେ ଅଦ୍ଭୁତ ପରିବର୍ତ୍ତନ ଲକ୍ଷ୍ୟକରି ମା’ ବାପା ଦୁହେଁ ଅତି ବିଚଳିତ ହୋଇପଡ଼ିଲେ । ଭାବିଲେ ଷୋହଳ ବର୍ଷ ତ ହୋଇଗଲାଣି, ପିଲାଟାକୁ ବିବାହ କରାଇଦେଲେ ତା ମନ ଘର-ସଂସାରକୁ ଫେରିଆସିପାରେ । ଏ କଥା ବିଶ୍ୱରୂପଙ୍କ କାନରେ ପଡ଼ିଲା । କୌଣସିମତେ ସଂସାରଜାଲରୁ ସେ ଫିଟିଯିବା ପାଇଁ ଚାହୁଁଥିଲେ । କିଂତୁ ମନେମନେ ଭାବୁଥିଲେ । ବାପ-ମା’ଙ୍କ ଇଚ୍ଛା ଲଂଘନ କରିବା ପୁଅ ପକ୍ଷରେ କଣ ଉଚିତ ହେବ ? କିଂତୁ ଶାସ୍ତ୍ରରୁ ସେ ଯାହା ଜାଣିଥିଲେ, ପଢ଼ିଥିଲେ, ସେଥିରୁ ଉତ୍ତର ତାଙ୍କୁ ସଂଗେ ସଂଗେ ମିଳିଯାଉଥିଲା । ସେ ମନେ ମନେ ଏଇ ପ୍ରଶ୍ନର ଉତ୍ତର ଦେଇ କହୁଥିଲେ ‘‘କୌଣସି ପରିବାରରୁ ଜଣେ କେହି ଯଦି ସନ୍ନ୍ୟାସୀ ହୁଏ, ତାର ପୁଣ୍ୟ ଲାଗି ସମଗ୍ର ପରିବାର ପବିତ୍ର ହୋଇଉଠେ ।’’

 

ଦିନେ ସେ ମନେମନେ ସ୍ଥିର କରିନେଲେ ଘର ସଂସାର ତ୍ୟାଗକରି ସନ୍ନ୍ୟାସୀ ହୋଇଯିବେ । ସେ ମା’ଙ୍କୁ ପାଖକୁ ଡାକି କହିଲେ, ‘‘ନିମାଇଁ ବଡ଼ହେଲେ, ଏ ବହିଟି ରଖ, ତାକୁ ଦବ ପଢ଼ିବାପାଇଁ ।’’ ଶଚୀଙ୍କ ମନରେ ସନ୍ଦେହ ହେଲା । କହିଲେ, ‘‘କିରେ, ତାକୁ କାହିଁକି ପଢ଼ିବାକୁ ଦେବି—ତୁ ପଢ଼ୁନୁ । ସେ କେବେ ବଡ଼ ହେବ ଯେ....ଆହୁରି ବହୁତ ଦିନ ଅଛି । ତୁ ତ ପାଠ ପଢ଼ୁଛୁ, ବଡ଼ ହେଲୁଣି । ବହିଟି ପାଇଛୁ ଯଦି ପଢ଼ୁନୁ ! କିଂତୁ ବିଶ୍ୱରୂପ ମାଆଙ୍କୁ ସଠିକ୍ ଭାବରେ କିଛି ନ କହି ତାଙ୍କ ପାଖରୁ ଚାଲିଯାଇଥିଲେ ।

 

ଏହି ଘଟଣାର ଅଳ୍ପ କେତେଦିନ ପରେ ବିଶ୍ୱରୂପ ଓ ତାଙ୍କର କକେଇପୁଅ ଭାଇ ଲୋକନାଥ ସ୍ଥିରକଲେ ଘର ଛାଡ଼ି ଚାଲିଯିବେ । ଦିନେ ରାତିରେ ବାପା, ମା, ନିମାଇଁ ସମସ୍ତେ ଶୋଇଛନ୍ତି ନିଘୋଡ଼ ନିଦରେ—ବିଶ୍ୱରୂପ ଗୃହ ତ୍ୟାଗ କଲେ । ନିଦ୍ରିତ ବାପ-ମାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ । ଘରେ ଥିବା ଶ୍ରୀକୃଷ୍ଣଙ୍କ ବିଗ୍ରହ ଆଗରେ ବସି ଅଳ୍ପ କିଛି ସମୟ ପ୍ରାର୍ଥନା କଲେ । ତା ପରେ ସିଧା ଚାଲିଲେ ନଈଘାଟକୁ । ଲୋକନାଥ ମଧ୍ୟ ଗୃହତ୍ୟାଗ କରି ଆଗରୁ ପହଞ୍ଚିଥିଲେ ଘାଟ ପାଖରେ । ପାହାନ୍ତି ପହର ସମୟ । ସେତେବେଳେ କୌଣସି ଡଙ୍ଗା ଯାଏ ନାହିଁ । ତେଣୁ ଦୁହେଁ ପହଁରି ପହଁରି ନଦୀ ପାରହେଲେ ।

 

ବିଶ୍ୱରୂପଙ୍କ ହାତରେ ଥାଏ ଭାଗବତ ଗୀତାର ଗୋଟିଏ ତାଳପତ୍ର ପୋଥି । ସେତିକି ମାତ୍ର ସମ୍ବଳ । ବାଁହାତରେ ଭାଗବତ ପୋଥିଟିକି ଧରି ଡାହାଣ ହାତରେ ଯେତିକି ବଳ ପାଇଲା ସେତିକି ବଳରେ ପହଁରି ପହଁରି ସେ ଲାଗିଲେ ଯାଇ ଆର କୂଳରେ । ଜଣେ ସାଧୁଙ୍କ ଠାରୁ ସେ ଦୀକ୍ଷା ଗ୍ରହଣ କରିଲେ । ଲୋକନାଥ ମଧ୍ୟ ।

 

ତା ଆରଦିନ ନଦିୟାରେ ଚହଳ ପଡ଼ିଗଲା । ସମସ୍ତେ ବିଶ୍ୱରୂପ ଓ ଲୋକନାଥଙ୍କ କଥାବାର୍ତ୍ତା ଚାଲିଚଳନରୁ ଜାଣିପାରିଥିଲେ ଯେ ଏ ଦୁହେଁ ଆଉ ବେଶି ଦିନ ଘରେ ରହିବେ ନାହିଁ । ସେମାନେ ଯାହା ଭାବୁଥିଲେ ତାହା ସତ୍ୟରେ ପରିଣତ ହେଲା । ସମସ୍ତେ ଧନ୍ୟ ଧନ୍ୟ କଲେ । ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନମାନେ ବିଶ୍ୱରୂପଙ୍କ ଘରକୁ ଆସି ବାପମାଙ୍କୁ ଆଶ୍ୱାସନା ଦେବା ପାଇଁ ଚେଷ୍ଟା କଲେ । କିନ୍ତୁ ଜଗନ୍ନାଥ ମିଶ୍ର ମନେମନେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ, ‘‘ହେ ପ୍ରଭୁ, ବିଶ୍ୱରୂପର ମନୋବଳକୁ ଦୃଢ଼ ରଖ; ସେ ଯେଉଁ ପନ୍ଥା ଧରିଛି ସେଥିରେ ସେ ଅଟଳ ରହୁ ।’’ ପ୍ରଥମେ ପ୍ରଥମେ ମା’ ଶଚୀଦେବୀ ଦୁଃଖରେ ଅତିଶୟ ଭାଙ୍ଗି ପଡ଼ିଥିଲେ । କିନ୍ତୁ ସେ ପରେ ସ୍ଵାମୀଙ୍କ ଭଳି ମନେମନେ ପ୍ରାର୍ଥନା କଲେ, ‘‘ହେ ପ୍ରଭୁ, ବିଶ୍ୱରୂପକୁ ତୁମରି କାର୍ଯ୍ୟରେ ହିଁ ଲଟେଇରଖ ।’’

 

ଭାଇ ବିଶ୍ୱରୂପ ଘର ଛାଡ଼ି ଚାଲି ଯାଇଥିବା ଖବର ପାଇବା ମାତ୍ରେ ନିମାଇଁ ତଳେ ଲୋଟି ପଡ଼ିଲେ । କିଛି ସମୟ ପାଇଁ ସେ ପ୍ରାୟ ଅଚେତ ହୋଇପଡ଼ିଲେ । କିନ୍ତୁ ଚେତା ଫେରି ଆସିବା ପରେ ସେ ବାପା-ମାଆଙ୍କ ପାଖକୁ ଫେରିଆସି ସେମାନଙ୍କୁ ବୁଝେଇ କହିଲେ, ‘‘ଚିନ୍ତା କର ନାହିଁ । ଭାଇ ତୁମମାନଙ୍କ ପାଇଁ ଯାହା କରିଥାଆନ୍ତେ, ମୁଁ ସେଇ କର୍ତ୍ତବ୍ୟ ପାଳନ କରିବି ।’’ ସେତେବେଳକୁ ନିମାଇଁଙ୍କୁ ମାତ୍ର ଛ’ବର୍ଷ ବୟସ ।

 

ସନ୍ନ୍ୟାସଦୀକ୍ଷା ଗ୍ରହଣ କରିବାର ଦୁଇବର୍ଷ ପରେ ବିଶ୍ଵରୂପ ଦେହତ୍ୟାଗ କଲେ । ସେ ଅତି ରହସ୍ୟଜନକ ଭାବରେ ଦେହତ୍ୟାଗ କରିଥିଲେ । ଶିଷ୍ୟମାନେ ତାଙ୍କ ଚାରିପଟେ ଘେରି ରହିଥିଲେ । ଶାସ୍ତ୍ର ଚର୍ଚ୍ଚା ଚାଲିଥିଲା । ହଠାତ୍ ସେ ଅନ୍ତର୍ଦ୍ଧାନ ହୋଇଗଲେ । ସମସ୍ତଙ୍କ ଆଖି ଆଗରେ ତାଙ୍କର ମରଶରୀର ମହାଶୂନ୍ୟରେ ମିଳେଇ ଗଲା । ସେ କୁଆଡ଼େ ଗଲେ, କିପରି ଅନ୍ତର୍ଦ୍ଧାନ ହେଇଗଲେ କେହି ଜାଣିପାରିଲେ ନାହିଁ । କୋଟି ସୂର୍ଯ୍ୟର ଜ୍ୟୋତି ଭଳି ତାଙ୍କର ଆତ୍ମା ଏକ ଆଲୋକ ମଣ୍ଡଳର ଆକାର ଧାରଣ କଲା ବୋଲି ଉପସ୍ଥିତ ଶିଷ୍ୟମାନେ କହୁଥିବା ଶୁଣା ଯାଇଥିଲା । କେହି ତାଙ୍କୁ ଖୋଜି ପାଇ ପାରିଲେ ନାହିଁ ।

 

ଏହାପରେ ଶେଷ ହେଲା ନିମାଇଁଙ୍କ ବାଲ୍ୟଲୀଳା । ଆସିଲା କୈଶୋର ଅବସ୍ଥା । ଏପର୍ଯ୍ୟନ୍ତ ତାଙ୍କର ଖଡ଼ିଛୁଆଁ ହୋଇ ନ ଥିଲା । ବାପ-ମା ଅଥବା ଖୁସି ହେବେ ମନେକରି ସେ ଏଣିକି ପାଠପଢ଼ାରେ ମନ ଦେଲେ । ବାପ-ମା ବାସ୍ତବରେ ଭାରି ଖୁସି ହୋଇଉଠିଲେ ।

 

କିନ୍ତୁ ନିମାଇଁଙ୍କ ପାଠପଢ଼ାର କେତେ ଦିନ ପରେ ଏକ ଅଦ୍ଭୁତ ଘଟଣା ଘଟିଲା । ତାଙ୍କ ଘରେ ପ୍ରାୟ ପ୍ରତ୍ୟେକ ଦିନ ଷୋଡ଼ଶୋପଚାର ପୂଜା ହୋଇଥାଏ । ଠାକୁରଙ୍କୁ ନୈବେଦ୍ୟ ପରେ ତାମ୍ବୁଳ ବା ପାନ ଅର୍ପଣ କରାଯାଇଥାଏ । ଦିନେ ନିମାଇଁ ଅର୍ପଣ କରାଯାଇଥିବା ପାନଟିକୁ ଖାଇଦେବା ପରେ ପ୍ରାୟ ଅଚେତ ହୋଇପଡ଼ିଲେ । ବାପ-ମା ତାଙ୍କ ମୁଣ୍ଡରେ ପାଣି ଛିଞ୍ଚା ଛିଞ୍ଚି ଚେତା କରାଇବା ପରେ ନିମାଇଁ କହିଲେ, ‘‘ଭାଇ ବିଶ୍ଵରୂପ ମତେ ନେଇଯାଇଥିଲେ । ମତେ ତାଙ୍କ ପାଖରେ ବସେଇଲେ ସେ ।’’ କହିଲେ, ‘‘ଆରେ ନିମାଇଁ, ତୁ ମୋ ଭଳି ସନ୍ନ୍ୟାସୀ ହୋଇଯା ।’’ ମୁଁ ତାଙ୍କୁ କହିଲି, ‘‘ତୁମେ ତ ଚାଲିଗଲ, ଆଉ କିଏ ଅଛି ଯେ ବାପ-ମାଙ୍କ କଥା ବୁଝିବ ? ମୁ ଘର ସଂସାର କରିବି, ତାଙ୍କରି ପାଖରେ ରହିବି । ତା’ ଛଡ଼ା ମୁଁ ତ ଛୋଟ ପିଲା । ଏ ବୟସରେ କିଏ କଣ ସନ୍ନ୍ୟାସୀ ହୁଅନ୍ତି ? ଭାଇ ମୋଠୁ ଏ କଥା ଶୁଣି କହିଲେ, ‘‘ତୁ ଯାହା କହୁଛୁ ଠିକ୍ କଥା । ତୁ ଘରକୁ ଯା । ବାପ-ମାଙ୍କୁ ମୋର ପ୍ରଣାମ ଜଣାଇ ଦେବୁ । ତା ପରେ ଭାଇ ମତେ ଏଇଠି ଆଣି ଛାଡ଼ି ଦେଇଗଲେ ।’’

 

ପୁଅ ମୁହଁରୁ ଏକଥା ଶୁଣି ବାପ ମାଆ ଅବଶ୍ୟ ଖୁସି ହେଲେ; କିନ୍ତୁ ମନେମନେ ଆତଙ୍କିତ ହୋଇପଡ଼ିଲେ । ସେମାନେ ଭାବିଲେ ପୁଅର ପାଠପଢ଼ା ବନ୍ଦ କରିଦେବା ଉଚିତ ହେବ । ବିଶ୍ୱରୂପ ପାଠ ପଢ଼ିବା ଫଳରେ ଜ୍ଞାନୀ ହୋଇ ଉଠିଲା । ଜ୍ଞାନଲାଭ ଯୋଗୁ ହିଁ ସେ ସନ୍ନ୍ୟାସୀ ହୋଇ ପଳେଇଲା । ଏ ପିଲାଟା ମଧ୍ୟ ପାଠ ପଢ଼ିଲେ ହୁଏତ ସେଇ ବାଟ ଧରିପାରେ । କିଛି ଦିନ ପାଇଁ ତାଙ୍କ ପାଠପଢ଼ା ବନ୍ଦ କରି ଦିଆଗଲା । ବାପ-ମା ଯାହା ଚାହୁଁଛନ୍ତି, ତାହା ହିଁ ହେଉ ବୋଲି ନିମାଇଁ ଚୁପ ରହିଲେ, କିନ୍ତୁ ଲୀଳାମୟ ସେ । ଆରମ୍ଭ କଲେ ଅପୂର୍ବ ଲୀଳା । ଏଭଳି କାଣ୍ଡ ସବୁ କରି ବସିଲେ ଯାହାକି ସମସ୍ତଙ୍କ ପକ୍ଷରେ ଅସହ୍ୟ ହୋଇପଡ଼ିଲା । ଭାରି ଦୁଷ୍ଟାମୀ ଆରମ୍ଭ କଲେ ସେ । ନିମାଇଁଙ୍କ ବିରୁଦ୍ଧରେ ନାନା ଅଭିଯୋଗ ଆସି ପହଞ୍ଚିଲା ବାପ-ମାଙ୍କ ପାଖରେ । କିଏ କହିଲା ତମ ନିମାଇଁ ମତେ ବାଡ଼ଉଚି, କିଏ କହିଲା ମତେ ନଈକୁ ପେଲିଦେଲା—ଏଭଳି ନାନା ଅଭିଯୋଗ । କିଶୋରୀ ଝିଅମାନେ ମଧ୍ୟ ଆସି ଶଚୀ ମା’ଙ୍କ ଆଗରେ ଆପତ୍ତି ଅଭିଯୋଗ କଲେ । ବୁଢ଼ା ବୁଢ଼ା ଲୋକେ ଆସି କହିଲେ—ତମ ନିମାଇଁ ଆଉ ଆମକୁ ରଖାଇ ଦେବ ନାହିଁ । ଠାକୁରଙ୍କ ଭୋଗ ଧରି ଯାଉଯାଉ ଛଡ଼ାଇ ଖାଇ ପକଉଛି । ଫୁଲମାଳ ଛଡ଼େଇ ନେଇ ନିଜ ଗଳାରେ ପିନ୍ଧିପକଉଛି । ପ୍ରତିଦିନ ଶହ ଶହ ଅଭିଯୋଗ । ଶଚୀ ମା’ ପୁଅକୁ ବହୁତ ବୁଝେଇ କହିଲେ । ଦିନେ ନିମାଇଁ ମାଆକୁ କହିଲେ, ‘‘ପାଠପଢ଼ା ତ ବନ୍ଦ କରିଦେଲ—ପାଠ ପଢ଼ିଲେ ସିନା ଭଲ ବୁଦ୍ଧି ହେବ ! ନ ପଢ଼ିଲେ ସୁବୁଦ୍ଧି ଆସିବ କଉଠୁ ?’’

 

ପୁଅ ମୁହଁରୁ ଏକଥା ଶୁଣିବା ପରେ ମାଆ ଭାବିଲେ ପ୍ରକୃତରେ ପିଲାର ପାଠପଢ଼ା ବନ୍ଦ କରିଦେବା ଠିକ୍ ହୋଇ ନାହିଁ । ପୁଣି ନିମାଇଁକୁ ପାଠଶାଳାକୁ ପଠାଇବା ପାଇଁ ସ୍ଥିର କଲେ ସେ । ଏଥର ବାପାଙ୍କ ଆଡ଼ୁ କୌଣସି ଆପତ୍ତି ଆସିଲା ନାହିଁ । ପୁଣି ପାଠପଢ଼ା ଆରମ୍ଭ ହେଲା । ଏଥର ନିମାଇଁଙ୍କ ବିଚକ୍ଷଣତା ପ୍ରକାଶ ପାଇଲା । ଅଳ୍ପ କେତେ ମାସ ଭିତରେ ସମସ୍ତଙ୍କୁ ଟପିଗଲେ ସେ । ଶିକ୍ଷକମାନେ ବିସ୍ମିତ ହୋଇପଡ଼ିଲେ ।

 

ନଅ ବର୍ଷ ବୟସରେ ତାଙ୍କର ବ୍ରତୋପନୟନ ସଂପନ୍ନ ହେଲା । ଗୋରା ତକତକ ଦେହରେ ଯଜ୍ଞୋପବିତ ଶୋଭା ପାଇଲା । ବାଳ—ବ୍ରହ୍ମଚାରୀ ଦେହର ଜ୍ୟୋତିରେ ସମସ୍ତଙ୍କ ଆଖି ଝଲସି ଉଠିଲା ଯିଏ ଦେଖିଲା ଭାବିଲା ସ୍ଵୟଂ ଭଗବାନ ନିମାଇଁ ରୂପରେ ଅବତରଣ କରିଛନ୍ତି ଧରାଧାମରେ । ସେ ‘ଦେଖାଯାଉଥିଲେ ଯେପରି ଭକ୍ତିର ଏକ ପ୍ରତିମୂର୍ତ୍ତି ।

 

ବ୍ରତୋପନୟନ ବେଳେ ବେଦି ଉପରେ ଏକ ଅଦ୍ଭୂତ ଘଟଣା ଘଟିଲା । ପିତା ଜଗନ୍ନାଥ ମିଶ୍ର ପବିତ୍ର ମନ୍ତ୍ର ଉଚ୍ଚାରଣ କରି ପୁଅ କାନ୍ଧରେ ଯଜ୍ଞୋପବିତ ପକାଇଦେବା ମାତ୍ରେ ନିମାଇଁଙ୍କ ମନରେ କି ଭାବ ଆସିଲା କେଜାଣି ସେ ଅଚେତ ହୋଇପଡ଼ିଲେ । କିଛି ସମୟ ପରେ ତାଙ୍କ ଚେତା ଫେରିଆସିଲା । ସେତେବେଳେ ବ୍ରାହ୍ମଣକୁଳରେ ନୀତିନିୟମକୁ ନିଷ୍ଠାପରଭାବରେ ପାଳନ କରାଯାଉଥିଲା । ବ୍ରତୋପନୟନ ବେଳେ ବିଧି ଅନୁଯାଇ ନିମାଇଁ ଯାଇ ରହିଲେ ଏକ ନିଛାଟିଆ ସ୍ଥାନରେ । କାରଣ ସେତେବେଳେ ସେ ଥିଲେ ବ୍ରହ୍ମଚାରୀ । ତାଙ୍କ ନିର୍ଜନବାସ ସମୟ ଶେଷ ହେବା ପରେ ଆତ୍ମୀୟସ୍ୱଜନ ଓ ସାହିପଡ଼ିଶା ଲୋକେ ତାଙ୍କୁ ଭିକ୍ଷା ଦେବା ପାଇଁ ଗଲେ । ହାତରେ କିଏ କଣ ଧରି ଯାଇଥିଲେ | ଜଣେ ନେଇଥିଲେ ଗୋଟିଏ ପାନ । ନିମାଇଁ ପାନଟିକୁ ଖାଇଦେବା ମାତ୍ରେ ଏକ ବିରାଟ ପରିବର୍ତ୍ତନ ଦେଖାଦେଲା ତାଙ୍କ ଦେହରେ । ତାଙ୍କର ମସ୍ତକର ଚାରିପଟେ ଚନ୍ଦ୍ର ମଣ୍ଡଳ ଭଳି ସୃଷ୍ଟି ହେଲା ଏକ ଆଲୋକମଣ୍ଡଳ । ମୁଖମଣ୍ଡଳରେ ଦେଖାଗଲା ଏକ ଅପୂର୍ବ ଜ୍ୟୋତି । ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଲେ । ନିମାଇଁ ପୁଣି ସଂଜ୍ଞାହୀନ ହୋଇପଡ଼ିଲେ । ଚେତା ଫେରିଆସିବା ପରେ ବାପ-ମା ଓ ସାଙ୍ଗସାଥୀମାନେ ତାଙ୍କୁ ଘେରିଯାଇ କ’ଣ ହେଲା ବୋଲି ଜାଣିବାକୁ ଚାହିଁଲେ । ଯାହା ଯାହା ସେମାନେ ଦେଖିଥିଲେ ନିମାଇଁଙ୍କ ଆଗରେ ବର୍ଣ୍ଣନା କଲେ । କିନ୍ତୁ ନିମାଇଁ କହିଲେ, ‘‘କାହିଁ, ମୁଁ ତ କିଛି ଜାଣିନି ।’’

 

ଯାହାହେଉ ଏହା ପରେ ନିମାଇଁଙ୍କର ଆଉ ପୂର୍ବଭଲି ଚଗଲାମି ନାହିଁ । ପାଠପଢ଼ାରେ ମନ ଲଗିରହିଲା ତାଙ୍କର । ପଢ଼ାପଢ଼ି ବନ୍ଦ ଫଳରେ ସେ ଯେତିକି ବାଟ ପଛେଇ ଯାଇଥିଲେ ଅଳ୍ପଦିନ ମଧ୍ୟରେ ସେ ତାକୁ ପୂରଣ କରିନେଲେ । ଏପରିକି ଅନ୍ୟ ପିଲାଙ୍କୁ ଟପିଗଲେ ସେ । ସାନ୍ଦିପନୀ ମୁନିଙ୍କ ବିଦ୍ୟାଳୟରେ ଶ୍ରୀକୃଷ୍ଣ ଯେପରି ଅଳ୍ପ କେତୋଟି ଦିନ ମଧ୍ୟରେ ସମସ୍ତ ବିଦ୍ୟାହାସଲ କରିପାରିଥିଲେ, ସେହିପରି ନିମାଇଁ ପାଠପଢ଼ାରେ ଆଗେଇ ଚାଲିଲେ । ତାଙ୍କର ଶିକ୍ଷକମାନେ ତାଙ୍କ ବୁଦ୍ଧିବିଦ୍ୟାକୁ ଦେଖି ଅଭିଭୂତ ହୋଇପଡ଼ୁଥିଲେ । ପିତା ଜଗନ୍ନାଥ ମିଶ୍ର ଅବଶ୍ୟ ଖୁସି ହୋଇଉଠିଲେ । କିନ୍ତୁ ତାଙ୍କର ଖୁସି ବେଶି ଦିନ ରହିଲା ନାହିଁ । ଅଳ୍ପ କେତେଦିନ ଭିତରେ ସେ ଅତି କଠିନ ଜ୍ୱରରେ ସେ ପୀଡ଼ିତ ହୋଇପଡ଼ିଲେ । ସେ ନିଜେ ଜାଣିପାରିଲେ ‘‘ମୁଁ ଆଉ ବେଶି ଦିନ ବଂଚିବିନି । ମୋ ଜୀବନକାଳ ଶେଷ ହୋଇ ଆସିଲା ।’’ ବାପାଙ୍କର ଜ୍ଵର ନ ଛାଡ଼ିବାରେ ନିମାଇଁ ଅତି ଚିନ୍ତିତ ହୋଇପଡ଼ିଲେ । ସେ ବାପାଙ୍କ ପାଖରେ ବସି କାନ୍ଦୁ ଥାଆନ୍ତି । ଆଖିରୁ ଲୁହ ଝରି ଆସୁଥାଏ । ବାହୁନି ବାହୁନି କହୁଥାଆନ୍ତି, ‘‘ତୁମେ ତ ଚାଲିଯିବ; ବାପା ବୋଲି ଡାକିବି କାହାକୁ-?’’

 

ଜଗନ୍ନାଥ ମିଶ୍ରଙ୍କ ମୃତ୍ୟୁ ସମୟ ପାଖେଇ ଆସିଲା । ନିମାଇଁଙ୍କୁ କୁଣ୍ଢେଇ ପକେଇ କହିଲେ ‘‘ବିଶ୍ଵରୂପ ଚାଲିଯାଇଥିଲା । ସେ ସନ୍ନ୍ୟାସୀ ହେଲା ଅଥଚ ମୋ ମନରେ ତିଳେ ବି ଦୁଃଖ ହୋଇ ନ ଥିଲା । କିନ୍ତୁ ଆଜି ତତେ ଛାଡ଼ି ମୁଁ ଚିରଦିନ ପାଇଁ ଚାଲିଯାଉଛି । ମୋ ଇଚ୍ଛା ଅପୂର୍ଣ୍ଣ ରହିଗଲା । ମୁଁ ଭାବିଥିଲି ତୁ ବଡ଼ ହେବୁ । ଘର କରିବୁ । ମୁଁ ଦେଖିବି । ସେତକ ହୋଇପାରିଲା ନାହିଁ । ତତେ ଭଗବାନଙ୍କ ପାଖରେ ଛାଡ଼ିଦେଇଯାଉଛି, ସେ ତତେ ମଣିଷ କରିବେ ।’’

 

ଏହାହିଁ ଥିଲା ତାଙ୍କର ଶେଷ କଥା । ତା’ ପରେ ସେ ଚିରଦିନ ପାଇଁ ଆଖି ବୁଜିଦେଲେ-। ନିମାଇଁ ବହୁତ କାନ୍ଦିଲେ । ଆତ୍ମୀୟସ୍ୱଜନ ସାଇପଡ଼ିଶା ସମସ୍ତେ କାନ୍ଦିଲେ । ସମସ୍ତଙ୍କ ଆଖିରୁ ଲୁହ ଝରିଲା । ସମସ୍ତେ କହିଲେ, ନିମାଇଁଟା ବାପଛେଉଣ୍ଡ ହୋଇଗଲା । କିନ୍ତୁ ଶଚୀ ମାତାଙ୍କ ଆଖିର ଲୁହ ଝରିବା ଦେଖାଗଲା ନାହିଁ । ତାଙ୍କର ଭିତରଟା କାନ୍ଦୁଥିଲା ସତ କିନ୍ତୁ ବାହାରେ ସେ ଦମ୍ଭଧରି ରହିଥିଲେ । ନିଜକୁ ସମ୍ଭାଳି ନେଲେ ସେ । ସେ ବୁଝିଥିଲେ ନିମାଇଁ ଯେଭଳି ଭାବପ୍ରବଣ ପିଲା; ସେଥିରେ ମୁଁ ଯଦି କାନ୍ଦେ, ମୋ ଆଖିରେ ଯଦି ସେ ଲୁହ ଦେଖେ; ସେ ଅସମ୍ଭାଳ ହୋଇ ଉଠିବ । ଥରେ ଯଦି ସେ ଅସମ୍ଭାଳ ହୋଇଉଠେ ତାକୁ ସମ୍ଭାଳିବା ଲାଗି ବହୁତ ଦିନ ଲାଗିଯିବ-। ତେଣୁ ସ୍ୱାମିଙ୍କୁ ହରାଇ ବିଧବାଦଶା ଭୋଗ କଲେ ମଧ୍ୟ ତାଙ୍କ ମନରେ କଷ୍ଟ ହେଉଥିବା କଥା ନିମାଇଁକୁ ଜାଣିବାକୁ ଦେଉନଥିଲେ ସେ । ନିମାଇଁ ମୋର କିଭଳି ମଣିଷ ହେବ, ତାହାହିଁ ଥିଲା ତାଙ୍କର ଏକମାତ୍ର ଚିନ୍ତା । ବିଶେଷ ଚିନ୍ତାଥିଲା ନିମାଇଁର ପାଠପଢ଼ା ନେଇ ।

 

ସେଇ ସମୟରେ ଗଙ୍ଗାଦାସ ଥିଲେ ସେ ଅଞ୍ଚଳର ବିଖ୍ୟାତ ପଣ୍ଡିତ । ତାଙ୍କୁ କୁହାଯାଉଥିଲା ଦିଗ୍‌ବିଜୟୀ ପଣ୍ଡିତ । ତାଙ୍କର ଚରିତ୍ର ଯେପରି ଉତ୍ତମ, ସେମିତି ପାଣ୍ଡିତ୍ୟ ଥିଲା ଅଗାଧ । କେବଳ ଭଲ ଭଲ ଗ୍ରନ୍ଥଙ୍କୁ ନେଇ ସେ ପାଠ ପଢ଼ାଉଥିଲେ । ନିମାଇଁଙ୍କୁ ସେ ଗ୍ରହଣ କଲେ ନିଜ ଗ୍ରନ୍ଥ ଭାବରେ । ଗଙ୍ଗାଦାସଙ୍କ ଟୋଲରେ ଆସନ ପଡ଼ିଲା ନିମାଇଁଙ୍କର । ଅଳ୍ପ କେତେ ଦିନ ମଧ୍ୟରେ ସେ ସବୁ ଗ୍ରନ୍ଥଙ୍କୁ ଟପିଗଲେ । ଶ୍ରେଣୀରେ ହେଲେ ପ୍ରଥମ । କମଳାକାନ୍ତ, କୃଷ୍ଣାନନ୍ଦ ଓ ମୁରାରି ଗୁପ୍ତ ଭଳି ମେଧାବୀ ଗ୍ରନ୍ଥମାନେ ବି ତାଙ୍କ ସାଙ୍ଗରେ ପଢ଼ୁଥିଲେ । ସେତେବେଳକୁ ନିମାଇଁଙ୍କ ବୟସ ଚଉଦ ବର୍ଷ । ଏ ବୟସରେ ସେ ବଡ଼ ବଡ଼ ପଣ୍ଡିତଙ୍କ ସହିତ ମଧ୍ୟ ବିଭିନ୍ନ ଶାସ୍ତ୍ର ସଂପର୍କରେ ପ୍ରତିଯୋଗିତା କରିଥିଲେ । ସେତେବେଳେ ନବଦ୍ୱୀପର ଚାରିଆଡ଼େ ବୈଷ୍ଣବମାନଙ୍କ ପ୍ରଭାବ ଥିଲା ଅଧିକ । ନିମାଇଁ ସେହିମାନଙ୍କ ସହିତ ବିଶେଷ ଭାବରେ ବିଦ୍ୟାଚର୍ଚ୍ଚା କରୁଥିଲେ । ତାଙ୍କ ଗୁରୁ ଗଙ୍ଗାଦାସ ଥିଲେ ପ୍ରଧାନ ବ୍ୟାକରଣ ପଣ୍ଡିତ । ତାଙ୍କଠାରୁ ଯେଉଁ ବିଦ୍ୟା ଆହରଣ କରିଥିଲେ ତାକୁ ଭିତ୍ତିକରି ନିମାଇଁ ଏଇ କିଶୋର ବୟସରେ ଏକ ବ୍ୟାକରଣ ସୂତ୍ର ବହି ଲେଖିଲେ-। ନବଦ୍ୱୀପରେ ତ ସମସ୍ତେ ଥିଲେ ପଣ୍ଡିତ—ଏଠାରେ କୌଣସି ନୂତନ ପୁସ୍ତକ ସହଜେ ଜନପ୍ରିୟ ହୋଇ ନ ଥାଏ । କିନ୍ତୁ ନିମାଇଁଙ୍କ ଏ ପୁସ୍ତକଟି ଅତି ଅଦ୍ଭୁତ ଭାବରେ ଚାରିଆଡ଼େ ଜନପ୍ରିୟ ହୋଇଉଠିଲା ।

 

ତାପରେ ସେ ପଢ଼ିଲେ ନ୍ୟାୟଶାସ୍ତ୍ର । ତାଙ୍କ ଗୁରୁ ହେଲେ ସୁପଣ୍ଡିତ ବାସୁଦେବ ସାର୍ବଭୌମ ଭଟ୍ଟାଚାର୍ଯ୍ୟ । ଏହି ବିଦ୍ୟାଳୟରେ ରଘୁନାଥ ନାମରେ ତାଙ୍କର ଜଣେ ସହପାଠୀ ଥିଲେ-। ଇତିମଧ୍ୟରେ ନିମାଇଁ ନ୍ୟାୟଶାସ୍ତ୍ର ସଂପର୍କରେ ଏକ ଟିପ୍ପଣୀ ଲେଖିସାରିଥିଲେ । ସେ ଜାଣିନଥିଲେ ଯେ ତାଙ୍କ ଆଗରୁ ରଘୁନାଥ ‘ଦୀଧିତି’ ନାମରେ ଏକ ନ୍ୟାୟପୁସ୍ତକ ଲେଖିସାରିଛନ୍ତି-। ଦିନେ ବିଦ୍ୟାଳୟରେ ପାଠପଢ଼ା ଚାଲିଛି, ଗୁରୁ ସାର୍ବଭୌମ ଏକ ଜଟିଳ ବିଷୟକୁ ବୁଝାଇବା ପାଇଁ ରଘୁନାଥଙ୍କୁ କହିଲେ । ବିଷୟଟିକୁ ବୁଝାଇବା ପାଇଁ ରଘୁନାଥଙ୍କୁ ଗୋଟିଏ ଦିନ ଲାଗିଗଲା-। କିନ୍ତୁ ରଘୁନାଥଙ୍କ ଉତ୍ତରରେ ଗୁରୁଙ୍କ ମନଃପୂତ ହେଲା ନାହିଁ । ନିମାଇଁ ଉଠି କହିଲେ, ‘‘ଆଜ୍ଞା ଯଦି ଅନୁମତି ମିଳେ ମୁଁ ବୁଝେଇ ଦେଇପାରିବି ! ନିମାଇଁଙ୍କୁ ଅନୁମତି ମିଳିଲା । ଜଟିଳ ବିଷୟଟିକୁ ସେ ଅତି ଚୁମ୍ବକରେ କିନ୍ତୁ ଅତି ସୁନ୍ଦର ସରଳ ଭାବରେ ବୁଝେଇଦେଲେ । ସାର୍ବଭୌମ ଭାରି ଖୁସି ହୋଇ ଉଠିଲେ । ନିମାଇଁଙ୍କୁ ଆଶୀର୍ବାଦ କରି କହିଲେ, ତୁ ହେଉଛୁ ମୋର ଉପଯୁକ୍ତ ଶିଷ୍ୟ-। ତୁ ଯେପରି ଭାବରେ ବୁଝେଇ ଦେଲୁ ତାହା ମୋଦ୍ୱାରା ବି ସମ୍ଭବ ହୋଇନଥାଆନ୍ତା ।’’

 

ରଘୁନାଥ ଜାଣିପାରିଲେ ନିମାଇଁ ମଧ୍ୟ ନ୍ୟାୟଶାସ୍ତ୍ର ଉପରେ ଖଣ୍ଡିଏ ଟିପ୍ପଣୀ ବହି ଲେଖିଛି । ସେ ଗଲେ ନିମାଇଁ ପାଖକୁ । ଅନୁରୋଧ କରି କହିଲେ, ‘‘ତୁ ଯାହା ଲେଖିଛୁ ମତେ ଟିକେ ଦେଖା ।’’ ନିମାଇଁ ରଘୁନାଥ ମୁହଁକୁ ଲକ୍ଷ୍ୟ କରି ଜାଣିପାରିଲେ ସେ କାହିଁକି କେଜାଣି ଭୟଭୀତ ହୋଇପଡ଼ୁଛି । କାରଣ କଥା କହିଲାବେଳେ ରଘୁନାଥଙ୍କ ପାଟି ଖନିମାରି ଯାଉଥିଲା । ନିମାଇଁ କହିଲେ, ‘‘ଏପରି ଭୟ କରିବାର କାରଣ କଣ ? ପ୍ରକୃତ କଥା କଣ ମତେ କହ ।’’ ରଘୁନାଥ କହିଲେ, ‘‘ବହୁଦିନ ଧରି ବହୁ ପରିଶ୍ରମ କରି ମୁଁ ଖଣ୍ଡିଏ ବହି ଲେଖିଛି । ଶୁଣୁଛି, ତୁ ବି ଖଣ୍ଡିଏ ବହି ଲେଖିଛୁ । ସେଦିନ ବିଦ୍ୟାଳୟରେ ତୁ ଯେଉଁ ଜ୍ଞାନର ପରିଚୟ ଦେଲୁ ସେଥିରୁ ମୁଁ ଜାଣିପାରୁଛି ଯେ ତୋ ବହିଟି ମୋ’ଠାରୁ ବହୁ ଗୁଣରେ ଉକଷ୍ଟ ହୋଇଥିବ । ତୋ ବହିଟି ଯଦି ଚାରିଆଡ଼େ ପ୍ରଚାରିତ ହୁଏ, ମୋ ବହିକୁ ପଚାରିବ କିଏ ? ମନରେ କେତେ କଳ୍ପନା କରିଛି, ମୋ ବହିର ପ୍ରଚାର ହେବ, ଲୋକେ ମତେ ଧନ୍ୟ ଧନ୍ୟ କହିବେ । କିନ୍ତୁ ମୋର ସ୍ଵପ୍ନ କ’ଣ ସତ୍ୟ ହୋଇପାରିବ ? ତୁ ହେଲୁ ମୋର ପ୍ରଧାନ ପ୍ରତିବନ୍ଧକ ।’’

 

ନିମାଇଁ ରଘୁନାଥ ପିଠିରେ ହାତମାରି ହସି ହସି କହିଲେ, ‘‘ଏଇ କଥା ତ, ଏତେ ବିଚଳିତ ହୋଇପଡ଼ୁଛୁ କାହିଁକି ? ଠିକ୍ ଅଛି, ତାର ବ୍ୟବସ୍ଥା ମୁଁ କରିଦେଉଛି ।’’

 

ତା’ ଆରଦିନ ନଈକୂଳ ଦେଇ ନିମାଇଁ ଓ ରଘୁନାଥ ଚାଲିଛନ୍ତି ସାର୍ବଭୌମଙ୍କ ଟୋଲ ଅଭିମୁଖେ । ନିମାଇଁ ନିଜ ଲିଖିତ ପୁସ୍ତକର ପୃଷ୍ଠା ପରେ ପୃଷ୍ଠା ପଢ଼ି ଶୁଣାଉଛନ୍ତି ରଘୁନାଥଙ୍କୁ । ହଠାତ୍ ନିମାଇଁ ଲକ୍ଷ୍ୟ କଲେ ରଘୁନାଥର ଆଖିରୁ ଲୁହ ଝରିବାରେ ଲାଗିଛି । ରଘୁନାଥକୁ ଟିକେ ହଲେଇ ଦେଇ ନିମାଇଁ କହିଲେ, ‘‘ନିହାତି ବୋକାଟାଏ ତୁ । ପିଲାଙ୍କ ଭଳି କାନ୍ଦୁଛୁ କଣ ?’’

 

ରଘୁନାଥ କହିଲେ, ‘‘ବୁଝିଲୁ ନିମାଇଁ, ତୋ ବହି ପଢ଼ିବା ପରେ ମୋର ସମସ୍ତ ଆଶା ଧୂଳିସାତ୍ ହୋଇଯାଇଛି । ତୋ ପୁସ୍ତକ ସୂର୍ଯ୍ୟ ଭଳି ଦୀପ୍ତିମାନ୍ । ମୋ ପୁସ୍ତକ ଜୁଳୁଜୁଳିଆ ପୋକ ଭଳି । ସେଇଥିପାଇଁ କାନ୍ଦୁଛି ।’’ ନିମାଇଁ ହସି ହସି କହିଲେ, ‘‘ନ୍ୟାୟଶାସ୍ତ୍ର ହେଉଛି ଏକ ନିରର୍ଥକ ଦର୍ଶନ । ହେଇ ଦେଖ୍ ।’’ କହି ନିମାଇଁ ସଙ୍ଗେ ସଙ୍ଗେ ନିଜ ପାଣ୍ଡୁ ଲିପିଟିକୁ ଫିଙ୍ଗି ଦେଲେ ନଈ ଭିତରକୁ ।

 

ସଂସାର ଏକ ବିରାଟ ଗ୍ରନ୍ଥକୁ ହରାଇଲା; କିନ୍ତୁ ପାଇଲା ଜଣେ ମହାନ ଗୁରୁଙ୍କୁ । ଏ ଗୁରୁ ହେଲେ ନିମାଇଁ । ଆଜି ସମଗ୍ର ସଂସାରର ସଦ୍‌ଗୁରୁ ସେ । ପୃଥିବୀର ଘରେ ଘରେ ସେ ହେଉଛନ୍ତି ଶ୍ରୀ ଚୈତନ୍ୟ ଗୌରାଙ୍ଗ ମହାପ୍ରଭୁ । ଷୋହଳ ବର୍ଷ ବୟସରେ ନିମାଇଁ ଏକ ଟୋଲ ଆରମ୍ଭ କଲେ । ଟୋଲର ଏକମାତ୍ର ଶିକ୍ଷକ ସେ । ସେତେବେଳେ ନଦିୟାରେ ଏତେ କମ୍ ବୟସରେ କେହି ଶିକ୍ଷକତା ଆରମ୍ଭ କରି ନ ଥିଲେ । ଖାଳି ତ ଶିକ୍ଷକ ନ ଥିଲେ, ଭଲ ଶିକ୍ଷକ ଥିଲେ ସେ । ତାଙ୍କ ଟୋଲରେ ଭଲ ପାଠପଢ଼ା ହେଉଥିବାର ଖବର ଚାରିଆଡ଼େ ପ୍ରଚାରିତ ହେଲ । ଦୂରଦୁରାନ୍ତରୁ ବହୁ ଗ୍ରନ୍ଥ ଆସି ତାଙ୍କ ଟୋଲରେ ଭର୍ତ୍ତି ହେଲେ । ଏହି ସମୟରେ ପିଲଦିନର ସାଙ୍ଗ ଲକ୍ଷ୍ମୀ ସହିତ ତାଙ୍କର ବିବାହ ହୋଇଥିଲା । ଲକ୍ଷ୍ମୀ ଥିଲେ ପଣ୍ଡିତ ବଲ୍ଲଭ ଆଶ୍ଚର୍ଯ୍ୟଙ୍କ କନ୍ୟା । ସେତେବେଳକୁ ନିମାଇଁଙ୍କ ବୟସ ସତର ବର୍ଷ ।

 

ନିମାଇଁ ଥିଲେ ବହୁବିଦ୍ୟାରେ ସୁପଣ୍ଡିତ । ଅଧ୍ୟାପକ ଭାବରେ ତାଙ୍କର ଯଥେଷ୍ଟ ସୁନାମ ଥିଲା । କିନ୍ତୁ ସାଙ୍ଗଙ୍କ ମେଳରେ ସେ ସାଙ୍ଗ ଭଳି ବ୍ୟବହାର କରୁଥିଲେ । ଟୋଲରେ ପାଠପଢ଼ା କାମ ସରିବା ମାତ୍ରେ ସେ ସାଙ୍ଗପିଲାଙ୍କୁ ଧରି ନାନା ଖେଳକୌତୁକରେ ମାତୁଥିଲେ । ନଈରେ ପହଁରିବା ଥିଲା ତାଙ୍କର ବଡ଼ ସଉକ । ସବୁଠାରୁ ତାଙ୍କର ଜ୍ୟୋତିର୍ମୟ ଅଙ୍ଗକାନ୍ତି ଅନେକଙ୍କୁ ଆକୃଷ୍ଟ କରୁଥିଲା । ଏହିଭଳି ଦିନେ ଗଙ୍ଗା ନଦୀକୂଳରେ ହଠାତ୍ ଦେଖାହୋଇଯାଇଥିଲା ଲକ୍ଷ୍ମୀ ସହିତ । ବହୁଦିନ ପରେ ଲକ୍ଷ୍ମୀ ସହିତ ନିମାଇଁଙ୍କର ଏହି ଦେଖା-ସାକ୍ଷାତ୍ । କଥା ନାହିଁ ବାର୍ତ୍ତା ନାହିଁ, ଉଭୟଙ୍କ ଦିବ୍ୟଚକ୍ଷୁର ମିଳନ ଘଟିଥିଲା ଅପୂର୍ବ ଭାବରେ । ବନମାଳୀ ନାମକ ଜଣେ ବନ୍ଧୁଙ୍କ ମଧ୍ୟସ୍ଥତାରେ ବିବାହ ପ୍ରସଙ୍ଗ ପଡ଼ିଲା । ପରିଶେଷରେ ନିମାଇଁଙ୍କ ସହିତ ବିବାହ ହୋଇଥିଲା ଲକ୍ଷ୍ମୀଙ୍କର ।

 

ନିମାଇଁଙ୍କ ବିଦ୍ୟାବୁଦ୍ଧିର ପ୍ରଶଂସକ ଥିଲେ ତ ଅନେକ; କିନ୍ତୁ କେତେ ଜଣ ଈର୍ଷାପରାୟଣ ଲୋକ ତାଙ୍କ ବିରୁଦ୍ଧରେ ନାନାଦି ପ୍ରଚାର ମଧ୍ୟ ଚଳାଇଥିଲେ । ସେମାନେ କହୁଥିଲେ, ‘‘ନିମାଇଁର ଉପରଟା ସିନା ଚକଚକିଆ, ଭିତରଟା ଫମ୍ପା । ଗୁଡ଼ିଏ ଶ୍ଳୋକ ମୁଖସ୍ଥ କରି ଗଡ଼ଗଡ଼ ଗାଇଯାଉଛି ବୋଲି କ’ଣ ତାକୁ ପଣ୍ଡିତ କୁହାଯିବ ?’’

 

କିନ୍ତୁ ନିମାଇଁ କୌଣସି ସମାଲୋଚନା, ନିନ୍ଦା, ଅପମାନକୁ ଖାତିର କରୁ ନ ଥିଲେ । ବିଶେଷତଃ ତତ୍କାଳୀନ ତଥାକଥିତ ବୈଷ୍ଣବମାନଙ୍କୁ ଦେଖିବମାତ୍ରେ ସେମାନଙ୍କୁ ଥଟ୍ଟା-ପରିହାସରେ ଉଡ଼ାଇ ଦେଉଥିଲେ । ତେଣୁ ବୈଷ୍ଣବମାନେ ନିମାଇଁଙ୍କୁ ଦେଖିବାମାତ୍ରେ ଦୂରରୁ ଆଡ଼େଇ ହୋଇ ପଳାଉଥିଲେ ।

 

ବୈଷ୍ଣବମାନେ ନିମାଇଁଙ୍କୁ ଭୟ କରୁଥିଲେ ମଧ୍ୟ; କାରଣ ସେ ସେମାନଙ୍କୁ କହୁଥିଲେ, ଆସ ମୋ ସହିତ ବିଦ୍ୟାଯୁଦ୍ଧ କରିବ । ବୈଷ୍ଣବମାନେ ତାଙ୍କ ସହିତ ବିଦ୍ୟାଯୁଦ୍ଧରେ ପରାଜିତ ହୋଇ ଅତି ଲଜ୍ଜିତ ହୋଇପଡ଼ୁଥିଲେ । ସେତେବେଳେ ଥିଲେ ମୁକୁନ୍ଦ ନାମରେ ଜଣେ ବଡ଼ ବୈଷ୍ଣବ-। କୃଷ୍ଣନାମ ଜପରେ ଦିନ କଟୁଥିଲା ତାଙ୍କର । ଦିନେ ନିମାଇଁ ଦେଖିଲେ ମୁକୁନ୍ଦ ତାଙ୍କୁ ଦେଖି ନଦେଖିଲା ଭଳି ଆଡ଼େଇ ହୋଇ ଚାଲିଯାଉଛନ୍ତି । ନିମାଇଁ ସିଧା ଗଲେ ତାଙ୍କ ପାଖକୁ-। କହିଲେ, ‘‘କିହୋ ମୁକୁନ୍ଦ, ତୁମେ ଯେତେ ଚେଷ୍ଟାକଲେ ମଧ୍ୟ ମୋ’ଠୁ ଖସି ଯାଇପାରିବ ନାହିଁ । ଏଭଳି ଲୋକଦେଖାଣିଆ ବୈଷ୍ଣବ ପାଲଟିଲେ ଚଳିବ ନାହିଁ-। ତୁମକୁ ଅଳ୍ପ କେତେ ଦିନ ଭିତରେ ପ୍ରକୃତ ବୈଷ୍ଣବ କରେଇଦେବି ।’’

 

ଆଉ ଦିନକର କଥା । ଶ୍ରୀବାସ ଥିଲେ ନିମାଇଁଙ୍କ ପିତାଙ୍କର ଜଣେ ଘନିଷ୍ଠ ବନ୍ଧୁ । ତାଙ୍କ ପିତା ଓ ଶ୍ରୀବାସ ଉଭୟେ ଥିଲେ ବୈଷ୍ଣବ ସଂପ୍ରଦାୟର । ଦିନେ ହଠାତ୍ ବାଟରେ ଯାଉ ଯାଉ ଶ୍ରୀବାସଙ୍କ ସହିତ ଦେଖାହୋଇଗଲା ନିମାଇଁଙ୍କର । ନିମାଇଁ ଶ୍ରୀବାସଙ୍କୁ ପ୍ରଣିପାତ କଲେ । ଶ୍ରୀବାସ ନିମାଇଁଙ୍କୁ କହିଲେ, ‘‘ମୁଁ ଶୁଣୁଛି ତୁ ବୈଷ୍ଣବମାନଙ୍କୁ ଥଟ୍ଟା-ପରିହାସ କରୁଛୁ । ଏହା ତୋ ପକ୍ଷରେ ଉଚିତ ହେଉନାହିଁ । ପବିତ୍ର ଜୀବନଯାପନ କର ।’’

 

ନିମାଇଁ କିଛି ସମୟ ପାଇଁ ଚୁପ ରହିଲେ । ତାଙ୍କର ଏଭଳି ନିରବତାର ଯଥେଷ୍ଟ କାରଣ ଥିଲା । କାରଣ ହେଉଛି ମୁହଁରେ ବିଷ୍ଣୁ ବିଷ୍ଣୁ ଉଚ୍ଚାରଣ କରିଦେଲେ କେହି ବୈଷ୍ଣବ ହୋଇ ଯାଏନା-

 

ଆନ୍ତରିକତା ଅଭାବରୁ ବୈଷ୍ଣବ ସଂପ୍ରଦାୟର ଦୁର୍ନାମ ରଟନା ହେଉଥିଲା ଚାରିଆଡ଼େ । ତେଣୁ ନିମାଇଁ ଶ୍ରୀନିବାସଙ୍କୁ କହିଲେ, ‘‘ପଣ୍ଡିତ ମହାଶୟ ! ଆପଣ ଜାଣନ୍ତି ମୁଁ ଖୁବ୍ କମ୍ ବୟସରେ ଅଧ୍ୟାପକ ହୋଇଛି । ପିଲାଙ୍କୁ ସଂସ୍କୃତ ପଢ଼ାଉଛି । ମୋ ପାଠ-ପଢ଼ାରେ ପିଲାଏ ଖୁସି ହେଉଛନ୍ତି, ମୁଁ ପାଠ ପଢ଼େଇ ଖୁସି ହେଉଛି । ମୋର ଜୟଯାତ୍ରା ଚାଲିଛି । ଯାତ୍ରାପଥରେ ଯେତେବେଳେ ମୁଁ କ୍ଳାନ୍ତ-ଶ୍ରାନ୍ତ ହୋଇପଡ଼ିବି ସେତେବେଳେ ମତେ ଏ ପରମର୍ଶ ଦେବ ଯେ ଶୁଣିବି ।’’

 

ସେତେବେଳେ ନବଦ୍ୱୀପରେ ବା ନଦିୟାରେ ସମସ୍ତଙ୍କ ମୁହଁରେ ନିମାଇଁଙ୍କ କଥା । ତାଙ୍କ ଉପରେ କେବଳ ଯେ ପ୍ରଶଂସା ଅଜାଡ଼ି ହୋଇପଡ଼ୁଥିଲା ତାହା ନୁହେଁ; ଲୋକେ ଖୁସି ହୋଇ ତାଙ୍କୁ ନାନା ଦ୍ରବ୍ୟ ମଧ୍ୟ ଆଣିଦେଉଥିଲେ । ଧାନ, ଚାଉଳ, ଲୁଗାପଟା, ପନିପରିବା କେତେ ଯେ କ’ଣ ତାଙ୍କ ଘରକୁ ଆସୁଥିଲା ତାର ଠିକଣା ନାହିଁ । ପ୍ରତିଦିନ ନିମାଇଁଙ୍କ ଘରେ କୋଡ଼ିଏ ପଚିଶଜଣ ସାଧୁ ସନ୍ନ୍ୟାସୀ ଖାଉଥିଲେ; ଲୁଗାପଟା ମଧ୍ୟ ପାଉଥିଲେ । ସେଇ ସମୟରେ ନବଦ୍ୱୀପରେ ପହଞ୍ଚିଲେ ଈଶ୍ୱର ପୁରୀ । ସେ ସନ୍ନ୍ୟାସୀ ମାଧବେନ୍ଦ୍ର ପୁରୀଙ୍କ ଶିଷ୍ୟ । କୃଷ୍ଣପ୍ରେମ ହିଁ ଥିଲା ତାଙ୍କର ଏକମାତ୍ର ସମ୍ବଳ । ଦିନେ ନିମାଇଁ ହାତରେ ପୋଥିପତ୍ର ଧରି ଟୋଲରୁ ଫେରୁଛନ୍ତି । ନଗର ଭ୍ରମଣରେ ବାହାରିଛନ୍ତି ଈଶ୍ୱର ପୁରୀ । ଗୌରାଙ୍ଗଙ୍କୁ ଦେଖିବାମାତ୍ରେ ସେ ମୋହିତ ହୋଇପଡ଼ିଲେ-। ନିମାଇଁଙ୍କ ପାଖକୁ ଲାଗି ଆସି ତାଙ୍କର ପରିଚୟ ପଚାରିଲେ । ନିମାଇଁ ପରିଚୟ ତ ଦେଲେ ତା ସଙ୍ଗେ ସଙ୍ଗେ ଈଶ୍ୱରପୁରୀଙ୍କୁ ନେଇଗଲେ ନିଜ ଘରକୁ । ରାତ୍ରଭୋଜନରେ ଆପ୍ୟାୟିତ କଲେ ଈଶ୍ଵରପୁରୀଙ୍କୁ । ଉଭୟଙ୍କ ଭିତରେ ବହୁ ଆଲୋଚନା ହେଲା । ଈଶ୍ୱରପୁରୀ ବିନମ୍ରଭାବରେ ନିମାଇଁଙ୍କୁ ଅନୁରୋଧ କଲେ, ‘‘ବାପ, ତୁ ଯଦି ସାହାଯ୍ୟ କରନ୍ତୁ ମୁଁ ରଧାକୃଷ୍ଣଙ୍କ ସମ୍ପର୍କରେ ଖଣ୍ଡେ ପୁସ୍ତକ ଲେଖନ୍ତି ।’’

 

ନିମାଇଁ ହସି ହସି କହିଲେ, ‘‘ଠିକ୍ ଅଛି । ଆପଣ ଲେଖିଯାଆନ୍ତୁ; ଲେଖା ହୋଇଯିବ । ଯାହାଙ୍କ ସମ୍ପର୍କରେ ଲେଖିବେ ବୋଲି ଭାବୁଛନ୍ତି ସେଇ ରାଧାକୃଷ୍ଣ ଆପଣଙ୍କୁ ସାହାଯ୍ୟ କରିବେ ।’’ ଅଳ୍ପ କେତେ ବର୍ଷ ପରେ ଏ ଦୁହିଁଙ୍କର ପୁଣି ମିଳନ ଘଟିଥିଲା ଗୟାରେ, ଏକ ନାଟକୀୟ ପରିବେଶ ମଧ୍ୟରେ ।

 

ଇତିମଧ୍ୟରେ ନିମାଇଁଙ୍କ ଟୋଲ ବହୁତ ବଢ଼ିଯାଇଛି । ଗ୍ରନ୍ଥଙ୍କ ସଂଖ୍ୟା ଦୁଇ ତିନି ଗୁଣ ବଢ଼ିଉଠିଛି । ପିଲାଦିନେ ନିମାଇଁଙ୍କୁ ଯେଉଁ ବ୍ୟାଧି ଘାରୁଥିଲା, ସେ ବ୍ୟାଧି ପୁଣି ଦେଖାଦେଇଛି । ଏ ବ୍ୟାଧି ହେଉଛି ତାଙ୍କର ଭାବାବେଶ । ଭାବାବେଶରେ ସେ ଅଚେତ ହୋଇପଡ଼ୁଛନ୍ତି । ଏହି ସୁଯୋଗ ନେଇ ତାଙ୍କର ବିରୋଧୀ ଲୋକେ ଚାରିଆଡ଼େ ପ୍ରଚାର କରିବା ଆରମ୍ଭ କରିଦେଲେ ଯେ ନିମାଇଁଟା ପାଗଳ ହୋଇଗଲା । ନିମାଇଁଙ୍କର ଥରେ ଭାବାବେଶ ଆସିଗଲେ ସ୍ୱାଭାବିକ ଅବସ୍ଥାକୁ ଫେରିଆସିବା ପାଇଁ ପ୍ରାୟ ଏକସପ୍ତାହ ଲାଗିଯାଉଥିଲା । ଅନେକ ଲୋକ ତାଙ୍କ ମାଆଙ୍କୁ ଯାଇ କହିଲେ ଯେ ନିମାଇଁଟା ତ ପାଗଳ ହୋଇଗଲାଣି, ଟୋଲ ବନ୍ଦ ହୋଇଯିବ । କିନ୍ତୁ ଏଇ ଭାବାବେଶ ମଧ୍ୟରେ ନିମାଇଁଙ୍କ ଶରୀର ଓ ମନରେ ସୃଷ୍ଟି ହୋଇଥିଲା ଏକ ନୂତନ ଓ ଅଦ୍ଭୁତ ପରିବର୍ତ୍ତନ । ସେ କ୍ରମଶଃ ଅତ୍ୟନ୍ତ ସଂଯତ ହୋଇ ଆସିଲେ । ଧୀରସ୍ଥିର ଭାବରେ କଥାବାର୍ତ୍ତା କଲେ । ତାଙ୍କ କଣ୍ଠର ସ୍ଵର ମଧ୍ୟ ବଦଳିଗଲା—ସ୍ୱର ହୋଇଉଠିଲା କୋମଳ ଓ ଲଳିତ ।

 

ସେ ଏହା ଭିତରେ ଇଚ୍ଛାକଲେ ପୂର୍ବ-ବଙ୍ଗର କେତେକ ଅଞ୍ଚଳକୁ ବୁଲିଯିବା ପାଇଁ । ମାଆଙ୍କଠାରୁ ଅନୁମତି ନେଲେ । ଲକ୍ଷ୍ମୀପ୍ରିୟାଙ୍କ ଦାୟିତ୍ୱ ନ୍ୟସ୍ତ କଲେ ମାଆଙ୍କ ଉପରେ । ବାହାରିଲେ ପୂର୍ବ-ବଂଗ ଅଭିମୁଖେ । ଆଗରୁ ପୂର୍ବ-ବଙ୍ଗର ଅନେକ ଗ୍ରନ୍ଥ ତାଙ୍କ ଟୋଲରେ ପଡ଼ୁଥିଲେ । ତା’ଛଡ଼ା ସେ ବିଭିନ୍ନ ଶାସ୍ତ୍ର ଉପରେ ଯେଉଁ ଟିପ୍ପଣୀ ଲେଖିଥିଲେ ତା’ର ପ୍ରଚାର ମଧ୍ୟ ହୋଇଥିଲା ପୂର୍ବ-ବଙ୍ଗରେ । ତେଣୁ ବହୁ ଶିକ୍ଷାର୍ଥୀ ଓ ଜନସାଧାରଣ ତାଙ୍କୁ ପୂର୍ବ-ବଙ୍ଗରେ ସାଦର ଅଭ୍ୟର୍ଥନା ଜଣାଇଲେ । ସେ ଯେଉଁଠିକ ଯାଉଥିଲେ ତାଙ୍କ ପଛେ ପଛେ ଶହ ଶହ ବ୍ୟକ୍ତିଙ୍କର ଧାଡ଼ି ଲମ୍ବୁଥିଲା ।

 

ଦିନେ ନିମାଇଁ ଶିଷ୍ୟମାନଙ୍କ ସହିତ ଏକାଠି ବସି ବଦ୍ୟାଚର୍ଚ୍ଚା କରୁଥିବାବେଳେ ହଠାତ୍ ଜଣେ ବ୍ରାହ୍ମଣ ଆସି ତାଙ୍କ ଗୋଡ଼ତଳେ ସାଷ୍ଟାଙ୍ଗ ପ୍ରଣିପାତ କଲା । ବ୍ରାହ୍ମଣ ଜଣକ ବୟସରେ ନିମାଇଁଙ୍କଠାରୁ ବହୁତ ବଡ଼ । ତାଙ୍କ ନାଁ ତପନ ମିଶ୍ର । ତାଙ୍କର ଏହି ସାଷ୍ଟାଙ୍ଗ ପ୍ରଣିପାତରେ ଉପସ୍ଥିତ ସମସ୍ତ ଶିଷ୍ୟ ଓ ନିମାଇଁ ମଧ୍ୟ ବିସ୍ମିତ ହୋଇପଡ଼ିଲେ । ତପନ ମିଶ୍ର ସମସ୍ତଙ୍କୁ ବୁଝେଇ କହିଲେ, ‘‘ଗତକାଲି ମୁଁ ସ୍ଵପ୍ନ ଦେଖିଲି, ଜଣେ ଦିବ୍ୟପୁରୁଷ ମତେ ଆସି କହିଲେ—ତୁମେ ନିମାଇଁ ପଣ୍ଡିତଙ୍କ ପାଖକୁ ଯାଅ । ସେ ହେଉଛନ୍ତି ସ୍ୱୟଂ ଭଗବାନ । ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ନରଦେହରେ ପୃଥିବୀକୁ ଅବତରଣ କରିଛନ୍ତି ।’’

 

ନମାଇଁ ବିନମ୍ରଭାବରେ ତପନ ମିଶ୍ରଙ୍କୁ କହିଲେ, ‘‘କଳିଯୁଗରେ ତପ ଯଜ୍ଞର କୌଣସି ଆବଶ୍ୟକତା ନାହିଁ । ଯିଏ କୃଷ୍ଣନାମ ଜପ କରେ, ସିଏ ହେଉଛି ସବୁଠାରୁ ଭାଗ୍ୟବାନ୍ । ଭୁମେ ଶାସ୍ତ୍ରରୁ ଯେଉଁ ସାଧନା ଓ ତତ୍ତ୍ୱ କଥା ପଢ଼ିଛ ସେସବୁ ହରିନାମ ସଂକୀର୍ତନରୁ ମିଳବ । ତୁମେ ବାରଣାସୀକୁ ଯାଅ । ସେଇଠାରେ ତୁମ ସହିତ ମୋର ମିଳନ ହେବ । ନବଦ୍ୱୀପରେ ଏଇ ତପନ ମିଶ୍ର ହିଁ ପ୍ରଥମେ ନିମାଇଁ ପଣ୍ଡିତଙ୍କୁ ଭଗବାନଙ୍କ ଅବତାର ଭାବରେ ବିଶ୍ୱାସ କରିଥିଲେ ।

 

ପୂର୍ବ-ବଙ୍ଗରେ ଗ୍ରାମ ଗ୍ରାମ ବୁଲି ନିମାଇଁ ବିଦ୍ୟାଚର୍ଚ୍ଚା କରୁଥିବା ବେଳେ ଇଆଡ଼େ ମାୟାପୁରଠାରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଦେହତ୍ୟାଗ କଲେ । ସାପକାମୁଡ଼ାରେ ତାଙ୍କର ମୃତ୍ୟୁ ହୋଇଥିଲା । ନିମାଇଁଙ୍କ ଅନୁପସ୍ଥିତରେ ଲକ୍ଷ୍ମୀପ୍ରିୟାଙ୍କର ଅନ୍ତ୍ୟେଷ୍ଟି କ୍ରୀୟା ସଂପନ୍ନ ହୋଇଥିଲା । ସେ କେତେ ମାସ ପରେ ଗୃହକୁ ଫେରିଲେ । ସେ ଘରେ ପହଞ୍ଚିବା ପର୍ଯ୍ୟନ୍ତ ଜାଣି ନଥିଲେ ଯେ ଲକ୍ଷ୍ମୀପ୍ରିୟା ତାଙ୍କୁ ଚିରଦିନ ପାଇଁ ଛାଡ଼ିଦେଇ ଚାଲିଯାଇଛି । ଗାଁଲୋକଙ୍କଠାରୁ ସେ ଏ ଖବର ପାଇଲେ । ପୁଅକୁ ଦେଖି ଶଚୀମାତାଙ୍କ ଆଖିରୁ ଝରଝର ହୋଇ ଲୁହ ଖସି ଆସିଲା । ଲକ୍ଷ୍ମୀପ୍ରିୟାର ବିୟୋଗ ଓ ମାଆଙ୍କର କ୍ରନ୍ଦନରେ ନିମାଇଁ କିଛି ସମୟ ପାଇଁ ମର୍ମାହତ ହୋଇପଡ଼ିଲେ; କିନ୍ତୁ ସଙ୍ଗେ ସଙ୍ଗେ ନିଜକୁ ସମ୍ଭାଳି ନେଲେ ସେ । ମାଆଙ୍କୁ ବୁଝେଇବାଝେଇ ଶାନ୍ତ କରାଇଲେ ।

 

ନିମାଇଁ ପୂର୍ବ-ବଙ୍ଗକୁ ଯାଇଥିଲେ ଅଧ୍ୟାପକଭାବରେ ବିଦ୍ୟାଚର୍ଚ୍ଚା କରିବା ପାଇଁ; କିନ୍ତୁ ତାଙ୍କର ଏ ବିଦ୍ୟାଚର୍ଚ୍ଚା ଫଳରେ ଏ ଅଞ୍ଚଳରେ ସୃଷ୍ଟି ହୋଇଥଲ ଆଧ୍ୟାତ୍ମିକ ଚେତନାର ଏକ ଅପୂର୍ବ ପ୍ଳାବନ । ଲୋକେ କହୁଥିଲେ, ‘‘ନିମାଇଁ ମହାପ୍ରଭୁ ଆସିଛନ୍ତି ଆମ ପାଖକୁ । ଯିଏ ଯେଉଁଠି ଅଛ ତାଙ୍କ ପାଖକୁ ଚାଲିଆସ । ସେ ଆମମାନଙ୍କ ପାଇଁ ହରିନାମର ଏକ ନୌକା ତିଆରି କରିଚନ୍ତି । ସେଥିରେ ସେ ମନୁଷ୍ୟଙ୍କୁ ସଂସାର-ସାଗରରୁ ପାରି କରାଉଛନ୍ତି । ଏଥିଲାଗି ତାଙ୍କୁ କୌଣସି କଉଡ଼ି ଦେବାକୁ ପଡ଼ୁନାହିଁ । ପାପୀ ତାପୀ ଯିଏ ଯେଉଁଠି ଅଛ, ଚାଲି ଆସ; ତାଙ୍କ ନାଆରେ ବସ ।’’

 

ସେ କେଉଁ ଭାଷାରେ କେଉଁ ଗୁଣରେ ଲୋକଙ୍କୁ ଆକୃଷ୍ଟ କରୁଥିଲେ ତାହା ଥିଲା ସମସ୍ତଙ୍କ ପାଖରେ ଏକ ରହସ୍ୟ । ସେ ପର୍ଯ୍ୟନ୍ତ ସେ କୃଷ୍ଣନାମର ପ୍ରଚାର କରିନଥିଲେ କିମ୍ବା ସେ ଜଣେ ଧର୍ମପୁରୁଷ ବୋଲି କାହାକୁ କହୁ ନଥିଲେ । ସେ ଥିଲେ ଜଣେ ସାଧାରଣ ସରଳ ବ୍ୟକ୍ତି ତଥା ଭାଷା ଓ ବ୍ୟାକରଣ ଅଧ୍ୟାପକ । କିନ୍ତୁ ପୂର୍ବ-ବଙ୍ଗରେ ତାଙ୍କର ବିଦ୍ୟାଚର୍ଚ୍ଚା ଫଳରେ ସୃଷ୍ଟି ହୋଇଥିଲେ ବହୁ ଭକ୍ତ ।

 

ନିମାଇଁ ଫେରିବାବେଳେ ତାଙ୍କ ସହିତ ବହୁ ବିଦ୍ୟାର୍ଥୀ ମଧ୍ୟ ଆସିଥିଲେ ତାଙ୍କ ଟୋଲରେ ପଢ଼ିବା ପାଇଁ । ସେତେବେଳକୁ ନିମାଇଁଙ୍କ ବୟସ ଅଠର ବର୍ଷ । ବିଦ୍ୟାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବା ହେତୁ ସେ ନିଜ ଟୋଲର ପରିସର ମଧ୍ୟ ବୃଦ୍ଧି କରାଇଲେ । ଚାରିଆଡ଼ ଚାନ୍ଦା-ଭେଦା ଆସି ପହଞ୍ଚିଲା ବହୁତ । କିନ୍ତୁ ସେ ନିଜେ କୌଣସି ଚାନ୍ଦା-ଭେଦା ଗ୍ରହଣ କରୁ ନଥିଲେ; କହୁଥିଲେ ଯାହା ଦେବ ମାଆଙ୍କୁ ଦିଅ ।

 

ସେଇ ସମୟରେ ଜଣେ ଦିଗ୍ ବିଜୟୀ ପଣ୍ଡିତ ଆସି ପହଞ୍ଚିଲେ ନଦିୟାରେ । ନାମ ତାଙ୍କର କେଶବ କାଶ୍ମୀର । ସେ ଚାରିଆଡ଼େ କହି-ବୁଲୁଥିଲେ ଯେ ‘‘ବିଦ୍ୟାଚର୍ଚ୍ଚା କରି ମତେ ଯଦି କିଏ ପରାଜିତ କରି ଦେଇପାରିବ ମୁଁ ତାକୁ ମୋର ସମସ୍ତ ଧନସମ୍ପତ୍ତି ଦେଇଦେବି । ଶୁଣିଛି ନଦିୟାରେ ବହୁ ପଣ୍ଡିତ ବ୍ୟକ୍ତି ଅଛନ୍ତି । ବିଦ୍ୟାଯୁଦ୍ଧ କରିବା ପାଇଁ ଯିଏ କେହି ଆସୁଛ, ଆସ ।’’

 

ନଦିୟାରେ ଏକ ଗୁଜବ ପ୍ରଚାର ହେଲା ଯେ କେଶବ କାଶୀର ହେଉଛନ୍ତି ସରସ୍ୱତୀଙ୍କ ବରପୁତ୍ର । ତାଙ୍କ କଣ୍ଠରେ ସର୍ବଦା ସରସ୍ଵତୀ ବିରାଜମାନ । ଏଇ ଗୁଜବ ଫଳରେ ନଦିୟାର କୌଣସି ପଣ୍ଡିତ ତାଙ୍କ ସହିତ ବିଦ୍ୟାଯୁଦ୍ଧ କରିବା ପାଇଁ ସାହସ କରୁନଥିଲେ ।

 

ଦିନେ ଶୁକ୍ଳପକ୍ଷରେ ଚନ୍ଦ୍ର କିରଣ ଚାରିଆଡ଼େ ବିଛେଇ ହୋଇ ପଡ଼ିଛି । ଆକାଶ ନିର୍ମଳ-। ଗଙ୍ଗାକୂଳରେ ବସି ନିମାଇଁ ଶିଷ୍ୟମାନଙ୍କ ସହିତ ଆଲୋଚନା କରୁଛନ୍ତି । ଠିକ୍ ସେଇ ସମୟରେ ପଣ୍ଡିତ କେଶବ କାଶ୍ମୀର ପହଞ୍ଚିଲେ ନିମାଇଁଙ୍କ ନିକଟରେ । ତରଳ ତରଙ୍ଗିଣୀ ଜାହ୍ନବୀ ଗଙ୍ଗା କୁଳୁକୁଳୁ ହୋଇ ବହିଚାଲିଛି । ହଠାତ୍ ପଣ୍ଡିତ କେଶବ ଗଙ୍ଗାମାତାଙ୍କ ବନ୍ଦନା କରିବା ସଙ୍ଗେ ସଙ୍ଗେ ନିମାଇଁଙ୍କ ଶିଷ୍ୟମାନଙ୍କୁ ଆକ୍ଷେପ କରି ବଡ଼ପାଟିରେ କେତୋଟି ଶ୍ଳୋକ ଗାଇଲେ-। ନିମାଇଁ କେଶବଙ୍କ ପାଖକୁ ଯାଇ କହିଲେ, ‘‘ମୋ ନାଁ ହେଉଛି ନିମାଇଁ । ଟୋଲ ଖଣ୍ଡିଏ କରିଛି-। କେତେଜଣ ଛାତ୍ରଙ୍କୁ ନେଇ ପଢ଼ାଉଛି-। ଆମେ ତ ଆପଣଙ୍କ ଭଲି ପଣ୍ଡିତ ହୋଇ ନାହୁଁ-। ଜ୍ଞାନ ବହୁତ କମ୍ । ଆମେ ଆପଣଙ୍କଠାରୁ ବହୁତ କିଛି ଶିଖିବାର ଅଛି । ଗଙ୍ଗାମାତାଙ୍କୁ ବନ୍ଦନା କରି ଯେଉଁ ଶ୍ଳୋକଟି ଗାଇଲେ ଭାରି ଭଲଲାଗିଲା । ଦୟାକରି ଆଉ ଗୋଟିଏ ଗଙ୍ଗା-ବନ୍ଦନା ଗାଆନ୍ତୁ-। ମୁଁ ଓ ମୋର ଶିଷ୍ୟମାନେ ଶୁଣିବା ପାଇଁ ଆଗ୍ରହୀ ।’’

 

କେଶବ ପଣ୍ଡିତଙ୍କର ଅହଂଭାବ ଆହୁରି ବଢ଼ିଉଠିଲା । ନିମାଇଁଙ୍କ ଅନୁରୋଧରେ ସେ ଅତି ଉତ୍ସାହିତ ହୋଇ ଘଣ୍ଟାକଭିତରେ ଶହେଟି ଶ୍ଳୋକ ଆବୃତ୍ତି କରି ପକାଇଲେ । କେଶବ ପଣ୍ଡିତେ ଶ୍ଳୋକଗୁଡ଼ିକୁ ଏଡ଼େ ସୁନ୍ଦରଭାବରେ ଗାଇଲେ ଯେ, ତାଙ୍କ କଣ୍ଠର ସ୍ଵରରେ ଉପସ୍ଥିତ ସମସ୍ତେ ଅଭିଭୂତ ହୋଇପଡ଼ିଲେ । କିନ୍ତୁ ଶ୍ଳୋକର ଅର୍ଥ କେହି ବୁଝିପାରିଲେ ନାହିଁ । ନିମାଇଁ ସମସ୍ତଙ୍କ ମନକଥା ଜାଣିପାରି ପଣ୍ଡିତଙ୍କୁ କହିଲେ, ‘‘ଯାହା ଗାଇଲେ ତାକୁ ବିଶ୍ଳେଷଣ କରି ବୁଝେଇ ଦେଇପାରିଲେ ସମସ୍ତେ ଉପକୃତ ହୁଅନ୍ତେ ।’’

 

କେଶବ ପଣ୍ଡିତ ପଚାରିଲେ, ‘‘ଏତେଗୁଡ଼ିଏ ଶ୍ଳୋକ ତ ଗାଇଲି । ତା’ଭିତରୁ କେଉଁଟି ବୁଝିହେଉନି କହିଲେ ସିନା ବୁଝାଇଦେବି ।’’ ନିମାଇଁ ସଙ୍ଗେ ସଙ୍ଗେ କହିଲେ, ‘‘ମହତ୍ତଂ ଗଙ୍ଗାୟାଃ ।’’ ପଣ୍ଡିତେ ବୁଝେଇବେ କଣ ? ସେ ନିର୍ବାକ୍ ନିସ୍ପନ୍ଦ ଭାବରେ ନିମାଇଁଙ୍କୁ ଚାହିଁରହିଲେ । କହିଲେ, ‘‘ତୁ ହେଉଛୁ ଶ୍ରୂତିଧର । ମୁଁ ତ ଶହେଟି ଶ୍ଳୋକ ଗାଇଲି । ତୁ ତ ଥରେ ମାତ୍ର ଶୁଣିଛୁ । ମଝିରୁ ଏଇ ଶ୍ଳୋକଟି ତୋର ମନେରହିଲା କିପରି ?’’

 

ଯାହାହେଉ, ଦିଗ୍‍ବିଜୟୀ ପଣ୍ଡିତ କେଶବ କାଶ୍ମୀର ଶ୍ଳୋକଟିର ଅର୍ଥ ସମସ୍ତଙ୍କୁ ଶୁଣାଇଦେଲେ । ସେ ଅର୍ଥ କଲାବେଳେ ନିମାଇଁ ଧୀରସ୍ଥିର ଭାବରେ ସବୁ ଶୁଣୁଥାଆନ୍ତି । ଶ୍ଳୋକାର୍ଥ ଶେଷ ହେବା ପରେ କହିଲେ, ‘‘ପଣ୍ଡିତ ମହାଶୟ ! ମୋତେ କ୍ଷମା କରିବେ । ଶ୍ଳୋକଟିରେ ଦୋଷ ଓ ଗୁଣ କଣ ଅଛି ପ୍ରକାଶ କରନ୍ତୁ । ଯଦି ଆପଣ ପ୍ରକାଶ ନକରିବେ ମୋତେ ଅନୁମତି ଦିଅନ୍ତୁ ମୁଁ ପ୍ରକାଶ କରିଦେବି ।’’

 

କ୍ରୋଧରେ ଜଳିଉଠିଲେ କେଶବ କାଶ୍ମୀର । କହିଲେ, ‘‘ମୋ ଶ୍ଳୋକରେ ତିଳେ ହେଲେ ଦୋଷ ରହିନପାରେ । ତୁ ତ ଜଣେ ଅର୍ବାଚିନ ଯୁବକ । ମୋର ଶ୍ଳୋକରଚନାର ବିଚାରଲାଗି ତୁ ଉପଯୁକ୍ତ ନୋହୁ ।’’

 

ନିମାଇଁ ବିନୀତଭାବରେ ପଣ୍ଡିତଙ୍କୁ କହିଲେ, ‘‘ମୁଁ ଅନୁପଯୁକ୍ତ ହୋଇପାରେ । ତା’ବୋଲି ଶ୍ଳୋକରେ ଥିବା ଦୋଷ ଲାଗି ଶ୍ଳୋକକୁ କ୍ଷମା କରାଯାଇନପାରେ । ଆପଣଙ୍କ ରଚିତ ଶ୍ଳୋକର ପାଞ୍ଚଟି ଦୋଷତୃଟି ରହିଛି । ସେଇ ତୃଟିଗୁଡ଼ିକ ଯୋଗୁ ହଁ ଶ୍ଳୋକର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ।’’ ନିମାଇଁ ସଙ୍ଗେ ସଙ୍ଗେ ପାଞ୍ଚଟିଯାକ ଦୋଷ ବାଛି ବାହାର କରିଦେଲେ । ନତମସ୍ତକ ହେଲେ ଦିଗ୍‍ବିଜୟୀ ପଣ୍ଡିତ । ତାଙ୍କର ବିଜୟର ଗୌରବ ଅଠରବର୍ଷର ଯୁବକ ନଦିୟାର ନିମାଇଁ ପଣ୍ଡିତଙ୍କଦ୍ଵାରା ଧୂଳିସାତ୍ ହେଲା ।

 

ପୂର୍ବଭଳି କ୍ରୋଧଜର୍ଜ୍ଜର ଭାବ ନେଇ କେଶବ ପଣ୍ଡିତ ଫେରିଗଲେ ନିଜ ବସାକୁ । ତା’ଆରଦିନ ସକାଳେ ସେ ଆସିଲେ ନିମାଇଁଙ୍କ ପାଖକୁ । ପଣ୍ଡିତେ ହାତଯୋଡ଼ି କହିଲେ, ‘‘କ୍ଷମାକର ନିମାଇଁ ! ହଂସବାହିନୀ ସରସ୍ଵତୀ ସ୍ୱପ୍ନରେ ମୋତେ କହିଲେ—ନିମାଇଁ ହେଉଛି ସ୍ଵୟଂ ଶ୍ରୀକୃଷ୍ଣ ।’’ ତା’ପରେ କେଶବ ପଣ୍ଡିତଙ୍କ ମନରେ ଦେଖାଦେଲା ଏକ ଅଭିନବ ପରିବର୍ତ୍ତନ ।

 

ଘରକୁ ଧନରତ୍ନ ଯେତେ ଆସିଲେ ମଧ୍ୟ ଶଚୀମାତାଙ୍କ ମନରେ ଆନନ୍ଦ ନଥାଏ । ତାଙ୍କର ଏକମାତ୍ର ଚିନ୍ତା ଥିଲା ନିମାଇଁର ମନ କିପରି ଘର-ସଂସାର ପ୍ରତି ଲାଗିବ । ସେଥିପାଇଁ ତ ସେ ଅଳ୍ପବୟସରେ ତାଙ୍କୁ ଲକ୍ଷ୍ମୀ ସହିତ ବିବାହ ଦେଇଥିଲେ । କିନ୍ତୁ ଲକ୍ଷ୍ମୀ ଯେ ଏତେ ଶୀଘ୍ର ଆଖି ବୁଜିଦେବେ ତାହା ସେ କଳ୍ପନା ସୁଦ୍ଧା କରିନଥିଲେ । ଯାହା ହେବାର ତ ହୋଇଗଲା, ନିମାଇଁର ତ ବୟସ ବେଶି ହୋଇଯାଇ ନାହିଁ । ମାତ୍ର ଅଠରବର୍ଷ ବୟସ । ପୁଣି ବିବାହ କରିବାକୁ ଯଥେଷ୍ଟ ବୟସ ଅଛି ତାର । ସେ ନିମାଇଁଙ୍କୁ ଯେତେବେଳେ ନିରୋଳାରେ ପାଉଥିଲେ, ସେହି କଥା କହୁଥିଲେ । ନିମାଇଁ ମାଆଙ୍କ କଥା ଏଡ଼ାଇ ପାରୁନଥିଲେ । କାରଣ ବଡ଼ଭାଇ ବିଶ୍ୱରୂପ ସନ୍ନ୍ୟାସୀ ହୋଇ ଚାଲିଯିବା ପରେ ସେ ମାଆଙ୍କୁ ସାନ୍ତ୍ଵନା ଦେଇ କହିଥିଲେ, ‘‘ବଡ଼ଭାଇ ଭଲ କାମରେ ଗଲେ-। ସେଥିରେ ଦୁଃଖ କାହିଁକି ? ମୁଁ ତ ଅଛି । ଘରର ଦାୟିତ୍ଵ ମୁଁ ତୁଲେଇବି ।’’

 

ଶେଷରେ ସ୍ଥିର ହେଲା ସନାତନ ମିଶ୍ରଙ୍କ କନ୍ୟା ବିଷ୍ଣୁପ୍ରିୟାଙ୍କ ସହିତ ନିମାଇଁଙ୍କ ବିବାହ ହେବ । କଥାବାର୍ତ୍ତା ପକ୍କା ହେଲା । ସନାତନ ମିଶ୍ର ସେତେବେଳେ ଥିଲେ ନଦିୟାର ଜଣେ ବିଖ୍ୟାତ ପଣ୍ଡିତ । ଧନଜନ–ଗୋପଲକ୍ଷ୍ମୀରେ ତାଙ୍କ ଘର ପୂରି ଉଠିଥିଲା । ବିବାହର ସମସ୍ତ ଆୟୋଜନ ହେଲା । ଉଭୟ ପକ୍ଷର ଲୋକେ ସ୍ଥିର କଲେ ସନାତନଙ୍କ କନ୍ୟା ସହିତ ନିମାଇଁର ବିବାହ ସାଧାରଣ ଭାବରେ ହେଲେ ଚଳିବ ନାହିଁ, ଜାକଜମକରେ ହେବ । ବିବାହ ଉତ୍ସବ ହେବ ଆଡ଼ମ୍ବର ଭାବରେ । ବାଇଦ ବାଜଣା ବାଜିବ, ବହୁତ ବରଯାତ୍ରୀ ଯିବେ । ସନାତନ ମିଶ୍ରଙ୍କର ତ କୌଣସି ଅଭାବ ନାହିଁ । ସେ କହିଲେ, ‘‘ଯାହା ଖର୍ଚ୍ଚ ହେବ ହେଉ, ସେଥିଲାଗି ପ୍ରସ୍ତୁତ ।’’

 

ବିବାହ ଶେଷ ହେଲା । ସେତେବେଳକୁ ବିଷ୍ଣୁପ୍ରିୟାଙ୍କ ବୟସ ମାତ୍ର ନଅ ଦଶବର୍ଷ । ବିଷ୍ଣୁପ୍ରିୟା ବୋହୂ ହୋଇ ଆସିଲେ ନିମାଇଁଙ୍କ ଘରକୁ । ମାଆ ଶଚୀଙ୍କ ମନରେ ଆନନ୍ଦ କହିଲେ ନ ସରେ । ନିଜ କନ୍ୟା ଭଳି ପାଳିଲେ ବିଷ୍ଣୁପ୍ରିୟାଙ୍କୁ । ବିଷ୍ଣୁ ପାଇଲେ ନିଜ ପ୍ରିୟାକୁ । ଲକ୍ଷ୍ମୀପ୍ରିୟା ସିନା ଚାଲିଗଲେ, ଆସିଲେ ବିଷ୍ଣୁପ୍ରିୟା ।

 

ନିମାଇଁଙ୍କ ବୟସ ଯେତିକି ବଢୁଥିଲା, ତାଙ୍କ ଦେହର କାନ୍ତି ସେତିକି ଉଜ୍ଜଳ ହୋଇଉଠୁଥିଲା । ଏକୋଇଶ ବର୍ଷ ବୟସରେ ମଧ୍ୟ ତାଙ୍କ ବ୍ୟବହାରରେ ଥିଲା ବାଲ୍ୟତପଳତା । ସେ ଯୁଆଡ଼େ ଯାଉଥିଲେ ତାଙ୍କ ପଛରେ ଲୋକଙ୍କ ଧାଡ଼ି ଲମ୍ବୁଥିଲା । ହେଇ ନିମାଇଁ ଯାଉଛି ଶୁଣିବା ମାତ୍ରେ ଘରର ବୁଢ଼ୀଠୁ ଆରମ୍ଭ କରି ଝିଅ-ବୋହୂ, ଏପରିକି ପହିଲିପାଳି ବୋହୂ ମଧ୍ୟ କିଏ କବାଟକୋଣରୁ ତ, କିଏ ଝରକା ବାଟଦେଇ ଗୃହଁ ରହୁଥିଲେ ନିମାଇଁଙ୍କୁ । ସାଙ୍ଗ ସାଥୀ ମାନେ କହୁଥିଲେ—ନିମାଇଁର ଯାଉନି, ଦାଣ୍ଡରେ ଯାଉଛି ଜଣେ ଯୁବରାଜ ।

 

ମଝି-ମଝିରେ ବହୁ କୌତୂହଳ ସୃଷ୍ଟି କରୁଥିଲେ ନିମାଇଁ । ଦିନେ ସାଙ୍ଗସାଥୀଙ୍କୁ ଧରି ବାହାରିଲେ ବଜାରକୁ । ହାତରେ ପଇସେ ସୁଦ୍ଧା ନ ଥିଲା । ସାଙ୍ଗସାଥୀମାନେ କହିଲେ, ‘‘ହାତରେ ପଇସା ନ ନେଇ ବଜାରକୁ ଯାଇ କଣ କିଣିବୁ ? ବେପାରୀମାନେ କଣ ତତେ ମାଗଣାରେ ଜିନିଷପତ୍ର ଦେବେ ବୋଲି ପସରା ମେଲେଇ ବସିଛନ୍ତି ?’’

 

ନିମାଇଁ ସାଙ୍ଗସାଥୀମାନଙ୍କୁ କହିଲେ, ‘‘ଦେଖାଯାଉ କଣ ହେଉଛି । ମୁଣ୍ଡରେ ବିଦ୍ୟା ଅଛି, ତୁଣ୍ଡରେ କଥା ଅଛି । ବ୍ରାହ୍ମଣପିଲା ମୁଁ । ଆର୍ଶୀବାଦ ମଧ୍ୟ ଅଛି । ଏତେ ଜିନିଷ ବଦଳରେ ଆବଶ୍ୟକ ଜିନିଷ ନିଶ୍ଚୟ ମିଳିବ ବୋଲି ମୋର ଆଶା ।’’ ବଜାରକୁ ପାଇ ପ୍ରଥମେ ପ୍ରବେଶ କଲେ ସେ ଜଣେ ତନ୍ତୀର ଲୁଗା ଦୋକାନରେ । ଗୋଟିଏ ଲୁଗା ବାଛି ସାରିବା ପରେ ଦୋକାନୀକୁ କହିଲେ, ‘‘ମୋର ଏ ଲୁଗାଟି ନେବାକୁ ଇଚ୍ଛା; କିନ୍ତୁ ହାତରେ ପଇସାପତ୍ର ନାହିଁ ।’’ ଦୋକାମୀ ଜଣକ କହିଲେ,’’ନିଅନ୍ତୁ, ପରେ ପଇସା ଦେଇଦେବେ ।’’

 

ନିମାଇଁ ଦୋକାନୀକୁ କହିଲେ, ‘‘ବିନା ପଇସାରେ ଧାର ଉଧାର କରି କିମ୍ବା ପରେ ଦେବି ବୋଲି କହି କୌଣସି ଜିନିଷ ନେବା ମୋର ନୀତିବିରୋଧ । ନାହିଁ କରିଦେଲେ ଫେରିଯିବି-।’’ କିନ୍ତୁ ଦୋକାନୀ ଜଣକ ନିମାଇଁଙ୍କୁ ଖାଲି ହାତରେ ଫେରେଇ ଦେବାକୁ ଚାହିଁଲେନି-। ଲୁଗାଟିକୁ ସେ ଦାନ ସ୍ଵରୂପ ଦେଇ କହିଲେ, ‘‘ପଣ୍ଡିତ ମହାଶୟ, ମୋର କେବଳ ତମଠାରୁ ଆର୍ଶୀବାଦ ଦରକାର । ମୋତେ ଆର୍ଶୀବାଦ କରନ୍ତୁ । ମୋ ପକ୍ଷରେ ସେତିକି ଯଥେଷ୍ଟ ।’’

 

ଏଭଳିଭାବରେ ନିମାଇଁ ଅଧିକାଂଶ ଦୋକାନକୁ ଯାଇ ନାନା ମୂଲ୍ୟବାନ୍ ଜିନିଷ ମାଗଣାରେ ପାଇଲେ । ସେ ସବୁ ଧରି ଆସିବା ପରେ ସାଙ୍ଗ ସାଥୀମାନଙ୍କୁ କହିଲେ, ‘‘ଦେଖିଲ ତ, ବ୍ରାହ୍ମଣର ଆଶୀର୍ବାଦର କେତେ କରାମତି ।’’ କେବଳ ସାଙ୍ଗସାଥୀମାନଙ୍କ ଭିତରେ କୌତୂହଳ ସୃଷ୍ଟି କରିବା ପାଇଁ ସେ ଏହା କରିଥିଲେ । କିନ୍ତୁ ପରେ ଯାହା ଯାହାଠୁ ଜିନିଷ ଆଣିଥିଲେ ସେ ସବୁର ଉଚିତ ମୂଲ୍ୟ ଦେଇଥିଲେ ।

 

ଶ୍ରୀଧର ଜଣେ ପରିବା ଦୋକାନୀ । ସେ କଦଳୀ ପତ୍ର, ପତ୍ର ଠୋଲା ଓ କଦଳୀ ମଞ୍ଜା ବିକ୍ରି କରି ତା’ ପରିବାର ଚଳଉଥିଲା । ନିମାଇଁ ପ୍ରାୟ ତା’ ପାଖକୁ ପ୍ରତ୍ୟେକ ଦିନ ଯାଆନ୍ତି । ତା’ଠୁ ଗୁଡ଼ିଏ ଜିନିଷ ଧରୁଥିଲେ; କିନ୍ତୁ ଜିନିଷଗୁଡ଼ିକର ଅଧାମୂଲ୍ୟ ଦେଉଥିଲେ । ଶ୍ରୀଧର ତାଙ୍କ ହାତରୁ ଜିନିଷ ଛଡ଼ାଛଡ଼ି କରି ନେଇଯାଉଥିଲା । ଶ୍ରୀଧର ସାଙ୍ଗରେ ପ୍ରତିଦିନ ଖଣ୍ଡେପଟେ ଲାଗିଲେ ଯାଇ ନିମାଇଁଙ୍କ ମନ ଶାନ୍ତି ହେଉଥିଲା । ଶ୍ରୀଧରର ଗୋଟିଏ ଭଲଗୁଣ ଥିଲା । ପ୍ରତିଦିନ ଯାହା ଲାଭ ପାଉଥିଲା, ସେଥିରୁ ପରିବାର ଚଳେଇବା ପରେ ଯାହା ବା ବଳୁଥିଲା ତାକୁ ସେ ବ୍ୟୟ କରୁଥିଲା ଗଙ୍ଗାମାତାଙ୍କ ପୂଜାରେ ।

 

ଦିନେ ନିମାଇଁଙ୍କଠୁ ଶ୍ରୀଧର ଜିନିଷପତ୍ର ଛଡ଼ାଛଡ଼ି କରିବା ବେଳେ ନିମାଇଁ କହିଲେ, ‘‘ମୁଁ ଯାହା ନେଉଛି ତାର ଅଧାମୂଲ୍ୟ ଦେଉଛି ବୋଲି ତୁ ମୋ ଉପରେ ବିଗୁଡ଼ୁଛୁ । କିନ୍ତୁ ତୁ ତ ପ୍ରତିଦିନ କିଛି ନା କିଛି ଗଙ୍ଗାମା’ତାଙ୍କୁ ଦେଉଛୁ । ତୁ ବୁଝିପାରୁନୁ, ମୁଁ ହେଉଛି ଗଙ୍ଗାର ବାପା ।’’

 

ଶ୍ରୀଧର ନିମାଇଁଙ୍କ ମୁହଁରୁ ଏ କଥା ଶୁଣିବାମାତ୍ରେ କାନରେ ହାତ ଦେଇ କହିଲା, ‘‘ତୁମେ ହେଉଛ ବ୍ରାହ୍ମଣ । ସେଥିରେ ପୁଣି ପଣ୍ଡିତ । ତୁମ ମୁହଁରେ ଏସବୁ କଥା ଶୋଭା ପାଉନି । ବୟସ ବେଶି ହେଲେ ମଣିଷର ସ୍ୱଭାବ ଧୀର ସ୍ଥିର ହୋଇଆସେ । କିନ୍ତୁ ମୁଁ ଦେଖୁଛି, ତୁମର ବୟସ ଯେତିକି ବଢ଼ୁଛି, ତୁମର ମତି ମଧ୍ୟ ସେତିକି ଚଞ୍ଚଳ ହୋଇଉଠୁଛି । ତୁମକୁ ପ୍ରତ୍ୟେକ ଦିନ ମାଗଣାରେ ମୋର ତିନୋଟି ଯାକ ଜିନିଷରୁ ଗୋଟିଏ ଗୋଟିଏ କରି ଦେବି ପଛେ, ମୋତେ ଏଭଲି କଥା ଆଉ କେବେ କହିବନି ।’’

 

ଏଇ ଶ୍ରୀଧର ପରବର୍ତ୍ତୀ କାଳରେ ହୋଇଥିଲା ଶ୍ରୀ ଚୈତନ୍ୟ ମହାପ୍ରଭୁ ତଥା ଏଇ ନିମାଇଁ ପଣ୍ଡିତଙ୍କର ଜଣେ ପରମଶିଷ୍ୟ । ନିମାଇଁଙ୍କର ଇଚ୍ଛା ହେଲା ଗୟା ଯିବେ । ଏକମାତ୍ର ଉଦ୍ଦେଶ୍ୟ ଥିଲା ପିତୃପୁରୁଷଙ୍କ ଶ୍ରାଦ୍ଧ ଦେବା ଏବଂ ଏକ ତ୍ରୀର୍ଥସ୍ଥାନ ଦେଖି ଆସିବା । ଏଥିପାଇଁ ସେ ମାଆଙ୍କ ଅନୁମତି ଭିକ୍ଷାକଲେ । ମାଆ ନାହିଁ କରିପାରିଲେ ନାହିଁ ।

 

ଭାଦ୍ରବ ମାସ । ୧୪୩୦ ଶକାବ୍ଦ । ନିମାଇଁ ବାହାରିଲେ ଗୟା ଅଭିମୁଖେ । ସେତେବେଳକୁ ତାଙ୍କର ବୟସ ୨୧ ବର୍ଷ । ପୂର୍ବଭଳି ତାଙ୍କଠି ଆଉ ବାଲ୍ୟ ଚପଳତା ନାହିଁ । ଭାରି ଗମ୍ଭୀର ହୋଇଆସିଲେଣି ସେ । ସବୁବେଳେ ଚିନ୍ତାମଗ୍ନ; ଭାବବିହୁଳ । ଗୟାରେ ପହଞ୍ଚିବା ପାଇଁ ଅନ୍ୟମାନଙ୍କୁ ଯେତେ ସମୟ ଲାଗେ, ନିମାଇଁଙ୍କୁ ତା’ଠୁ ଅଧିକ ସମୟ ଲାଗିଥିଲେ । ବାଟରେ ଯିବାବେଳେ ବିଭିନ୍ନ ପ୍ରାକୃତିକ ଦୃଶ୍ୟ ଦେଖି ସେ ଭାବାବିଷ୍ଟ ହୋଇପଡ଼ୁଥିଲେ । ଯାହାହେଉ ଧୀରେ ଧୀରେ ଯାଇ ସେ ପହଞ୍ଚିଲେ ଗୟାରେ । ଗୟା ସହର ଭିତରେ ପଶୁ-ପଶୁ ତାଙ୍କ ମନରେ ଏକ-ଅତ୍ତୁତ ପରିବର୍ତ୍ତନ ଦେଖାଗଲା । ତାଙ୍କ ସାଙ୍ଗରେ ଥିଲେ ତାଙ୍କ ମଉସା ଚନ୍ଦ୍ରଶେଖର ଓ ଆଉ କେତେଜଣ ଶିଷ୍ୟ | ନିମାଇଁ ଗୟାରେ ପହଞ୍ଚି ଅନ୍ତଃସଲିଳା ଫଲ୍‍ଗୁ ନଦୀରେ ସ୍ନାନ କଲେ । ଶ୍ରାଦ୍ଧ ଓ ପିଣ୍ଡଦାନ କଲେ । ତା’ପରେ ଗଲେ ବିଷ୍ଣୁପାଦ ମନ୍ଦିରକୁ । ଏଠାରେ ବିଷ୍ଣୁଙ୍କର ପାଦଚିହ୍ନ ଦର୍ଶନ କରୁ କରୁ ସେ ଆତ୍ମହରା ହୋଇପଡ଼ିଲେ । ନିମାଇଁଙ୍କ ଶରୀରରେ ଦେଖାଦେଲା କମ୍ପ ଓ ପୁଲକ । ଶହଶହ ତୀର୍ଥଯାତ୍ରୀଙ୍କ ପ୍ରାର୍ଥନା-‌ସଂଗୀତ ତଥା ଭକ୍ତି-ଗୀତିର ଧ୍ଵନି ତାଙ୍କ ହୃଦୟ ଭିତରେ ପ୍ରତିଧ୍ୱନିତ ହୋଇ ଉଠିଲା । ତାଙ୍କ ଆଖିରୁ ଖସିଆସିଲା ଧାର ଧାର ହୋଇ ଲୁହ । ସେ ବହୁ ଚେଷ୍ଟାକଲେ ନିଜକୁ ସଂଯତ କରିନେବା ପାଇଁ । ତାଙ୍କର ଏ ଭାବାବେଶ ଦେଖି ଉପସ୍ଥିତ ସମସ୍ତେ ଆତଙ୍କିତ ହୋଇଉଠିଲେ । ତାଙ୍କ ଗୋଡ଼ହାତ କମ୍ପି ଉଠିଲା; ମନେହେଲା ସେ ମୁହୂର୍ତ୍ତକରେ ତଳେ ଛେଚି-ହୋଇ ପଡ଼ିଯିବେ । ଦର୍ଶକଙ୍କ ଭିତରେ ଥିଲେ ଈଶ୍ଵରପୁରୀ । ସେ ସଙ୍ଗେ ସଙ୍ଗେ ଧାଇଁ ଆସି ନିମାଇଁଙ୍କୁ ଧରିପକେଇଲେ; ଫଳରେ ନିମାଇଁ ସଙ୍ଗେ ସଙ୍ଗେ ସ୍ଵାଭାବିକ ଅବସ୍ଥା ଫେରିପାଇଲେ । କିନ୍ତୁ ତାଙ୍କ ମନରୁ ଭାବବିହ୍ୱୁଳତା ଯାଇ ନ ଥିଲା । ତାଙ୍କର ଦୁଇଚକ୍ଷୁ ପୂର୍ବଭଳି ଛଳଛଳ । ଈଶ୍ଵର ପୁରୀଙ୍କୁ ହାତଯୋଡ଼ି ଅନୁନୟ କରି କହିଲେ, ‘‘ମୋତେ କୃଷ୍ଣଭକ୍ତିର ବାଟ ଦେଖେଇଦିଅ । ଶ୍ରୀକୃଷ୍ଣଙ୍କ ପ୍ରତି ରାଧାଙ୍କର ଯେଉଁ ଭକ୍ତି ଥିଲା, ସେଇ ଭକ୍ତିଭାବ ମୋର କିଭଳି ‌ଆସିବ ସେଇ ପନ୍ଥା ଦେଖାଅ ।’’

 

ଶ୍ରୀ ଚୈତନ୍ୟ

ଈଶ୍ଵର ପୁରୀ ନିର୍ବାକ ନିସ୍ପନ୍ଦ ଭାବରେ ଚାହିଁରହିଲେ ନିମାଇଁଙ୍କୁ । ତାଙ୍କର ହୃଦୟଙ୍ଗମ ହୋଇଥିଲା, ନିମାଇଁ ହେଉଛନ୍ତି ସ୍ଵୟଂ ଭଗବାନ୍ । କୃଷ୍ଣ ମାଗୁଛନ୍ତି କୃଷ୍ଣଭକ୍ତି ! ତେଣୁ ଈଶ୍ଵର ପୁରୀ ନିମାଇଁଙ୍କୁ କଣ କହିବେ କିଛି ସ୍ଥିର କରିପାରିଲେ ନାହିଁ । ଭାବିଲେ ଭଗବାନ‌୍‍ଙ୍କର ଇଏ ବି ଏକ ଲୀଳା । ତାଙ୍କ ପକ୍ଷରେ ଏକ ବିଷମ ପରୀକ୍ଷା ! ତେଣୁ ନିମାଇଁଙ୍କୁ ସେ କହିଲେ, ‘‘ସବୁ ହେଉଛି ପ୍ରଭୁଙ୍କର ଇଚ୍ଛା ।’’ ନିମାଇଁ ଈଶ୍ୱର ପୁରୀଙ୍କ ହାତକୁ ଧରି କହିଲେ,’ ‘‘ଚାଲନ୍ତୁ ଆମ ବସାକୁ ଯିବା ।’’ ବସାକୁ ଯାଇ ନିମାଇଁ ନିଜେ ରାନ୍ଧିଲେ । ଖାଇବାକୁ ଦେଲେ ଈଶ୍ୱର ପୁରୀଙ୍କୁ ।

 

ପାଖରେ ଥିଲା ଈଶ୍ୱର ପୁରୀଙ୍କ ଆଶ୍ରମ । କେତେଦିନ ପରେ ନିମାଇଁ ଗଲେ ସେହି ଆଶ୍ରମକୁ । ଈଶ୍ୱର ପୁରୀଙ୍କୁ କହିଲେ, ମୋତେ ମନ୍ତ୍ର–ଦୀକ୍ଷା ଦିଅନ୍ତୁ ।’’ ପୁରୀ ମହାଶୟ ହସି ହସି କହିଲେ, ‘‘ମୁଁ ତ ଜୀବନ ଦେବା ପାଇଁ ପ୍ରସ୍ତୁତ, ମନ୍ତ୍ର ଦେବା ପାଇଁ କହୁଛ କଣ ?’’ ଯାହାହେଉ ନିମାଇଁଙ୍କ ଅନୁରୋଧ ରକ୍ଷାକରି ଈଶ୍ୱର ପୁରୀ ନିମାଇଁଙ୍କ କର୍ଣ୍ଣରେ ଗୋପୀନାଥ ମହାମନ୍ତ୍ର ପ୍ରଦାନ କଲେ । ଗୁରୁ ହେଲେ ଈଶ୍ୱର ପୁରୀ, ଶିଷ୍ୟ ହେଲେ ନିମାଇଁ । ଦୁହେଁ ପରଷ୍ପରକୁ ଆଲିଙ୍ଗନ କଲେ ବହୁ ସମୟ ଧରି ।

 

ନିମାଇଁଙ୍କ ସ୍ୱଭାବରେ ଦେଖାଗଲା ଆଉ ଏକ ଅଭିନବ ପରିବର୍ତ୍ତନ । ସେ ଖୁବ୍ କମ୍ କଥାବାର୍ତ୍ତା କଲେ । ସମୟେ ସମୟେ ଚୁପ୍‌ଚାପ୍ ବସିରହି ସେ ଖାଲି କାନ୍ଧିବାକୁ ଆରମ୍ଭ କଲେ । ଦିନେ ତାଙ୍କ ଶିଷ୍ୟମାନେ ଦେଖିଲେ ନିମାଇଁ କାନ୍ଦୁଛନ୍ତି—କେବଳ ବାହୁନି ବାହୁନି କହୁଛନ୍ତି, ‘‘ଆରେ ବାପ କୃଷ୍ଣ, ତୁ ହେଉଛୁ ମୋର ଜୀବନ-ସଙ୍ଖାଳୀ । ତୋତେ ଛାଡ଼ି ମୁଁ ମୁହୂର୍ତ୍ତେ ସୁଦ୍ଧା ରହିପାରିବି ନାହିଁ । ‌ମୋ ପ୍ରାଣକୁ ଚୋରି କରି ତୁ ଗଲୁ କୁଆଡେ଼ ? ଆ, ମୋ ପାଖକୁ ଚାଲିଆସି ।’’

 

ମଉସା ଚନ୍ଦ୍ରଶେଖର ଓ ଶିଷ୍ୟମାନେ ନିମାଇଁଙ୍କୁ ବହୁତ‌ ବୁଝାଇଲେ । କିନ୍ତୁ ନିମାଇଁଙ୍କ କୋହ ଦେଖି ସେମାନେ ମଧ୍ୟ ବିହ୍ୱଳିତ ହୋଇପଡ଼ିଲେ ।

 

ଦିନେ ନିମାଇଁ ଶିଷ୍ୟମାନଙ୍କୁ କହିଲେ, ‘‘ମୁଁ ଶ୍ରୀକୃଷ୍ଣଙ୍କୁ ନ‌ଦେଖିଲେ ନବଦ୍ଵୀପକୁ ଫେରିବି ନାହିଁ । ମୁଁ ବୃନ୍ଦାବନ ଯିବାକୁ ଚାହେ । ତମେ ସମସ୍ତେ ନବଦ୍ଵୀପ ଫେରିଯାଅ । ମୋ ମାଆଙ୍କୁ କହିଦେବ ନିମାଇଁ ଆଉ ନିଜର ହୋଇ ରହିନାହିଁ । ଶ୍ରୀକୃଷ୍ଣ ମୋତେ ନେଇଯାଉଛନ୍ତି । ମୋତେ ଡାକୁଛନ୍ତି । ତାଙ୍କ ଡାକ ମୋତେ ଅଥୟ କରିଦେଲାଣି । ମୋତେ ବୃନ୍ଦାବନ ଯିବାକୁ ଦିଅ; କେହି ବାଧା ଦିଅ ନାହିଁ ।’’ ଶିଷ୍ୟମାନେ ବଡ଼ ଅଡ଼ୁଆରେ ପଡ଼ିଲେ । କାରଣ ସେମାନେ ଶଚୀ ମା’ଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ପିଣ୍ଡଦାନ ପରେ ନିମାଇଁଙ୍କୁ ‌ନିଶ୍ଚିତ ଭାବରେ ଫେରେଇ ନେଇ ଆସିବେ ।

 

ସେଦିନ ରାତିରେ ସମସ୍ତେ ନିଘୋଡ଼ ନିଦରେ ଶୋଇଛନ୍ତି । ପାହାନ୍ତିଆ ହୋଇ ଆସିଲାଣି । ନିମାଇଁ ବାହାରିଲେ ବୃନ୍ଦାବନ ଅଭିମୁଖେ । ଅଳ୍ପ କିଛି ବାଟ ଯାଇଛନ୍ତି, ହଠାତ୍ ଏକ ଦୈବୀବାଣୀ ଶୁଣାଗଲା, ‘‘ନିମାଇଁ ! ତୁମେ ବୃନ୍ଦାବନ ଯାଅ ନାହିଁ, ଘରକୁ ଫେରିଯାଅ ।’’ ତେଣୁ ଫେରିଆସିଲେ ନିମାଇଁ । ତା’ ଆରଦିନ ଗୁରୁ ଈଶ୍ୱର ପୁରୀଙ୍କଠାରୁ ବିଦାୟ ନେଇ ଶିଷ୍ୟମାନଙ୍କ ସହିତ ନଦିୟା ଅଭିମୁଖେ ଯାତ୍ରାଆରମ୍ଭ କଲେ । ନଦିୟାରେ ଖବର ଆସି ପହଁଞ୍ଚିଲା ନିମାଇଁ ଆସୁଛନ୍ତି । ଆନନ୍ଦ–ରୋଳରେ ମୁଖରିତ ହୋଇଉଠିଲା ସମଗ୍ର ନବଦ୍ଵୀପ । ସାଇପଡ଼ିଶା‌ ଆତ୍ମୀୟସ୍ୱଜନ ଓ ଶିଷ୍ୟମାନେ ଶହ ଶହ ସଂଖ୍ୟାରେ ଆସି ରାସ୍ତାରୁ ପାଛୋଟି ନେଲେ ନିମାଇଁଙ୍କୁ । ଶଚୀ ମା’ ପୁଅକୁ ଫେରିପାଇ ଆନନ୍ଦବିହ୍ୱଳ ହୋଇଉଠିଲେ । ଗୟାରେ ଯାହା ଯାହା ଦେଖିଥିଲେ, ନିମାଇଁ ସମସ୍ତଙ୍କ ଆଗରେ ଟିକିନିଖି ଭାବରେ ସବୁ ବର୍ଣ୍ଣନା କଲେ । ନଦିୟାର ଲୋକେ ଲକ୍ଷ୍ୟ କଲେ ନିମାଇଁ ଆଉ ପୂର୍ବ ନିମାଇଁ ହୋଇ ରହିନାହିଁ । ତାଙ୍କ କଥାରେ, ତାଙ୍କ କଣ୍ଠର ସ୍ଵରରେ, ଭାବଭଙ୍ଗୀରେ ସବୁଥିରେ ସେମାନେ ଲକ୍ଷ୍ୟ କଲେ ନୂତନତା । କେହି କେହି ତାଙ୍କ ମସ୍ତକ ଉପରେ ଏକ ଆଲୋକମଣ୍ଡଳ ମଧ୍ୟ ଦେଖିବାକୁ ପାଇଲେ । ତାଙ୍କର ଅଙ୍ଗକାନ୍ତି ହୋଇଉଠିଛି ଅଧିକ ଲୋଭନୀୟ, ଅତ୍ୟନ୍ତ ଆକର୍ଷଣୀୟ । ତାଙ୍କୁ ଦର୍ଶନ କରିବା ପାଇଁ ନବଦ୍ଵୀପବାସିଙ୍କର ଧାଡ଼ି ଲମ୍ବିଲା-

 

କିନ୍ତୁ ଜଣକ ମନରେ ଦୁଃଖର ବୋଝ ବଢ଼ିବାକୁ ଲାଗିଲା । ଏ ଜଣକ ହେଉଛନ୍ତି ମାଆ ଶଚୀ । ସେ ଲକ୍ଷ୍ୟ କଲେ ନିମାଇଁ ଆଉ ତାଙ୍କର ପୁଅ ହୋଇ ରହିନାହିଁ; ସେ କ୍ରମଶଃ ବିଶ୍ଵବାସୀଙ୍କର ହୋଇଗଲାଣି । ଶଚୀ ମାଆ ଅନୁଭବ କଲେ, ସତେ କେହି ଯେପରି ତାଙ୍କ ପାଖରୁ ନିମାଇଁଙ୍କୁ ଛଡ଼େଇ ନେଇଯାଇଛି ।

 

ଦିନେ ଦିନେ ରାତିସାରା ମା’ ଶଚୀ ଓ ସ୍ତ୍ରୀ ବିଷ୍ଣୁପ୍ରିୟାକୁ ଉଜାଗର ରହିବାକୁ ପଡ଼ିଲା । କାରଣ ନିମାଇଁ ଥରେ ଥରେ ଖୁବ୍ ଜୋରରେ ପାଟିକରି ଡାକୁଥିଲେ, ‘‘କୃଷ୍ଣ ! ତୁମେ ଗଲ କୁଆଡ଼େ-?’’ ଶଚୀ ଓ ବିଷ୍ଣୁପ୍ରିୟା ନିମାଇଁଙ୍କୁ କେବଳ ବୁଝାଇବାରେ ଲାଗୁଥିଲେ ।

 

ସମୟ ଅପରାହ୍ନ । କେତେକ ସାଙ୍ଗସାଥୀ ଆସି ନିମାଇଁଙ୍କୁ କହିଲେ, ‘‘ଗୟାକଥା କହିବ ବୋଲି ଆମକୁ କହିଥିଲ, ଆଜି ଟିକେ କହ ।’’ ସଙ୍ଗେ ସଙ୍ଗେ ବର୍ଣ୍ଣନା କରିବସିଲେ ନିମାଇଁ । ଶ୍ରାଦ୍ଧକର୍ମଠାରୁ ଆରମ୍ଭ କରି ବିଷ୍ଣୁପାଦ ମନ୍ଦିରରେ ବିଷ୍ଣୁଙ୍କ ପାଦଦର୍ଶନ ବିଷୟ ବର୍ଣ୍ଣନା କଲେ ସେ । କହୁଥାଆନ୍ତି, କାନ୍ଦୁ ଥାଆନ୍ତି । ହଠାତ୍ ତାଙ୍କ ପାଟିରୁ ବାହାରିଆସିଲା, ‘‘ହେଇ ତ ବିଷ୍ଣୁ ପାଦ ।’’ ଏତିକି କହିବା ପରେ ଆସିଗଲା ତାଙ୍କର ଭାବାବେଶ । ସେ ତଳେ ପଡ଼ିଗଲେ । ପ୍ରାୟ ଅଚେତ ଅବସ୍ଥା । କଛି ସମୟ ପରେ ତାଙ୍କର ଚେତା ଆସିଲା ସତ, କିନ୍ତୁ ଆଉ କିଛି କହିପାରିଲେ ନାହିଁ । ସ୍ଵାଭାବିକ ଅବସ୍ଥା ଫେରିଆସିବା ପରେ ସାଙ୍ଗମାନଙ୍କୁ କହିଲେ, ‘‘କାଲି ସମସ୍ତେ ଶୁକ୍ଳାମ୍ବରଙ୍କ ଘରକୁ ଆସିବ ଆଉ ଯାହା ବାକି ରହିଲା କହିବି ।’’ ଶୁକ୍ଳାମ୍ବର ଥିଲେ ଜଣେ ବ୍ରହ୍ମଚାରୀ । ଗଙ୍ଗାକୂଳରେ ତାଙ୍କର ଘର ।

 

ସେଦିନ ରାତିରେ ଖିଆପିଆ ସରିଲା । ଶୋଇବାକୁ ଗଲେ ନିମାଇଁ । ଘରର ଆଡ଼ତିପତ୍ର ସାରି, ବିଷ୍ଣୁପ୍ରିୟା ଗଲେ ସ୍ଵାମୀଙ୍କ ନିକଟକୁ । ବହୁଦିନ ପରେ ସ୍ୱାମୀଙ୍କ ସହିତ ହେବ ମିଳନ ବିଷ୍ଣୁ-ପ୍ରିୟାଙ୍କର । ଗୟା-ତୀର୍ଥଯାତ୍ରାର ବର୍ଣ୍ଣନା ଶୁଣିବାକୁ ବିଷ୍ଣୁପ୍ରିୟାଙ୍କର ଆଗ୍ରହ କହିଲେ ନ ସରେ । ସମସ୍ତଙ୍କ ଆଗରେ ସିନା କହୁଛନ୍ତି, ବିଷ୍ଣୁପ୍ରିୟା ତ ଶୁଣିନାହାନ୍ତି ତେଣୁ ତାଙ୍କ ବ୍ୟାକୁଳତା ସ୍ୱାଭାବିକ । ଧୀରେ ଧୀରେ ଗଲେ ସ୍ଵାମୀଙ୍କ ନିକଟକୁ । କିନ୍ତୁ ପଚାରିବେ କଣ ? ସ୍ଵାମୀଙ୍କୁ ଦେଖି ସେ ଚମକିପଡ଼ିଲେ । ଦେଖିଲେ, ଶଯ୍ୟା ଉପରେ‌ସ୍ୱାମୀ ତାଙ୍କର ଧ୍ୟାନମଗ୍ନ ଅବସ୍ଥାରେ ବସିରହିଛନ୍ତି-। ଆଖିରୁ ଛୁଟିଛି ତାଙ୍କର ଲୁହର ଶ୍ରାବଣଧାରା । ବୟସରେ ଛୋଟ ପିଲା ବିଷ୍ଣୁପ୍ରିୟା-। ଭାବିଲେ ସ୍ଵାମୀଙ୍କର କଣ କିଛି ହୋଇଗଲା ? ଆଗରୁ ସେ ସ୍ଵାମୀଙ୍କର ଏଭଳି ଭାବାବେଶ କେବେ ଦେଖି ନ ଥିଲେ । ତେଣୁ ସେ ଦୌଡ଼ିଗଲେ ଶାଶୁଙ୍କ ପାଖକୁ । ଶାଶୁ ବୋହୁ ଦୁହେଁ ଆସି ପହଞ୍ଚିଲେ-। ନିମାଇଁଙ୍କ ପାଖରେ । ଶଚୀ ମା’ ପୁଅକୁ ଜୋର୍‌ରେ ହଲେଇ ଦେଇ କହିଲେ, ‘‘ଆରେ ତୋର ହେଇଛି କଣ ?’’

 

ନିମାଇଁ କହିଲେ,‘‘ବୃନ୍ଦାବନ, ଗିରିଗୋବର୍ଦ୍ଧନ, ଯମୁନା, ବଳରାମ, ଶ୍ରୀଦାମ, ସୁଦାମ, ନନ୍ଦ, ଯଶୋଦା ସମସ୍ତଙ୍କୁ ଦେଖିଲି ।’’ଏଣିକି ଶଚୀ ମା’ ଓ ବିଷ୍ଣୁପ୍ରିୟା ବୁଝିପାରିଲେ ଯେ ନିମାଇଁ ଏ ସବୁ ଭାବାବେଶରେ କହୁଛନ୍ତି । ନିଜେ ଶ୍ରୀକୃଷ୍ଣଙ୍କ ଭଳି ନିମାଇଁ ଆଖି ଆଗରେ ଯାହା ଦେଖୁଛନ୍ତି କହି ଚାଲିଛନ୍ତି ।

 

ତା’ ଆରଦିନ ସକାଳେ ନିମାଇଁଙ୍କର ଜଣେ ସାଙ୍ଗ ଶ୍ରୀମାନ‌ଗଲେ ଫୁଲ ତୋଳିବା ପାଇଁ-। ଅନ୍ୟ ସାଙ୍ଗମାନେ ତାଙ୍କୁ ପଚାରିଲେ, ‘‘କିରେ ଫୁଲ କଣ ହେବ ?’’ ଶ୍ରୀମାନ କହିଲେ, ‘‘ଫୁଲ ଗୁନ୍ଥି ନିମାଇଁ ବେକରେ ଦେବି । ତାକୁ ମୁଁ ଯେଭଳି ଭାବରେ ଦେଖୁଛି ତା ମୁହଁରୁ ମୁଁ ଯାହା ଶୁଣୁଛି, ସେଥିରୁ ମୋର ଦୃଢ଼ବିଶ୍ୱାସ ଯେ ନିମାଇଁ ମନୁଷ୍ୟ ନୁହେଁ ଭଗବାନ । ନିମାଇଁଙ୍କ କହିବା ଅନୁଯାୟୀ ସେଦିନ ଶୁକ୍ଲାମ୍ବରଙ୍କ ଘରେ ସାଙ୍ଗସାଥୀମାନଙ୍କ ଭିଡ଼ କହିଲେ ନସରେ । ପଣ୍ଡିତ ମୁରାରି ଗୁପ୍ତ ଓ ଗଦାଧର ପ୍ରଭୃତି ମଧ୍ୟ ଆଗରୁ ଯାଇ ବସିରହିଛନ୍ତି ଶୁକ୍ଳାମ୍ବରଙ୍କ ଘରେ ।

 

କିଛି ସମୟ ପରେ ସାଙ୍ଗସାଥୀମାନେ ଦେଖିଲେ ନିମାଇଁ ଆସୁଛନ୍ତି ଢଳିଢଳି ତ୍ରିଭଙ୍ଗ ଠାଣିରେ । ତାଙ୍କ ଗୋଡ଼ ଇଆଡ଼େ ସିଆଡ଼େ ପଡ଼ୁଛି । ସେ ଆସୁ ଆସୁ କହିଉଠିଲେ, ‘‘ମୋ କୃଷ୍ଣ ଗଲେ କୁଆଡ଼େ । ସେହି ନନ୍ଦନନ୍ଦନକୁ ମୋ ପାଖକୁ ନେଇଆସ ।’’ ଏତିକି କହୁ କହୁ ଘରର ଗୋଟିଏ ଖମ୍ବକୁ 'କୁଣ୍ଡେଇ ଧରି କାନ୍ଦିବାକୁ ଲାଗିଲେ । କହିଲେ, ‘‘ଏଇତ କୃଷ୍ଣ !’’ ସାଙ୍ଗେ ସାଙ୍ଗେ ସେ ତଳେ ପଡ଼ିଗଲେ । ଅଚେତ ଅବସ୍ଥା । ନିଃଶ୍ୱାସ ପ୍ରଶ୍ଵାସ ତାଙ୍କର ବନ୍ଦ ହୋଇଆସିଲା । ପାଟି ପଡ଼ିଗଲା । ପାଟିରୁ ଗୁଡ଼ାଏ ଫେଣ ବାହାରିଆସିଲା । ତାଙ୍କ ଚେତା ଫେରାଇଆଣିବା ପାଇଁ ସାଙ୍ଗ-ସାଥୀମାନେ ବହୁ ଚେଷ୍ଟା କଲେ । ତାଙ୍କୁ ଉଠେଇ ବସେଇଲେ । କିନ୍ତୁ ତୁଣ୍ଡରେ ପୁଣି ସେଇ କୃଷ୍ଣ-ପ୍ରଳାପ—“କୃଷ୍ଣଙ୍କୁ ଧରିଥିଲି, ଖସି ପଳେଇଲା ସେ । ତାକୁ ମୋ ପାଖକୁ ଆଣ । ତା ବିନା ମୁଁ ମୁହୂର୍ତ୍ତେ ସୁଦ୍ଧା ରହିପାରିବି ନାହିଁ ।’’ କହୁଥାନ୍ତି, ଛାତିକୁ ବାଡ଼ଉଥାନ୍ତି । ତାଙ୍କ ତଣ୍ଟି ଶୁଖିଆସିଲା । ସେ ତଳେ ଗଡ଼ିବାକୁ ଲାଗିଲେ ।

 

ସାଙ୍ଗସାଥୀମାନେ ନିମାଇଁଙ୍କୁ ନେଇଗଲେ ତାଙ୍କ ନିଜ ଘରକୁ । ମାଆ ଶଚୀ ମୁହଁରେ ପାଣି ଛିଞ୍ଚି ବହୁତ ବୁଝେଇ-ବାଝେଇ ତାଙ୍କୁ ଶାନ୍ତ କରାଇଲେ । ସ୍ୱାଭାବିକ ଅବସ୍ଥା ଫେରିଆସିବା ପରେ ଅଳ୍ପ କ’ଣ ଖଣ୍ଡେ ଖାଇସାରି ସେ ଗଲେ ତାଙ୍କ ବାଲ୍ୟଗୁରୁ ଗଙ୍ଗା ଦାସଙ୍କ ଘରକୁ । ଗଙ୍ଗା ଦାସ ନିମାଇଁଙ୍କୁ କହିଲେ, ‘‘ତୁ ଗୟା ଯିବା ଦିନଠାରୁ ତୋର ଟୋଲ୍‌ରେ ଆଉ କେହି ପାଠ ପଢ଼ୁନାହାନ୍ତି । ତୋ ଛାତ୍ରମାନେ କହୁଛନ୍ତି, ନିମାଇଁ ପଣ୍ଡିତ ତ ନାହାନ୍ତି ଆଉ ପଢ଼ିବୁ କାହା ପାଖରେ-? ତା’ ଛଡ଼ା ତୁ ଯଦି ପାଠ ପଢ଼ାଇବା ବନ୍ଦ କରିଦେଉ, ତୁ ଯାହା ଶିଖିଛୁ ସବୁ ପାଶୋରିଦେବୁ ।’’

 

ପୁଣି ଟୋଲ୍ ଖୋଲାହେଲା । ଜଣକ ପରେ ଜଣେ ଛାତ୍ର ଆସି ଯୋଗଦେଲେ ଟୋଲ୍ ରେ । ଛାତ୍ରମାନେ ‘ଓଁ ହରି ହରି’ କହି ପୋଥି ଫଟେଇବା ମାତ୍ରେ ନିମାଇଁଙ୍କ ଭାବାବେଶ ଆସିଗଲା-। ହରିନାମ କାନରେ ପଡ଼ିବା ମାତ୍ରେ ତାଙ୍କ ଦେହରେ ସୃଷ୍ଟି ହେଲା ଏକ ଅପୂର୍ବ କମ୍ପନ-। ଆରମ୍ଭ କଲେ ହରିନାମ ଉପରେ ଶିକ୍ଷାଦାନ । ଛାତ୍ରମାନଙ୍କୁ କହିଲେ, ‘‘କୃଷ୍ଣପ୍ରାପ୍ତି ହିଁ ତୁମମାନଙ୍କ ଜୀବନର ଏକମାତ୍ର କାମ୍ୟ ହେଉ ।’’ ଶାସ୍ତ୍ର ଉପରେ ଆଲୋଚନାଠାରୁ ଦୂରେଇ ଯାଇ ନିମାଇଁ କୃଷ୍ଣଭକ୍ତି ସଂପର୍କରେ ଆଲୋଚନା ଚଳାଇବା ଫଳରେ ଶିଷ୍ୟମାନେ ଅବାକ୍ ଭାବରେ କେବଳ ନିମାଇଁଙ୍କ ମୁହଁକୁ ଚାହିଁରହିଲେ । ନିମାଇଁ ପରେ ଜାଣିପାରି ସେଥିଲାଗି ଲଜ୍ଜିତ ହୋଇ ଉଠିଲେ । ତାପରେ ବିଷୟକୁ ଟିକିଏ ବୁଲେଇ କରି ଶିଷ୍ୟମାନଙ୍କୁ ବୁଝେଇ କହିଲେ, ‘‘ବହୁଦିନ ହେଲା ଟୋଲ୍ ବନ୍ଦ ଥିଲା-। ଆଜି ଖୋଲିଲା । ତେଣୁ ମୁଁ ଭାବିଲି ତୁମମାନଙ୍କୁ ଭଗବାନଙ୍କ ସଂପର୍କରେ କିଛି କହିବା ଉଚିତ । ପିଲେ ମଧ୍ୟ ବୁଝିଗଲେ-।’’

 

କିନ୍ତୁ ଦ୍ଵିତୀୟ ଦିନ ମଧ୍ୟ ସେଇ ଘଟଣା ଘଟିଲା । ଏଭଳି ସବୁଦିନ ଗୁଲିଲା କୃଷ୍ଣଭକ୍ତି ଉପରେ ଆଲୋଚନା ଛାତ୍ରମାନେ ଲକ୍ଷ୍ୟକଲେ ନିମାଇଁଙ୍କର କହିବା ଶକ୍ତି ବହୁତ ବଢ଼ିଯାଇଛି; ଭାଷା ସରଳ ହୋଇଉଠିଛି । ସୁନ୍ଦର ଶୈଳୀ । ମନକୁ ଛୁଇଁଲା ଭଳି କଥା କହୁଛନ୍ତି । ନିମାଇଁଙ୍କ ମନୋଭାବ ଏକାବେଳକେ ବଦଳି ଯାଇଛି; କିନ୍ତୁ ଛାତ୍ରମାନଙ୍କ ଅଭିଭାବକମାନେ ଲକ୍ଷ୍ୟ କଲେ ପିଲାଙ୍କ ପାଠପଢ଼ାରେ କୌଣସି ଉନ୍ନତି ହେଉନାହିଁ । ସେମାନେ ଭାବିଲେ ନିମାଇଁଙ୍କୁ କହିଲେ କିଛି ଲାଭ ହେବ ନାହିଁ । ସମସ୍ତେ ଗଲେ ନିମାଇଁଙ୍କ ଗୁରୁ ଗଙ୍ଗା ଦାସଙ୍କ ନିକଟକୁ । ଗଙ୍ଗା ଦାସ ଥିଲେ ଜଣେ ତର୍କପଣ୍ଡିତ । ଗୁରୁ ସେ ଇତିମଧ୍ୟରେ ଶିଷ୍ୟଙ୍କର ଭକ୍ତ ପାଲଟି—ଯାଇଛନ୍ତି, ଏ କଥା ଅଭିଭାବକମାନେ ଜାଣି ପାରୁ ନ ଥିଲେ । ଗଙ୍ଗା ଦାସ ମଧ୍ୟ ତାଙ୍କ ଭାବଭଙ୍ଗୀ କମ୍ବା କଥାବାର୍ତ୍ତାରେ ନିମାଇଁ ପ୍ରତି ଭକ୍ତିଭାବ ଥିବା କଥା ପ୍ରକାଶ କରୁ ନ ଥିଲେ । ଅଭିଭାବକମାନେ ଆପତ୍ତି ଶୁଣିବା ପରେ ସମସ୍ତଙ୍କୁ କହିଲେ, ‘‘ମୁଁ ନିମାଇଁକୁ ବୁଝେଇଦେବି । ସେ ଏଣିକ ଉପଯୁକ୍ତ ଭାବରେ ପାଠ ପଢ଼ାଇବ ।’’ ନିମାଇଁଙ୍କ ଆଧାତ୍ମିକ ଭାବ ଦେଖି ଗଙ୍ଗା ଦାସ ମନେ ମନେ ଆନନ୍ଦ ଅନୁଭବ କରୁଥିଲେ ମଧ୍ୟ ନିମାଇଁଙ୍କୁ ବୁଝେଇ କହିଲେ, ‘‘ତୁ ଶାସ୍ତ୍ରଠାରୁ ଦୂରେଇଯାଉଛୁ । ତେଣୁ ଅଭିଭାବକମାନେ ଅସନ୍ତୁଷ୍ଟ ହେଉଛନ୍ତି । ଏତେ ଭାବବିହ୍ୱଳ ହେଲେ ଚଳିବନି ।’’

 

ନିମାଇଁଙ୍କ ଗୁରୁଙ୍କଠାରୁ କ୍ଷମା ଭକ୍ଷା କରି କହିଲେ, ‘‘ଏଣିକି ଯଥାର୍ଥ ଭା‌ବରେ ପାଠ ପଢ଼େଇବା ପାଇଁ ଚେଷ୍ଟା କରିବ ।’’ ତା’ ଆରଦିନ ନିମାଇଁ ଗଲେ ଟୋଲ୍‌କୁ । ଛାତ୍ରମାନେ ପହଞ୍ଚିଛନ୍ତି ପୋଥିପତ୍ର ସହ । ନିମାଇଁ ଚେଷ୍ଟା କଲେ ଶାସ୍ତ୍ର ଆଲୋଚନା କରିବା ପାଇଁ । କିନ୍ତୁ ପଢ଼େଇବେ କଣ ? ସେ ଅନୁଭବ କଲେ ନ୍ୟାୟ, ବ୍ୟାକରଣ, ଦର୍ଶନ ଆଦି ବିଷୟରେ ତାଙ୍କର ଯେଉଁ ପ୍ରଗାଢ଼ ଜ୍ଞାନ ଥିଲା, ସେ ଜ୍ଞାନ ଆଉ ତାଙ୍କର ନାହିଁ । ପୁଣି କହିବାକୁ ଲାଗିଲେ ସେଇ ‘‘କୃଷ୍ଣ, କୃଷ୍ଣ, କୃଷ୍ଣ ।’’ ଶିଷ୍ୟମାନଙ୍କୁ କହିଲେ ଏକମାତ୍ର କୃଷ୍ଣଙ୍କୁ ଭଜନକର ।

 

ହସିଉଠିଲେ ଛାତ୍ରମାନେ । ନିମାଇଁ କହିଲେ, ‘‘ମୁଁ ଯାହା କହିଲି ତାହା ଶାସ୍ତ୍ରଚିତ । ଯଦି ବୁଝି ନ ପାରୁଛ ସଂଧ୍ୟା ବେଳେ ରତ୍ନଗ‌ର୍ଭଙ୍କ ଘରକୁ ଆସ । ସେଇଠି ଆଜି ସଂଧ୍ୟାରେ ବିଦ୍ୟାଚର୍ଚ୍ଚା ହେବ, ବୁଝେଇ ଦେବି ।’’ ରତ୍ନଗର୍ଭ ଥିଲେ ଶ୍ରୀହଟ୍ଟର ଜଣେ ବ୍ରାହ୍ମଣ ପଣ୍ଡିତ । ରତ୍ନଗର୍ଭଙ୍କ ଦାଣ୍ଡଦୁଆରେ ଛାତ୍ରମାନେ ଏକାଠି ହେଲେ । ନିମାଇଁ ଗଲେ ସେଠାକୁ । ରତ୍ନଗର୍ଭ ଘରେ ବସି ପୂଜା କରୁଥିଲେ । ସେ ଗାଉଥିଲେ ଗୀତାର କେତୋଟି ଶ୍ଳୋକ । ସେ ଶ୍ଳୋକରୁ କେତୋଟି ପଦ ନିମାଇଁଙ୍କ କାନରେ ପଡ଼ିବା ମାତ୍ରେ ‘ମୋ କୃଷ୍ଣ’ କହି ସେ କାନ୍ଦି କାନ୍ଦି ତଳେ ଲୋଟିପଡ଼ିଲେ । କିଛି ସମୟ ପରେ ସେ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଲେ; କିନ୍ତୁ ରତ୍ନଗର୍ଭଙ୍କର ସେ ପର୍ଯ୍ୟନ୍ତ ଗୀତାପାଠ ବନ୍ଦ ହୋଇ ନ ଥାଏ । ପୁଣି ଗୀତାର ଶ୍ଳୋକ ନିମାଇଁଙ୍କ କାନରେ ପଡ଼ିବାମାତ୍ରେ ଦଉଡ଼ିଯାଇ ରତ୍ନଗର୍ଭଙ୍କୁ କୁଣ୍ଡେଇ ଧରିଲେ । ନିମାଇଁଙ୍କ ସ୍ପର୍ଶ ପାଇବା ସଂଗେ ସଂଗେ ରତ୍ନଗର୍ଭଙ୍କ ଦେହରେ ଦେଖାଗଲା ଏକ ନୂତନ ସ୍ପନ୍ଦନ । ଅନୁଭବ କଲେ ସତେ ଯେପରି ସେ ପୁନର୍ଜନ୍ମ ଲାଭ କରିଛନ୍ତି । ସେ ନିମାଇଁଙ୍କ ଦୁଇପାଦକୁ ଧରି କାନ୍ଦୁଥାନ୍ତି, ଶ୍ଳୋକ ପାଠ ବି କରୁଥାନ୍ତି । ହଠାତ୍ ଶ୍ଳୋକପାଠ ବନ୍ଦହେଲା । ନିମାଇଁ ସ୍ଵାଭାବିକ ଅବସ୍ଥାକୁ ଫେରି ଆସିଲେ । ସାଙ୍ଗସାଥୀମାନେ ନିମାଇଁଙ୍କୁ ଗଙ୍ଗାସ୍ନାନ କରାଇବା ପରେ ତାଙ୍କୁ ଛାଡ଼ି ଦେଇଗଲେ ମା’ ଶଚୀଙ୍କ ପାଖରେ ।

 

ତା’ ଆରଦିନ ପୁଣି ନିମାଇଁ ଗଲେ ଟୋଲକୁ । ଛାତ୍ରମାନଙ୍କୁ ସ୍ପଷ୍ଟ ଭାବରେ କହିଦେଲେ, ‘‘ମୁଁ ଆଉ ପାଠ ପଢ଼େଇ ପାରିବି ନାହିଁ । ମୁଁ ତମମାନଙ୍କ ପ୍ରତି ଯଥେଷ୍ଟ ଅବହେଳା କଲିଣି । ଶାସ୍ତ୍ର ପ୍ରତି ମୋର ଆଉ ଧ୍ୟାନ ନାହିଁ । ହରିନାମ ବ୍ୟତୀତ ମୋ ପାଟିରେ କିଛି ପଶୁନାହିଁ । ମତେ ଚାରିଆଡ଼େ ଦେଖାଯାଉଛି କୃଷ୍ଣମୟ । ତମେମାନେ ମୋଠାରୁ ଆଉ କୌଣସି ସାହାଯ୍ୟ ପାଇ ପାରିବ ନାହିଁ । ଆଉ କାହାକୁ ଗୁରୁ କର—ସେ ତମକୁ ପଢ଼େଇବେ ।’’ କାନ୍ଦି ଉଠିଲେ ଶିଷ୍ୟମାନେ-। କହିଲେ, ‘‘ଆଉ ଯିବୁ କାହା ପାଖକୁ ? ଆପଣଙ୍କ ପାଖରୁ ଯେତିକି ପଢ଼ିଚୁ ସେତେ ଯଥେଷ୍ଟ ।’’ ଏତିକି କହି ଶିଷ୍ୟମାନେ ପୋଥି ବାନ୍ଧିଲେ ।

 

ନିମାଇଁ ଶିଷ୍ୟମାନଙ୍କଠାରୁ ତାଙ୍କର ବିଦାୟବାର୍ତ୍ତାରେ କହିଲେ, ‘‘ତୁମେମାନେ ମୋର ଚିରଦିନ ଆପଣାର ହୋଇ ରହିବ । କେହି ଦୁଃଖ କରନାହିଁ । ଶ୍ରୀକୃଷ୍ଣ ତୁମକୁ ସାହାଯ୍ୟ କରିବେ । ମୁଁ ନିରୁପାୟ । ମୁଁ କଣ କରିବି—ପାଠପଢ଼ା ଆରମ୍ଭ କରିବା ମାତ୍ରେ ଏକ କୃଷ୍ଣବର୍ଣ୍ଣର ଚିତ୍ର ମୋ ଆଖି ଆଗରେ ନାଚିଉଠୁଛି । ଚିତ୍ରଟି କ୍ରମଶଃ ଜୀବନ୍ତ ହୋଇଉଠୁଛି । ହାତରେ ତାର ବଂଶୀ । ମୁଣ୍ଡରେ ଶିଖିଚୂଳ । ତାକୁ ଦେଖିବା ମାତ୍ରେ ମୋ ମନ କଣ ହେଇଯାଉଛି । ମୁଁ ସବୁ ଶାସ୍ତ୍ର ଭୁଲିଯାଉଛି । ମୋର ଶକ୍ତି ବୋଲି ଆଉ କିଛି ନାହିଁ । ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ତୁମମାନଙ୍କ ମନ ରହୁ । ମୁଁ ବିଦାୟ ନେଉଛି ।’’

 

ଶିଷ୍ୟମାନେ କହିଲେ, ‘‘ଟୋଲ୍‌ରେ ପାଠପଢ଼ା ନ ହେଉ ପଛକେ ତୁମର ଶିକ୍ଷାରେ ଆମମାନଙ୍କ ଜୀବନ କିପରି ପରିଚାଳିତ ହେବ ସେଇ ଉପାୟୁ କୁହ ।’’ ନିମାଇଁ ସଂଗେ ସଂଗେ ଆରମ୍ଭ କଲେ କୃଷ୍ଣକୀର୍ତ୍ତନ । ହାତରେ ତାଳି ବାଡ଼େଇ ଗାଇଲେ–

 

ହରି ହରୟେ ନମଃ କୃଷ୍ଣ ଯାଦବାୟ ନମଃ

ଗୋପାଳ ଗୋବିନ୍ଦ ରାମ ଶ୍ରୀମଧୁସୂଦନ ।

 

ପାଳି ଧରିଲେ ଶିଷ୍ୟମାନେ । ନିମାଇଁଙ୍କ ଲଳିତକଣ୍ଠରୁ ଝରି ଚାଲିଛି ଅମୃତର ଧାର । ମଝିରେ ଅଛନ୍ତି ନିମାଇଁ । ଚାରିପଟେ ବେଢ଼ି ରହିଛନ୍ତି ଶିଷ୍ୟଗଣ । ଚାଲିଛି ହରିକୀର୍ତ୍ତନ । ଭକ୍ତି ସମୁଦ୍ରରେ ଉବୁଟୁବୁ ହେଉଛନ୍ତି ସମସ୍ତେ । କୃଷ୍ଣପ୍ରେମରେ ବିଭୋର ହୋଇ ସମସ୍ତେ ଗାଉଛନ୍ତି, ନାଚୁଛନ୍ତି । ଧୂଳିରେ ଗଡ଼ୁଛନ୍ତି ନିମାଇଁ । କୀର୍ତ୍ତନର ଧ୍ଵନିରେ ମୁଖରିତ ହୋଇଉଠିଲା ଖଣ୍ଡମଣ୍ଡଳ । ଯାହା କାନରେ ପଡ଼ିଲା, ପାଗଳ ଭଲି ଧାଇଁ ଆସିଲା ସେ କୀର୍ତ୍ତନ ପାଖକୁ ।

ସମସ୍ତେ ବିଭୋର । ନବଦ୍ୱୀପରେ ଆରମ୍ଭ ହେଲା ନାମସଂକୀର୍ତ୍ତନ । ନିମାଇଁଙ୍କର ଅଧ୍ୟାପକ ଜୀବନର ପରିସମାପ୍ତି ଘଟିଲା । ନାମ ସଂକୀର୍ତ୍ତନର ପ୍ରବର୍ତ୍ତକ ହେଲେ ସେ ନଦିୟାରେ । କ୍ରମଶଃ ସମଗ୍ର ଜଗର ଗ୍ରହଣ କଲା ଏଇ ନାମ ସଂକୀର୍ତ୍ତନକୁ ।

 

ବିଷଣ୍ଣ ହୋଇପଡ଼ିଲେ ଶଚୀ ମା’ । କଣ କଲେ ପୁଅର ଏଇ ପାଗଳାମି ଯିବ, ଭାବିପାରିଲେ ନାହିଁ । ସେ ଲକ୍ଷ୍ୟକଲେ ନିମାଇଁ ବହୁ ସମୟ ମୌନ ରହୁଛି । ପାଟିର କଥା ବାହାରିବା ମାନେ କେବଳ କହୁଛି ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ।

 

ସବୁକାଳରେ ସବୁ ସମୟରେ ଦଳେ ଲୋକ ବିରୋଧୀ ଥାଆନ୍ତି । ଅନ୍ୟର ଭଲ ଦେଖିଲେ ସେମାନେ ସହ୍ୟ କରିପାରନ୍ତି ନାହିଁ । ଅତ୍ୟନ୍ତ ଈର୍ଷାପରାୟଣ ହୋଇଉଠନ୍ତି । ନଦିୟାରେ ମଧ୍ୟ ସେଭଳି ଲୋକଙ୍କର ଅଭାବ ନ ଥିଲା । ଏମାନେ ବାହାରେ ପ୍ରଶଂସା କରୁଥିଲେ; କିନ୍ତୁ ଭିତରେ ଭିତରେ ପ୍ରଚାର କରୁଥିଲେ ଯେ, ନିମାଇଁ ପଣ୍ଡିତ ପୁଣି ପାଗଳ ହୋଇଗଲାଣି । କେହି କେହି ଆସି ଶଚୀ ମା’ଙ୍କୁ କହିଲେ, ‘‘ନିମାଇଁଙ୍କୁ ଉନ୍ମାଦ ରୋଗ ହୋଇଛି । ତାକୁ ଛାଗଳାଦି ଘୃତ ଦିଅ, ଭଲହୋଇଯିବ ।’’ ଆଉ କେହି କେହି କହିଲେ, ‘‘ତା ପେଟରେ ବାୟୁ ହୋଇଯାଇଛି ।’’

 

ଏ ସବୁ କଥା ନିମାଇଁଙ୍କ କାନରେ ପଡ଼ିଲା । ମାଆଙ୍କୁ କହିଲେ, ‘‘ମୋର ସେଭଳି କୌଣସି ରୋଗ ହୋଇନାହିଁ । ଶ୍ରୀକୃଷ୍ଣଙ୍କ ପ୍ରଭାବ ମୋ ମନକୁ ଚହଲେଇ ଦେଉଛି । ମୁଁ ନିଜକୁ ସମ୍ଭାଳି ପାରୁନି । ନିଜକୁ ସମ୍ଭାଳିବା ପାଇଁ ଯେ ମୁଁ ଚେଷ୍ଟା ନ କରୁଛୁ, ସେ କଥା ଭାବନାହିଁ ।’’ ଶେଷରେ ଶତୀ ମାଆ ନିରୁପାୟ ହୋଇ ଶ୍ରୀବାସଙ୍କୁ ଡକେଇ ପଠେଇଲେ । ନିମାଇଁ ଶ୍ରୀବାସଙ୍କୁ ଦେଖୁ ଦେଖୁ ତାଙ୍କୁ ପ୍ରଣାମ କରିବାକୁ ଗଲାବେଳେ ଭାବାବିଷ୍ଟ ହୋଇ ତଳେ ଲେଖି ପଡ଼ିଲେ । ଶତୀ ମା’ ଶ୍ରୀବାସଙ୍କୁ କହିଲେ, ‘‘ନିମାଇଁର ଏ ଅବସ୍ଥା ପ୍ରତ୍ୟେକ ଦିନ ହେଉଛି । କିଏ କିଏ କହୁଛନ୍ତି ବାୟୁ ଯୋଗୁଁ ତାକୁ ବାତ ମାରୁଛି । ଏ କଥା କଣ ସତ ?’’

 

ଏ ଭାବ କିପରି ଆସୁଛୁ ଶ୍ରୀବାସ ଭଲ ଭାବରେ ଜାଣିଥିଲେ । ଶାସ୍ତ୍ରରେ ଅଛି ଭଗବତ ପ୍ରେମରୁ ଏଭଳି ସାତ୍ତ୍ୱିକ ବିଚାର ଜାତ ହୋଇଥାଏ । ନିମାଇଁ କୃଷ୍ଣଙ୍କ ଭକ୍ତି ତଥା କୃଷ୍ଣଙ୍କ ପ୍ରେମରେ ମଜ୍ଜି-ରହିଛି । ଏଭଳି ପ୍ରେମ ପାଇଁ ମନୁଷ୍ୟ କେବଳ ବ୍ୟାକୁଳ ନୁହେଁ, ଶିବ ବ୍ରହ୍ମା ସୁଦ୍ଧା ବ୍ୟାକୁଳ ।’’

 

ଶ୍ରୀବାସ ଶତୀଦେବୀଙ୍କୁ ଏ କଥା କହୁଥିବାବେଳେ ନିମାଇଁ ସଚେତ ହୋଇ ଉଠିଥିଲେ । ତେଣୁ ସବୁକଥା ତାଙ୍କ କାନରେ ପଡ଼ିଥିଲା । ସେ ଶ୍ରୀବାସଙ୍କୁ କୁଣ୍ଢେଇ ପକେଇ କହିଲେ, ‘‘ମାଆକୁ ଯେତେ ବୁଝେଇଲେ ସେ ବୁଝୁନି । ମତେ ନାନା ରୋଗ ହୋଇଛି ବୋଲି ତାର ଦୃଢ଼ ଧାରଣା । ଯାହାହେଉ ଆପଣ ମତେ ରକ୍ଷା କରିଦେଲେ ।’’ ବାସ୍ତବରେ ଶ୍ରୀବାସଙ୍କ କଥାରେ ଶଚୀଦେବୀ ଯଥେଷ୍ଟ ସାନ୍ତ୍ୱନା ଲାଭକଲେ । କିନ୍ତୁ ତାଙ୍କ ମନରେ ଆଉ ଏକ ଭୟ ଥିଲା । ଭୟ ହେଉଛି—ବଡ଼ପୁଅ ବିଶ୍ଵରୂପର ସନ୍ନ୍ୟାସୀ ହୋଇ ଚାଲିଯାଇଥିଲା, ନିମାଇଁ ମଧ୍ୟ ଚାଲିଯିବନି ତ ? ଶ୍ରୀବାସ ଗଲାବେଳେ ନିମାଇଁଙ୍କୁ କହିଦେଇ ଗଲେ, ‘‘ଆମ ଘରକୁ ଆସିବ । କୃଷ୍ଣଙ୍କ ସମ୍ପର୍କରେ ଆଲୋଚନା କରିବା ।’’

 

ଶ୍ରୀକୃଷ୍ଣ ନାମ ସଂକୀର୍ତ୍ତନରେ ହିଁ ନିମାଇଁଙ୍କ ଦିନ ଅତିବାହିତ ହେବାକୁ ଲାଗିଲା । କେତେବେଳେ ଆସିଥିଲା ଭାବାବେଶ, କେତେବେଳେ ବହୁ ସମୟ ଧରି ରହୁଥିଲେ ମୌନ । ଭକ୍ତମାନଙ୍କ ନିକଟରେ ତାଙ୍କର ବିନୟଭାବ ପ୍ରକଟିତ ହେଉଥିଲା, ସାଙ୍ଗସାଥି‌ଙ୍କୁ ମଧ୍ୟ ମୁଣ୍ଡିଆ ମାରୁଥିଲେ । ‘‘ନିମାଇଁ, ତୁ ଏସବୁ କଣ କରୁଛୁ” ବୋଲି ଯଦି କିଏ କହୁଥିଲା, ସେ ସଙ୍ଗେ ସଙ୍ଗେ ଉତ୍ତର ଦେଉଥିଲେ, ‘ମୋତେ ତୁମେମାନେ କୃଷ୍ଣପ୍ରାପ୍ତିରୁ ବଂଚିତ କରନାହିଁ । ମୁଁ ତୁମମାନଙ୍କଠାରୁ ହିଁ କୃଷ୍ଣପ୍ରେମ ପାଇପାରିବି ।’’ ନିମାଇଁଙ୍କ ଏଇ ବିନୟ ଭାବ ଅନେକଙ୍କୁ ପ୍ରଭାବିତ କଲା । କ୍ରମଶଃ ଭକ୍ତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା ।

 

ଆନନ୍ଦିତ ହୋଇ ଉଠିଲେ ବୈଷ୍ଣବମାନେ । ନଦିୟାରେ ସେତେବେଳେ ବୈଷ୍ଣବମାନଙ୍କର ଗୁରୁ ଥିଲେ ଅଦ୍ୱୈତ ଆଚାର୍ଯ୍ୟ । ବୈଷ୍ଣବମାନେ ନିମାଇଁଙ୍କ କୃଷ୍ଣପ୍ରେମ କଥା ଅଦ୍ୱୈତଙ୍କ ଆଗରେ ଯାଇ ବର୍ଣ୍ଣନା କଲେ । ଅଦ୍ୱୈତ ଆଚାର୍ଯ୍ୟ ଥିଲେ ଜଣେ ମହାପଣ୍ଡିତ, ସତୁରି ବର୍ଷର ବୃଦ୍ଧ । ସେ ସମବେତ ଭକ୍ତମାନଙ୍କୁ କହିଲେ, ‘‘ମୁଁ ଅଳ୍ପ ଦିନ ତଳେ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲି । ପୂଜାଘରେ ବସି ଭଗବତ୍ ଗୀତା ପଢ଼ୁଛୁ କାହିଁକ କେଜାଣି ଗୋଟିଏ ଶ୍ଳୋକ ବୁଝିପାରିଲି ନାହିଁ । ମନରେ ଦୁଃଖ ହେଲା । ପୂଜାସାରି ଗଲି ଶୋଇବାକୁ । ସ୍ୱପ୍ନରେ ଦେଖିଲେ ଭଗବାନ ଆସି ଠିଆ ହୋଇଛନ୍ତି । କହୁଛନ୍ତି, ଆରେ ଅଦ୍ୱୈତ, ଆଉ ଦୁଃଖ କରନା । ତୋର ପ୍ରାର୍ଥନା ମୋର କାନରେ ପଡ଼ିଛି । ମୁଁ ମନୁଷ୍ୟ ଶରୀରରେ ଆସିଗଲାଣି ତୋ ପାଖକୁ, ସମସ୍ତଙ୍କ ପାଖକୁ । ଲୋକଙ୍କୁ ମୁକ୍ତିର ମାର୍ଗ ଦେଖାଇବି । ମୁଁ ଆଖି ଖୋଲିଦେଲା ମାତ୍ରେ ଦେଖିଲି ନିମାଇଁ ଠିଆହୋଇଛି ।’’

 

ଅଦ୍ୱୈତଙ୍କର ବିଶ୍ୱାସ ଥିଲା ଯେ ଭଗବାନ ନିଶ୍ଚିତ ଭାବରେ ପୃଥିବୀକୁ ମନୁଷ୍ୟ ରୂପରେ ଆସିବେ । ନିଦ ଭାଙ୍ଗିଯିବା ପରେ ନିମାଇଁଙ୍କୁ ସାମନାରେ ଦେଖି ସେ ନିର୍ବାକ ହୋଇପଡ଼ିଲେ । ଅଦ୍ୱୈତ ଠିକ୍ ସ୍ଵପ୍ନ ଦେଖିଲାବେଳେ ନିମାଇଁ ମଧ୍ୟ ଚିନ୍ତା କରୁଥିଲେ ଅଦ୍ୱୈତଙ୍କ ପାଖକୁ ଯିବାକୁ । ଅଦ୍ୱୈତଙ୍କୁ ଦେଖିବାମାତ୍ରେ ନିମାଇଁଙ୍କର ଚାଲିଆସିଲା ଭାବେବେଶ । ଚିତ୍କାର କରି ସେ ତଳେ ପଡ଼ିଗଲେ ।

 

ଏଇସବୁ ଐଶ୍ଵରିକ ଶକ୍ତିକୁ ଭେଦ କରିବା ଭଳି ଜ୍ଞାନ ଥିଲା ଅଦ୍ୱୈତଙ୍କର; କିନ୍ତୁ ନୀତି ନିୟମକୁ ସେ ଅତି କଠୋର ଭାବେ ପାଳନ କରୁଥିଲେ । ସେ ଅନୁଭବ କଲେ ନିମାଇଁ ସ୍ଵୟଂ ଭଗବାନ । ବୟସରେ ବହୁତ ବଡ଼ ହେଲେ ମଧ୍ୟ ଲେକାଚାରକୁ ଭ୍ରୂକ୍ଷେପ ନ କରି ଅଦ୍ୱୈତଙ୍କ ଆଚାର୍ଯ୍ୟ ନିମାଇଁଙ୍କ ପାଦପୂଜା ଆରମ୍ଭ କଲେ । ଲୋକଙ୍କର ବିଶ୍ୱାସ ଯେ ଯେ ବୟସରେ ବଡ଼ ସେ ଠାରୁ କମ୍ ବୟସର ଲୋକକୁ ପ୍ରଣାମ କରିବା ଅନୁଚିତ । ଏପରି କଲେ କମ୍ ବୟସ୍କ ଲୋକର କ୍ଷତି ହୋଇଥାଏ । ତେଣୁ ନିମାଇଁଙ୍କ ସାଙ୍ଗରେ ଯାଇଥିବା ତାଙ୍କ ସାଙ୍ଗ ଗଙ୍ଗାଧର ଅଦ୍ୱୈତଙ୍କୁ କହିଲେ—ଏପରି ପାଦପୂଜା କରିବାଦ୍ୱାରା ବରଂ ତୁମେ ନିମାଇଁର କ୍ଷତି କରୁଛ ।

 

ଅଦ୍ୱୈତ ହସି ହସି କହିଲେ, ‘‘ଦିନ ଆସିବ ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ପୃଥିବୀର ସମସ୍ତେ ଏଇ ପାଦପଦ୍ମରେ ମୁଣ୍ଡ ରଖିବେ । ମୁ ନିମାଇଁଙ୍କ ପାଦପୂଜା କରୁଛି ବୋଲି ଭୁମେ ବ୍ୟସ୍ତ ହୁଅନାହିଁ । ବେଶିଦୁନ ନୁହଁ, ଅଳ୍ପ କେତେ ଦିନ ଭିତରେ ତୁମର ଏ ସାଙ୍ଗ ନିମାଇଁ ପ୍ରକୃତରେ କିଏ ଜାଣିପାରିବ ।’’

 

ଅଦ୍ୱୈତଙ୍କର ଏଇ କଥାରେ ଗଙ୍ଗାଧର ଆଉ କୌଣସି ଯୁକ୍ତିତର୍କ କରିବା ପାଇଁ ଚାହଁଲେ ନାହିଁ । ଇତିମଧ୍ୟରେ ନିମାଇଁ ସ୍ଵାଭାବିକ ଅବସ୍ଥାକୁ ଫେରି ଆସିଛନ୍ତି । ସେ ଆଖି ଖୋଲି ଦେଖିଲେ ଅଦ୍ୱୈତ ଆଚାର୍ଯ୍ୟ ତାଙ୍କ ପାଦପୂଜା କରିବାରେ ଲାଗିଛନ୍ତି । ଅଦ୍ୱୈତଙ୍କ ହାତକୁ ଉଠେଇ ନେଲେ ସେ । ତାଙ୍କୁ କହିଲେ, ‘‘ତୁମେ ମୋର ପୁରୁସ୍ଥାନୀୟ । ଏ ସଂସାର ସାଗରରୁ କପରି ମୁଁ ପାରିହେବି ମୋତେ ସେଇ ବାଟ ବତାଅ । ଶ୍ରୀକୃଷ୍ଣଙ୍କ ପାଦପଦ୍ମ ନିକଟରେ ମତେ ପହଞ୍ଚାଇ ଦିଅ ।’’

 

ଅଦ୍ୱୈତ ସାମାନ୍ୟ ବିଚଳିତ ହୋଇପଡ଼ିଲେ । ନିମାଇଁଙ୍କ ଉପରେ ତାଙ୍କର ଯେଉଁ ବିଶ୍ୱାସ ଥିଲା ତାହା କ୍ଷୁଣ୍ଣ ହୋଇପଡ଼ିଲା । ଆଚ୍ଛା ଦେଖାଯିବ କହି ଅଦ୍ୱୈତ ଆଚାର୍ଯ୍ୟ ସେ ସ୍ଥାନ ପରିତ୍ୟାଗ କଲେ । ସେ କେବଳ ମନେ ମନେ ଭାବିଲେ, ନିମାଇଁ ଯଦି ଶ୍ରୀକୃଷ୍ଣ, ସେ ଶ୍ରୀକୃଷ୍ଣଙ୍କ ପାଦପଦ୍ମ ପାଇଁ ବ୍ୟାକୁଳ କାହିଁକ ? ଏଇଭଳି ଚିନ୍ତାରେ ତାଙ୍କର ମନ ଆଉ ସ୍ଥିର ରହିଲା ନାହଁ । ସେ ଚାଲିଗଲେ ଶାନ୍ତିପୁରକୁ । ଶାନ୍ତିପୁରରେ ତାଙ୍କର ନିଜ ଘର । ଶାନ୍ତିପୁର ଯିବା ପରେ ମଧ୍ୟ ତାଙ୍କ ମନରେ ସେଇ ପ୍ରଶ୍ନ । ସେ ମନେ ମନେ କହିହେଲେ ନିମାଇଁ ଯଦି ପ୍ରକୃତରେ ଶ୍ରୀକୃଷ୍ଣ ହୋଇଥାଏ ସେ ନଶ୍ଚୟ ମତେ ଖୋଜି ବାହାର କରିବ ।

 

ତା ଆରଦିନ ସକାଳେ ନିତ୍ୟକର୍ମ ଓ ସ୍ନାନାଦି ଶେଷ ପରେ ନିମାଇଁ ଗଲେ ଶ୍ରୀବାସଙ୍କ ଘରକୁ । ସେଠାରେ ଆଧ୍ୟାତ୍ମିକ ବିଷୟରେ ଆଲୋଚନା ହେବ ବୋଲି ଆଗରୁ କଥା ହୋଇଥିଲା । ଆଲୋଚନା ଚାଲିଲା । ମଝିରେ କେତେବେଳେ ନିମାଇଁ ଭାବାବିଷ୍ଟ ହୋଇ ପଡ଼ିଛନ୍ତି କେହି ଲକ୍ଷ୍ୟ କରି ପାରିନାହାନ୍ତି । ସମସ୍ତେ ଦେଖିଲେ ନିମାଇଁ ଚୁପ୍ ଚାପ୍, ତାଙ୍କ ପାଟିରୁ କଥା ବାହାରୁ ନାହିଁ । ମୁଦ୍ରିତ ଚକ୍ଷୁରୁ ଛୁଟିଛି ଅଶ୍ରୁର ପ୍ରସ୍ରବଣ । ହଠାତ୍ ସେ କାନ୍ଦି କାନ୍ଦି ପାଟିକରି ଉଠିଲେ–କୃଷ୍ଣ ତ ଆସିଥିଲା, ଗଲା କୁଆଡ଼େ ? ପାଖରେ ବସିଥିବା ଜଣେ ସାଙ୍ଗକୁ ଜାବୁଡ଼ିଧରି କହିଲେ, ‘‘ଭାଇ, ଟିକିଏ ଚେଷ୍ଟା କର—କୃଷ୍ଣ ଚାଲିଯାଉଛି, ତାକୁ ନେଇ ଆସ ।’’ ଭାବ ଗଦ୍ ଗଦ୍ ସ୍ୱରରେ ସେ କହିଚାଲିଲେ—ଦିନେ ସକାଳେ କୃଷ୍ଣକୁ ଦେଖିଲି । ଶ୍ୟାମ ବର୍ଣ୍ଣ । ବାଳୁତ ବୟସ । ଭାରି ସୁନ୍ଦର । ପାଦରେ ନୂପୁର ଧ୍ୱନି । ଧୀରେ ଧୀରେ ଆସି ସେ ମତେ କୁଣ୍ଢେଇ ପକେଇଲା । ଏହା କହୁ କହୁ ନିମାଇଁ ତଳେ ଗଡ଼ିପଡ଼ିଲେ । ପୁଣି ମୃତପ୍ରାୟ ଅବସ୍ଥା । ବହୁ ସମୟ ପରେ ସେ ସଚେତ ହେଲେ ।

 

ନିମାଇଁ ଏହିଭଳି ଭାବରେ କୃଷ୍ଣଭକ୍ତିରେ ମଜ୍ଜି-ଯାଉଥିଲେ । ତାଙ୍କ ମନକୁ ଚାଲିଆସୁଥିଲା ରାଧାଭାବ । ତାଙ୍କ ଦେହରେ ଦେଖାଯାଉଥିଲା ଅଷ୍ଟ ସାତ୍ତ୍ଵିକ ବିକାର । କେତେବେଳେ କାନ୍ଦୁଥିଲେ, ହସୁଥିଲେ, ଦେହରେ ସୃଷ୍ଟି ହେଉଥିଲା କମ୍ପନ । କେତେବେଳେ ସେ ଝାଳରେ ବୁଡ଼ିଯାଉଥିଲେ । ତାଙ୍କ ପାଟିରୁ ଫେଣ ବାହାରି ଆସୁଥିଲା । କାନ୍ଦ କାନ୍ଦ ଅଚେତ ହୋଇପଡ଼ୁଥିଲେ । ଆଠୋଟି ଭାବରୁ ଆଉ କେତୋଟି ଅଧିକା ଭାବ ମଧ୍ୟ ତାଙ୍କ ଦେହରେ ଦେଖାଯାଉଥିଲା । ଭକ୍ତି ଭାବ ଥିଲା ଅତ୍ୟନ୍ତ ପ୍ରବଳ । ଭଗବାନଙ୍କ ସହିତ ସେ ଏକାକାର ହୋଇଯାଉଥିଲେ । ତାଙ୍କ ହୃଦୟ ଓ ମନରେ ପ୍ରବାହିତ ହେଉଥିଲା କୃଷ୍ଣପ୍ରେମର ପ୍ରଖର ସ୍ରୋତ । ଏ ଭାବରେ ସେ ବୁଡ଼ିରହିଥିବାବେଳେ ଦିନ କଣ ରାତି କଣ ଜାଣି ପାରୁ ନ ଥିଲେ । ସଂଧ୍ୟାବେଳେ କହୁଥିଲେ, ‘‘ମାଆ, ଉଠ, ସକାଳ ହେଇଗଲାଣି । ଦାନ୍ତକାଠି ଦିଅ ।’’

 

ବାଟରେ ଗଲାବେଳେ କିମ୍ବା ନଈ ତୁଠରେ ସାଙ୍ଗସାଥୀଙ୍କ ହାତକୁ ଧରି ପଚାରୁଥିଲେ, ‘‘ଭାଇ, ତୁମେ ଦେଖିଚ କୃଷ୍ଣ ଗଲା କୁଆଡ଼େ ?’’ ନିମାଇଁଙ୍କ ଏଇ ବିହ୍ୱଳ ଭାବ ଦେଖି ସାଙ୍ଗସାଥୀମାନେ ମଧ୍ୟ କାନ୍ଦି ପକଉଥିଲେ । ଏମିତି ଦିନେ କୃଷ୍ଣ ଗଲେ କୁଆଡ଼େ, ପଚାରିବା ମାତ୍ରେ ତାଙ୍କର ଜଣେ ସାଙ୍ଗ ଗଦାଧର କହିଲେ, ‘‘କୃଷ୍ଣ ତୋର ହୃଦୟ ଭିତରେ ଅଛି । ଆଉ ଯିବ କୁଆଡ଼େ-?’’ ସାଙ୍ଗେ ସାଙ୍ଗେ ସେ ଗଦାଧରକୁ କହିଲେ, ‘‘ମୋ ଛାତିକି ଚିରି ପକା, ମୁଁ ତାଙ୍କୁ ଦେଖିବି-।’’ ଗଦାଧର ବଡ଼ ଅଡ଼ୁଆରେ ପଡ଼ିଗଲେ । ନିମାଇଁଙ୍କୁ ବହୁତ ବୁଝାଇବା ପରେ ଯାଇ ସେ ଶାନ୍ତ ହେଲେ ।

 

ନିମାଇଁଙ୍କୁ ସମଗ୍ର ପୃଥିବୀ ଦେଖାଗଲା କୃଷ୍ଣମୟ । ଯାହାକୁ ଦେଖିଲେ କହିଲେ, ‘‘ମୋ କୃଷ୍ଣ ହେଉଛି ଭାରି ସୁନ୍ଦର । ତାର ବଂଶୀର ସ୍ଵର ଅତି ମଧୁର । ତା ତ୍ରିଭଙ୍ଗ ନୃତ୍ୟ ଅତି ମନୋହର-।’’ ନିମାଇଁ ଭାବାବେଶରେ ଥିବାବେଳେ ଥରେ ଥରେ ତାଙ୍କର ଶରୀର ଏତେ ଭାରି ହେଇଯାଉଥିଲା ଯେ, ତାଙ୍କର ଗୋଟିଏ ବାହୁକୁ ସୁଦ୍ଧା ଟେକିବା କଷ୍ଟକର ହୋଇ ଉଠୁଥିଲା । ଆଉ ଥରେ ଥରେ ତୁଳାଭଳି ଉଶ୍ୱାସ ହୋଇ ଉଠୁଥିଲେ-। କ୍ରମଶଃ ସେ କୃଷ୍ଣପ୍ରେମର ଅଭିନବ ପ୍ରେରଣାରେ ନାନା ଭଙ୍ଗୀରେ ନାଚିବା ଲକ୍ଷ୍ୟ କରାଗଲା । ଗାଉଥାଆନ୍ତି, ନାଚୁଥାଆନ୍ତି-। ଏଇ କୀର୍ତ୍ତନ ସାଙ୍ଗରେ ବାଜିଲା ଖୋଳ କରତାଳ । କେତେବେଳେ ତାଙ୍କ ତୁଣ୍ଡରୁ ବାହାରୁଥିଲା ‘‘ହରିବୋଲ” ତ କେତେବେଳେ ବାହାରୁଥିଲା କେବଳ ‘ବୋଲ’ ‘ବୋଲ’ । କୀର୍ତ୍ତନରେ ଯେଉଁମାନେ ଯୋଗଦେଲେ ସେମାନେ ମଧ୍ୟ ହରିନାମରେ ବିଭୋର ହୋଇପଡ଼ୁଥିଲେ । ସମସ୍ତେ ଭାବାବେଶରେ ପରସ୍ପରକୁ କୁଣ୍ଢାଉଥିଲେ । କେହି କେହି ଧୂଳିରେ ଗଡ଼ିଯାଉଥିଲେ । କେନ୍ଦ୍ରବିନ୍ଦୁ ଥିଲେ ନିମାଇଁ । ସେ ଦୁଇହାତ ଟେକି ଢଳି ଢଳି ନାଚୁଥିଲେ । ହାତ ଦୁଇଟି ଉପରକୁ ଉଠିଯାଉଥିଲା-। ନିମାଇଁ ନାଚୁଥିବାବେଳେ ସମସ୍ତେ ଭାବୁଥିଲେ, ନିଜେ ଶ୍ରୀକୃଷ୍ଣ ଆମ ଭିତରେ ନାଚୁଛନ୍ତି-। ପ୍ରତ୍ୟେକ ଦିନ ଚାଲୁଥିଲା ଏହିଭଳି ନାମ ସଂକୀର୍ତ୍ତନ ।

 

ନିମାଇଁଙ୍କ ସାଙ୍ଗସାଥୀମାନେ ଅନୁଭବ କରିପାରିଲେ ଯେ, ଭକ୍ତି କୌଣସି କାଳ୍ପନିକ ବସ୍ତୁ ନୁହେଁ; ହୃଦୟ ନିର୍ମଳ ରହିଲେ, ହରିନାମାମୃତ ପାନ କଲେ ଭକ୍ତି ହୋଇଉଠେ ବାସ୍ତବ । ସାଧାରଣ ଜିନିଷ ଭଳି ନିମାଇଁ ଏଇ ଭକ୍ତିଭାବ ବିତରଣ କରି ଚାଲିଲେ ଚାରିଆଡ଼େ । ଦିନେ ଶଚୀମାଆ ମଧ୍ୟ ମାଗିଲେ, ‘‘ବାପ, ମତେ ଟିକେ ଭକ୍ତି ଦେ ।’’ ତାଙ୍କ ପ୍ରିୟ ସାଥୀ ଗଦାଧର ମାଗିବେ ମାଗିବେ ବୋଲି ଇଚ୍ଛା କରୁଥିଲେ ସତ; କିନ୍ତୁ ସାହସ କରି ପାରୁ ନ ଥିଲେ । ନିମାଇଁ ଏକଥା ଜାଣିପାରିଲେ । ନିମାଇଁ ଏ ଦୁହିଁଙ୍କୁ ଦେଲେ କୃଷ୍ଣଭକ୍ତି । ପଡ଼ିଶା ଘରର ଶୁକ୍ଳାମ୍ବର, ସେ ଥିଲେ ବ୍ରହ୍ମଚାରୀ । ସେ ନିଜକୁ ଜଣେ ତପସ୍ୱୀ ମନେ କରୁଥିଲେ । ତାଙ୍କୁ ନିମାଇଁ ଅହଂକାର ବ୍ୟାଧିରୁ ମୁକ୍ତ କଲେ । କୃଷ୍ଣଭକ୍ତିର କରୁଣାବାରି ସିଞ୍ଚନରେ ଶୁକ୍ଳାମ୍ବର ହୋଇ-ଉଠିଲେ ସତେଜ । ମଧୁର କୃଷ୍ଣରସ ପାନ କରିବା ପାଇଁ ବହୁଆଡ଼େ ବହୁଲୋକ ଆସିଲେ ନିମାଇଁଙ୍କ ପାଖକୁ । କେତେକଙ୍କ ମନରେ ଥିଲା ଅବିଶ୍ଵାସ । କେହି କେହି ମନେ ମନେ ପ୍ରଶ୍ନ କରିବାକୁ ଲାଗିଲେ, ନିମାଇଁ ଭଗବାନଙ୍କ ଦ୍ଵାରା ପ୍ରେରିତ ଜଣେ ଦୂତ ନା ନିଜେ ସେ ଭଗବାନ ?

 

ଅନେକ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଲା । ସେମାନେ ମନେ ମନେ ଶାସ୍ତ୍ର, ପୁରାଣ, ଗୀତା ଭାଗବତ, ଉପନିଷଦ ଆଦି ଘାଣ୍ଟିବାକୁ ଲାଗିଲେ । କେହି କେହି କୁଣ୍ଠିତ ହେଲେ ନିମାଇଁଙ୍କୁ ଭଗବାନ ଭାବରେ ଗ୍ରହଣ କରିବାକୁ । ନିମାଇଁ ନିଜେ କହୁଥିଲେ, ‘‘ସେ ଏଇଠି ଅଛି । କୃଷ୍ଣ ଆସି ଗଲେଣି ।’’ ନିମାଇଁଙ୍କର ଭାବାବେଶ ଏବଂ ବାହାର ଲୋକଙ୍କ ଥଟ୍ଟା ପରିହାସକୁ ଦେଖି ସାଙ୍ଗସାଥୀମାନେ ଏଣିକି ବାହାରେ କୀର୍ତ୍ତନ ନ କରି କୌଣସି ଏକ ଘର ଭିତରେ କୀର୍ତ୍ତନ କରିବାକୁ ଲାଗିଲେ । କୀର୍ତ୍ତନ ଚାଲିଥିବା ବେଳେ କବାଟ ବନ୍ଦ କରି ଦିଆଯାଉଥିଲା । ଯାହାର ଇଚ୍ଛା କୀର୍ତ୍ତନରେ ଯୋଗ ଦେବା ପାଇଁ ସେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଆସିଯାଉଥିଲା । ରୁଦ୍ଧଦ୍ୱାର ଭିତରେ କୀର୍ତ୍ତନ ଫଳରେ ଅପପ୍ରଚାର ଚାଲିଲା ଯେ ଘର ଭିତରେ ଖରାପ କାମ ଚାଲିଛି । ଏ ଅପପ୍ରଚାର ସତ୍ତ୍ୱେ କୀର୍ତ୍ତନ ବନ୍ଦ ହେଲାନି । ଭକ୍ତଙ୍କ ଦଳ ବୃଦ୍ଧି ପାଇଲା । ନଦିୟାର ହଜାର ହଜାର ଲୋକ କୀର୍ତ୍ତନ ପ୍ରେମୀ ହୋଇ ଉଠିଲେ ।

 

ସେତେବେଳେ ବଙ୍ଗଳାର ନବାବ ଥିଲେ ହୋସେନ୍ ସାହା । ପୁଣି ଏକ ଗୁଜବ ଚାଲିଲା ଯେ, ମୁସଲମାନ ନବାବ ସୈନ୍ୟ ପଠାଉଛନ୍ତି ନିମାଇଁ ଓ ତାଙ୍କ ଭକ୍ତମାନଙ୍କୁ ଗିରଫ କରିନେବା ପାଇଁ । ଭକ୍ତମାନେ ଭୟଭୀତ ହୋଇପଡ଼ିଲେ । ଏଇ ସମୟରେ ଏକ ଲୀଳା ସୃଷ୍ଟି ହେଲା । ଦିନେ ଶ୍ରୀବାସ ତାଙ୍କ ଘରେ ପୂଜା କରୁଛନ୍ତି । ହଠାତ୍ କବାଟ ବାଡ଼ିଆ ଶବ୍ଦ ଶୁଭିଲା । ଶ୍ରୀବାସ ବିବ୍ରତ ହୋଇ ପଚାରିଲେ–କିଏ ? ବାହାରୁ ଉତ୍ତର ମିଳିଲା, ‘‘ତୁମେ ଯାହାକୁ ପୂଜା କରୁଛ, ମୁଁ ସେଇ ।’’

 

ଶ୍ରୀବାସ ରାଗରେ ତମ ତମ ହୋଇପଡ଼ିଲେ । ସେ କବାଟ ଖୋଲି ଦେଖନ୍ତି ତ ଠିଆ ହୋଇଛନ୍ତି ନିମାଇଁ । ତାଙ୍କର ମନେ ହେଲା, ସ୍ଵୟଂ ଭଗବାନ ଶଙ୍ଖ, ଚକ୍ର, ଗଦା ପଦ୍ମ ଧରି ଦଣ୍ଡାୟମାନ ତାଙ୍କ ସମ୍ମୁଖରେ । ଶ୍ରୀବାସ ନିର୍ବାକ, ନିଷ୍ପନ୍ଦ । ନିମାଇଁ କହିଲେ, ‘‘ତୁମର ପ୍ରାର୍ଥନାରେ ଖୁସି ହୋଇ ମୁଁ ଆସିଛି ।’’ ଶ୍ରୀବାସଙ୍କ ପୂଜା ଘରେ ଥିବା ସିଂହାସନରେ ଯାଇ ବସିଲେ ନିମାଇଁ । କହିଲେ, ମତେ ପୂଜାକର । ସମ୍ମୁଖରେ ସ୍ଵୟଂ ଭଗବାନଙ୍କୁ ଦର୍ଶନ କରି କୃତକୃତ୍ୟ ହୋଇ ଉଠିଲେ ଶ୍ରୀବାସ । ଭାବିଲେ–ମାଗିବି କ’ଣ ? ଭଗବାନଙ୍କୁ ଅଭ୍ୟର୍ଥନା କରିବି କିପରି ? କଣ କଲେ ଭଗବାନ ଖୁସି ହେବେ ?

 

ଶ୍ରୀବାସଙ୍କ ମାନସିକ ଅବସ୍ଥା ନିମାଇଁ ବେଶ୍ ବୁଝିପାରିଲେ । କହିଲେ, ‘‘ଢାଳେ ପାଣି ଆଣ, ମତେ ଗାଧେଇଦିଅ ।’’ ଶ୍ରୀବାସ ଝପଟି ଯାଇ ପାଣି ଆଣିଲେ । ତା ସଙ୍ଗେ ସଙ୍ଗେ ପରିବାରର ସମସ୍ତଙ୍କୁ ଡାକି ଆଣିଲେ । କହିଲେ, ‘‘ଆସ ଦେଖିବ ।’’ ଆଖପାଖରେ ଯେତେ ଭକ୍ତ ଥିଲେ ସମସ୍ତେ ଦଉଡ଼ି ଆସିଲେ । ସମସ୍ତେ ଦେଖିଲେ ନିମାଇଁ ବସିଛନ୍ତି । ଲାବଣ୍ୟମୟ ରୂପ । ପ୍ରସନ୍ନ ମୁଖ । ମୁଣ୍ଡ ଉପରେ ଏକ ଆଲୋକ ମଣ୍ଡଳ । ଶ୍ରୀବାସ ନିମାଇଁଙ୍କ ପାଖକୁ ଗଲେ ତାଙ୍କୁ ସ୍ନାନ କରାଇବା ପାଇଁ । ସେ ଯେତେ ପାଖକୁ ଲାଗିଆସିଲେ, ସେ ସେତିକି ଅନୁଭବ କଲେ ନିମାଇଁ ଏକ ସୁବର୍ଣ୍ଣ ପ୍ରତିମା ପାଲଟି ଯାଇଛନ୍ତି । ତାଙ୍କ ଶରୀରରୁ ସୂର୍ଯ୍ୟଙ୍କ ଭଳି ଜ୍ୟୋତି ପ୍ରକାଶ ହେଉଛି । ତାଙ୍କ ଦେହରୁ ସ୍ନାନବେଳେ ଯେଉଁ ଜଳଧାରା ନିର୍ଗତ ହେଉଛି ତାହା ଦେଖାଯାଉଛି ମୁକ୍ତାବିନ୍ଦୁ ଭଳି । ସୁଗନ୍ଧରେ ସୁବାସିତ ସମଗ୍ର ବାତାବରଣ । ହଠାତ୍ ସମସ୍ତଙ୍କ କାନରେ ପଡ଼ିଲା ଶ୍ରୀକୃଷ୍ଣଙ୍କ ମୋହନବଂଶୀର ସୁଲଳିତ ସ୍ଵର । ଉଠି ଠିଆହେଲେ ନିମାଇଁ । କହିଲେ, ‘‘ମୋ ପାଇଁ ଶେଯ ପକାଇ ଦିଅ, ମୁଁ ଶୋଇବି ।’’ ଶେଯ ପାଖକୁ ଗଲାବେଳକୁ ଅଧିକ ଜ୍ୟୋତିର୍ମୟ ହୋଇ ଉଠିଲା ତାଙ୍କ ଶରୀର । ଭକ୍ତମାନେ ଆଣିଲେ ପୁଷ୍ପମାଲ୍ୟ । ନିମାଇଁଙ୍କ ଗଳାରେ ପିନ୍ଧାଇଦେଲେ । ଚନ୍ଦନପାଟିରେ ବେଶ କରାଇଲେ ନିମାଇଁଙ୍କୁ । ନିମାଇଁ କୌଣସି ଆପତ୍ତି କଲେ ନାହିଁ । ଓଠରେ ଥାଏ ତାଙ୍କର ମୃଦୁ ହସ । ସମସ୍ତଙ୍କୁ ଆଶ୍ଵାସନା ବାଣୀ ଶୁଣାଇ କହିଲେ, ‘‘ମୁଁ ପ୍ରକୃତରେ କିଏ ଆଜି ଜଣାଇଦେଉଛି । ସମସ୍ତଙ୍କର ହୃଦୟ ମନ୍ଦିରରେ ମୁଁ ରହିଛି । ରାଜା କିମ୍ବା ନବାବଙ୍କୁ ଭୟ କରନାହିଁ-। ମୁଁ ହେଉଛି ଅଭୟଦାତା । ମୁଁ ଦୁଷ୍ଟକୁ ସଂହାର କରିବା ପାଇଁ ଆସି ନାହଁ, ଆସିଛି ସେମାନଙ୍କ ସଂସ୍କାର ଲାଗି । ଭକ୍ତି ଓ ପ୍ରେମ ବଳରେ ତୁମେ ସମସ୍ତେ ମତେ ପାଇ-ପାରିବ । ଏଇ ପ୍ରେମଦ୍ୱାରା ମୁସଲମାନ ନବାବଙ୍କ ହୃଦୟକୁ ମଧ୍ୟ ମୁଁ ତରଳେଇ ଦେଇପାରିବି । କୃଷ୍ଣପ୍ରେମରେ ମୁଁ ସମସ୍ତଙ୍କୁ ନଚାଇବି, କନ୍ଦାଇବି । ମୋ ମହିମା କଣ ତାର ପ୍ରମାଣ ମୁଁ ଏହିକ୍ଷଣି ତୁମ ସମସ୍ତଙ୍କୁ ଦେଖେଇଦେଉଛି ।’’ ଏତିକି କହି ସେ ଡାକିଲେ ନାରାୟଣୀକୁ । ନାରାୟଣୀ ହେଉଛି ଶ୍ରୀବାସଙ୍କ ଝିଆରୀ । ଚାରି ବର୍ଷର ଝିଅ । ତାକୁ କୋଳରେ ଧରି କହିଲେ, ‘‘ମା, କହ କୃଷ୍ଣ ।’’ ନାରାୟଣୀର ଆଖିରୁ ଲୁହ ଝରି ଆସିଲା । ସେ କୃଷ୍ଣ କୃଷ୍ଣ ଗାଇ ଗାଇ ବେହୋସ ହୋଇପଡ଼ିଲା । ନିମାଇଁ ହସି ହସି କହିଲେ, ‘‘ମୁଁ ଠିକ୍ ଏହିଭଳି ଭାବରେ ନବାବର ହୃଦୟକୁ ମଧ୍ୟ ସ୍ପର୍ଶ କରିବି ।’’

 

ଗିରଫ ହେବା ଭୟରେ ଯେଉଁମାନେ ଆତଙ୍କ ତ ହୋଇ ଉଠିଥିଲେ, ସେମାନେ ପାଇଲେ ଅଭୟବାଣୀ । ଅଳ୍ପ କିଛି ସମୟ ପରେ ନିମାଇଁ କହିଲେ, ‘‘ମୁଁ ଯାଉଛି, ପୁଣି ଯଥା ସମୟରେ ଆସିବି ।’’ ଏତିକି କହି ସେ ଶେଯରେ ଲୋଟିପଡ଼ିଲେ । ତାଙ୍କର ଜୀବନ ଥିଲା ଭଳି ମନେହେଲାନି । ନିମାଇଁଙ୍କର ଏଭଳି ଅବସ୍ଥା ହୁଏ, ଏକଥା ଭକ୍ତମାନେ ଜାଣିଥିବାରୁ କେହି ବିଚଳିତ ନ ହୋଇ ଅପେକ୍ଷା କରି ରହିଲେ କିଛି ସମୟ ପାଇଁ ।

 

ନିମାଇଁ ଉଠି ବସିଲେ । ଅଳ୍ପ କେତେ ସମୟ ପୂର୍ବେ ସେ ଯେଉଁ ରୂପରେ ପ୍ରତିଭାତ ହୋଇଥିଲେ ସେ ରୂପ ଆଉ ନାହିଁ । ବର୍ତ୍ତମାନ ଯେଉଁ ନିମାଇଁକୁ ସେଇ ନିମାଇଁ । ପୁଣି ସେ କାନ୍ଦିବାକୁ ଲାଗିଲେ । କହିଲେ, ‘‘କୃଷ୍ଣ, ତୁମେ ମତେ ସଂସାର ବନ୍ଧନରୁ ମୁକ୍ତ କର । ତୁମ ପାଦପଦ୍ମରେ ମତେ ଆଶ୍ରୟ ଦିଅ ।’’ ଯେଉଁମାନ ସେଠାରେ ଉପସ୍ଥିତ ଥିଲେ ସମସ୍ତେ ଜାଣିପାରିଲେ ଯେ ଇଏ ସେଇ କୃଷ୍ଣର ଲୀଳା । ଯିଏ ନିଜେ କୃଷ୍ଣ ସେ ଲୋଡ଼ୁଛି କୃଷ୍ଣ । ଏହି ଘଟଣାପରେ ଭକ୍ତ ହେଲେ ମୁରାରି ପଣ୍ଡିତ ।

✽✽✽

 

ନିତ୍ୟାନନ୍ଦ

 

ନିତ୍ୟାନନ୍ଦ ଜନ୍ମ ଗ୍ରହଣ କରିଥିଲେ ବୀରଭୂମିର ଏକ ଗ୍ରାମରେ । ବାର ବର୍ଷ ବୟସରେ ସେ ଗୃହତ୍ୟାଗ କରିଥିଲେ । କଥିତ ଅଛି ଥରେ ଜଣେ ସନ୍ୟାସୀ ନିତ୍ୟାନନ୍ଦ ଘରକୁ ଭିକ୍ଷା କରିବାକୁ ଆସିଲେ । ଘରର ଲୋକଙ୍କୁ କହିଲେ, ‘‘ମୁଁ କୌଣସି ଧନ ସଂପତ୍ତି ଭିକ୍ଷା କରିବାକୁ ଆସିନାହିଁ । ମୁଁ ଆସିଛି ତୁମ ପୁତ୍ରକୁ ଭିକ୍ଷା ଭାବରେ ଗ୍ରହଣ କରିବାକୁ ।’’ ଏଇ ସନ୍ୟାସୀ ଜଣକ ଅନ୍ୟ କେହି : ନୁହନ୍ତି । ସେ ନିମାଇଁଙ୍କ ବଡ଼ ଭାଇ ବିଶ୍ୱରୂପ । ବାପ ମା ଅକୁଣ୍ଠିତ ଭାବରେ ବାର ବର୍ଷ ବୟସର ଏକମାତ୍ର ପୁତ୍ର ନିତ୍ୟାନନ୍ଦକୁ ସମର୍ପଣ କରିଦେଲେ ସନ୍ୟାସୀଙ୍କ ହାତରେ ।

 

ନିତ୍ୟାନନ୍ଦ କୋଡ଼ିଏ ବର୍ଷ ଧରି ଭାରତର ବିଭିନ୍ନ ତୀର୍ଥ ଭ୍ରମଣ କରି ପହଞ୍ଚିଲେ ବ୍ରଜ ବୃନ୍ଦାବନରେ । ସେ ଖୋଜି ବୁଲିଲେ ଶ୍ରୀକୃଷ୍ଣଙ୍କୁ । ଦୈବାତ ଦେଖାହେଲା ଈଶ୍ୱରପୁରୀଙ୍କ ସହିତ । ଈଶ୍ୱର-ପୁରୀ ନିତ୍ୟାନନ୍ଦଙ୍କୁ କହିଲେ, ‘‘ତୁ ଯେଉଁ ଶ୍ରୀକୃଷ୍ଣଙ୍କୁ ଖୋଜୁଛୁ; ସେ ଅଛନ୍ତି ବର୍ତ୍ତମାନ ନଦିୟାରେ ।’’

 

ନିତ୍ୟାନନ୍ଦ ଚାଲିଲେ ନଦିୟା ଅଭିମୁଖେ । ସେ ଯେଉଁଦିନ ନଦିୟା ସୀମାରେ ପାଦ ଦେଲେ; ନିମାଇଁ ଜାଣିପାରିଲେ ନିତ୍ୟାନନ୍ଦ ପହଞ୍ଚି ଗଲେଣି । ସେ ତାଙ୍କ ଶିଷ୍ୟମାନଙ୍କୁ କହିଲେ, ‘‘ମୋ ବଡ଼ଭାଇ ବଳରାମ ମୋ ପାଖକୁ ଆସୁଛନ୍ତି । ଯାଅ ତାଙ୍କୁ ପାଛୋଟି ଆଣ ।’’ ନିମାଇଁ ବଳରାମଙ୍କ ନାମ ଉଚ୍ଚାରଣ କରିବା ମାତ୍ରେ ବଳରାମଙ୍କ ଶକ୍ତି ସଂଚାର ହୋଇଉଠିଲା ତାଙ୍କ ଦେହରେ । ସେ ପାଟି କରି କହିଲେ, ‘‘ମତେ ଦିଅ କାଦମ୍ବରୀ; ମୁଁ ପାନ କରିଚି ।’’ (ବଳରାମ ସବୁବେଳେ କାଦମ୍ବରୀ ନିଶାରେ ଭୋଳ ଥାଆନ୍ତି । ଏହା ଏକ ମଦ୍ୟ ।)

 

ପାଖରେ ଥିଲେ ଶ୍ରୀବାସ । ସେ ପରିସ୍ଥିତିକୁ ସମ୍ଭାଳିନେଲେ | ନିମାଇଁଙ୍କୁ କହିଲେ, ‘‘କୃଷ୍ଣପ୍ରେମର କାଦମ୍ବରୀ ଆମ କାହା ପାଖରେ ନାହିଁ; ଅଛି ତୁମରି ପାଖରେ ।’’ ଶ୍ରୀବାସଙ୍କ ମୁହଁରୁ ଏହା ଶୁଣିବା ପରେ ନିମାଇଁଙ୍କ ମନରୁ କାଦମ୍ବରୀ ନିଶା ତୁଟିଗଲା । ସେ ପୁଣି କହିବାକୁ ଲାଗିଲେ, ‘‘ବଳରାମ ନଦିୟାରେ ପହଞ୍ଚିସାରିଲେଣି । ଶୀଘ୍ର ଯାଅ, ତାଙ୍କୁ ପୁଷ୍ପ ଚନ୍ଦନ ଦେଇ ମୋ ପାଖକୁ ପାଛୋଟି ଆଣ ।’’ ଶିଷ୍ୟମାନେ ସକାଳୁ ସନ୍ଧ୍ୟା ଯାଏ ଖୋଜିଲେ ବଳରାମଙ୍କୁ, କିଂତୁ ହତାଶ ହୋଇ ଫେରିଆସିଲେ । ତାପରେ ଗଲେ ନିମାଇଁ । ସାଙ୍ଗରେ ଗଲେ ତାଙ୍କ ଶିଷ୍ୟମାନେ । ସେ ସିଧା ସଳଖ ଗଲେ ନିତ୍ୟାନନ୍ଦ ଯେଉଁଠି ରହୁଥିଲେ ସେଇଠିକି । ବହୁକାଳର ପରିଚିତ ଭଳି ନିମାଇଁ ଓ ନିତ୍ୟାନନ୍ଦ ପରସ୍ପରକୁ କୁଣ୍ଢେଇ ପକେଇଲେ ।

 

ନିତ୍ୟାନନ୍ଦ ଏଠାରେ ନିମାଇଁଙ୍କୁ ଦେଖିଲେ ଷଡ଼ଭୁଜ ରୂପରେ । ଦୁଇଟି ହାତରେ ଶ୍ରୀରାମଙ୍କ ଭଳି ଧନୁଶର । ଆଉ ଦୁଇଟି ହାତରେ ଶ୍ରୀକୃଷ୍ଣଙ୍କ ବଂଶୀ । ଅନ୍ୟ ଦୁଇଟି ହାତରେ ସନ୍ୟାସୀଙ୍କ ଭଳି ଦଣ୍ଡ ଓ କମଣ୍ଡଳୁ । ନିତ୍ୟାନନ୍ଦ ଏ ରୂପକୁ ଦେଖିବା ମାତ୍ରେ ଅଚେତ ହୋଇପଡ଼ିଲେ । ନିମାଇଁ ନିତ୍ୟାନନ୍ଦଙ୍କୁ ଦି’ ହାତରେ ଉଠାଇ କହିଲେ, ‘‘ଭାଇ ନିତାଇ, ଉଠ ! ତୁମର ସମସ୍ତ ଇଚ୍ଛା ପୂରଣ ହୋଇଛି । ଏଣିକ ପ୍ରେମ ଓ ଭକ୍ତିର ଯେଉଁ ନିର୍ଝରିଣୀ ବହିବ, ତୁମେ ହେବ ତାର ନାବିକ ।’’ ତା’ଆରଦିନ ନିମାଇଁ ନିତ୍ୟାନନ୍ଦଙ୍କୁ ଧରି ଗଲେ ନିଜ ଘରକୁ । ଶଚୀଙ୍କୁ କହିଲେ, ‘‘ମା, ତୁମ ରୂପ ଫେରି ଆସିଛନ୍ତି ।’’

 

ଶଚୀ ଦେଖିଲେ ନିତ୍ୟାନନ୍ଦଙ୍କୁ । ଅନୁଭବ କଲେ ସେ ବିଶ୍ୱରୂପକୁ ଫେରିପାଇଛନ୍ତି । ଆନନ୍ଦ କହିଲେ ନ ସରେ । ନିତ୍ୟାନନ୍ଦଙ୍କୁ କୁଣ୍ଢାଇ ଧରି କହିଲେ, ‘‘ନିମାଇଁ ଥିଲା ଏକା । ତୁ ତ ଆସି ଗଲୁଣି, ମୁଁ ନିଶ୍ଚିନ୍ତ । ଏଣିକି ନିମାଇଁର ଦାୟିତ୍ୱ ତୋ ଉପରେ ।’’ କହୁ କହୁ ଶଚୀଙ୍କ କଣ୍ଠରୁଦ୍ଧ ହୋଇ ଆସିଲା । ଆଖିରୁ ଗଡ଼ି ଆସିଲା ଧାର ଧାର ଲୁହ । ବାତ୍ସଲ୍ୟରସରେ ତାଙ୍କର ଅନ୍ତର ଉଛୁଳି ଉଠିଲା-। ଆଗରେ ଠିଆ ହୋଇଛନ୍ତି ଦୁଇ ପୁଅ । ନିତାଇ ଗୌର—ନିତ୍ୟାନନ୍ଦ ଓ ନିମାଇଁ ।

 

ନିମାଇଁଙ୍କ ନାମ ବିଖ୍ୟାତ ହେଲା ଶ୍ରୀଚୈତନ୍ୟ ଓ ଗୌରାଙ୍ଗ ମହାପ୍ରଭୁ ଭାବରେ । ଗୌରାଙ୍ଗରୁ ହେଲା ଗୌର । କୀର୍ତ୍ତନ ଚାଲିଲା–

 

ନିତାଇ ଗୌର ରାଧେଶ୍ୟାମ

ବୋଲ ହରେକୃଷ୍ଣ ହରେରାମ !

 

ବୈଷ୍ଣବ ସଂପ୍ରଦାୟର ଜଣେ ବଡ଼ ପ୍ରଚାରକ ଭାବରେ ସୁପରିଚିତ ଥିଲେ ଅଦ୍ୱୈତ ଆଚାର୍ଯ୍ୟ । ସେ ବହୁଦିନ ଧରି ରହିଥିଲେ ନଦିୟାରେ । କିଂତୁ ନିମାଇଁ ଯେ ସ୍ୱୟଂ ଶ୍ରୀକୃଷ୍ଣଙ୍କ ଅବତାର, ସେ ସହଜେ ବିଶ୍ଵାସ କରିପାରୁନଥିଲେ । ଲୋକମୁଖରେ ନିମାଇଁ ବା ଶ୍ରୀ ଗୌରାଙ୍ଗଙ୍କ କୀର୍ତ୍ତନ ଚାଲିବାପରେ ସେ ଚାଲିଯାଇଥିଲେ ତାଙ୍କ ଜନ୍ମସ୍ଥାନ ଶାନ୍ତିପୁରକୁ ।

 

ଦିନେ ନିମାଇଁ କହିଲେ ରାମାଇକୁ, ‘‘ତୁମେ ଶାନ୍ତିପୁର ଯାଇ ଅଦ୍ୱୈତଙ୍କୁ କହିବ, ସେ ତାଙ୍କ ସ୍ତ୍ରୀଙ୍କୁ ଧରି ଯଥାଶୀଘ୍ର ମୋ ପାଖକୁ ଆସିବେ ।’’ ରାମାଇ ଶ୍ରୀବାସଙ୍କ ସାନଭାଇ । ଅଦ୍ୱୈତ ଯେ ବିରକ୍ତରେ ଶାନ୍ତିପୁରକୁ ଚାଲିଯାଇଛନ୍ତି ସେ କଥା ସେ ଜାଣିନଥିଲେ । ଗୌରାଙ୍ଗଙ୍କ ଆଦେଶ ଅନୁଯାୟୀ ସେ ପହଞ୍ଚିଲେ ଅଦ୍ୱୈତଙ୍କ ଘରେ । ରାମାଇଙ୍କ ମୁହଁରୁ ପଦେ ସୁଦ୍ଧା କଥା ନ ବାହାରୁଣୁ ଅଦ୍ୱୈତ କହିଲେ, ‘‘କଣ ତୁମେ ଭଗବାନଙ୍କ ପାଖକୁ ମତେ ନେବା ପାଇଁ ଆସିଛ ? ମୁଁ ତୁମ ବଡ଼ଭାଇ ଶ୍ରୀବାସଙ୍କ ଭଳି ଅଜ୍ଞାନୀ କିମ୍ବା ମୁର୍ଖ ନୁହେଁ । ମୁଁ ବହୁ ଶାସ୍ତ୍ର ପଢ଼ିଛି; ବହୁ ଗବେଷଣା କରିଛି । ମୁଁ ପିଲାଟିଦିନୁ ନିମାଇଁକୁ ଦେଖିଛି । ନିମାଇଁ ଭଳି ଚଗଲା ପିଲା କେବେ ଭଗବାନ ହୋଇପାରେ ?’’

 

ଅଦ୍ୱୈତଙ୍କର ଏଭଳି କଟୁକଥା ସତ୍ତ୍ୱେ ରାମାଇଙ୍କର ମନରେ କୌଣସି ପ୍ରତିକ୍ରିୟା ହୋଇନଥିଲା । ସେ ହାତଯୋଡ଼ି କହିଲେ, ‘‘ପ୍ରଭୁ ମତେ ପଠେଇଛନ୍ତି । କହିଛନ୍ତି ଆପଣଙ୍କ ପ୍ରାର୍ଥନା ତାଙ୍କ କାନରେ ପଡ଼ିଛି । ଆପଣ ଓ ଆପଣଙ୍କ ସ୍ତ୍ରୀ ଯଥାଶୀଘ୍ର ତାଙ୍କ ପାଖକୁ ଯିବାପାଇଁ ସେ କହିଛନ୍ତି ।’’

 

ଅଦ୍ୱୈତଙ୍କ ମନରେ ଦେଖାଗଲା ଭାବାନ୍ତର । ସେ ଛୋଟ ପିଲାଙ୍କ ଭଳି କାନ୍ଦିବାକୁ ଲାଗିଲେ । ଆଖିରୁ ଲୁହ ବହି ଚାଲିଥାଏ, କିନ୍ତୁ ତାଙ୍କ ଓଠରେ ଥାଏ ହସ । ସ୍ତ୍ରୀଙ୍କୁ ଡାକି କହିଲେ, ‘‘ଗଣ୍ଠିଲିପତ୍ର ବାନ୍ଧ । ଶୀଘ୍ର ଯିବା ନଦିୟା ।’’ ଅଳ୍ପ ସମୟ ପରେ ସେମାନେ ନାଆରେ ବସିଲେ । ରାମାଇ ମଧ୍ୟ ତାଙ୍କ ସାଙ୍ଗରେ ଆସିଲେ । ପୁଣି ବାଟରେ ତାଙ୍କ ମନରେ ଦେଖାଦେଲା ସନ୍ଦେହ । ସେ ରାମାଇକୁ କହିଲେ, ‘‘ଘାଟରେ ତ ଓହ୍ଲାଇବ; ତୁମେ ଆଗରୁ ଚାଲିଯାଇ ନିମାଇଙ୍କୁ କହିବ, ଅଦ୍ୱୈତ ମନାକଲେ ଆସିବା ପାଇଁ ।’’

 

ଅଦ୍ୱୈତ ମନେ ମନେ ଭାବିଲେ, ନିମାଇଁକୁ ଭଗବାନ ଭାବରେ ଗ୍ରହଣ କରିବା ପୂର୍ବରୁ ତାଙ୍କୁ ଆଉ ଟିକିଏ ପରୀକ୍ଷା କରିଦେବା ଆବଶ୍ୟକ । ରାମାଇ ନିମାଇଁଙ୍କ ପାଖରେ ନ ପହଞ୍ଚୁଣୁ ଅଦ୍ୱୈତଙ୍କ ପାଖରେ ଖବର ଆସି ପହଞ୍ଚିଲା ଯେ ସେ ତୁରନ୍ତ ଶ୍ରୀବାସଙ୍କ ଗୃହରେ ପହଞ୍ଚିବା ଆବଶ୍ୟକ । ନିମାଇଁ ରହୁଛନ୍ତି ତାଙ୍କରି ଘରେ । ଅଦ୍ୱୈତ ମନେ ମନେ ଭାବିଲେ, ରାମାଇ ନିମାଇଁ ପାଖରେ ନପହଞ୍ଚୁଣୁ ଆମେ ଘାଟରେ ପହଞ୍ଚିଗଲୁଣି ବୋଲି ନିମାଇଁ ଜାଣିଲା କିପରି ? ତାଙ୍କର ବିଶ୍ୱାସ ଦୃଢ଼ୀଭୂତ ହେବାକୁ ଲାଗିଲା । ତାଙ୍କ ମନରେ ଯେଉଁ ସନ୍ଦେହ ଥିଲା ତା ଭୟରେ ପରିଣତ ହେଲା । ତାଙ୍କ ଗୋଡ଼ ଥରିବାକୁ ଲାଗିଲା । ତାଙ୍କୁ ଯେଉଁମାନେ ଡାକିବାକୁ ଯାଇଥିଲେ, ସେମାନେ ତାଙ୍କ ହାତ ଧରି ଧୀରେ ଧୀରେ ଆଣିଲେ ଶ୍ରୀବାସଙ୍କ ଘରକୁ । ଅଦ୍ୱୈତ ଓ ତାଙ୍କ ସ୍ତ୍ରୀ ଦେଖିଲେ ନିମାଇଁ ବସିଛନ୍ତି ବିଷ୍ଣୁ ସିଂହାସନରେ । ଜ୍ୟୋତିର୍ମୟ ରୂପ । ମଣିମାଣିକ୍ୟ ବିଭୂଷିତ । କର୍ଣ୍ଣରେ ମକରକୁଣ୍ଡଳ । ବକ୍ଷରେ ଦୋଳାୟିତ ଶ୍ରୀବତ୍ସ-କୌସ୍ତୁଭ ମଣିହାର । ତାଙ୍କ ଶ୍ରୀଅଙ୍ଗର ଜ୍ୟୋତିରେ ସମଗ୍ର ଗୃହ ଉଦ୍ଭାସିତ । ଅଦ୍ଵୈତ ଆଚାର୍ଯ୍ୟ ଓ ତାଙ୍କ ସ୍ତ୍ରୀ; ମନେହେଲା ଯେପରି ମୂକ ପାଲଟି ଯାଇଛନ୍ତି । ମହାପ୍ରଭୁ ଗୌରାଙ୍ଗ ହସି ହସି କହିଲେ, ‘‘ଆଚାର୍ଯ୍ୟେ, ତୁମର ପ୍ରାର୍ଥନା ଓ ତପସ୍ୟା ଯୋଗୁଁ ହିଁ ମୁଁ ଆସିଛି ପୃଥିବୀକୁ । ଏଣିକି ତୁମେ ଲୋକଙ୍କ ମଧ୍ୟରେ ପ୍ରେମ ଓ ଭକ୍ତି ବିତରଣ କର !’’

 

ଅଦ୍ୱୈତ କରପତ୍ର ଯୋଡ଼ି ଅତି ଅନୁନୟ ଭାବରେ କହିଲେ, ‘‘ଭଗବାନ ଧରାଧାମକୁ ମନୁଷ୍ୟ ରୂପରେ ଆସିଛନ୍ତି ବୋଲି ଯଦି ମୁଁ କହେ ଲୋକେ ମୋତେ ବିଶ୍ୱାସ କରିବେ ତ ?’’ ଏତିକି କହି ସେ ନିମାଇଁଙ୍କ ପାଦ ପୂଜା କରିବାରେ ଲାଗିଲେ । ନିମାଇଁ କହିଲେ, ‘‘ତୁମେ ଯାହା ମାଗୁଛ ମାଗ; ମୁଁ ଦେବା ପାଇଁ ପ୍ରସ୍ତୁତ ।’’ ଅଦ୍ୱୈତ କହିଲେ, ‘‘ଯେଉଁ ଦର୍ଶନ ପାଇଲି ସେଥିରେ ମୋର ମନର ଅଭିଳାଷ ପୂର୍ଣ୍ଣ ହେଲା । ଆଉ କଣ ବାକି ଅଛି ଯେ ମାଗିବି ? କିନ୍ତୁ ଏତିକି ମାତ୍ର ମୋର ନିବେଦନ; ତୁମେ ଜଗତରେ ଯେଉଁ ପ୍ରେମ ବିତରଣ କରିବା ପାଇଁ ଆସିଛ ସେଥିରେ ଯେପରି ଉଚ୍ଚ ନୀଚ, ଜାତି ଅଜାତି, ସ୍ତ୍ରୀ ପୁରୁଷ, ମୂର୍ଖ ପଣ୍ଡିତ ଭେଦ ନ ରହେ ।’’ ନିମାଇଁ କହିଲେ, ‘‘ତାହା ହିଁ ହେବ ।’’

 

ଅଦ୍ୱୈତ ଫେରିଲେ ଶାନ୍ତିପୁର । ତଥାପି ତାଙ୍କ ମନରୁ ସନ୍ଦେହ ଗଲାନି । ପୁଣି ତାଙ୍କ ମନରେ ପ୍ରଶ୍ନ ଉଠିଲା, ନିମାଇଁ କଣ ସତରେ ଶ୍ରୀକୃଷ୍ଣଙ୍କ ଅବତାର ? ସେ ନିତ୍ୟାନନ୍ଦଙ୍କୁ ଯେଉଁ ଶ୍ରୀକୃଷ୍ଣଙ୍କ ଶ୍ୟାମକାନ୍ତ ରୂପ ଦେଖାଇଛନ୍ତି ବୋଲି ଶୁଣୁଛିୁ, କାହିଁ ସେ ରୂପ ତ ମୁଁ ଦେଖିପାରିଲି ନାହିଁ-? ଏକଥା ସେ ଦିନେ ଶ୍ରୀବାସଙ୍କ ଘରକୁ ଆସି ଶ୍ରୀବାସକୁ ହିଁ କହିଥିଲେ । ନିମାଇଁ ଏକଥା ଜାଣିପାରିଲେ । ସେ ଦିନେ ଶ୍ରୀବାସଙ୍କୁ କହିଲେ, ‘‘ଆଚାର୍ଯ୍ୟଙ୍କୁ କହିଦେବ; ସେ ଧ୍ୟାନରେ ବସି ଶ୍ରୀକୃଷ୍ଣଙ୍କ ଚିନ୍ତାରେ ମଗ୍ନ ରହନ୍ତୁ, ଶ୍ରୀକୃଷ୍ଣଙ୍କ ଶ୍ୟାମକାନ୍ତ ରୂପ ଦେଖିପାରିବେ ।’’

 

ଅଦ୍ୱୈତ ବସିଲେ ଧ୍ୟାନରେ । ଅଖି ବୁଜି ଚିନ୍ତା କଲେ ଶ୍ରୀକୃଷ୍ଣଙ୍କୁ । ତାଙ୍କର ମଧ୍ୟ ଭାବାବେଶ ଆସିଲା । ଶ୍ଵାସ ବନ୍ଦ ହୋଇ ଆସିଲା । ଦେହରେ ଦେଖାଦେଲା ପୁଲକ । ଉପସ୍ଥିତ ସମସ୍ତେ ଭାବିଲେ ଆଚାର୍ଯ୍ୟଙ୍କ ଜୀବନ ଶେଷ ହୋଇଗଲା । ନିମାଇଁଙ୍କୁ ପ୍ରାର୍ଥନା କରି କହିଲେ, ‘‘ଆଚାର୍ଯ୍ୟ ବୃଦ୍ଧଲୋକ । ତାଙ୍କ ଚେତା ଫେରାଇ ଆଣନ୍ତୁ ।’ ନିମାଇଁ କହିଲେ, ‘‘ଚେତନା ଆପେ ଆପେ ଫେରିଆସିବ ।’’ ଅଦ୍ୱୈତ କ୍ରମଶଃ ଆଖି ଖୋଲିଲେ । ସ୍ଵପ୍ନରୁ ଉଠି ମନୁଷ୍ୟ ବାଉଳି ଚାଉଳି ହେଲାଭଳି ଚାରିଆଡ଼େ ହାତ ବୁଲେଇ କାହାକୁ ଯେପରି ଖୋଜିବାକୁ ଲାଗିଲେ । କହିଲେ, ‘‘ସେ ଅପରୂପ ନୟନାଭିରାମ ଶ୍ୟାମସୁନ୍ଦର ମୂର୍ତ୍ତି ଗଲା କୁଆଡ଼େ ?’’

 

ନିମାଇଁ କହିଲେ, ‘‘ଆଚାର୍ଯ୍ୟ ମହାଶୟ, ତୁମେ ତ ଶୋଇପଡ଼ିଲ, ସ୍ୱପ୍ନ ଦେଖିଲ; ଏବେ ଶ୍ୟାମସୁନ୍ଦର ଶ୍ୟାମସୁନ୍ଦର କହି ଆମ ଉପରେ ଦୋଷାରୋପ କରୁଛ କାହିଁକି ?’’ ଅଦ୍ୱୈତ କହିଲେ, ‘‘ତୁମେ ହଁ ତ ସେହି ଶ୍ୟାମସୁନ୍ଦର । ମତେ ଏପରି ଭଣ୍ଡାଉଛ କାହିଁକି ?’’ ନିମାଇଁ ଆଉ କୌଣସି ଉତ୍ତର ନ ଦେବାରେ ଏବଂ ଅଦ୍ୱୈତଙ୍କ ଭାବାବେଶକୁ ଲଘୁ ଭାବରେ ଗ୍ରହଣ କରିବାରେ ଅଦ୍ୱୈତ ଆଚାର୍ଯ୍ୟଙ୍କ ମନରେ ପୁଣି ସନ୍ଦେହ ଉପୁଜିଲା । ଆଚାର୍ଯ୍ୟ ମହାଶୟ ଜଣେ ମହାପଣ୍ଡିତ ହେଲେ କଣ ହେବ ତାଙ୍କର ବିଶ୍ୱାସ ଦୃଢ଼ ହୋଇ ପାରି ନ ଥିବାରୁ କୌଣସି ଅଲୌକିକତା ଉପରେ ସେ ଭରସା କରିପାରୁନଥିଲେ । ସେ ନିମାଇଁଙ୍କୁ ଥରକୁଥର ପରୀକ୍ଷା କରିବାରେ ଲାଗିଥିଲେ । ତାଙ୍କୁ ସନ୍ଦେହ ଦୋଳିରେ ଦୋଳାୟିତ କରି ରଖିବା ମଧ୍ୟ ଥିଲା ଭଗବାନଙ୍କର ଏକ ଲୀଳା ।

 

ପୁଣ୍ଡରିକ ଥିଲେ ସେ କାଳର ଜଣେ ବିଖ୍ୟାତ ସନ୍ନ୍ୟାସୀ । ସେ ଥିଲେ ଶ୍ରୀକୃଷ୍ଣଙ୍କ ଭକ୍ତ । ଭଗବାନ ଯେତେବେଳେ ମନୁଷ୍ୟ ରୂପରେ ପୃଥିବୀକୁ ଆସନ୍ତି; ସେ ଆଗରୁ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ କେତେକ ଭକ୍ତଙ୍କୁ ମଧ୍ୟ ପଠାଇଥାଆନ୍ତି । ପୁଣ୍ଡରିକ ଥିଲେ ସେ ଭକ୍ତମାନଙ୍କ ମଧ୍ୟରୁ ଜଣେ । ସେଇଭଳି ଆଉ ଜଣେ ଥିଲେ ହରିଦାସ । ସେ ଥିଲେ ଜଣେ ମୁସଲମାନ ଭକ୍ତ । ଖୁବ୍ ବଡ଼ପାଟିରେ ସେ ହରିନାମ ଉଚ୍ଚାରଣ କରୁଥିଲେ । ସ୍ଥାନୀୟ ଜମିଦାର ଥରେ ଜଣେ ବେଶ୍ୟା ଦ୍ୱାରା ହରିଦାସଙ୍କୁ ବଶ କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ବେଶ୍ୟା ନିଜେ ପାଲଟିଥିଲେ କୃଷ୍ଣଭକ୍ତ । ହରିଦାସ ଅନ୍ୟତ୍ର ଚାଲି-ଯାଇଥିଲେ । ହରିଦାସ ହରିନାମରେ ପାଗଳ ଶୁଣି ସ୍ଥାନୀୟ ମୁସଲମାନ ଶାସକ ତାଙ୍କ ମୃତ୍ୟୁଦଣ୍ଡ ପାଇଁ ଆଦେଶ କରିଥିଲେ । ସେ ତାଙ୍କର ଅନୁଚରବର୍ଗଙ୍କୁ ନିର୍ଦ୍ଦେଶ ଦେଲେ ଯେ ହରିଦାସଙ୍କୁ ସଙ୍ଗେ ସଙ୍ଗେ ହତ୍ୟା ନକରି ତା ଉପରେ ନିର୍ମମ ଭାବରେ ଅତ୍ୟାଚାର ଚଳାଅ । ସେ ନାନାଭାବରେ ଅତ୍ୟାଚାରିତ ହେଲେ । ହରିନାମ ଛାଡ଼ିବା ପାଇଁ ତାଙ୍କୁ ବାରମ୍ବାର କୁହାହେଲା । ହରିଦାସ କହିଲେ, ‘‘ଏ ଦେହ ଖଣ୍ଡ ଖଣ୍ଡ ହୋଇଯାଉ ପଛକେ; ମୁଁ ହରିନାମ ଛାଡ଼ି-ପାରିବିନାହିଁ ।’’ ବଜାର ଦାଣ୍ଡରେ ମୁସଲମାନ ଶାସକଙ୍କ ନିର୍ଦ୍ଦେଶରେ ଅତି ନିଷ୍ଠୁର ଭାବରେ ତାଙ୍କୁ ପ୍ରହାର କରାଯାଉଥାଏ । ହରିଦାସଙ୍କ ମୁହଁରେ ଚାଲିଥାଏ ହରିନାମ ଅନର୍ଗଳ । ଦେଖଣାହାରୀମାନେ ସମବେଦନା ପ୍ରକାଶ କରୁଥାଆନ୍ତି । ପ୍ରହାର ପରେ ପ୍ରହାର ଚାଲିଥାଏ । ହରିଦାସ ହାତ ଯୋଡ଼ି ଖାଲି କହୁଥାଆନ୍ତି, ‘‘ହେ ପ୍ରଭୁ ! ଏମାନେ ଅଜ୍ଞାନ, କଣ କରୁଛନ୍ତି ନିଜେ ଜାଣନ୍ତି ନାହିଁ; ଏମାନଙ୍କୁ କ୍ଷମା ଦିଅ ।’’

 

ଦିନେ ଏଇଭଳି ଅତ୍ୟାଚାର ଚାଲିଥିବା ବେଳେ ସେ ହରିବୋଲ ହରିବୋଲ କହି ଅଚେତ ହୋଇପଡ଼ିଲେ । ଉପସ୍ଥିତି ଲୋକେ ହରିନାମରେ ଭୋଳ ହୋଇ ନାଚୁଥାଆନ୍ତି । ଅତ୍ୟାଚାର ଚଳାଇଥିବା ଲୋକେ ହରିଦାସ ମରିଗଲେ ବୋଲି ଭାବି ତାଙ୍କୁ ନଦୀ ଭିତରକୁ ଫିଙ୍ଗି ଦେଲେ । ନଦୀର ଶୀତଳ ଜଳ ସ୍ପର୍ଶରେ ସଚେତ ହୋଇଉଠିଲେ ହରିଦାସ । ପହଁରି ପହଁରି ସେ ଆସିଲେ କୂଳକୁ । ଯେଉଁମାନେ ଅତ୍ୟାଚାର କରୁଥିଲେ ଏବଂ ମୁସଲମାନ ଶାସକ (କାଜି) ନିଜେ ଆସି ତାଙ୍କ ଗୋଡ଼ତଳେ ପଡ଼ିଲେ ।

 

ଅଦ୍ୱୈତ ଆଚାର୍ଯ୍ୟଙ୍କ ଭଳି ହରିଦାସ ପରବର୍ତ୍ତୀ ଜୀବନରେ ହେଲେ ଗୌରାଙ୍ଗ ମହାପ୍ରଭୁଙ୍କ ପରମଭକ୍ତ । ନିମାଇଁଙ୍କ ଭାବ କେତେବେଳେ କଣ ହେଉଥିଲା ତାହା ବୁଝିବା ଭକ୍ତମାନଙ୍କ ପକ୍ଷରେ ଅସମ୍ଭବ ହୋଇ ଉଠୁଥିଲା । କେତେବେଳେ ସେ ଭଗବାନଙ୍କ ଠାରୁ ଦୂରେଇଯାଉଥିଲେ, କେତେବେଳେ ଘନିଷ୍ଠ ହୋଇଆସୁଥିଲେ । ଆଉ କେତେବେଳେ ସେ ହେଉଥିଲେ ସ୍ଵୟଂ ଭଗବାନ । ଅନ୍ୟ ସମୟରେ ସେ ଥିଲେ ସାଧାରଣ ମନୁଷ୍ୟ, ଲୋକଙ୍କ ସହିତି ଥଟ୍ଟା ପରିହାସ କରୁଥିଲେ । ଖୁସି ଗପ ମଧ୍ୟ କରୁଥିଲେ । ଥରେ ଥରେ ସେ ହୋଇଉଠୁଥିଲେ ଦେହାତୀତ । ଶ୍ରୀକୃଷ୍ଣଙ୍କ ପାଖରେ ନ ଥିଲେ ବିରହ ଯନ୍ତ୍ରଣାରେ ସେ ଏପରି ଛଟପଟ ହେଉଥିଲେ ଯେ ମନେହେଉଥିଲା, ‘ତାଙ୍କର ଛାତି ଫାଟିଯିବ । ଭକ୍ତମାନଙ୍କୁ କହୁଥିଲେ ମୁହୂର୍ତ୍ତକ ଭିତରେ ମୋ ପ୍ରାଣ ଚାଲିଯିବ ।’ କୃଷ୍ଣଙ୍କୁ ପାଇଯିବା ମାତ୍ରେ ଆନନ୍ଦ ଉଲ୍ଲାସରେ ସେ ଦି’ ହାତ ଟେକି ନାନା ଭଙ୍ଗୀରେ ନାଚୁଥିଲେ । ଠିକ୍ ରାଧାଙ୍କ ଭଳି ବିଭୋର ଚିତ୍ତରେ କହୁଥିଲେ, ‘‘ହେ ଶ୍ୟାମ ବଂଧୁ ! ତୁମେ ହିଁ ମୋର ସବୁ ।’’

 

ଥରେ ଥରେ ଭାବାବେଶରେ ସେ କହିଉଠୁଥିଲେ,’’ଅଦ୍ୱୈତବାଦ ପ୍ରଚାରର ସ୍ରୋତକୁ ମୁଁ ରୋକିବି । ଏହା ଭକ୍ତିଧର୍ମ ପକ୍ଷରେ ପ୍ରାଣଘାତକ ।’’ ଆଉ ଦିନେ ସ୍ନାନ ଶେଷକରି ସେ ସିଧା ସଳଖ ଯାଇ ବସିଲେ ଶ୍ରବାସଙ୍କ ଘରେ ଥିବା ବିଷ୍ଣୁ ସିଂହାସନରେ । ଭାବାବେଶରେ ନ ଥାଇ ମଧ୍ୟ ସେ ଭକ୍ତମାନଙ୍କୁ କହିଲେ, ‘‘କୀର୍ତ୍ତନ କର ।’’ ହଠାତ୍ ଜ୍ୟୋତିର୍ମୟ ହୋଇଉଠିଲା ସମଗ୍ର ଗୃହ । ସେ ଯାହା ଉପରେ ଦୃଷ୍ଟି ପକେଇଲେ ସେ ଦର୍ଶନ କରିପାରିଲା ସ୍ଵୟଂ ଭଗବାନଙ୍କୁ । ବହୁକାଳରୁ ମୁନି-ଋଷିମାନେ ଯାହାର ବର୍ଣ୍ଣନା କରିବାକୁ ଭାଷା ପାଇ ନାହାନ୍ତି, ସେ ଅବର୍ଣ୍ଣନୀୟ ଭଗବାନଙ୍କୁ ଦର୍ଶନ କରିପାରିଥିଲେ ନଦିୟାର ଭକ୍ତମାନେ । ଏହାକୁ କୁହାଯାଏ ସାକ୍ଷାତ ଦର୍ଶନ । ପ୍ରେମ କଣ ସେମାନେ ଅନୁଭବ କରିପାରିଲେ । ଶହ ଶହ ନରନାରୀ ଆସି ଶ୍ରୀଗୌରାଙ୍ଗଙ୍କ ପାଦପୂଜା କଲେ । ଯିଏ ଆସିଲା ସିଏ ଅନୁଭବ କଲା, ଘର ଭିତରେ କେବଳ ଅଛନ୍ତି ଭଗବାନ ଓ ସେ ନିଜେ । ଯିଏ ଯେଉଁ ଭୋଗ ଆଣିଥିଲା ଆନନ୍ଦରେ ଗ୍ରହଣ କଲେ ସେ । ଭକ୍ତର ଭଗବାନ ସେ । ଗ୍ରହଣ ନ କରିବେ କିପରି ? ଶହ ଶହ ଲୋକଙ୍କର ଭୋଗ । ମଣିଷରୂପୀ ଭଗବାନଙ୍କର ତ ଗୋଟିଏ ପେଟ–ସେ ଏତେ ପଦାର୍ଥ ଖାଇଲେ କିପରି ? ଭକ୍ତଙ୍କ ନିକଟରେ ତାହା ହିଁ ଥିଲା ମହାପ୍ରଭୁ ଶ୍ରୀଗୌରାଙ୍ଗଙ୍କର ଏକ ବିଚିତ୍ର ଲୀଳା । ନିର୍ନିମେଷ ନେତ୍ରରେ ଭକ୍ତମାନେ ଚାହିଁ ରହି ଥାଆନ୍ତି ମହାପ୍ରଭୁଙ୍କୁ । ଶ୍ରୀଗୌରାଙ୍ଗ ନିରବ ନିଶ୍ଚଳ ଭାବରେ ବସି ରହି ଥାଆନ୍ତି ସିଂହାସନ ଉପରେ-। ଦିନଯାକ ଚାଲିଲା ଭକ୍ତମାନଙ୍କ କୀର୍ତ୍ତନ ଓ ପୂଜା ଆରାଧନା । କ୍ରମଶଃ ରାତି ହୋଇ ଆସିଲା-। ଆରତିର ବେଳ ଆସିଗଲା । ଶ୍ରୀବାସ ଭାବିଲେ ଶଚୀ ମା’ଙ୍କ ଦ୍ୱାରା ଆଜି ଆରତି କରାଯିବ ଉଚିତ ହେବ । ଶଚୀ ମା’ ତ ସବୁବେଳେ ଆମମାନଙ୍କୁ ଦୋଷ ଦେଇ ଆସିଛନ୍ତି ଯେ, ‘‘ତୁମେମାନେ ସମସ୍ତେ ମିଶି ମୋ ପୁଅଟାକୁ ନଷ୍ଟ କରିଦେଲ । କିଏ କାହାକୁ ନଷ୍ଟ କରୁଛି, ଏବେ ସେ ନିଜ ଆଖିରେ ଆସି ଦେଖିଯାଆନ୍ତୁ ।’’

 

ଡକରା ପାଇ ଆସିଲେ ଶଚୀ ମା’ । ସିଂହାସନରେ ଯିଏ ବସିଛି ତାକୁ ଦେଖିବା ମାତ୍ରେ ତାଙ୍କ ପାଟିରୁ କଥା ସୁଦ୍ଧା ବାହାରିଲା ନାହିଁ ! ସେ ମନେ ମନେ କହିହେଲେ ‘‘ଇଏ ତ ମୋର ନିମାଇଁ ନୁହଁ ! ଇଏ ତ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ! ଆହା, ପିଲାଦିନେ ଏହାକୁ ମୁଁ କେତେ ଗାଳି ଦେଇଛି, ବାଡ଼ିଧରି ଗୋଡ଼େଇଛି । କେତେ ଭୁଲ ନ କରିଛି ମୁଁ ।’’ ଶ୍ରୀବାସ ଶଚୀ ମା’ଙ୍କୁ କହିଲେ, ‘‘ଦେଖୁଛ ତ—ସେ ତୁମର ପୁଅ ନା ଆମେ ତାଙ୍କର ସନ୍ତାନ ? ଯାଅ ମୁଣ୍ଡିଆ ମାର । ଶଚୀ ମା’ ନିମାଇଁଙ୍କ ପାଦରେ ମୁଣ୍ଡ ରଖିବା ମାତ୍ରେ ଶଚୀଙ୍କ ମୁଣ୍ଡ ଉପରେ ମହାପ୍ରଭୁ ଗୌରାଙ୍ଗ ଧୀରେ ଧୀରେ ଗୋଟିଏ ପାଦ ନେଇ ରଖିଲେ ।

 

ସଙ୍ଗେ ସଙ୍ଗେ ଏକ ଅପୂର୍ବ ଶିହରଣ ସୃଷ୍ଟି ହେଲା ତାଙ୍କ ଶରୀରରେ । ବୁଢ଼ୀ ବୟସ, ତଥାପି ସେ ବାହ୍ୟଜ୍ଞାନ ଶୂନ୍ୟ ହୋଇ ନାଚି ଉଠିଲେ । ସଂସ୍କୃତ ଭାଷାରେ କୌଣସି ଜ୍ଞାନ ନଥିଲେ ମଧ୍ୟ, ସେ ଶ୍ରୀମଦ୍ ଭାଗବତରୁ କେତୋଟି ଶ୍ଳୋକ ଗାଇବାକୁ ଲାଗିଲେ । କାରାଗୃହରେ କୃଷ୍ଣଙ୍କ ଜନ୍ମ ପରେ ଦେବକୀ ଯେଉଁ ପ୍ରାର୍ଥନା କରିଥିଲେ, ତାହା ହିଁ ଥିଲା ଶ୍ଳୋକର ବିଷୟବସ୍ତୁ । ସ୍ଵାଭାବିକ ଅବସ୍ଥା କୁ ଫେରିଆସିବା ପରେ ଶଚୀ ମା’ ଓ ତାଙ୍କ ବୟସର ସ୍ତ୍ରୀଲୋକେ ଆରତି କଲେ ମହାପ୍ରଭୁଙ୍କୁ ।

 

ଭକ୍ତମାନେ ଅପେକ୍ଷା କରିଥାଆନ୍ତି ଶ୍ରୀଗୌରାଙ୍ଗଙ୍କର ଆଉ କୌଣସି ନିର୍ଦ୍ଦେଶ ଆସିବ, ତାକୁ ପାଳନ କରିବାକୁ । ମହାପ୍ରଭୁ କହିଲେ, ‘‘ଶ୍ରୀଧରକୁ ଡାକିଆଣ ।’’ ପିଲାଦିନେ ଶ୍ରୀଧର ସହିତ ମଞ୍ଜା ଓ କଦଳୀପତ୍ର ନେଇ ବହୁତ ଥର ଭିଡ଼ାଓଟରା ଚାଲିଥିଲା ନିମାଇଁଙ୍କର । ଉପସ୍ଥିତ ଭକ୍ତମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ଉଚ୍ଚ ଜାତିର । ଶ୍ରୀଧର ଥିଲା ନୀଚ କୁଳର । ତାକୁ ସେଠିକି ଆଣିବା ଲାଗି ଭକ୍ତମାନେ ଟିକିଏ କୁଣ୍ଠିତ ହେବା ଭଳି ମନେହେଲା । ଭକ୍ତମାନଙ୍କର ଏଇ କୁଣ୍ଡାଭାବ ଜାଣିପାରି ମହାପ୍ରଭୁ କହିଲେ, ‘‘ଶ୍ରୀଧରକୁ ଯେକୌଣସି ମତେ ଆଣିବାକୁ ପଡ଼ିବ ।’’ ଶ୍ରୀଗୌରାଙ୍ଗ ଡାକୁଛନ୍ତି ଶୁଣିବା ମାତ୍ରେ ଶ୍ରୀଧର ଅଚେତ ହୋଇପଡ଼ିଲା । ତାକୁ ଅଚେତ ଅବସ୍ଥାରେ ଅଣାଗଲା ମହାପ୍ରଭୁଙ୍କ ନିକଟକୁ । ଶ୍ରୀଗୌରାଙ୍ଗଙ୍କ ଉପସ୍ଥିତରେ ସେ ଚେତନା ଫେରିପାଇଲା । ଶ୍ରୀଗୌରାଙ୍ଗ ଶ୍ରୀଧରକୁ କହିଲେ, ‘‘ମୁଁ ଯାହା ତୋଠାରୁ ନେଇଛି, ଆଉ ତାହା ପରିଶୋଧ କରିବାକୁ ଚାହେଁ । ଯାହା ମାଗୁଛୁ, ମାଗ !’’

 

ଶ୍ରୀଧର କହିଲା, ‘‘ମୋର କିଛି ଦରକାର ନାହିଁ ।’’ ମହାପ୍ରଭୁ କହିଲେ, ‘‘ତୋର ସାରଜୀବନ ଦାରିଦ୍ର୍ୟରେ କଟିଲା । ମୁଁ ତତେ ସମ୍ରାଟର ଆସନ ଦେବାକୁ ଚାହେଁ ।’’ ଶ୍ରୀଧର କହିଲା, ‘‘ସମ୍ରାଟ ହୋଇ ମୁଁ କଣ କରିବି ? ସାମ୍ରାଜ୍ୟର ବା ମୂଲ୍ୟ କଣ ?’’ ମହାପ୍ରଭୁ କହିଲେ, ‘‘ମୁଁ ଦେବି ବୋଲି କହିସାରିଲିଣି । ମୋ କଥାକୁ ମୁଁ କେବେ ଫେରେଇ ନେଇ ପାରିବି ନାହିଁ ।’’

 

ଶ୍ରୀଧର ହାତ ଯୋଡ଼ି କହିଲା, ‘‘ପିଲାଦିନେ ତୁମେ ମୋଠାରୁ ଜୋର ଜବରଦସ୍ତି କରି ଜିନିଷପତ୍ର ଛଡ଼େଇ ନେଉଥିଲ । ସେହିଭଳି ମୋର ଏ ଜୀବନଟିକୁ ଛଡ଼େଇ ନେଇଯାଅ । ଏ ଜୀବନ ତୁମର ଚରଣାଶ୍ରିତ ହୋଇ ରହୁ, ଏତିକି ମାତ୍ର ମାଗୁଣି ।’’

 

ମହାପ୍ରଭୁ କହିଲେ, ‘‘ଠିକ୍ ଅଛି ।’’

 

ତାପରେ କହିଲେ ମୁରାରି ପଣ୍ଡିତଙ୍କୁ । ମୁରାରି ପଣ୍ଡିତ ଥିଲେ ରାମ ଓ ସୀତାଙ୍କର ଭକ୍ତ-। ମହାପ୍ରଭୁ ଶ୍ରୀଗୌରାଙ୍ଗ କହିଲେ, ‘‘ଦେଖ ମୁରାରି, ତୁମ ସମ୍ମୁଖରେ ଠିଆହୋଇଛନ୍ତି ରାମ ଓ ସୀତା ।’’ ମୁରାରି ପଣ୍ଡିତେ ଜୀବନ୍ତ ରାମ ଓ ସୀତାଙ୍କୁ ଦେଖିବାମାତ୍ରେ ମୂର୍ଚ୍ଛିତ ହୋଇପଡ଼ିଲେ-। କିଛି ସମୟ ପରେ ସେ ଉଠିଲେ । ମହାପ୍ରଭୁ ତାଙ୍କୁ କହିଲେ, ଶାସ୍ତ୍ରକୁ ଘାଣ୍ଟି ବସିଲେ କିମ୍ବା କୌଣସି ଗବେଷଣା ବଳରେ ମୋତେ ତୁମେ ପାଇପାରିବ ନାହିଁ । ମୋତେ ପାଇବା ଲାଗି ଆବଶ୍ୟକ ଭକ୍ତି-।’’ ମୁରାରି ପଣ୍ଡିତଙ୍କୁ କହିବା ଛଳରେ ସେ ଏତକ କହିଥିଲେ ଅଦ୍ୱୈତ ଆଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ-

 

ଶ୍ରୀଗୌରାଙ୍ଗ ତାପରେ ହରିଦାସଙ୍କୁ କହିଲେ, ‘‘ତୁମେ ମୋ ନାମ ଉଚ୍ଚାରଣ କରି ବହୁ ନିର୍ଯାତନା ପାଇଛ । ଯାହା ମାଗୁଛ ମାଗ ।’’ ହରିଦାସ କରପତ୍ର ଯୋଡ଼ି କହିଲେ, ‘‘ମୁଁ ଚାହେଁ ତୁମର ଦାସାନୁଦାସ ହୋଇ ରହିବା ପାଇଁ ।’’ ଏଭଳି ଭାବରେ ଉପସ୍ଥିତ ସମସ୍ତ ଲୋକଙ୍କୁ ସେ କହିଥିଲେ, ‘‘ଯାହା ମାଗୁଛ ମାଗ ।’’ କିନ୍ତୁ ସମସ୍ତେ କହିଲେ ‘‘ଆମକୁ ଭକ୍ତି ଦିଅ ।’’

 

ଶ୍ରୀବାସଙ୍କ ଘର ଭିତରେ ଶ୍ରୀଗୌରାଙ୍ଗ ମହାପ୍ରଭୁଙ୍କର ଏ ଲୀଳା ଚାଲିଥିବାବେଳେ ଜଣେ ଲୋକ ବାହାରେ ଠିଆ ହୋଇ କେବଳ କାନ୍ଦିବାରେ ଲାଗିଥିଲେ । ଲୋକ ଜଣକର ନାମ ମୁକୁନ୍ଦ । ଶ୍ରୀଗୌରାଙ୍ଗ ବିଭିନ୍ନ ଭକ୍ତଙ୍କୁ ଡକାଇ ଆଣିଥିଲେ ମଧ୍ୟ ମୁକୁନ୍ଦକୁ ଡାକି ନଥିଲେ । ସେଥିଲାଗି ତା ମନରେ ଥିଲା ଦୁଃଖ । ଶ୍ରୀବାସ, ମୁକୁନ୍ଦର ବ୍ୟାକୁଳତା ଲକ୍ଷ୍ୟ କରି ଶ୍ରୀ ଚୈତନ୍ୟଙ୍କୁ ଆସି କହିଲେ, ‘‘ବିଚରା ମୁକୁନ୍ଦ ମନରେ ଭୀଷଣ କଷ୍ଟ ପାଉଛି । ସେ ଆପଣଙ୍କ ଦର୍ଶନରୁ ବଞ୍ଚିତ ହୋଇଛି । ଯଦି ଅନୁମତି ମିଳିବ ତାକୁ ଡାକିଆଣିବ ।’’

 

ମହାପ୍ରଭୁ କହିଲେ, ‘‘ଯାଅ ତାକୁ କହିଦିଅ, କୋଟି କୋଟି ଜନ୍ମ ପରେ ଯାଇ ସେ ମୋର ଦର୍ଶନ ପାଇପାରିବ ।’’ ମୁକୁନ୍ଦର କାନରେ ଏକଥା ପଡ଼ିଲା । ସେ ଯେଉଁଠି ଠିଆ ହୋଇଥିଲେ ଆନନ୍ଦରେ ନାଚିଉଠିଲେ ସେଇଠି । ବୀଣାଜିଣା କଣ୍ଠରେ ଧରିଲେ କୀର୍ତ୍ତନ । କୀର୍ତ୍ତନର ଅର୍ଥ ହେଉଛୁ—‘‘ଭଗବାନ୍, ତୁମଠାରୁ ବଳି ଦୟାଳୁ କେହି ନାହିଁ । ହେଉ ପଛେ କୋଟି ଜନ୍ମ ପରେ, ଦିନେ ନା ଦିନେ ତୁମ ଦର୍ଶନ ପାଇପାରିବି ତ ! ଏ ପ୍ରତିଶ୍ରୁତ ଯେତେବେଳେ ପାଇ ସାରିଲିଣି ଆଉ ମୋର ଦୁଃଖ କଣ ?’’ ଆନନ୍ଦାଶ୍ରୁ ବହିଚାଲିଥାଏ ମୁକୁନ୍ଦଙ୍କ ଦୁଇ ଚକ୍ଷୁରୁ । ଉଚ୍ଚ କଣ୍ଠରେ ସେ ଗାଇ ଚାଲି ଥାଆନ୍ତି—‘‘ହେ ଭଗବାନ, ତୁମଠାରୁ ବଳି ଦୟାଳୁ କେହି ନାହିଁ । ଦିନେ ନା ଦିନେ ତୁମକୁ ଦେଖିବି ।’’ ହଠାତ୍ ଶ୍ରୀଗୌରାଙ୍ଗ କହିଉଠିଲେ, ‘‘ମୁକୁନ୍ଦକୁ ଡାକିଆଣ ।’’

 

ମୁକୁନ୍ଦ ସେତେବେଳକୁ କେତେବେଳେ କୀର୍ତ୍ତନ କରି କରି ଶ୍ରୀଗୌରାଙ୍ଗଙ୍କ ପଛଆଡ଼େ ଆସି ଠିଆ ହୋଇଛନ୍ତି, ସେ ନଜେ ଜାଣିପାରି ନାହାନ୍ତି । ଶ୍ରୀଗୌରାଙ୍ଗ ମୁକୁନ୍ଦକୁ କହିଲେ, ‘‘ମୁଁ କେବଳ ତୁମକୁ ପରୀକ୍ଷା କରୁଥିଲି । ମୁଁ ସମଗ୍ର ପୃଥିବୀକୁ ଦେଖେଇ ଦେବାକୁ ଚାହେଁ ପ୍ରକୃତରେ ଭକ୍ତ କିଏ ? କୋଟି କୋଟି ଜନ୍ମ ପରେ ଯାଇ ମୋର ଦର୍ଶନ ପାଇବ ବୋଲି କହିବା ସତ୍ତ୍ୱେ ତୁମ ମନରେ ଯେଉଁ ଆନନ୍ଦର ତରଙ୍ଗ ଖେଳିଗଲା ତାହାହିଁ ହେଉଛି ପ୍ରକୃତ ଭକ୍ତି ।’’

 

ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଶ୍ରୀଗୌରାଙ୍ଗଙ୍କର ଏଇ ଲୀଳା ଚାଲିଲା । ଜଣକ ପରେ ଜଣକୁ ପାଖକୁ ଡାକିଆଣି ଶ୍ରୀ ଚୈତନ୍ୟ ମହାପ୍ରଭୁ ଭକ୍ତମାନଙ୍କୁ କୁଣ୍ଢେଇବାକୁ ଲାଗିଲେ । କିଏ ତାଙ୍କୁ ପାଇଲା ଶ୍ରୀକୃଷ୍ଣ ଭାବରେ, କିଏ ପାଇଲା ରାଧା ଭାବରେ, କିଏ ପାଇଲା ଗୋପୀ ଭାବରେ । ଶେଷହେଲା ନିମାଇଁ ତଥା ଶ୍ରୀଗୌରାଙ୍ଗ ମହାପ୍ରକାଶ ଲୀଳା । ଶ୍ରୀବାସଙ୍କ ଘରେ ଏଇ ଲୀଳା ଚାଲିଥିଲା ଦୀର୍ଘ ଏକୋଇଶ ଘଣ୍ଟା ଧରି । ‘ଏଥର ମୁଁ ଯାଉଛି’ କହି ନିମାଇଁ ତଳେ ଲୋଟିପଡ଼ିଲେ । ପ୍ରଶ୍ଵାସ ଓ ହୃତସ୍ପନ୍ଦନ ବନ୍ଦ ହୋଇଆସିଲା । ଭକ୍ତମାନେ ଚାରିପଟେ ଘେରି ବସିଲେ । ବହୁ ସମୟ ଧରି ଚେତନା ଫେରିଲା ନାହିଁ । ସମସ୍ତଙ୍କର ସନ୍ଦେହ ହେଲା, ବୋଧହୁଏ ମହାପ୍ରଭୁ ଇହଲୀଳା ସମ୍ବରଣ କଲେ । ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ, ମହାପ୍ରଭୁଙ୍କୁ ଛାଡ଼ି ଆମେମାନେ ବଂଚିବା କପରି ? ଆତ୍ମହତ୍ୟା ପାପ ହେଲେ ହେଉ ପଛକେ, ତାହା ହିଁ ହେବ ଆମମାନଙ୍କ ପକ୍ଷରେ ଶ୍ରେୟ । ତଥାପି ସେମାନଙ୍କର ଆଶା ଥାଏ, ମହାପ୍ରଭୁ ଆମମାନଙ୍କୁ ଭସାଇ ଏଭଳି ଚାଲିଯିବେନ । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ବସିଲେ ସେମାନେ; କିନ୍ତୁ ଅବସ୍ଥା ଯାହା ଥିଲା ତାହା ହିଁ ରହିଲା ।

 

ପାହାନ୍ତିଆ ହୋଇ ଆସିଥାଏ । ହଠାତ୍ ଜଣେ ଭକ୍ତଙ୍କର ମନେପଡ଼ିଲା କୁଂଜଭଙ୍ଗ ଗୀତିକା । ଗୀତର ବିଷୟବସ୍ତୁ ହେଉଛି—କେଳିକୁଞ୍ଜରେ ରାଧାକୃଷ୍ଣଙ୍କର ମିଳନ ହୋଇଛି । କେଳି ପରେ କ୍ଲାନ୍ତ ଶ୍ରାନ୍ତ ରାଧିକା ଶୋଇପଡ଼ିଛନ୍ତି । ସଖୀମାନେ ଆସି ତାଙ୍କୁ ଉଠାଉଛନ୍ତି । କହୁଛନ୍ତି, ହେ ରାଧିକେ ! ଉଠ, ସକାଳ ହେଲା, ଘରକୁ ଫେରିବା ।

 

ସମବେତ କଣ୍ଠରେ ଭକ୍ତମାନେ ଗାଇ ଚାଲିଥାନ୍ତି ଏଇ ଗୀତଟି । ଗୌରାଙ୍ଗ ମହାପ୍ରଭୁଙ୍କ ଶରୀରରେ ଦେଖାଦେଲା ଶିହରଣ । ଅଭିନବ ପ୍ରାଣର ସଂଚାର ହେଲା ତାଙ୍କ ଶରୀରରେ । ଭକ୍ତମାନେ ଲକ୍ଷ୍ୟ କଲେ ଯେଉଁ ଜୀବନ ଚାଲିଯାଇଥିବା ଭଳି ମନେହେଉଥିଲା, ସେ ଜୀବନ ଯେ କେବଳ ରହିଛି ତାହା ନୁହେଁ, ସେମାନଙ୍କ କୁଂଜର ଗୀତକୁ ମଧ୍ୟ ଉପଭୋଗ କରିବାରେ ଲାଗିଛି । ହରିବୋଲ ଧ୍ଵନି କରି ନାଚିଉଠିଲେ ଭକ୍ତମାନେ । ମହାପ୍ରଭୁ ଅଖି ଖୋଲିଲେ । ଭକ୍ତମାନଙ୍କୁ ପଚାରିଲେ, ‘‘କଥାକଣ ?’’ ଭକ୍ତମାନେ କହିଲେ, ‘‘ଗତକାଲି ସକାଳଠାରୁ ଆଜି ସକାଳ ପର୍ଯ୍ୟନ୍ତ ଆମେମାନେ ଏଇ ଘରେ ହିଁ ରହିଛୁ । ଆପଣ ରହିଥିଲେ ଭାବାବେଶରେ ।’’

 

ନିମାଇଁ ଦୁଃଖ ପ୍ରକାଶ କରି କହିଲେ, ‘‘ମତେ କ୍ଷମାକର ।’’ ନିତାଇ (ନିତ୍ୟାନନ୍ଦ) କହିଲେ, ‘‘କ୍ଷମା ମାଗିବା ସେତିକି ଥାଉ । ଭୀଷଣ ଭୋକଶୋଷ ହେଲାଣି । ଚଲ ନଈରେ ଗାଧୋଇବା । ତାପରେ ଯାହା କିଛି... ।’’ ଆଗେ କେବଳ ରାତିରେ କୀର୍ତ୍ତନ ହେଉଥିଲା । ଶ୍ରୀଚୈତନ୍ୟ ଭକ୍ତମାନଙ୍କୁ କହିଲେ, ‘‘ଅଯଥା ସମୟ ନଷ୍ଟ ନକରି ଏଣିକି ଦିନବେଳେ କୀର୍ତ୍ତନ ଚାଲିବ । କୀର୍ତ୍ତନ ସଙ୍ଗେ ସଙ୍ଗେ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ଆଲୋଚନା ମଧ୍ୟ ଚାଲିବ । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟ ଚାଲିଲା ।

 

କ୍ରମଶଃ ଚାରିଆଡ଼େ ପ୍ରଚାରିତ ହେଲା ଯେ ଶ୍ରୀକୃଷ୍ଣ ଆସିଛନ୍ତି ଧରାଧାମକୁ ଶଚୀ ଦେବୀଙ୍କ ପୁତ୍ର ରୂପରେ । କେହି କେହି ବିଶ୍ଵାସ କଲେ ତ କେହି କେହି ବିଶ୍ୱାସ କଲେ ନାହିଁ । ଶ୍ରୀ ଗୌରାଙ୍ଗ ପ୍ରଚାର କଲେ ଯେ ବ୍ରାହ୍ମଣମାନେ ସବୁଠାରୁ ଉଚ୍ଚ ଜାତିର ବୋଲି ଭାବିବା ଠିକ୍ ନୁହେଁ । ମନୁଷ୍ୟ ଯେଉଁ ଜାତିର, ଯେଉଁ ଶ୍ରେଣୀର ହେଉନା କାହିଁକି, ଯାହାର ଅଛି କୃଷ୍ଣଭକ୍ତି ସେ ହେଉଛି ଶ୍ରେଷ୍ଠ ମନୁଷ୍ୟ । ଏଇ ନୀତି ଶିକ୍ଷା ଫଳରେ ବ୍ରାହ୍ମଣମାନେ ଶ୍ରୀଗୌରାଙ୍ଗଙ୍କ ବିରୋଧୀ ହୋଇ ଉଠିଲେ । ନୀଚ ଶ୍ରେଣୀର ଲୋକେ ହଜାର ହଜାର ସଂଖ୍ୟାରେ ଶ୍ରୀଗୌରାଙ୍ଗଙ୍କ ଭକ୍ତ ହେଲେ । ଭକ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାକୁ ଲଗିଲ । ବାଟରେ ଘାଟରେ ସବୁଆଡ଼େ ଶ୍ରୀଗୌରାଙ୍ଗଙ୍କ ସ୍ତୁତିଗାନ ଚାଲିଲା । କେବଳ ନଦିୟା ନୁହଁ, ବାହାରର ବହୁଲୋକ ଆସି ଶ୍ରୀ ଚୈତନ୍ୟ ତଥା ଶ୍ରୀଗୌରାଙ୍ଗଙ୍କ ଦର୍ଶନ ଲାଭ କଲେ । ତାଙ୍କୁ ଦର୍ଶନ କରିବା ମାତ୍ରେ ଯେ କୌଣସି ଲୋକ ତାଙ୍କ ଭକ୍ତ ପାଲଟିଯାଉଥିଲା । ଶ୍ରୀଗୌରାଙ୍ଗ ଯେ ସ୍ଵୟଂ ମହାପ୍ରଭୁ ଏକଥା ବିଶ୍ୱାସ କରୁ ନଥିବା ଲୋକଙ୍କ ଭିତରୁ ଅନେକ ଦର୍ଶନ ଲାଭ ପରେ ଭକ୍ତ ହୋଇପଡ଼ିଲେ ।

 

ଇତି ମଧ୍ୟରେ ବହୁ ଅଲୌକିକ ଘଟଣା ମଧ୍ୟ ଘଟିଗଲା । ଜଣେ ସ୍ଥାନୀୟ ନେତା ଶ୍ରୀବାସଙ୍କୁ ଗାଳି ଗୁଲଜ କରିବାର କେତେଦିନ ପରେ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇପଡ଼ିଲେ । ପରେ ସେ କ୍ଷମା ମାଗିଲେ ଏବଂ ଏଇ ରୋଗରୁ ମୁକ୍ତ ହେଲେ । ଜଣେ ମୁସଲମାନ ଶ୍ରୀଗୌରାଙ୍ଗଙ୍କୁ ଦର୍ଶନ କରୁ କରୁ ତାଙ୍କ ମନରେ କି ଭାବ ଆସିଲା କେଜାଣି, ‘ମୁଁ ଭଗବାନଙ୍କୁ ଦର୍ଶନ କଲି’ କହି କହି ସାତଦିନ କାଳ ନଦିୟା ଭିତରେ ପାଗଳଙ୍କ ଭଳି ବୁଲିବାକୁ ଲାଗିଲେ । ମାଧବ ଆଚାର୍ଯ୍ୟଙ୍କର ମଧ୍ୟ ସେଇ ଦଶା ହୋଇଥଲା । ଗୌରାଙ୍ଗଙ୍କୁ ଭଗବାନ ବୋଲି ସେ ବିଶ୍ଵାସ କରୁ ନଥିଲେ । କିନ୍ତୁ ଶ୍ରୀବାସଙ୍କ ଘରେ ତାଙ୍କୁ ଦେଖୁ ଦେଖୁ ଭକ୍ତ ପାଲଟି ଗଲେ । ଶ୍ରୀଗୌରାଙ୍ଗ କହୁଥିଲେ ଯେ କୃଷ୍ଣ ଭକ୍ତିର ଶକ୍ତି ଅପାର । ଏହା ପଥରକୁ ସୁଦ୍ଧା ତରଳେଇ ଦେଇପାରେ । ଅନ୍ତର ଭିତରେ ହରିଙ୍କୁ ରଖି ମନରେ ହରିଙ୍କୁ ଚନ୍ତା କର, ତୁଣ୍ଡରେ ଉଚ୍ଚାରଣ କର ହରିନାମ । ମନୁଷ୍ୟର ସବୁ ପାପ ଧୋଇ ହୋଇଯିବ ଏଇ ନାମ ସଂକୀର୍ତ୍ତନରେ ।

 

ଶ୍ରୀଗୌରାଙ୍ଗ ରାଧାପ୍ରାଣ ହୋଇ ଅତି ବ୍ୟାକୁଳ ଭାବରେ କୃଷ୍ଣଙ୍କୁ ଖୋଜିବା ବେଳେ ତାଙ୍କର ଅଙ୍ଗଭଙ୍ଗୀରେ ନାରୀ ସୁଲଭ ଗୁଣ ପ୍ରକାଶ ପାଉଥିଲା । ଶ୍ରୀକୃଷ୍ଣଙ୍କ ପ୍ରତି ରାଧାଙ୍କର ଯେଉଁ ବିପୁଳ ଅନୁରାଗ ରହିଥିଲା, ଶ୍ରୀଗୌରାଙ୍ଗଙ୍କର ମାନବସମାଜ ପ୍ରତି ଥିଲା ସେଇଭଳି ଅନୁରାଗ । ସେ କହୁଥିଲେ, ଯାହାର ଯେଉଁ ପାପ ଅଛି ମତେ ଦେଇଦିଅ । ମୁଁ ସବୁ ବହନ କରିବା ପାଇଁ ପ୍ରସ୍ତୁତ-। ଦିନେ ସେ ନିତାଇ ଓ ହରିଦାସଙ୍କୁ କହିଲେ, ‘‘ନଦିୟାର ଘରଘରକୁ ଯାଅ । ସମସ୍ତଙ୍କୁ କହ ଶ୍ରୀକୃଷ୍ଣଙ୍କୁ ପୂଜା ଆରାଧନା କରନ୍ତୁ । ଶ୍ରୀକୃଷ୍ଣ ହଁ ସମସ୍ତଙ୍କର ଜୀବନନାଟିକା ।’’

 

ନିତାଇ ଓ ହରିଦାସ ଗଲେ । ଜଣକ ଘର ଆଗରେ ଠିଆ ହୋଇ ଉଚ୍ଚାରଣ କଲେ ‘‘ହରେ କୃଷ୍ଣ ।’’ ଘରର ଗୃହିଣୀ ଆଞ୍ଜୁଳାଏ ଚାଉଳ ଧରି ଆସିଲେ ଭିକ୍ଷା ଦେବା ପାଇଁ । ନିତାଇ ଓ ହରିଦାସ କହିଲେ, ‘‘ଭଉଣୀ ! ଆମେ ଚାଉଳ କିମ୍ବା ଅନ୍ୟ ଭିକ୍ଷା ମାଗୁ ନାହୁଁ । ଆମର ଏକମାତ୍ର ଭିକ୍ଷା ତୁମେ ଏହି ମୁହୂର୍ତ୍ତରୁ କୃଷ୍ଣଙ୍କୁ ପୂଜା କର । ତୁମର ହୃଦୟ, ମନ ଏବଂ ତୁଣ୍ଡରେ ରହୁ ହରିନାମ-।’’

 

ନିତାଇ ଓ ହରିଦାସଙ୍କ ଏ ଉପଦେଶକୁ ଅନେକ ଗ୍ରହଣ କଲେ । କିନ୍ତୁ ବ୍ରାହ୍ମଣମାନେ କହିଲେ, ‘‘ଏମାନେ ଚୋରି କରିବା ଉଦ୍ଦେଶ୍ୟରେ ଘରେ ଘରେ ପ୍ରବେଶ କରୁଛନ୍ତି ।’’ ଦିନେ ନିତାଇ କହିଲେ ହରିଦାସଙ୍କୁ, ‘‘ଜଗାଇ ମାଧାଇ ଦୁଇ ଭାଇଙ୍କୁ ଯଦି ଆମେ କୃଷ୍ଣଭକ୍ତିରେ ଅନୁପ୍ରାଣିତ କରି ପାରିବା, ତା’ ହେଲେ ଗୋଟିଏ ବଡ଼ କଥା ହୋଇଯିବ ।’’

 

ଜଗାଇ ମାଧାଇ ଥିଲେ ନଦିୟାରେ ସେତେବେଳେ ଅତ୍ୟନ୍ତ ପ୍ରତାପଶାଳୀ । ସେମାନେ ଥିଲେ ସହରର କଟୁଆଳ । ଲୋକଙ୍କ ଧନଜୀବନ ଥିଲା ସେମାନଙ୍କ ହାତରେ । ସେ ଦୁହେଁ ଲୋକଙ୍କ ଉପରେ ନାନା ଭାବରେ ଅତ୍ୟାଚାର ଚଳେଇଥିଲେ । ହରଦାସ କହିଲେ,’’ଆମେ ସିନା ସେମାନଙ୍କ ପାଖକୁ ଯିବା, କିନ୍ତୁ ଯଦି ସେମାନେ ଆମ ଉପରେ ଓଲଟା ଆକ୍ରମଣ କରନ୍ତି...” ନିତାଇ କହିଲେ, ‘‘କରନ୍ତୁ ଆକ୍ରମଣ ଆମେ ସମ୍ମୁଖୀନ ହେବା ।’’

 

ଦୁହେଁ ଗଲେ ଜଗାଇ ମାଧଇ ଦୁଇ ଭାଇଙ୍କ ପାଖକୁ । ତୁଣ୍ଡରେ ହରେକୃଷ୍ଣ ହରେକୃଷ୍ଣ ଉଚ୍ଚାରଣ କରି କରି ନିତାଇ ଓ ହରିଦାସ ପହଞ୍ଚିଲେ ଜଗାଇ ମାଧାଇଙ୍କ ନିକଟରେ । କହିଲେ, ‘‘ଭାଇମାନେ, ଶ୍ରୀକୃଷ୍ଣ ତୁମମାନଙ୍କର ଭଲ କରନ୍ତୁ । ଶ୍ରୀକୃଷ୍ଣଙ୍କ ନାମ ଉଚ୍ଚାରଣ କର । ଆନନ୍ଦ ପାଇବ, ମୁକ୍ତି ଲାଭ କରିବ ।’’ ଜଗାଇ ମାଧାଇ ଥିଲେ ତନ୍ତ୍ରସାଧକ । ସେମାନେ ମାଂସ ଖାଉଥିଲେ, ମଦ୍ୟପିଉଥିଲେ । ସେମାନଙ୍କ ଆଖିଥିଲା ସବୁବେଳେ ଲାଲ ଲାଲ । ସେମାନେ ଥିଲେ କୃଷ୍ଣ ନାମର ବିରୋଧୀ ।

 

ନିତାଇ ଏ ଦୁଇ ଭାଇଙ୍କୁ ମଦ ନପିଇ କୃଷ୍ଣ ନାମାମୃତ ପାନ କରିବା ପାଇଁ କହିବା ମାତ୍ରେ ସେମାନେ କ୍ରୋଧରେ ଜର୍ଜ୍ଜର ହୋଇଉଠିଲେ । ନିତାଇ ଓ ହରିଦାସଙ୍କୁ ନାନା କଦର୍ଯ୍ୟ ଭାଷାରେ ଗାଳିଦେଲେ ଓ ସେଠାରୁ ଚାଲିଯିବା ପାଇଁ ନର୍ଦ୍ଦେଶ ଦେଲେ; କିନ୍ତୁ ନିତାଇ ସହଜେ ନଇଁଯିବା ଲୋକ ନୁହଁନ୍ତି । ସେ ମନେ ମନେ ଭାବିଲେ, ‘ଏଭଳି ପାପୀ ପାଷାଣ୍ଡ ମାନଙ୍କୁ ଯଦି ଉଦ୍ଧାର କରାନଯିବ ତାହାହେଲେ ମାନବ ସମାଜ କଳଙ୍କିତ ହୋଇପଡ଼ିବ ।’ ତେଣୁ ସେ ହରିଦାସଙ୍କୁ ପଠାଇଲେ ଶ୍ରୀଗୌରାଙ୍ଗଙ୍କ ନିକଟକୁ । କହିଲେ—“ଯାଅ, ତାଙ୍କୁ କହିବ ସେ ଆସନ୍ତୁ, ଏ ପାପୀଙ୍କୁ ଭଲବାଟି ଦେଖାଇବା ପାଇଁ ।’’

 

ସୌଭଗ୍ୟକୁ ଏ ଜଗାଇ ମାଧାଇଙ୍କର ତମ୍ବୁ ପଡ଼ିଥାଏ ଶ୍ରୀବାସଙ୍କ ଘର ନିକଟରେ । ଶ୍ରୀବାସଙ୍କ ଘରେ କୀର୍ତ୍ତନ ଚାଲୁଥାଏ । ଜଗାଇ ମାଧାଇ କାନରେ ପଡ଼ୁଥାଏ ସେ କୀର୍ତ୍ତନର ସ୍ୱର । ଦି’ଭାଇଙ୍କୁ ଭାରି ଭଲଲାଗୁଥିଲା ତାହା ଶୁଣିବାକୁ । କିନ୍ତୁ ଘର ଭିତରକୁ ପ୍ରବେଶ କରିପାରୁନଥାଆନ୍ତି-। ଦୁହେଁ ଭାବିଲେ, ‘ଘର ଭିତରେ ନିଶ୍ଚୟ ଯାତ୍ରା ଚାଲିଛି ।’ ତା ଆରଦିନ ସକାଳେ ଭକ୍ତମାନେ ବାହାରିଲେ ନଦୀକି ଗାଧୋଇବା ଲାଗି । ସାଙ୍ଗରେ ଥିଲେ ଶ୍ରୀଗୌରାଙ୍ଗ । ଜଗାଇ ମାଧାଇ ତାଙ୍କୁ ପଚାରିଲେ, ‘‘ହଇହୋ ଗୋସାଇଁ, ରାତିରେ ସେ ଘରେ କଣ ହେଉଥିଲା କି-?’’

 

ନିତାଇ ମଧ୍ୟ ଥିଲେ ସାଙ୍ଗରେ । ଜଗାଇ ମାଧାଇ ଏଭଳି ପ୍ରଶ୍ନ କରିବା ମାତ୍ରେ ସେ ମନେ ମନେ ଭାବିଲେ, ‘ଯାହାହେଉ, ପାପୀ ଦୁଇଟାକୁ ଏଥର ଠିକ୍ ଉତ୍ତର ମିଳିଯିବ ।’ କରୁ ଶ୍ରୀଗୌରାଙ୍ଗ କୌଣସି ଉତ୍ତର ଦେଲେନି । ହତାଶ ହୋଇପଡ଼ିଲେ ନିତାଇ । ତେଣୁ ସେ ହରିଦାସଙ୍କୁ କହିଲେ—“ଯାଅ, ଅନ୍ତତଃ ତୁମେ ଦି’ଭାଇଙ୍କୁ କୁହ ଜୀବନ ଅତି ଛୋଟ । କେଉଁ ମୁହୂର୍ତ୍ତରେ ଚାଲିଯିବ, କେହି କହି ପାରିବେ ନାହିଁ । ତେଣୁ ସର୍ବଦା କୃଷ୍ଣ ନାମରେ ମତି ରଖ, କୃଷ୍ଣନାମ ଭଜନ କର, କୃଷ୍ଣଙ୍କୁ ପୂଜା କର, କୃଷ୍ଣଙ୍କୁ ସେବା କର ।’’

 

ହରିଦାସ ଏକା ଗଲେ ନାହଁ, ନିତାଇ ମଧ୍ୟ ଗଲେ ତାଙ୍କ ସାଙ୍ଗରେ । ସେମାନେ ସମସ୍ଵରରେ ଗାଇଲେ, ‘‘ମହାପ୍ରଭୁ, ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ ।’’ ନିତାଇ ଗାଇ ଚାଲିଛନ୍ତି ଓ ଜଗାଇ ମାଧାଇଙ୍କୁ ଲକ୍ଷ୍ୟକରି କହି ଚାଲିଛନ୍ତି, ‘‘ଭାଇମାନେ, ମତେ ହରି ନାମରେ କିଣିନିଅ ।’’

 

ନିତାଇଙ୍କ ହରିନାମ କୀର୍ତ୍ତନ ଏବଂ କରୁଣ ଆହ୍ୱାନରେ ଜଗାଇର ହୃଦୟ ସାମାନ୍ୟ ବିଚଳିତ ହୋଇଉଠିଲା । କିନ୍ତୁ ମାଧାଇ ମଦ ନିଶାରେ ଉନ୍ମତ୍ତ ଅବସ୍ଥାରେ ଥିବାରୁ ‘ତୁମକୁ ଉଚିତ ଶିକ୍ଷା ଦେଉଛି’ କହି ଗୋଟିଏ ବାଡ଼ିଧରି ଗୋଡ଼ାଇଲେ ହରିଦାସ ଓ ନିତାଇଙ୍କୁ ବାଡ଼େଇବା ଲାଗି । ନିତାଇ ଓ ହରିଦାସ ଦୌଡ଼ି ପଳାଇଲେ । ମଦନଶା ଭୋଳରେ ଜଗାଇ ଗୋଡ଼ ଇଆଡ଼କୁ ସିଆଡ଼କୁ ପଡୁଥାଏ । ତେଣୁ ସେ ଗୋଡ଼େଇପାରିଲାନି ।

 

ସେଦିନ ଅପରାହ୍ଣରେ ନିତାଇ ଯାଇ ଶ୍ରୀଗୌରାଙ୍ଗଙ୍କୁ କହିଲେ, ‘‘ମୁଁ ଆଉ କୃଷ୍ଣନାମ ପ୍ରଚାର କରିବାକୁ ଯିବି ନାହିଁ । ତୁମେ ଘର ଭିତରେ ବସି କେଉଁ ପାପୀଙ୍କୁ ଉଦ୍ଧାର କରିବା ପାଇଁ ଚାହୁଁଛ ? ବାହାରେ ଯେଉଁ ଲକ୍ଷ ଲକ୍ଷ ପାପୀ ଅଛନ୍ତି ତାଙ୍କୁ ଉଦ୍ଧାର କରିବ କିଏ ? ସେମାନଙ୍କ କଥା ଆଗେ ବିଚାର କର, ଆମ ମାନଙ୍କ କଥା ପଛକୁ ଥାଉ ।’’ ଶ୍ରୀଗୌରାଙ୍ଗ ସାମାନ୍ୟ ହସିଲେ । କହିଲେ, ‘‘ଯାହା କହୁଛ ଠିକ୍ କଥା । ଭକ୍ତମାନଙ୍କୁ ଏକାଠି କର । ସମସ୍ତେ ମିଶି ଯିବା ଜଗାଇ ମାଧାଇଙ୍କ ପାଖକୁ ।’’

 

ଶହ ଶହ ଭକ୍ତଙ୍କ ଧାଡ଼ି ଲମ୍ବିଲା । ସମ୍ମୁଖରେ ଶ୍ରୀଗୌରାଙ୍ଗ । ଚାଲିଲା ନଗରକୀର୍ତ୍ତନ । ଏହା ହିଁ ନଦିୟାରେ ପ୍ରଥମ ନଗରକୀର୍ତ୍ତନ କହିଲେ ଚଳେ । ଆଗରୁ କୀର୍ତ୍ତନ ହେଉଥିଲା ଘରଭିତରେ । ଖୋଳ କରତାଳ ଧ୍ଵନିରେ ଚତୁର୍ଦ୍ଦିଗ ମୁଖରିତ ହୋଇଉଠିଲା । ସ୍ଵୟଂ ମହାପ୍ରଭୁ ଶ୍ରୀଗୌରାଙ୍ଗଙ୍କ ନେତୃତ୍ୱରେ ଚାଲିଲା କୃଷ୍ଣନାମ ସଂକୀର୍ତ୍ତନ । ନିନାଦିତ ହୋଇଉଠିଲା ଗଗନ ପବନ । ଯିଏ ଶୁଣିଲା, ଯିଏ ଗାଇଲା, ଯିଏ ବଜେଇଲା, ସମସ୍ତେ ନାଚିଉଠିଲେ । କୀର୍ତ୍ତନର ପ୍ରଭାବ ବର୍ଣ୍ଣନାତୀତ । ଗାଇବା ସାଙ୍ଗକୁ ନାଚିବା ଏକ ଅପୂର୍ବ ଦୃଶ୍ୟ ସୃଷ୍ଟିକଲା । ଏଥିରେ ଆଗରୁ ଯେଉଁମାନେ ସମାଲୋଚନା କରୁଥିଲେ ସେମାନେ ମଧ୍ୟ ଅଦମ୍ୟ ଆକର୍ଷଣରେ ଆକୃଷ୍ଟ ହୋଇ ଯୋଗଦେଲେ କୀର୍ତ୍ତନରେ । କୀର୍ତ୍ତନମଣ୍ଡଳୀର ସମସ୍ତେ କେତେବେଳେ କେତେବେଳେ ଗୋଲାକାରରେ ନାଚି ଉଠୁଥିଲେ । ମଝିରେ ରହୁଥିଲେ ଶ୍ରୀଗୌରାଙ୍ଗ । ନାନା ଭଙ୍ଗୀରେ ନାଚୁଥିଲେ ସେ । କେତେବେଳେ ସେ ହେଇ ଉଠୁଥିଲେ ବିରହିଣୀ ରାଧା, କେତେବେଳେ ବଂଶୀଧାରୀ ଶ୍ରୀକୃଷ୍ଣ । ମନେହେଉଥିଲା ଆନନ୍ଦଉଲ୍ଲାସ ନିଜେ ରୂପଧରି ନାଚୁଛନ୍ତି ଗୌରାଙ୍ଗଙ୍କ ଭିତରେ ।

 

କିଛି ବାଟ ଯିବା ପରେ କୀର୍ତ୍ତନଦଳର ନେତୃତ୍ୱ ନେଲେ ଶ୍ରୀନିତ୍ୟାନନ୍ଦ ତଥା ନିତାଇ । ସେ ଯେଭଳି ଭଙ୍ଗୀରେ ଚାଲୁଥିଲେ ମନେହେଉଥିଲା ସେ ଚାଲିଛନ୍ତି ଦିଗ୍‌ବିଜୟ ଲାଗି । ଅପରାହ୍ଣ ସମୟ, ପେଟେ ପେଟେ ମଦ ପିଇସାରି ତମ୍ବୁ ଭିତରେ ଶୋଇଛନ୍ତି ଜଗାଇ ମାଧାଇ । କୀର୍ତ୍ତନର କଳରୋଳରେ ସେମାନଙ୍କ ନିଦ୍ରା ବ୍ୟାହତ ହୋଇପଡ଼ିଲା । ସେମାନେ ଅଧୀନସ୍ଥ ଲୋକଙ୍କୁ ପଠାଇ କହିଲେ, ‘‘ଯାଅ କହିବ କୀର୍ତ୍ତନ ବନ୍ଦ କରିବାକୁ’’ । କିନ୍ତୁ ଭକ୍ତମାନେ ସେମାନଙ୍କ ନିର୍ଦ୍ଦେଶ ମାନିଲେ ନାହିଁ । ଶ୍ରୀ ଗୌରାଙ୍ଗ ସେତେବେଳକୁ ବହୁଦୂରରେ । ଜଗାଇ ମାଧାଇଙ୍କ ଲୋକେ ଅବଶ୍ୟ ଶ୍ରୀଗୌରାଙ୍ଗଙ୍କୁ ଦେଖିପାରିଲେ ନାହିଁ; କିନ୍ତୁ ଜଗାଇ ମାଧାଇଙ୍କୁ କହିଲେ ଯେ, ‘‘ନିମାଇଁ ପଣ୍ଡିତଙ୍କ ବୈଷ୍ଣବଦଳ କୀର୍ତ୍ତନ କରି କରି ଆସୁଛନ୍ତି । ସେମାନଙ୍କୁ ଆମେ କହିଲୁ କୀର୍ତ୍ତନ ବନ୍ଦ କରିବା ପାଇଁ । କିନ୍ତୁ ବନ୍ଦ କରିବେ କଣ ଆହୁରି ଜୋର୍ ରେ ଗାଇଲେ ।’’

 

ଲୋକଙ୍କ ମୁହଁରୁ ଏ ପ୍ରକାର ଖବର ପାଇ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଜଗାଇ ମାଧାଇ ଦୌଡ଼ିଲେ କୀର୍ତ୍ତନଦଳ ପାଖକୁ । ଦେଖିଲେ, କୀର୍ତ୍ତନଦଳ ଆଗରେ ଅଛନ୍ତି ଶ୍ରୀନିତାଇ । ତାଙ୍କୁ ଦେଖୁ ଦେଖୁ ଜଗାଇ ମାଧାଇ ଦୁଇ ଭାଇଙ୍କ ଦେହ ଜଳିଉଠିଲା । ନିତାଇ ଆଖିବୁଜି ପ୍ରାର୍ଥନା କଲେ, ‘‘ହେ ପ୍ରଭୁ, ଏମାନଙ୍କୁ ଉଦ୍ଧାର କର । ଏମାନଙ୍କ ମଙ୍ଗଳ କର । ଭାଇମାନେ, ଏ ଦୀନହୀନ ସନ୍ନ୍ୟାସୀକୁ ପ୍ରହାର କରି ତୁମେମାନେ କଣ ଲାଭ ପାଇବ ?’’

 

ମାଧାଇ କ୍ରୋଧରେ ଏଭଳି ଅନ୍ଧ ହୋଇପଡ଼ିଥିଲା ଯେ, ସେ ତଳେ ପଡ଼ିଥିବା ଗୋଟିଏ ମାଟିର ସୁରେଇ ଧରି ନିତାଇଙ୍କ ମୁଣ୍ଡରେ ଜୋରରେ ପିଟିଦେଲା । ନିତାଇଙ୍କ ମୁଣ୍ଡରୁ ଝରଝର ହୋଇ ରକ୍ତ ବହିଚାଲିଲା । ମାଧାଇ ଆଉ ଥରେ ଆଘାତ ଦେବାକୁ ଯିବାବେଳେ ଜଗାଇ ତା ହାତକୁ ଧରି ନେଇ କହିଲା, ‘‘ଛାର ଗୋଟାଏ ସନ୍ନ୍ୟାସୀକୁ ମାରି କି ଲାଭ ?’’ ଇତିମଧରେ ଅଳ୍ପ ଦୂରରେ କୀର୍ତ୍ତନ କରୁଥିବା ବେଳେ ଶ୍ରୀଗୌରାଙ୍ଗ ଏ କଥା ଜାଣିପାରିଲେ ଏବଂ ସେ ସଙ୍ଗେ ସଙ୍ଗେ ଦଉଡ଼ି ଆସିଲେ ନିତାଇଙ୍କ ପାଖକୁ । ନିଜ ଓଢ଼ଣୀରେ ନିତାଇଙ୍କ ମୁଣ୍ଡକୁ ବାନ୍ଧିଦେଇ ସଙ୍ଗେ ସଙ୍ଗେ ଗଲେ ଜଗାଇ ମାଧାଇଙ୍କ ପାଖକୁ । କହିଲେ, ‘‘ଜଣେ ନିରସ୍ତ୍ର ସନ୍ନ୍ୟାସୀକୁ ଏଭଳି ଭାବରେ ମାରିଲ; ତୁମକୁ ଲଜ୍ଜା ଲାଗୁ ନାହିଁ ?’’

 

ଶ୍ରୀ ଗୌରାଙ୍ଗଙ୍କର ଏଇ କେତୋଟି ପଦ କଥାରେ କି ଶକ୍ତି ଥିଲା କେଜାଣି ନିଜକୁ ମହାପରାକ୍ରମଶାଳୀ ବୋଲାଉଥିବା ଉଦ୍ଧତ ଦୁଇଭାଇ ଜଗାଇ ମାଧାଇ ଏକାବେଳକେ ଭାଙ୍ଗିପଡ଼ିଲେ । ଦେହରୁ ସମସ୍ତ ଶକ୍ତି କିଏ ଶୋଷି ନେଇଗଲା ଭଳି ସେମାନେ ଅନୁଭବ କଲେ । ମନେହେଲା ତାଙ୍କ ହାତଗୋଡ଼ ଅଚଳ ହୋଇପଡ଼ୁଛି ।

 

ଶ୍ରୀ ଗୌରାଙ୍ଗ କହିଲେ, ‘‘ବହୁତ ପାପ ତୁମେମାନେ କଲଣି । ପାପର ବୋଝ ମୁଣ୍ଡେଇ ତୁମେମାନେ ଆଉ କେତେ ବାଟ ଯିବ ? ଦଣ୍ଡପାଇଁ ପ୍ରସ୍ତୁତ ହୋଇଯାଅ ।’’ ଜଗାଇ ମାଧାଇ ଅନୁଭବ କଲେ ଯେପରି ଜଣେ ବିଚାରପତି ଅପରାଧୀମାନଙ୍କୁ ଦଣ୍ଡ ଦେବା ପାଇଁ ନିଜର ରାୟ ପଢ଼ୁଛନ୍ତି । ଜଗାଇ ମାଧାଇଙ୍କ ହାତରେ ଥିଲା କ୍ଷମତା । ସେମାନେ ଥିଲେ ନଦିୟାର କଟୁଆଳ; ଅର୍ଥାତ୍ ପୁଲିସ୍ ଅଫିସର । ଦେହରେ ପ୍ରଚୁର ବଳ ଥିଲା ମଧ୍ୟ ସେମାନଙ୍କର । ମାତ୍ର ତେଇଶ ବର୍ଷ ବୟସର ଯୁବକ ଶ୍ରୀଗୌରାଙ୍ଗଙ୍କ କଥାରେ କି ଶକ୍ତି ଥିଲା କେଜାଣି, ସେଥିରେ ସେମାନଙ୍କର ଗୋଡ଼ ଥରିଉଠିଲା । ସେମାନେ ହାତ ଯୋଡ଼ି ଠିଆହୋଇ ରହିଲେ ଶ୍ରୀଗୌରାଙ୍ଗଙ୍କ ଆଗରେ—ଠିକ୍ ଦୁଇଟି କାଠ କୁଣ୍ଢେଇ ଭଳି ।

 

ମହାପ୍ରଭୁ ଶ୍ରୀଗୌରାଙ୍ଗଙ୍କ ସଂକଳ୍ପ ମାତ୍ରେ ତାଙ୍କ ହାତରେ ଆସି ପହଞ୍ଚିଲା ଚକ୍ର । ନିତାଇ ଦେଖିଲେ ଜଗାଇ ମାଧାଇଙ୍କ ବିନାଶ ସମୟ ଆସି ପହଞ୍ଚିଗଲା । ପରିଣତି ଏହା ହେବ ବୋଲି ନିତାଇ ଆଶା କରି ନଥିଲେ । ସେ ଚାହୁଁଥିଲେ ଜଗାଇ ମାଧାଇଙ୍କୁ ସଂସ୍କାର କରାଯାଉ; ତାଙ୍କୁ ସଂହାର କରାନଯାଉ ।

 

ନିତାଇ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ପାଦତଳେ ପଡ଼ିଗଲେ । କହିଲେ ପ୍ରଭୁ, ‘‘ନିର୍ବୋଧ ସେମାନେ । ସେମାନଙ୍କୁ ଦୟା କର । ମୋ ମୁଣ୍ଡରେ ସାମାନ୍ୟ ଆଘାତ ହୋଇଛି ମାତ୍ର । ଅଳ୍ପ ଦିନରେ ଭଲ ହୋଇଯିବ । ସେମାନଙ୍କୁ କ୍ଷମା କର । ପ୍ରଭୁ, ତୁମେ ତ ନିଜେ କହିଛ, ‘ମୁଁ ଆସିଛି ପାପୀ-ତାପୀଙ୍କୁ ଉଦ୍ଧାର କରିବା ପାଇଁ, ସଂହାର କରିବା ପାଇଁ ନୁହଁ ।’ କିନ୍ତୁ ଏ ଚକ୍ର କାହିଁକି ? ଚକ୍ରକୁ ଫେରିଯିବା ପାଇଁ କହନ୍ତୁ । ତୁମେ ତ ଉଭୟଙ୍କୁ ମାରିବା ପାଇଁ ବାହାରିଛ । କିନ୍ତୁ ଜଗାଇ ତ ମୋର ପ୍ରାଣ ରକ୍ଷା କଲା ?’’

 

ଶ୍ରୀଗୌରାଙ୍ଗ ଶାନ୍ତ ହୋଇ ଆସିଲେ । ସେ ସଙ୍ଗେ ସଙ୍ଗେ ଜଗାଇକୁ କୁଣ୍ଢାଇ ଧରି କହିଲେ,’’ମୁଁ ତୁମଠାରେ କୃତଜ୍ଞ ।’’ ମୂଳ କଟା ହୋଇଯିବା ମତ୍ରେ ଗଛ ଯେପରି ଅଜାଡ଼ି ହୋଇ ପଡ଼େ, ସେଇଭଳି ଜଗାଇ ଅଜାଡ଼ି ହେଇ ପଡ଼ିଲା ମହାପ୍ରଭୁଙ୍କ ପାଦତଳେ । ସୃଷ୍ଟିହେଲା ଆନନ୍ଦର କୋଳାହଳ । ଜଗାଇ ହାତଯୋଡ଼ି କହିଲା, ‘‘ମତେ କ୍ଷମା କରନ୍ତୁ ପ୍ରଭୁ !’’

 

ଜଗାଇର ଏଇ ଦଶା ଦେଖି ମାଧାଇ ମଧ୍ୟ ଲମ୍ବଦଣ୍ଡ ହୋଇ ପଡ଼ିଗଲା ଶ୍ରୀଗୌରାଙ୍ଗଙ୍କ ପାଦତଳେ । କ୍ଷମା ପାଇଁ ବ୍ୟାକୁଳ ହୋଇଉଠିଲା ସେ । ଅଖିରୁ ଧାର ଧାର ହୋଇ ଲୁହ ବହିଆସିଲା । କିନ୍ତୁ ମହାପ୍ରଭୁ କହିଲେ, ‘‘ତୋ ଅପରାଧ କ୍ଷମା କରିବା ଏତେ ସହଜ ନୁହଁ । କ୍ଷମତାରେ ଉନ୍ମତ୍ତ ହୋଇ ତୁ ସୀମା ଲଙ୍ଘନ କରିଯାଇଛୁ ।’’

 

ମାଧାଇ କହିଲା, ‘‘ଏ ଅପରାଧର କଣ କୌଣସି ପ୍ରାୟଶ୍ଚିତ୍ତ ନାହିଁ ? ମୁଁ ଯେକୌଣସି ପ୍ରାୟଶ୍ଚିତ୍ତ କରିବା ପାଇଁ ପ୍ରସ୍ତୁତ । ଏବେ ନ ହେଲେ ମଧ୍ୟ ଭବିଷ୍ୟତରେ କେବେହେଲେ ମୁଁ ଯେପରି ତୁମ ପାଦପଦ୍ମର ସେବକ ହୋଇପାରିବି ମତେ ସେଇ ବାଟ ବତେଇଦିଅ ।’’ ଶ୍ରୀଗୌରାଙ୍ଗ କହିଲେ, ‘‘ନିତ୍ୟାନନ୍ଦଙ୍କୁ ପଚାର । ସେ କେବଳ ତତେ ସାହାଯ୍ୟ କରିପାରିବେ ।’’ ମାଧାଇ ସଙ୍ଗେ ସଙ୍ଗେ ନିତ୍ୟାନନ୍ଦଙ୍କ ଗୋଡ଼ତଳେ ଯାଇ ପଡ଼ିଲା ।

 

ଶ୍ରୀ ଚୈତନ୍ୟ

ଆନନ୍ଦରେ ଉଲ୍ଲସିତ ହୋଇଉଠିଲେ ନିତ୍ୟାନନ୍ଦ । ସେ ମାଧାଇକୁ ଦୁଇ ହାତରେ ଉଠାଇ ଠିକ, କ୍ଷମା ଦେବାକୁ ଗଲାବେଳେ ଶ୍ରୀଗୌରାଙ୍ଗ ତାକୁ ମନା କରିଦେଲେ । କହିଲେ, ‘‘ସେ ଯଦି ଶାସ୍ତି ନପାଏ ଶିକ୍ଷା ପାଇବ କିପରି ?’’ କିନ୍ତୁ ନିତାଇ ମାଧାଇକୁ କ୍ଷମା ଦେବା ପାଇଁ ମନେ ମନେ ସ୍ଥିରକରିସାରିଥିଲେ । ସେ ଶ୍ରୀଗୌରାଙ୍ଗଙ୍କୁ କହିଲେ, ‘‘ଆମ ଜୀବନ ତୁମ ହାତରେ । ଆମେ ତ ନିମିତ୍ତ ମାତ୍ର ! ମୁଁ ମାଧାଇକୁ କ୍ଷମା କରୁଛି । କେବଳ ସେତିକି ନୁହେଁ, ମୋର ଯଦି କିଛି ସୁକୃତି ଥାଏ ସବୁ ଆଜି ତାକୁ ଅର୍ପଣ କରୁଛି ।’’ ଆନନ୍ଦର ଲହରୀ ଖେଳିଗଲା ସମସ୍ତଙ୍କ ମନରେ । ନିତାଇ ଆଲିଙ୍ଗନ କଲେ ମାଧାଇକୁ । ଏକ ବଡ଼ ଅଧ୍ୟାୟର ଶେଷ ହେଲା ।

 

ଆରମ୍ଭହେଲା ଜଗାଇ ମାଧାଇଙ୍କ ଜୀବନରେ ଦ୍ଵିତୀୟ ଅଧ୍ୟାୟ । ଶ୍ରୀଗୌରାଙ୍ଗ ଭକ୍ତମାନଙ୍କୁ ଧରି ଫେରିଆସିଲେ ଶ୍ରୀବାସଙ୍କ ପ୍ରାଙ୍ଗଣକୁ । ଗ୍ରୀଷ୍ମଋତୁ । ସେଦିନ ଭୀଷଣ ଖରା । ସୂର୍ଯ୍ୟାସ୍ତ ସମୟକୁ ନଦୀକି ଗାଧୋଇବା ପାଇଁ ବାହାରିଛନ୍ତି ସମସ୍ତେ । ହଠାତ୍ ଧ୍ଵନି ଶୁଭିଲା, ‘ଠାକୁର ଠାକୁର !’ ମନେହେଲା ଯେପରି କେହି ଦଉଡ଼ିଆସୁଛି । ଫାଟକ ଖୋଲିବା ମାତ୍ରେ ଦେଖାଗଲା ଠିଆହୋଇଛନ୍ତି ଜଗାଇ ମାଧାଇ । ମୁରାରି ସେମାନଙ୍କୁ ପାଛୋଟି ଆଣିଲେ ଶ୍ରୀଚୈତନ୍ୟଙ୍କ ନିକଟିକୁ । ଜଗାଇ ମାଧାଇ ଶ୍ରୀଚୈତନ୍ୟଙ୍କୁ ଦେଖିବା ମାତ୍ରେ ଅତି କରୁଣଭାବରେ କ୍ରନ୍ଦନ କରି ତାଙ୍କ ପାଦତଳେ ଲୋଟିପଡ଼ିଲେ । ଦୁହିଁଙ୍କଯାକର ଏକାବେଳକେ ଅଚେତ ଅବସ୍ଥା । ଶ୍ରୀଗୌରାଙ୍ଗ ନିତାଇଙ୍କୁ ନିର୍ଦ୍ଦେଶ ଦେଲେ, ‘‘ସେମାନଙ୍କ କାନରେ ହରନାମ ଉଚ୍ଚାରଣ କର ।’’ ମନେହେଲା ଯେପରି ଜଗାଇ ମାଧାଇ ଶବ ପାଲଟି ଯାଇଛନ୍ତି । କୋକେଇରେ ପକାଇ କାନ୍ଧେଇ ନେଲା ଭଳି ‘ହରିବୋଲ’ ଏବଂ ଖୋଳ କରତାଳ ଧ୍ଵନିରେ ସେମାନଙ୍କୁ ନିଆଗଲା ଭାଗୀରଥୀ କୂଳକୁ । ସେଠାରେ ଦୁଇ ଭାଇଙ୍କର ଚେତା ଆସିଲା । ମହାପ୍ରଭୁ ଶ୍ରୀଚୈତନ୍ୟ ଦୁଇଭାଇଙ୍କୁ କହିଲେ, ‘‘ଶପଥ କର, ଆଉ କେବେ ପାପ କରିବ ନାହିଁ ।’’ ପ୍ରଭୁଙ୍କ ପାଦତଳେ ମୁଣ୍ଡରଖି ଦୁଇଭାଇ ଶପଥ କଲେ । ପ୍ରଭୁ କହିଲେ, ‘‘ତୁମମାନଙ୍କର ଅତୀତର ସମସ୍ତ ପାପର ବୋଝ ମୁଁ ମୁଣ୍ଡାଇବି । ତୁମର ଆଉ କିଛି ଚିନ୍ତା ନାହିଁ, କୃଷ୍ଣନାମ ଭଜନ କର ।’’ ଶ୍ରୀଚୈତନ୍ୟ ଶ୍ରୀବାସଙ୍କୁ କହିଲେ, ‘‘ଏମାନଙ୍କ ପ୍ରାୟଶ୍ଚିତ୍ତ ପାଇଁ ଶାସ୍ତ୍ର ଅନୁଯାୟୀ ଯାହା ବ୍ୟବସ୍ଥା କରିବା କଥା କର ।’’ ଭକ୍ତମାନେ ଜଗାଇ ମାଧାଇଙ୍କୁ ନେଇ ଗଙ୍ଗାରେ ସ୍ନାନ କରାଇଲେ । ଶ୍ରୀବାସ ସେମାନଙ୍କ ହାତରେ ଦେଲେ ତମ୍ବା-ତୁଳସୀ ଓ ଗଙ୍ଗାଜଳ । ନିତ୍ୟାନନ୍ଦ ପାଠକଲେ ଦାନମନ୍ତ୍ର । ଶ୍ରୀଚୈତନ୍ୟ ନିଜର ଆଞ୍ଜୁଳି ପତାଇ ଜଗାଇ ମାଧାଇଙ୍କୁ କହିଲେ, ଦିଅ, ‘‘ତୁମ ପାପ ମତେ ଦାନ କର ।’’ ଉପସ୍ଥିତ ସମସ୍ତେ ସ୍ତମ୍ଭୀଭୂତ ହୋଇପଡ଼ିଲେ ।

 

ଏଣିକି ଜଗାଇ ମାଧାଇଙ୍କର ଏକମାତ୍ର କାମ ହେଲା କୃଷ୍ଣନାମ-କୀର୍ତ୍ତନ । ପ୍ରତିଦିନ ସକାଳେ ଗଙ୍ଗାରେ ସ୍ନାନ ଶେଷ କରି ଦୁଇ ଲକ୍ଷ ଥର କୃଷ୍ଣନାମ ଜପ କରିବା ହେଲା ସେମାନଙ୍କର ପ୍ରଧାନ କାମ । କୀର୍ତ୍ତନ ବେଳେ ଜଗାଇ ମାଧାଇ ଏଭଳି ସୁନ୍ଦର ଭାବରେ ନାଚୁଥୁଲେ ଯେ ସେମାନଙ୍କୁ ଦେଖିବା ପାଇଁ ବହୁଲୋକ ରୁଣ୍ଡ ହେଉଥିଲେ । ଏପରି ଅବସ୍ଥା ହେଲା ଯେ ମାଧାଇ ଆଉ ତା’ ନିଜ ଘରକୁ ଗଲା ନାହିଁ । କ୍ରମଶଃ ତାର ଖିଆପିଆ ବନ୍ଦହୋଇଗଲା । ମାଧାଇ ଆଗରେ ଭାତ ବଢ଼ାହେଉଥାଏ; କିନ୍ତୁ ସେ ସ୍ପର୍ଶ କରେ ନାହିଁ । କୁକୁର ବିରାଡ଼ି ଆସି ଖାଇଦେଇ ଯାଆନ୍ତି । ଏ କଥା ଜାଣି ପାରିଲେ ମହାପ୍ରଭୁ ଶ୍ରୀଗୌରାଙ୍ଗ । ସେ ନିଜେ ଗଲେ ମାଧାଇ ପାଖକୁ । ଦେଖିଲେ ମାଧାଇର ଦୁଇ ଆଖିରୁ ଧାର ଧାର ଲୁହ ବହିଚାଲିଛି । ମଝିରେ ମଝିରେ ତା ପାଟିରୁ ବାହାରୁଛି, ‘‘ପ୍ରଭୁ ମତେ କ୍ଷମା କର, କ୍ଷମା କର ।’’

 

ଶ୍ରୀଗୌରାଙ୍ଗ ମାଧାଇର ପାଖରେ ଯାଇ ବସିଲେ । ବହୁତ ବୁଝାଇଲେ ତାକୁ । କହିଲେ,’’ମୁଁ ତ କ୍ଷମା କରିସାରିଛି ! ତମ ପାପର ସମସ୍ତ ଦାୟିତ୍ଵ ତ ମୁଁ ବହନ କରିଛି ! ନିତାଇ ତ କ୍ଷମା କରିସାରିଛନ୍ତି ! ଆଉ ବାକି ରହିଲା କଣ ?’’ ମାଧାଇ ଆଖି ଖୋଲିଲା । ବଢ଼ାଯାଇଥିବା ଅନ୍ନ ଭକ୍ଷଣ କଲା ସେ । ଦେଖିଲା ଆଗରେ ଠିଆ ହୋଇଛନ୍ତି ନିତ୍ୟାନନ୍ଦ । ପାଖରେ ବସିଛନ୍ତି ଶ୍ରୀ ଗୌରାଙ୍ଗ । ଶ୍ରୀଗୌରଙ୍ଗ ମାଧାଇକୁ କହିଲେ,’’ନିତାଇ ତୋର ଗୁରୁ । ତାଙ୍କର ଆଦେଶ ପାଳନ କର ।’’

 

ମାଧାଇ କହିଲା, ‘‘ମୁଁ ମନେ ମନେ ଏକ ପରିକଳ୍ପନା କରିଛି । ମୁଁ ନଦିୟାର ଗାଧୁଆଘାଟରେ ଏକ ଜଗୁଆଳି ହୋଇ ରହିବି । ଏଇ ଘାଟ ବାଟେ ନଦିୟାର ନରନାରୀ, ସମସ୍ତଙ୍କର ଗମନାଗମନ । ଅତୀତରେ ମୁଁ ସେମାନଙ୍କ ପ୍ରତି ବହୁ ଦୁର୍ବ୍ୟବହାର କରିଛି । ସମସ୍ତଙ୍କୁ ହାତ ଯୋଡ଼ି କ୍ଷମା ମାଗିବି ।’’ ନିତାଇ ରାଜି ହେଲେ । କହିଲେ, ‘‘ଠିକ୍ ଅଛି । ଯାହା ଭାବୁଛ, ତାହା କର ।’’ ନିତାଇଙ୍କ ପଛେ ପଛେ ଚାଲିଲେ ମାଧାଇ । ମଧାଇଙ୍କ ଉପରେ ନଦିୟାବାସୀଙ୍କର ରାଗ ଥିଲା ବହୁତ । କିଏ ତାଙ୍କ ଉପରକୁ ଟେକାଟାଏ ଫୋପାଡ଼ିଲା ତ କିଏ ମେଞ୍ଚେ ଗୋବର ଫୋପାଡ଼ିଲା; କିନ୍ତୁ ମାଧାଇ ହସି ହସି ସବୁ ସହିଲେ ।

 

ସେ ପ୍ରତିଦିନ ବସିରହୁଥିଲେ ନଦୀଘାଟରେ; ଏକ ଛୋଟ କୁଡ଼ିଆ ଘରେ । ତାଙ୍କୁ ଦେଖିବା ପାଇଁ ଜମା ହେଉଥିଲେ ବହୁ ଲୋକ । ସେ ହାତଯୋଡ଼ି ସମସ୍ତଙ୍କୁ କହୁଥିଲେ, ‘‘ଯାହା ଭୁଲ୍ କରିଯାଇଛି । ସେତିକି । ମୋ ଭଳି ପାପୀ କେହି ନାହିଁ । ମୋ ହାତରେ କ୍ଷମତା ଥିଲା । ମନରେ ଥିଲ ଗର୍ବ, ଅଭିମାନ । ତାରି ବଳରେ ମୁଁ ଆପଣମାନଙ୍କ ଉପରେ ଅତ୍ୟାଚାର କରିଛି । ତୁମେ ଯେଉଁ ପ୍ରଭୁଙ୍କ ସନ୍ତାନ ମୁଁ ସେଇ ପ୍ରଭୁଙ୍କ ସନ୍ତାନ । ମତେ କ୍ଷମା ଦିଅ । ମୋ ମୁଣ୍ଡ ଉପରେ ତୁମ ମାନଙ୍କର ପାଦରଖ ।’’

 

ସମସ୍ତେ ଲକ୍ଷ୍ୟ କଲେ—ମାଧାଇଙ୍କ ମନ ପୂରାପୂରି ବଦଳି ଯାଇଛି । ସେ ହୋଇ ଉଠିଛନ୍ତି ବିନୟୀ; ଅତି ନମ୍ର । ତାଙ୍କ କଣ୍ଠରେ ହରିନାମ ଅତି ସୁନ୍ଦର ଶୁଭୁଛି । ପରବର୍ତ୍ତୀ କାଳରେ ମାଧାଇ ସନ୍ନ୍ୟାସୀ ଜୀବନ ଯାପନ କରିଥିଲେ । ନିଜ ହାତରେ କୋଡ଼ି ଧରି ଗଙ୍ଗାତୀରରେ ଏକ ଘାଟି ନିର୍ମାଣ କରିଥିଲେ । ତାହା ଏ ପର୍ଯ୍ୟନ୍ତ ‘ମାଧାଇ ଘାଟ’ ନାମରେ ପରିଚିତ ହୋଇଆସୁଛି ।

 

ଅବଶ୍ୟ କେତେକ କୁଳୀନ ବ୍ରାହ୍ମଣ ଶ୍ରୀଗୌରାଙ୍ଗ ବୈଷ୍ଣବ ସଂପ୍ରଦାୟରେ ଯୋଗ ଦେଇଥିଲେ । କିନ୍ତୁ ଅନେକେ ତାଙ୍କ ପାଖ ସୁଦ୍ଧା ମାଡ଼ୁନଥିଲେ । ଶ୍ରୀଚୈତନ୍ୟ ଜାତି ପତି, ଧନୀ ଗରିବ ଏ ଭେଦଭାବକୁ ଲୋପ କରି ଦେଉଥିବାରୁ ନିଜକୁ ନିଷ୍ଠାପର ବୋଲାଉଥିବା କୁଳୀନ ବ୍ରାହ୍ମଣମାନେ ତାଙ୍କୁ ଘୃଣାଚକ୍ଷୁରେ ଦେଖୁଥିଲେ । ଶ୍ରୀଚୈତନ୍ୟ ଅବଶ୍ୟ ଏକଦା ଜଣେ ମହାପଣ୍ଡିତ ଥିଲେ । ତଥାପି ଭକ୍ତମାନଙ୍କ ଆଗରେ ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କରୁନଥିଲେ । ଅତି ଛୋଟ ଛୋଟ ଉଦାହରଣ ଦେଇ ଅତି ସରଳ ଭାଷାରେ ଗୂଢ଼ ଆଧ୍ୟାତ୍ମିକ ତତ୍ତ୍ୱକୁ ଲୋକଙ୍କ ଭିତରେ ପରିବେଷଣ କରୁଥିଲେ । ‘ସଂସାରରୁ ମୁକ୍ତି ପାଇବୁ କିପରି’ ବୋଲି ଯଦି କେହି ତାଙ୍କୁ ପଚାରୁଥିଲା, ସେ ତାକୁ ଏକ ମାତ୍ର ଉତ୍ତର ଦେଉଥିଲେ, ‘‘ଅହରହ ଭଗବାନଙ୍କ ନାମ ସ୍ମରଣ କର । କରୁଣାମୟ ଜଗତର ପିତା । ଜଗନ୍ନାଥ ତୁମକୁ ସଂସାରବନ୍ଧନରୁ ମୁକ୍ତ କରିବେ । କଳିଯୁଗରେ ମୁକ୍ତିର ଏକମାତ୍ର ପଥ ହେଉଛି ନାମସ୍ମରଣ ।’’

 

ନଦିୟାର ଚାରିଆଡ଼େ ଚାଲିଲା ଦିନରାତି ହରିନାମ କୀର୍ତ୍ତନ । ଫଳରେ ତଥାକଥିତ ପଣ୍ଡିତମାନଙ୍କର ସ୍ୱାର୍ଥ ହାସଲ ଦିଗରେ ବାଧା ଦେଖାଗଲା । ସେତେବେଳେ ଜଗାଇ ମାଧାଇ ଥିଲେ । ସେ ସେମାନଙ୍କ ପାଖରେ ଗୁହାରି କଲେ ସେ ଶୁଣୁଥିଲେ । କିନ୍ତୁ ସେମାନେ ତ ଭକ୍ତ ପାଲଟିଲେ ! ଆପତ୍ତି କରିବେ କାହା ଆଗରେ ? ବ୍ରାହ୍ମଣମାନେ ଗଲେ ନଦିୟାର ମୁସଲମାନ ଶାସକ ଚାନ୍ଦ କାଜିଙ୍କ ପାଖରେ ଗୁହାରି କରିବା ପାଇଁ । ସେମାନେ କହିଲେ,’’ନିମାଇଁ ପଣ୍ଡିତ ଭଗବାନ ସାଜିଛି; ହିନ୍ଦୁ ଧର୍ମର ମୂଳ ଉତ୍ପାଟନ କରିବାରେ ଲାଗିଛି । ଶାସକର କର୍ତ୍ତବ୍ୟ ହେଉଛି ହିନ୍ଦୁ ପ୍ରଜାମାନଙ୍କୁ ରକ୍ଷା କରିବା । ଦାଣ୍ଡରେ ଘାଟରେ ନାଚି ନାଚି ଗାଇଗାଇ ବୁଲିବା ହିନ୍ଦୁ ଧର୍ମର ଶାସ୍ତ୍ର ଅନୁଯାୟୀ ଆପତ୍ତିଜନକ । ଏହା ଦ୍ୱାରା ଭଗବାନଙ୍କୁ ପରିହାସ କରାଯାଉଛି ।’’ ଏ ଯୁକ୍ତି କାଜିଙ୍କ ମନକୁ ପାଇଲ । ଯେହେତୁ ନଦିୟାର ଅଧିକାଂଶ ଲୋକ ଥିଲେ ହିନ୍ଦୁ, ସେମାନଙ୍କୁ ସନ୍ତୁଷ୍ଟ କରାଇବା ଏବଂ ତା ସଙ୍ଗେ ସଙ୍ଗେ ନିଜ ପରାକ୍ରମ ପ୍ରଦର୍ଶନ କରିବା ଲାଗି କାଜି ସମସ୍ତଙ୍କୁ କହିଲେ, ‘‘ମୁଁ ନିଶ୍ଚୟ ନିମାଇଁ ପଣ୍ଡିତକୁ ଦମନ କରିବି ।’’ କାଜି ନିଜ ଲୋକଙ୍କୁ ପଠେଇଲେ କୀର୍ତ୍ତନ ବନ୍ଦ କରିବା ପାଇଁ । କିନ୍ତୁ ନଦିୟା ତ କୌଣସି ଏକ ଛୋଟ ବସ୍ତୁ ନୁହେଁ—ଏକ ବଡ଼ ଅଞ୍ଚଳ । କାଜିଙ୍କ ଲୋକେ ଗୋଟିଏ ପାଖରେ କୀର୍ତ୍ତନ ବନ୍ଦ କଲାବେଳେ ଅନ୍ୟ ପାଖରେ ଏହା ଜୋରସୋର୍ ରେ ଚାଲିଲା । କାଜିଙ୍କୁ ତାଙ୍କ ଲୋକେ ଆସି ସେଇ କଥା ଜଣାଇଲେ । କାଜି କହିଲେ, ‘‘ଏଣିକି କଡ଼ା ବ୍ୟବସ୍ଥା କରାଯିବ ।’’ ଭକ୍ତମାନେ ଏ ଖବର ପାଇଥିଲେ ସୁଦ୍ଧା ଶ୍ରୀଗୌରାଙ୍ଗଙ୍କୁ ଜଣାଇବାକୁ ଚାହିଁଲେନି । ସେମାନେ ନିଜ ନିଜ ଭିତରେ କୁହାକୁହି ହେଲେ–ଦେଖାଯାଉ କ’ଣ ହେଉଛି ।

 

ଦିନେ ହଠାତ୍ କାଜି ନଜେ ଆସିଲେ ନିଜ ପଠାଣ ସୈନ୍ୟସାମନ୍ତଙ୍କୁ ଧରି । ସେତେବେଳେକୁ ସାହି-ସାହିରେ କୀର୍ତ୍ତନ ଚାଲିଥାଏ । କାଜିଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ସୈନ୍ୟସାମନ୍ତ ଲୋକଙ୍କୁ ଭୂଷଣ ବାଡ଼େଇଲେ । ଖୋଳ କରତାଳ ସବୁ ଭାଙ୍ଗିଦେଲେ । ଘରେ ପଶି ଲୁଟତରାଜ କଲେ । ତା ଆରଦିନ ସମସ୍ତେ ଆସି ଏ ଘଟଣା କହିଲେ ଶ୍ରୀଗୌରାଙ୍ଗଙ୍କୁ । ଶ୍ରୀଗୌରାଙ୍ଗ ଅବିଚଳିତ ଭାବରେ ଭକ୍ତମାନଙ୍କୁ କହିଲେ, ‘‘ଶ୍ରୀକୃଷ୍ଣଙ୍କ ଉପରେ ବିଶ୍ୱାସ ରଖ । ସେ ନିଶ୍ଚୟ ତୁମକୁ ରକ୍ଷା କରିବେ ।’’

 

ଭକ୍ତମାନଙ୍କ ମନରେ ନୂତନ ଉତ୍ସାହ ଦେଖାଦେଲା । ନଦୀୟାରେ ପୁଣି କୀର୍ତ୍ତନ ପାଇଁ ଉଦ୍ୟମ ଚାଲିଛି ବୋଳି କାଜି ଖବର ପାଇଲେ । ପୁଣି ଚାଲିଲା ଅତ୍ୟାଚାର । କ୍ରମଶଃ କୀର୍ତ୍ତନ ବନ୍ଦ ହୋଇଗଲା । ଭକ୍ତମାନେ ଗଲେ ଶ୍ରୀଗୌରାଙ୍ଗଙ୍କ ନିକଟକୁ । କହିଲେ, ‘‘ପ୍ରଭୋ ! ଆଉ ଏ ନଦିୟାରେ ରହି ହେବ ନାହିଁ ।’’ ଶ୍ରୀ ଗୌରାଙ୍ଗ ସଙ୍ଗେ ସଙ୍ଗେ ବିଶ୍ୱମୂର୍ତ୍ତି ଧାରଣ କଲେ । କହିଲେ, ‘‘କୌଣସି କାଜି ଭଗବାନ୍‌ଙ୍କ କୀର୍ତ୍ତନକୁ ବନ୍ଦ କରି ନ ପାରେ । ଆଜି କୀର୍ତ୍ତନ ବାହାରିବ । ମୁଁ ନେତୃତ୍ୱ ନେବି । ନଦିୟାର ସାହି, ଗଳିକନ୍ଦି ସବୁଠି କୀର୍ତ୍ତନ ଚାଲିବ । ସମସ୍ତଙ୍କୁ କହିଦିଅ ହାତରେ ଗୋଟିଏ ଗୋଟିଏ ନିଆଁହୁଳା ଧରି ଆସିବେ । ଆଜି ସମଗ୍ର ନଦିୟା ପ୍ରେମରସରେ ଭାସିଉଠିବ ।’’

 

ନଦିୟାରେ ଏହି ସମ୍ବାଦ ପ୍ରଚାରିତ ହେଲା । ହଜାର ହଜାର ଭକ୍ତ ଆସି ରୁଣ୍ଡ ହେଲେ । ବାପା ହାତରେ ଗୋଟିଏ ନିଆଁହୁଳା ତ ପୁଅ ହାତରେ ଗୋଟିଏ ନିଆଁହୁଳା । ସମଗ୍ର ନଦିୟା ଆଲୋକ ମାଳାରେ ଉଦ୍ଭାସିତ ହୋଇଉଠିଲା । କାଜୀର ପରାକ୍ରମକୁ ଜାଣିଥିବା ଲୋକେ କୁହାକୁହି ହେଲେ, ‘‘ନିମାଇଁର ଇଏ ଏକ ଛଳନା ମାତ୍ର । ସତେ କ’ଣ କୀର୍ତ୍ତନ ବାହାରିବ ?’’

 

କିନ୍ତୁ ଭକ୍ତମାନଙ୍କ ମଧ୍ୟରେ ଉଲ୍ଲାସ କହିଲେ ନ ସରେ । ନଦିୟାର ସମସ୍ତ ଘର ଆଗରେ ପୂର୍ଣ୍ଣକୁମ୍ଭ ସ୍ଥାପିତ ହେବାର ଦେଖାଗଲେ । ଘରର ସ୍ତ୍ରୀଲୋକେ ଫୁଲଚାଙ୍ଗୁଡ଼ି ଧରି ଠିଆ ହୋଇଥାଆନ୍ତି ବାରଣ୍ଡାମାନଙ୍କରେ—କୀର୍ତ୍ତନଦଳ ଗଲାବେଳେ ସେମାନଙ୍କ ଉପରେ ଫୁଲଚନ୍ଦନ ବୃଷ୍ଟି କରିବା ପାଇଁ ।

 

ପହଞ୍ଚିଲେ ମହାପ୍ରଭୁ ଶ୍ରୀଗୌରାଙ୍ଗ । ଚାରିଆଡ଼େ ଆଖିବୁଲେଇ ଭକ୍ତମାନଙ୍କୁ ଦେଖିଲେ-। ଜାଣିପାରିଲେ କାହାରି ମନରେ ମଧ୍ୟ ଭୟ ନାହିଁ । ତା’ପରେ ସେ ହୁଙ୍କାର ନାଦ କରି ଉଠିଲେ-। ଉପସ୍ଥିତ ଭକ୍ତମାନଙ୍କୁ ସେ ଚାରି ଭାଗରେ ବିଭକ୍ତ କରିଦେଲେ । ଶେଷ ଦଳରେ ରହିଲେ ସେ-। କୀର୍ତ୍ତନ ଶୋଭାଯାତ୍ରା ଚାଲିଲା । ମନେହେଲା ଯେପରି ଜନସମୁଦ୍ର ଚାଲିଛି, ଅଗଣିତ ତାରକା ଖଚିତ ଆକାଶ ଭଳି ନିଆଁ ହୁଳାଗୁଡ଼ିକର ଦୃଶ୍ୟ ଏକ ଅପୂର୍ବ ପରିବେଶ ସୃଷ୍ଟି କରିଥିଲା ।

 

ଷଡ଼ଯନ୍ତ୍ରକାରୀମାନେ ପ୍ରମାଦ ଗଣିବସିଲେ । ଜନସମୁଦ୍ର ମଧ୍ୟରେ ନିମାଇଁଙ୍କ ନୃତ୍ୟ ଏବଂ ତାଙ୍କର ଜ୍ୟୋତିର୍ମୟ ଅପରୂପ ଅଙ୍ଗଶୋଭା ଦେଖି ସେମାନେ ଯେତିକି ଆତଙ୍କିତ ହେଉଥିଲେ, ତା ଠାରୁ ବେଶି ଅକୃଷ୍ଟ ହୋଇ ପଡ଼ୁଥିଲେ । ସେମାନଙ୍କ ମଧ୍ୟରୁ କେହି କେହି ମନେ ମନେ କହିହେଉଥିଲେ, ‘‘ଧନ୍ୟ ଶଚୀ ମା ! ଏପରି ପୁଅକୁ ଜନ୍ମ ଦେଇ ତୁ ଭାଗ୍ୟବତୀ । ନିମାଇଁ ପଣ୍ଡିତ ମନୁଷ୍ୟ ନୁହେ; ମନୁଷ୍ୟ ରୂପରେ ସ୍ୱୟଂ ଭଗବାନ ।’’ ଯେଉଁମାନେ ଅଳ୍ପ ସମୟ ପୂର୍ବେ ନିମାଇଁଙ୍କ ବିରୋଧୀ ଥିଲେ ସେମାନେ ଜଣକ ପରେ ଜଣେ ଆସି କୀର୍ତ୍ତନଦଳ ଆଗରେ ମୁଣ୍ଡିଆ ମାରିବାକୁ ଲାଗିଲେ । ପାଗଳ ହୋଇ ଉଠିଲା ସମଗ୍ର ନଦିୟା । କିଏ ଧୂଳିରେ ଗଡ଼ିଲା ତ କିଏ କାହାକୁ କୁଣ୍ଢେଇବାରେ ଲାଗିଲା । କେହି କେହି ପାଗଳଙ୍କ ଭଳି ନାଚିବାରେ ଲାଗିଲେ । ଆଉ କେହି କେହି ମୁଣ୍ଡରେ ଧୂଳି ବୋଳି ହୋଇ ଖାଲି କାନ୍ଦିବାର ଦେଖାଗଲା ।

 

ଶୋଭଯାତ୍ରା ଚାଲିଛି । କିନ୍ତୁ କୁଆଡ଼େ ଯାଉଛି, କାହିଁକି ଯାଉଛି, ସମସ୍ତେ ଏକାବେଳକେ ଭୁଲିଯାଇଥିଲେ । ସେମାନଙ୍କ ଭିତରୁ ଯଦି ଦୈବାତ୍ କେହି ସ୍ୱାଭାବିକ ଅବସ୍ଥାକୁ ଫେରିଆସୁଥିଲା, ସିଏ ତା ସାଙ୍ଗରେ ନାଚୁଥିବା ବ୍ୟକ୍ତିକୁ କହୁଥିଲା, ‘‘ଆରେ ଆମେ ପରା ଯାଉଛେ କାଜି ପାଖକୁ—କିନ୍ତୁ କାଜି କାହିଁ ?’’ ସମସ୍ତେ ସିନା ଭୁଲିଯାଇଥିଲେ; କିନ୍ତୁ ଶ୍ରୀଗୌରାଙ୍ଗଙ୍କର ଠିକ୍ ମନେଥିଲା । କାଜୀର ବାସସ୍ଥାନ ସହରଠାରୁ ଟିକିଏ ଦୂରରେ ।

 

ନିମାଇଁ ପଣ୍ଡିତଙ୍କୁ ଜବତ କରିବା ପାଇଁ ଯେଉଁମାନେ କାଜିଙ୍କୁ ମତେଇଲେ ସେମାନେ ଇତିମଧ୍ୟରେ ବଦଳିଯାଇଛନ୍ତି । ଘୋର ଅନୁତାପ ଆସିଅଛି ସେମାନଙ୍କ ମନରେ । ଏଭଳି ଯେ ଏକ‌ ଜନସମୁଦ୍ର ମାଡ଼ି ଆସିବ କାଜି ଏ କଥା କଳ୍ପନା ସୁଦ୍ଧା କରି ନଥିଲେ । ସେଥିଲାଗି ସେ ମଧ୍ୟ ପ୍ରସ୍ତୁତ ନ ଥିଲେ । ହଠାତ୍ କାଜିଙ୍କ କାନରେ ପଡ଼ିଲା ବିପୁଳ କୋଳାହଳ । ସେ ଦୂରରୁ ଦେଖିଲେ ହଜାର ହଜାର ଅଗ୍ନି ଶିଖା । ଭାବିଲେ, ‘ଏକ ବିବାହ ଶୋଭାଯାତ୍ରା ଆସୁଛି ।’ ଘଟଣା କଣ ବୁଝିବା ଲାଗି ନିଜ ଲୋକଙ୍କୁ ପଠେଇଲେ ସେ । କିନ୍ତୁ ସେ ଲୋକ ଆଉ ଫେରିଲେ ନାହିଁ । କିନ୍ତୁ କୀର୍ତ୍ତନଦଳ‌ତାଙ୍କ ଘର ପାଖକୁ ଲାଗିଆସିବା ମାତ୍ରେ ସେ ସମସ୍ତ ଘଟଣା ଉପଲବ୍ଧି କରି କ୍ରୋଧରେ ନିଆଁ ଖଣ୍ଡ ହୋଇପଡ଼ିଲେ । ସୈନ୍ୟମାନଙ୍କୁ ଆଦେଶ କଲେ, ‘‘ଯାଅ, ଯାହାକୁ ପାଉଛ ବାନ୍ଧିଆଣ । ଏପରିକି ନିମାଇଁ ପଣ୍ଡିତକୁ ମଧ୍ୟ ।’’ ସୈନ୍ୟମାନେ ଗଲେ ସତ; କିନ୍ତୁ କୀର୍ତ୍ତନ ବନ୍ଦ ହେଲା ନାହିଁ । ଏ ଜନସମୁଦ୍ର ଭିତରେ ସୈନ୍ୟଙ୍କ ସଂଖ୍ୟା ବା କେତେ ? ସେମାନେ ତା ଭିତରେ କୁଆଡ଼େ ମିଳେଇ ଗଲେ । କାଜିଙ୍କ କାନରେ କେବଳ ଗୋଟିଏ ମନ୍ତ୍ର ଶବ୍ଦ ପଡ଼ୁଥାଏ, ‘‘ମାର୍ କାଜି, ମାର୍ କାଜି ।’’ କାଜି ଦେଖିଲେ ଲୋକମାନେ ତାଙ୍କ ଘରକୁ ଜନ୍ଦା ପିମ୍ପୁଡ଼ି ଭଳି ଘେରିଗଲେଣି । ଉଆସ ଭିତରେ ରହୁଥିବା ସ୍ତ୍ରୀଲୋକେ କିପରି ରକ୍ଷା ପାଇବେ, ତାଙ୍କୁ ସେଇ ଚିନ୍ତା ବେଶି ଘାରିଲା । କାଜି ଗମ୍ଭୀରାଘର ଭିତରେ ଯାଇ ଲୁଚିଛନ୍ତି ବୋଲି ଶ୍ରୀ ଚୈତନ୍ୟ ଜାଣିପାରିଲେ । ସେ ତାଙ୍କ ଲୋକଙ୍କୁ ପଠେଇ କହିଲେ, ‘‘ଯାଅ, କାଜିଙ୍କୁ କହ, ଭୟ କରିବାର କିଛି ନାହିଁ । ସେ ଆସନ୍ତୁ । ଭଣଜା ତ ଡାକୁଛି ମାମୁଁକୁ । ଏଥିରେ ଭୟରେ ଲୁଚିବାର କଣ ଅଛି ?’’ କାଜୀ ଥିଲେ ନିମାଇଁଙ୍କ ଅଜା ନୀଳାମ୍ବର ଚକ୍ରବର୍ତ୍ତୀଙ୍କ ଗାଁର ଲୋକ । ନୀଳାମ୍ବର ଚକ୍ରବର୍ତ୍ତୀଙ୍କୁ ସେ କକେଇ ବୋଲି ଡାକୁଥିଲେ । ତେଣୁ ଲେଖା-ଯୋଖାରେ ସେ ଥିଲେ ଶଚୀ ଦେବୀଙ୍କ ଭାଇ । ତେଣୁ ନିମାଇଁଙ୍କର ସେ ମାମୁଁ ହେବା କଥା । ନିମାଇଁଙ୍କ ତୁଣ୍ଡରୁ ମାମୁଁ ସମ୍ବୋଧନ ଶୁଣିବା ମାତ୍ରେ କାଜିଙ୍କ ମନରୁ ଭୟ ତୁଟିଗଲା । ସେ ପାଖକୁ ଆସି କହିଲେ, ‘‘ଯେହେତୁ ତତେ ମୁଁ ଦଣ୍ଡ ଦେଇଛି, ଆଉ ତୁ ଏତେ ଲୋକ ଧରି ଆସୁଛୁ, ତେଣୁ ମୋର ଭୟ ହେଉଥିଲା । ଯାହାହେଉ ମତେ ତୁ କ୍ଷମା ଦେଇଛି, ଏଥିଲାଗି ମୁଁ ତତେ ଧନ୍ୟବାଦ ଜଣାଉଛି ।’’

 

ଶ୍ରୀଗୌରାଙ୍ଗ କହିଲେ, ‘‘ମୋର ଗୋଟିଏ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦିଅ । ପ୍ରଶ୍ନ ହେଉଛି, ତୁମ କୀର୍ତ୍ତନ ବନ୍ଦ କରାଇଲ କାହିଁକି ? ହୁଏତ ତୁମକୁ କୀର୍ତ୍ତନ ଭଲ ଲାଗି ନପାରେ । କିନ୍ତୁ ଯେଉଁ ଉପାୟରେ ହେଉନା କାହିଁକି ଅନ୍ୟମାନେ ଭଜନ କୀର୍ତ୍ତନ କରିବାରେ ତୁମେ ଆପତ୍ତି କରୁଛ କାହିଁକି-?’’ କାଜି କହିଲେ, ‘‘ଯାହା ହେବାର ତ ହୋଇଗଲା, ସେ କଥା ଛାଡ଼ । ଏବେ ମୁଁ ବଡ଼ ଅଡ଼ୁଆରେ ପଡ଼ିଛି । ତତେ ସିନା ମୁହଁରେ ଭଣଜା ବୋଲି ଡାକୁଛି, କିନ୍ତୁ ମୋ ମନ କହୁଛି ତୁ ଏ ପୃଥିବୀର କୌଣସି ଜୀବ ନୋହୁ । ତତେ ଆଉ ଭଣଜା ବୋଲି ଡାକିବି ନାହିଁ । ଡାକିବି 'ଗୌରହରି-।' ମୁଁ କୀର୍ତ୍ତନର ବିରୋଧୀ ନୁହଁ । ନଦିୟାର କେତେକ ହିନ୍ଦୁ ନାଗରିକ ଆସି କୀର୍ତ୍ତନ ବନ୍ଦ କରିବା ପାଇଁ କହିବାରୁ ମୁଁ ତାର ବ୍ୟବସ୍ଥା କରିବା ପାଇଁ ବାଧ୍ୟ ହେଲି ।’’

 

କାଜି ପୁଣି କହିଲେ,’’ଗୋଟିଏ ସନ୍ଦେହ ମୋ ମୁଣ୍ଡକୁ ଗତ କେତେଦିନ ହେଲା କଙ୍କଡ଼ାବିଛା ଭଳି କାମୁଡ଼ୁଛି । ହିନ୍ଦୁମାନେ କହନ୍ତି, ଭଗବାନ ଏକ ଏବଂ ତାଙ୍କ ନାମ ନାରାୟଣ । କେତେ ଲୋକ କହୁଛନ୍ତି ତୁମେ ହେଉଛ ସ୍ୱୟଂ ନାରାୟଣ । ଏ କଥା କଣ ସତ ?’’

 

ଶ୍ରୀଗୌରାଙ୍ଗ କାଜିଙ୍କ ହାତକୁ ଧରି ହସି ହସି କହିଲେ, ‘‘ତୁମେ ଇତିମଧ୍ୟରେ ହରି, କୀର୍ତ୍ତନ, ନାରାୟଣ ଏଇ ତିନୋଟି ଶବ୍ଦ ଉଚ୍ଚାରଣ କରିସାରିଲଣି । ଏଇ ନାମ ଉଚ୍ଚାରଣ ଫଳରେ ତମର ସମସ୍ତ ପାପ ଧୋଇହୋଇଯାଇଛି ।’’ କାଜିଙ୍କ ଆଖିରୁ ଧାରଧାର ହୋଇ ଲୁହ ଖସିଆସିଲା-। ସକ୍ତି ହୋଇ ଆସିଲା ଶ୍ମଶ୍ରୁ । ଖାଲି କହିବାକୁ ଲାଗିଲେ, ‘‘ମତେ କ୍ଷମା ଦିଅ ପ୍ରଭୁ, ମୁକ୍ତି ଦିଅ-।’’

 

ଶ୍ରୀ ଗୌରାଙ୍ଗ କାଜିଙ୍କୁ ସାନ୍ତ୍ୱନା ଦେଇ କହିଲେ,’’କୃଷ୍ଣ କୀର୍ତ୍ତନରେ ମଜ୍ଜି ରହ ।’’ ଏତିକି କହି ମହାପ୍ରଭୁ ଭକ୍ତମାନଙ୍କୁ କହିଲେ, ‘‘ଆରମ୍ଭ କର କୀର୍ତ୍ତନ ।’’ କୃଷ୍ଣନାମ କୀର୍ତ୍ତନରେ କାଜିଙ୍କ ଜୀବନ ଅତିବାହିତ ହେଲା । ଜୀବନ ମଧ୍ୟ ଶେଷ ହେଲା ହରେ କୃଷ୍ଣ, ହରେ କୃଷ୍ଣ ଗାଇ ଗାଇ । ଏବେ ମଧ୍ୟ କାଜିଙ୍କର କବର ରହିଛି ନଦିୟାରେ । ବୈଷ୍ଣବମାନଙ୍କ ଲାଗି ଏହା ଏକ ତୀର୍ଥସ୍ଥାନ ।

 

ଶ୍ରୀବାସଙ୍କ ଘରର ଅଗଣା ଥିଲା ଏକ ତୀର୍ଥସ୍ଥାନ । ଏଇଠାରେ ହିଁ ପ୍ରଥମେ ଶ୍ରୀ ଗୌରାଙ୍ଗ ନିଜର ପରିଚୟ ପ୍ରଦାନ କରିଥିଲେ । ଅଧିକାଂଶ ସମୟ ରହୁଥିଲେ ଶ୍ରୀବାସଙ୍କ ଘରେ । ଏହି ଘରେ ହିଁ ଶ୍ରୀବାସଙ୍କ ନାତି ବୃନ୍ଦାବନ ଦାସ ପ୍ରଥମେ ଲେଖିଥିଲେ 'ଶ୍ରୀଚୈତନ୍ୟ-ଭାଗବତ' । ଏଠାରେ ଶ୍ରୀଗୌରାଙ୍ଗଙ୍କ ଅବସ୍ଥାନ କାଳରେ ପ୍ରତି ସଂଧ୍ୟାରେ ଚାଲୁଥିଲା ନାମ-ସଂକୀର୍ତ୍ତନ । ଭକ୍ତମାନଙ୍କର ସମାବେଶ ହେଉଥିଲା—ସ୍ତ୍ରୀଲୋକେ ବସୁଥିଲେ ବାରଣ୍ଡାରେ; ପୁରୁଷମାନେ ଭିତରେ । ଦିନେ ଏହିଭଳି ଏକ ସନ୍ଧ୍ୟାରେ ଅଗଣା ଭିତରେ କୀର୍ତ୍ତନ ଚାଲିଛି । ମହାପ୍ରଭୁ ଶ୍ରୀଗୌରାଙ୍ଗ ବସିଛନ୍ତି ମଝିରେ । ଅତି ରହସ୍ୟଜନକ ଭାବରେ ସେଦିନ ବାରଣ୍ଡାଟି ଏକାବେଳେ ଖାଲି ପଡ଼ିଛି । ପ୍ରଭୁଙ୍କ ପାଖରେ ବସିଛନ୍ତି ଶ୍ରୀବାସ । ହଠାତ୍ ଜଣେ କିଏ ଆସି ଶ୍ରୀବାସଙ୍କ କାନରେ କଣ କହିଦେଇଗଲା । ଖବରଟି ହେଉଛି, ଶ୍ରୀବାସଙ୍କ ଏକମାତ୍ର ଶିଶୁ ପୁତ୍ରର ମଲାଗଲା ଅବସ୍ଥା । ଶ୍ରୀବାସ ଖବର ପାଇଲେ ସତ-କୀର୍ତ୍ତନ ଓ ପ୍ରଭୁଙ୍କୁ ଛାଡ଼ି ଯିବାକୁ ଇଚ୍ଛା ହେଲାନି ତାଙ୍କର । ସବୁଦିନ ଭଳି ସେଦିନ ମଧ୍ୟ କୀର୍ତ୍ତନ ଆରମ୍ଭରୁ ବାରଣ୍ଡାରେ ବସିଥିଲେ ବହୁ ସ୍ତ୍ରୀଲୋକ । କିନ୍ତୁ ଶ୍ରୀବାସଙ୍କ ପୁଅର ଅବସ୍ଥା ଶୋଚନୀୟ ଜାଣି ସେମାନେ ଭିତରକୁ ଚାଲିଗଲେ । ପିଲାର ଅବସ୍ଥା ଦେଖି ସମବେଦନା ଜଣାଇବା ଉଦ୍ଦେଶ୍ୟରେ ସେମାନେ ଆଉ କୀର୍ତ୍ତନରେ ଯୋଗ ନ ଦେଇ ମନଦୁଃଖରେ ଯିଏ ଯାହା ଘରକୁ ଫେରିବାରେ ଲାଗିଲେ । ଅଳ୍ପ ସମୟ ପରେ ଶ୍ରୀବାସ ଗଲେ ପୁଅ ପାଖକୁ । ଶିଶୁ ପୁତ୍ର ପଡ଼ିରହିଛି ମାଆ କୋଳରେ । ସେ ଲକ୍ଷ୍ୟକଲେ ଆଉ ତା ଦେହରେ ପ୍ରାଣ ନାହିଁ । ସ୍ୱାମୀଙ୍କୁ ଦେଖିବା ମାତ୍ରେ ହଠାତ୍ କାନ୍ଦିଉିଠିଲେ ତାଙ୍କ ସ୍ତ୍ରୀ । ସ୍ତ୍ରୀଙ୍କୁ ବହୁତ ବୁଝେଇଲେ ଶ୍ରୀବାସ । କହିଲେ, ‘‘ଆମକୁ ଦିନେ ନା ଦିନେ ଋଣ ପରିଶୋଧ କରିବାକୁ ପଡ଼ିବ । ଯିଏ ତୋ କୋଳରେ ଶୋଇଛି ସେ ସଂସାରକୁ ଆସିଥିଲା ତାର ଋଣ ପରିଶୋଧ କରିବା ପାଇଁ । ସେତକ ସେ କରିସାରିବା ପରେ ସଂସାରରୁ ବିଦାୟ ନେଇଯାଉଛି ।’’ ଯେତେହେଲେ ମାଆ ମନ ବୁଝୁଛି କେତେକେ ? ସମୁଦ୍ର ଜୁଆର ଭଳି ତା ଭିତରେ ମାଡ଼ିଚାଲିଛି କୋହ ପରେ କୋହ ।

 

ପୁଣି ଶ୍ରୀବାସ କହିଲେ, ‘‘ଯାହା କର ପଛେ ପାଟିକରି କାନ୍ଦନି । ଯିଏ ସୃଷ୍ଟିର କର୍ତ୍ତା, ଯାହାର ଇଙ୍ଗିତରେ ଜଗତ ଚାଲୁଛି, ସିଏ ଆଜି ମୋର ଘରେ । ସେ ଗାଉଛନ୍ତି, ନାଚୁଛନ୍ତି । ତାଙ୍କର କୀର୍ତ୍ତନରେ ଏ ଶିଶୁଟିର ଆତ୍ମା ମଧ୍ୟ ଆନନ୍ଦରେ ନାଚି ଉଠୁଥିବ । ଯାହାର ନୃତ୍ୟଗୀତ ଶୁଣିବା ପାଇଁ ସ୍ୱର୍ଗର ଦେବତାମାନେ ମଧ୍ୟ କାନ ଡ଼େରି ରହିଛନ୍ତି, ସେ ଆମମାନଙ୍କ ପାଖରେ । ଆମଠୁ ବଳି ଭାଗ୍ୟବାନ ଆଉ କିଏ ଅଛି ? ତୁ ବାୟାଣୀଙ୍କ ଭଳି ଯଦି କାନ୍ଦୁ, ମହାପ୍ରଭୁଙ୍କ କୀର୍ତ୍ତନ ବ୍ୟାହତ ହେବ-। ହାତଯୋଡ଼ି କହୁଛି, କାନ୍ଦ ବନ୍ଦ କର । ଯଦି ତାହା ନ କରବ ମୁଁ ଗଙ୍ଗାରେ ଝାସ ଦେଇ ଆତ୍ମହତ୍ୟା କରିବି ।’’ ଏତିକି କହି ଶ୍ରୀବାସ କୀର୍ତ୍ତନ ଭିତରେ ପୁଣି ନିଜକୁ ମିଳେଇଦେଲେ । କିନ୍ତୁ ଘଟଣାଟି ପ୍ରକାଶ ନ ପାଇ ରହିଲା ନାହିଁ । ହଠାତ୍ ଜଣେ ଭକ୍ତଙ୍କର ନୃତ୍ୟ ବନ୍ଦ ହୋଇଗଲା । ଘର ଭିତରେ ଯାହା ଘଟିଯାଇଛି ତାର ଆଭାସ ପାଇଥିଲେ ସେ । କିନ୍ତୁ ସେ ଦେଖିଲେ ଶ୍ରୀବାସ ଦି'ହାତ ଟେକି ନୃତ୍ୟରେ ବିଭୋଳ । ଦୁଃଖର କୌଣସି ସୂଚନା ନାହିଁ ତାଙ୍କ ମୁଖମଣ୍ଡଳରେ । କ୍ରମଶଃ ଜଣ ଜଣ ହୋଇ ସମସ୍ତଙ୍କର କୀର୍ତ୍ତନ ବନ୍ଦ ହୋଇ ଆସିଲା । ନୃତ୍ୟ ବନ୍ଦ, ବାଦ୍ୟ ବନ୍ଦ, ଗୀତ ବନ୍ଦ । ମହାପ୍ରଭୁ ଶ୍ରୀଗୌରାଙ୍ଗ ସ୍ୱପ୍ନରୁ ଜାଗ୍ରତ ହେବା ଭଳି ଆଖି ଖୋଲି ଦେଖିଲେ ସମସ୍ତଙ୍କ ମୁହଁରେ ବିଷଣ୍ଣଭାବ-। ସେ କହିଉଠିଲେ, ‘‘ହେଲା କଣ ? କୀର୍ତ୍ତନରୁ କାହିଁକି କେଜାଣି ମୁଁ ଆନନ୍ଦ ପାଇପାରୁନି-।’’ ଶ୍ରୀବାସଙ୍କୁ ଲକ୍ଷ୍ୟ କରି କହିଲେ, ‘‘କାହିଁକି କେଜାଣି ମୋର ହୃଦୟ କାନ୍ଦିଉଠୁଛି । କୌଣସି ଏକ ଦୁର୍ଘଟଣା ଘଟିବା ଭଳି ମନେହେଉଛି । ଜଣାପଡ଼ୁଛି ତୁମର କଣ କିଛି ହୋଇଛି-?’’ ଶ୍ରବାସ କହିଲେ, ‘‘ସମ୍ମୁଖରେ ସ୍ୱୟଂ ମହାପ୍ରଭୁ ଥାଉ ଥାଉ ମୋର କୌଣସି କ୍ଷତି ଘଟିବା କଣ ସମ୍ଭବ-?’’ କିନ୍ତୁ ଅଦ୍ୱୈତ ଆଚାର୍ଯ୍ୟ ଦୁଃସମ୍ବାଦଟିକୁ ଜଣେଇବା ପାଇଁ ବାଧ୍ୟ ହେଲେ । କହିଲେ, ‘‘ପଣ୍ଡିତ ଶ୍ରୀବାସଙ୍କର ପୁତ୍ର-ବିୟୋଗ ଘଟିଛି ।’’

 

ମହାପ୍ରଭୁ ପଚାରିଲେ; ‘‘ଘଟିଲା କେତେବେଳେ ?’’ ଉତ୍ତର ଆସିଲା–‘‘ରାତି ନଅଟା ବେଳେ ।’’ ଶ୍ରୀ ଗୌରାଙ୍ଗ ନୀରବ ନିସ୍ତବ୍ଧ ଭାବରେ କିଛି ସମୟ ଚାହିଁ—ରହିଲେ ଶ୍ରୀବାସଙ୍କ ମୁହଁକୁ । ତା'ପରେ ଧୀରେ ଧୀରେ କହିଲେ, ‘‘ତୁମେ ହିଁ ଶ୍ରୀକୃଷ୍ଣଙ୍କୁ ଜୟ କରିପାରିଲ ଶ୍ରୀବାସ ǃ" କହୁ କହୁ ଲୋତକର ପ୍ଳାବନ ଛୁଟିଲା ଶ୍ରୀଚୈତନ୍ୟଙ୍କ ଦୁଇ ଚକ୍ଷୁରୁ ।

 

ଶ୍ରୀବାସ ଆଉ ସମ୍ଭାଳି ପାରିଲେନି । ସେ ମଧ୍ୟ କାନ୍ଦିଉଠିଲେ । କହିଲେ,’’ମହାପ୍ରଭୁ ǃ ମୁଁ ଏଇଭଳି କୋଟି କୋଟି ଦୁଃଖକୁ ସହ୍ୟ କରିବାକୁ ପ୍ରସ୍ତୁତ । କିନ୍ତୁ ତୁମ ଆଖିର ଲୁହ ମୋର ଆଦୌ ସହ୍ୟ ହୋଇପାରୁନି । ତୁମର ଏଇ ଅବସ୍ଥା ହେବ ବୋଲି ଜାଣି ମୁଁ ଘଟଣାଟିକୁ ଗୋପନ ରଖିଥିଲି । ଜଗତରେ ବହୁତ ପ୍ରାଣୀ ଜନ୍ମ ହେଉଛନ୍ତି, ମରୁଛନ୍ତି; କିନ୍ତୁ ଆଜି ଯେଉଁ ଜୀବଟି ଇହଲୀଳା ସମ୍ବରଣ କଲା ତା'ଠୁ ବଳି ଭାଗ୍ୟବାନ୍ ଆଉ କେହି ନାହିଁ । ଯେଉଁ ଘରେ ସ୍ୱୟଂ ଭଗବାନ୍, ସେଇ ଘରେ ତାର ମୃତ୍ୟୁ ଘଟିଲା ।’’ ଶ୍ରୀ ଗୌରାଙ୍ଗ ଶ୍ରୀବାସଙ୍କୁ କହିଲେ, ‘‘ଯିଏ ଭଗବାନ୍ ଙ୍କର ଦାସ, ତାର ଦୁଃଖ ବୋଲି କିଛି ନଥାଏ । ଏହା ନିରାଟ ସତ୍ୟ । ତୁମେ ଜଗତ ଆଗରେ ଯେଉଁ ଜ୍ୱଳନ୍ତ ଦୃଷ୍ଟାନ୍ତ ରଖିଦେଇଗଲ, ତାଦ୍ୱାରା ଯୁଗ ଯୁଗ ଧରି ବହୁଲୋକ ଉପକୃତ ହେବେ । ଏକମାତ୍ର ପୁତ୍ରର ମୃତ୍ୟୁଠାରୁ ବଳି ଅଧିକ ଦୁଃଖଦାୟକ ଘଟଣା ଆଉ କିଛି ଥାଇନପାରେ । ତୁମେ ତାକୁ ସହ୍ୟ କରିପାରିଛି । ଶ୍ରୀକୃଷ୍ଣଙ୍କ ଅତି ଘନିଷ୍ଠ ହୋଇପାରିଛି ତୁମେ ।’’

 

ଏତିକି କହି ସେ ଭକ୍ତମାନଙ୍କୁ କହିଲେ, ‘‘ମାଆଙ୍କୁ କୁହ ସେ ମୃତଶିଶୁକୁ ଧରି ମୋ ପାଖକୁ ଆସନ୍ତୁ ।’’ ଶ୍ରୀବାସଙ୍କ ସ୍ତ୍ରୀ ମୃତଶିଶୁକୁ ଧରି ଆସିଲେ ପ୍ରଭୁଙ୍କ ପାଖକୁ । ମହାପ୍ରଭୁ କହିଲେ, ‘‘ପିଲାଟିକି ମୋ ଆଗରେ ରଖ, ମୁଁ ଦେଖିବି ।’’ ପ୍ରଭୁଙ୍କ ଆଗରେ ରଖାଗଲା ପିଲାଟିକି । ଶ୍ରୀ ଗୌରାଙ୍ଗ ପିଲାଟିକୁ ସମ୍ବୋଧନ କରି କହିଲେ, ‘‘ବାପା, କଥା କୁହ । ସମସ୍ତେ ଶୁଣିବେ ।’’ ମୃତଶିଶୁ ମୁହଁରୁ ଫୁଟିଉଠିଲା ଅମୃତର ବାଣୀ । କହିଲା, ‘‘କେହି ଦୁଃଖ କର ନାହିଁ; ମୁଁ ଏଇ ଶରୀର ତ୍ୟାଗ କରି ଯାଉଛି ଏକ ଉନ୍ନତ ସ୍ତରରେ ପହଞ୍ଚିବା ଲାଗି ।’’ ମହାପ୍ରଭୁଙ୍କୁ ଲକ୍ଷ୍ୟ କରି କହିଲା, ‘‘ହେ ପ୍ରଭୁ ǃ ତୁମର ପାଦପଦ୍ମରେ ସର୍ବଦା ମୋର ଆତ୍ମା ରହିଥାଉ, ଏତିକି ମୋର ପ୍ରାର୍ଥନା ।’’ ତା'ପରେ ଯେଉଁ ମୃତଶିଶୁ, ସେଇ ମୃତଶିଶୁ । ଉପସ୍ଥିତ ସମସ୍ତେ ଅବାକ୍ । ଶ୍ରୀବାସ ଓ ତାଙ୍କ ସ୍ତ୍ରୀଙ୍କ ଆଖିରୁ ଆନନ୍ଦାଶ୍ରୁ ବହିଆସିଲା । ମହାପ୍ରଭୁ ଶ୍ରୀ ଗୌରାଙ୍ଗଙ୍କର ଆଉ ଏକ ଲୀଳା ଶେଷ ହେଲା ଏହିଠାରେ । ଦିନେ ସକାଳବେଳା ଶ୍ରୀ ଗୌରାଙ୍ଗ ବାହାରିଲେ ଶାନ୍ତିପୁର ଅଭିମୁଖେ ଅଦ୍ୱୈତ ଆଚାର୍ଯ୍ୟଙ୍କ ଘରକୁ ଯିବାକୁ-। ସାଙ୍ଗରେ ନିତ୍ୟାନନ୍ଦ ଓ ଭକ୍ତମାନେ । ଯାଉ ଯାଉ ବାଟରେ ପଡ଼ିଲା ଏକ ନିର୍ଜ୍ଜନ ସ୍ଥାନରେ ଏକ ଛୋଟ କୁଡ଼ିଆଘର । ନିତ୍ୟାନନ୍ଦ ପଚାରିଲେ, ଏ ଘରଟି କାହାର ?’’ ସ୍ଥାନୀୟ ଲୋକେ କହିଲେ, ‘‘ଜଣେ ସନ୍ନ୍ୟାସୀଙ୍କର । ଘରେ ରହନ୍ତି ସନ୍ନ୍ୟାସୀ ଓ ତାଙ୍କ ସ୍ତ୍ରୀ ।’’

 

—"ସନ୍ନ୍ୟାସୀ, ତାଙ୍କର ପୁଣି ସ୍ତ୍ରୀ ? ବଡ଼ ଅଦ୍ଭୁତ କଥା ତ ǃ" ଶ୍ରୀଗୌରାଙ୍ଗଙ୍କ ପ୍ରଶ୍ନର ଉତ୍ତର ନ ପାଉଣୁ ତାଙ୍କ ପାଖରେ ଆସି ଠିଆହେଲେ ସନ୍ନ୍ୟାସୀ ନିଜେ । ତାଙ୍କ ଘରେ ଆତିଥ୍ୟ ଗ୍ରହଣ କରିବା ପାଇଁ ସେ ଅନୁରୋଧ କଲେ । କିଏ ଭିକ୍ଷା ଦେବାକୁ ଯାଚିଲେ ଶ୍ରୀ ଗୌରାଙ୍ଗ ମନା କରନ୍ତି ନାହିଁ । ସେ ସାଙ୍ଗେ ସାଙ୍ଗେ ସନ୍ନ୍ୟାସୀଙ୍କୁ ପ୍ରଣାମ କରିବା ମାତ୍ରେ ସନ୍ନ୍ୟାସୀ ତାଙ୍କୁ ଆଶୀର୍ବାଦ କରି କହିଲେ-"ଧନ, ଜନ, ଗୋପ, ଲକ୍ଷ୍ମୀ ଲାଭ କର ।’’ ସଙ୍ଗେ ସଙ୍ଗେ ଶ୍ରୀ ଗୌରାଙ୍ଗ ଆପତ୍ତି କରି କହିଲେ, ‘‘ମୁଁ ଜଣେ ସନ୍ନ୍ୟାସୀଙ୍କଠାରୁ କେବଳ ଭକ୍ତି ଆଶା କରିଥିଲି; କିନ୍ତୁ ଏସବୁ କଣ ?’’ ଏତିକିରେ ସନ୍ନ୍ୟାସୀଜଣକ କ୍ରୋଧାନ୍ୱିତ ହୋଇଉଠିଲେ । କହିଲେ, ‘‘ମୁଁ ସାରା ଭାରତରେ ବହୁ ତୀର୍ଥ ପର୍ଯ୍ୟଟନ କରିଛି, ବହୁ ଶାସ୍ତ୍ର ପାଠକରିଛି । ତୁମଠାରୁ କର୍ତ୍ତବ୍ୟ ଅକର୍ତ୍ତବ୍ୟ କଣ ଶିଖିବା ପାଇଁ ମୋର କିଛି ବାକି ନାହିଁ ।’’ ଘଟଣା ଟିକିଏ ଉତ୍ତେଜନାପୂର୍ଣ୍ଣ ହୋଇଉଠିବା ଫଳରେ ନିତ୍ୟାନନ୍ଦ ସନ୍ନ୍ୟାସୀଙ୍କୁ ଶାନ୍ତ କରାଇ କହିଲେ, ‘‘ଚାଲନ୍ତୁ କ'ଣ ଖାଇବାକୁ ଦେବାପାଇଁ ଭାବୁଥିଲେ ପରା । ସେ କାମ ଶେଷ କରିବା ପରେ ଅନ୍ୟ ଯାହା କିଛି ।’’

 

ସନ୍ନ୍ୟାସୀଜଣକ ଗୁଡ଼ିଏ ପଳ ଆଣି ଅତିଥିମାନଙ୍କୁ ଦେଲେ ଏବଂ ଶ୍ରୀ ଗୌରାଙ୍ଗ ଓ ନିତ୍ୟାନନ୍ଦଙ୍କୁ ସେ ପଚାରିଲେ,’’ଆନନ୍ଦ ଦରକାର କି ?’’ ଏତିକିବେଳେ ଗୃହଣୀଙ୍କ ଡକରା ପାଇ ସନ୍ନ୍ୟାସୀ ଚାଲିଗଲେ ଘର ଭିତରକୁ ।

 

ଶ୍ରୀଗୌରାଙ୍ଗ ନିତ୍ୟାନନ୍ଦଙ୍କୁ ପଚାରିଲେ, ‘‘ଆନନ୍ଦ କଣ ?’’ ନିତ୍ୟାନନ୍ଦ କହିଲେ, ‘‘ଆନନ୍ଦ ଅର୍ଥ ହେଉଛି ମଦ । ସନ୍ନ୍ୟାସୀ ଜଣକ ଜଣେ ତାନ୍ତ୍ରିକ ।’’ ଆତଙ୍କିତ ହୋଇଉଠିଲେ ମହାପ୍ରଭୁ । ସଙ୍ଗେ ସଙ୍ଗେ ଉଠିପଡ଼ି ବାଟଘାଟ ନମାନି ଦଉଡ଼ିଲେ ସେ । ତାଙ୍କ ପଛେ ପଛେ ନିତ୍ୟାନନ୍ଦ । ଦୁହେଁ ଯାଇ ପଶିଲେ ଗଙ୍ଗା ଭିତରେ । ସେ ନିତ୍ୟାନନ୍ଦଙ୍କୁ ଡାକି ତାଙ୍କ କାନରେ କହିଲେ,’’ଅଦ୍ୱୈତ ଆଚାର୍ଯ୍ୟ ଉକ୍ତିକୁ ଛାଡ଼ି ଜ୍ଞାନକୁ ଧରିବା ପାଇଁ ମନେ ମନେ ସ୍ଥିର କରିଛନ୍ତି । ମୁଁ ଉପଯୁକ୍ତ ଶିକ୍ଷା ଦେବାପାଇଁ ତାଙ୍କ ପାଖକୁ ଯାଉଛି ।’’ କହୁ କହୁ ଶ୍ରୀଗୌରାଙ୍ଗ ଏକାବେଳେ ଭାବାବିଷ୍ଟ । ନିତ୍ୟାନନ୍ଦ ତାଙ୍କ ମୁଖମଣ୍ଡଳରେ ଦେଖିଲେ କୋଟିସୂର୍ଯ୍ୟର ପ୍ରଭା ।

 

କିଛି ସମୟ ପରେ ସେମାନେ ପହଞ୍ଚିଲେ ଅଦ୍ୱୈତଙ୍କ ଘରେ । ଭକ୍ତମାନଙ୍କ ଗହଣରେ ବସିଛନ୍ତି ଅଦ୍ୱୈତ ଆଚାର୍ଯ୍ୟ । ମୁଖ୍ୟ ଭକ୍ତ ହରିଦାସ । ଶ୍ରୀ ଚୈତନ୍ୟଙ୍କୁ ସାଦର ଅଭ୍ୟର୍ଥନା ଜଣାଇଲେ ଅଦ୍ୱୈତ ଆଚାର୍ଯ୍ୟ, କିନ୍ତୁ ଶ୍ରୀ ଗୌରାଙ୍ଗ ତାଙ୍କୁ କୌଣସି ଉତ୍ତର ନ ଦେଇ ପ୍ରଥମେ ପ୍ରଶ୍ନ କଲେ, ‘‘ମୁକ୍ତିର ପନ୍ଥା ମଧ୍ୟରୁ ତୁମେ କେଉଁ ମାର୍ଗଟିକୁ ଚାହଁ ? ଭକ୍ତି ନା ଜ୍ଞାନ ?’’ ଏତେବେଳକୁ ଅଦୈତ ଆଚାର୍ଯ୍ୟଙ୍କ ବୟସ ପ୍ରାୟ ଛଅସ୍ତରୀ ବର୍ଷ । ତାଙ୍କର ଧାରଣା, ଭକ୍ତି ମାର୍ଗ ଦ୍ୱାରା ମନୁଷ୍ୟ ପାଗଳ ହେବା ସାର ହେବ । ସେଥିପାଇଁ ସେ ବିରକ୍ତିରେ ନଦିୟା ଛାଡ଼ି ଚାଲିଆସିଥିଲେ ନିଜ ବାସସ୍ଥାନ ଶାନ୍ତିପୁର । ଶ୍ରୀଗୌରାଙ୍ଗ ଅଦ୍ୱୈତ ଆଚାର୍ଯ୍ୟଙ୍କୁ ପ୍ରଶ୍ନ କଲାବେଳେ ଶ୍ରୀଗୌରାଙ୍ଗ ରହିଥିଲେ ଐଶ୍ୱରିକ ଅବସ୍ଥାରେ । ଅଦ୍ୱୈତ ତାହା ଜାଣିପାରିଲେ ନାହିଁ । ସେ ପ୍ରତିରୋଧ କରି କହିଲେ, ‘‘ଭକ୍ତି ତୁଳନାରେ ଜ୍ଞାନମାର୍ଗ ଉତ୍କୃଷ୍ଟ ।’’ ଶ୍ରୀଗୌରାଙ୍ଗ ସଙ୍ଗେ ସଙ୍ଗେ କହିଲେ, ‘‘ତୁମର ମନର ବ୍ୟାଧିକୁ ମୁଁ ଜାଣେ । ସେ ବ୍ୟାଧିର ଉପଶମ ଲାଗି ତ ମୁଁ ଆସିଛି ।’’ ଏହା କହୁ କହୁ ସେ ଛେଚି ହୋଇ ପଡ଼ିଗଲେ ଅଦ୍ୱୈତଙ୍କ ଉପରେ । ମନେହେଲା ଯେପରି ଅଦ୍ୱୈତଙ୍କୁ ସେ ଜାଣିଶୁଣି ମାଡ଼ିବସୁଛନ୍ତି । ଅଦ୍ୱୈତଙ୍କ ସ୍ତ୍ରୀ ଝପଟି ଆସିଲେ । ଉତ୍ତେଜିତ ସ୍ୱରରେ କହିଲେ, ‘‘ତୁମେ ହେଉଛ ବ୍ରାହ୍ମଣ ସନ୍ତାନ । ଜଣେ ବୃଦ୍ଧ ଲୋକଙ୍କୁ ଏପରି ଭାବରେ ମାରିବା କ'ଣ ଉଚିତ ହେଲା ? ସେ ମରିଗଲେ ସେଥିଲାଗି ସମସ୍ତଙ୍କୁ ଦାୟୀ ହେବାକୁ ପଡ଼ିବ ।’’

 

ଅଦ୍ୱୈତଙ୍କ ସ୍ତ୍ରୀ ଉପସ୍ଥିତ ଭକ୍ତମାନଙ୍କୁ ଲକ୍ଷ୍ୟ କରି କହିଲେ, ‘‘ତୁମମାନଙ୍କ ଭଳି କାପୁରୁଷ ମୁଁ ଆଉ କେଉଁଠି ଦେଖିନାହିଁ । ଗୁରୁଙ୍କ ଉପରେ ଆକ୍ରମଣ ଚାଲିଛି, ଅଥଚ ତୁମେମାନେ..’’ କିନ୍ତୁ ସଂଗେ ସଂଗେ ପରିସ୍ଥିତି ଅନ୍ୟପ୍ରକାରର ହୋଇ ଉଠିଲା । ଅଦ୍ୱୈତ ଆଚାର୍ଯ୍ୟ ଧୀରେ ଧୀରେ ଉଠି ବସିଲେ । ନିଜ ସ୍ତ୍ରୀ ଓ ଭକ୍ତମାନଙ୍କୁ କହିଲେ, ‘‘ଇଏତ ଆକ୍ରମଣ ନୁହେଁ, ଆଲିଙ୍ଗନ । ମୋ ହୃଦୟ ଭିତରେ ଯେଉଁ ଆନନ୍ଦର ତରଙ୍ଗ ଖେଳୁଛି, ମନରେ ଯେଉଁ ଶାନ୍ତିଲାଭ କରୁଛି ଏହା ମୁଁ ଜୀବନରେ କେବେ ପାଇ ନଥିଲି । ପ୍ରଭୁଙ୍କ କରୁଣାବର୍ଷଣ ହୋଇଛି ମୋ ଉପରେ ।’’ ଶ୍ରୀଗୌରାଙ୍ଗ ଭାବାବେଶରୁ ଉଠି ସିଧାସଳଖ ଯାଇ ବସିଲେ ବାରଣ୍ଡାରେ । ତାଙ୍କ ଦେହରୁ ଝାଳ ବହିଆସୁଥାଏ । ମନେ ହେଉଥିଲା, ସେ କ୍ଳାନ୍ତ ହୋଇପଡ଼ିଛନ୍ତି । ହଠାତ୍ ଶ୍ରୀଗୌରାଙ୍ଗ ବଡ଼ ପାଟିରେ କହିଉଠିଲେ, ‘‘ମୁକ୍ତିଲାଗି ଯଦି ଜ୍ଞାନମାର୍ଗ ଧରିବାକୁ ଇଚ୍ଛା, ତାହେଲେ ଅବତାରକୁ ପ୍ରାର୍ଥନା କରିବା ନିଷ୍ପ୍ରୟୋଜନ-।’’ ଏ କଥା ଅଦ୍ୱୈତଙ୍କ କାନରେ ପଡ଼ିବା ମାତ୍ରେ ସେ ଦଉଡ଼ି ଆସି ଶ୍ରୀଗୌରାଙ୍ଗଙ୍କ ଗୋଡ଼ ତଳେ ପଡ଼ିଗଲେ । ତାଙ୍କ ପାଦ ଧରି କହିଲେ,’’ ଏକଥା କହନ୍ତୁ ନାହିଁ ମହାପ୍ରଭୁ ǃ" ସେତେବେଳେ ଶ୍ରୀଗୌରାଙ୍ଗ ଥିଲେ ସ୍ୱାଭାବିକ ଅବସ୍ଥାରେ । ଅଦ୍ୱୈତ ଆଚାର୍ଯ୍ୟ ତାଙ୍କ ପାଦ ଧରିବା ମାତ୍ରେ ସେ ଅତି ଦୁଃଖିତ ହୋଇ କହିଲେ, ‘‘ଅଦ୍ୱୈତଙ୍କ ଭଳି ଲୋକ ମୋ ଗୋଡ଼ ଧରିବା ବାସ୍ତବିକ ମୋ ପକ୍ଷରେ ଏକ ବଡ଼ ଅପରାଧ ।’’

 

ସେତେବେଳକୁ ଶ୍ରୀଗୌରାଙ୍ଗ ଧୂଳି-ଧୂସରିତ ଅବସ୍ଥା । ସଙ୍ଗେ ସଙ୍ଗେ ତାଙ୍କର ଗାଧୁଆ-ପାଧୁଆର ବ୍ୟବସ୍ଥା କରାଗଲା । ସେ ଅଦ୍ୱୈତ ଆଚାର୍ଯ୍ୟଙ୍କ ସ୍ତ୍ରୀଙ୍କ ପାଖକୁ ଯାଇ କହିଲେ, ‘‘ମା ǃ ମତେ ଭୀଷଣ ଭୋକ ହେଉଛି । ଶୀଘ୍ର କୃଷ୍ଣଙ୍କ ପ୍ରସାଦ ଆଣିଦିଅ, ମୁଁ ଖାଇବି ।’’ ମାଆ ଡାକ ଶୁଣିବା ମାତ୍ରେ ଅଦ୍ୱୈତଙ୍କ ସ୍ତ୍ରୀଙ୍କ ଆଖିରୁ ଧାର-ଧାର ହୋଇ ଲୁହ ଗଡ଼ିଆସିଲା । ମନେ ମନେ ସେ ଅନୁତାପ କଲେ ଏବଂ ଭାବିଲେ ଅଳ୍ପ ସମୟ ତଳେ ମୁଁ ଏ ଯୁବକକୁ କେତେ ଗାଳି ନ ଦେଇଛି ǃ ଶ୍ରୀ ଗୌରଙ୍ଗ ଅଦ୍ୱୈତଙ୍କ ଘର ଭିତରେ ଥବା ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ପାଖକୁ ଯାଇ ସେଠାରେ ବସିଲେ । ପାଖରେ ଯାଇ ବସିଲେ ଅଦ୍ୱୈତ ଓ ହରିଦାସ । ଦୁହେଁ ପ୍ରଥମେ ମୁଣ୍ଡିଆ ମାରିଲେ ପ୍ରଭୁଙ୍କ ପାଦତଳେ । ନିତ୍ୟାନନ୍ଦ ଆସି ପହଞ୍ଚିଲେ ସେମାନଙ୍କ ପାଖରେ । କହିଲେ, ‘‘ବୃନ୍ଦାବନ ପାଇଁ ଏହା ହେଉଛି ସେତୁବନ୍ଧ ।’’

 

ଶାନ୍ତପୁରରୁ ନଦିୟାକୁ ଫେରିଲେ ମହାପ୍ରଭୁ ଶ୍ରୀ ଗୌରାଙ୍ଗ । ସାଙ୍ଗରେ ଧରି ଆସିଲେ ସେ ଅଦ୍ୱୈତ ଆଚାର୍ଯ୍ୟଙ୍କୁ । ଆଚାର୍ଯ୍ୟ ମହାଶୟ ବର୍ତ୍ତମାନ ଶ୍ରୀ ଚୈତନ୍ୟଙ୍କ ପ୍ରେମ-ଫାଶରେ ପୂରାପୂରି ବନ୍ଦୀ କହିଲେ ଚଳେ । ନଦିୟାକୁ ଫେରିଆସିବା ପରେ ତାଙ୍କର ପ୍ରଥମ ସାକ୍ଷତ ହେଲା ଜଣେ ସନ୍ନ୍ୟାସୀ ଗୌରୀଦାସ ସହିତ । ତାଙ୍କୁ ଦେଖିବା ମାତ୍ରେ ମହାପ୍ରଭୁ କହିଲେ ‘‘ମୁଁ ତମ ପାଇଁ ଏକ ଆହୁଲା ଧରି ଆସୁଛି ।’’ ଗୌରୀଦାସ କହିଲେ, ‘‘ଆହୁଲାରେ କଣ କରିବି ?’’ ଶ୍ରୀଗୌରଙ୍ଗ କହିଲେ, ‘‘ଲୋକଙ୍କୁ ସଂସାର-ସାଗରରୁ ପାରି କରାଇବ ।’’

 

ଗୌର ଦାସ ସଙ୍ଗେ ସାଙ୍ଗେ ଉତ୍ତର ଦେଲେ, ‘‘ଆହୁଲାକୁ ଗ୍ରହଣ କରିବା ଅର୍ଥ ମତେ ନାବିକ ଭାବରେ ବିରାଟ ଦାୟିତ୍ୱ ଗ୍ରହଣ କରିବାକୁ ପଡ଼ିବ । ନାବିକ ହେବା ପାଇଁ ଯେଉଁ ସାହାସ ଓ ଧୈର୍ଯ୍ୟ ଆବଶ୍ୟକ ସେତକ ମତେ ଆଗ ଦିଅନ୍ତୁ, ତାପରେ ଯାହା କିଛି ।’’ ଶ୍ରୀ ଗୌରାଙ୍ଗ ହସି ହସି କହିଲେ, ‘‘ସେ ଶକ୍ତି ତୁମର ମନରେ ଅଛି ବୋଲି ଜାଣି ମୁଁ ଆହୁଲାଟିକୁ ଦେଉଛି ।’’ ସତକୁ ସତ ଶ୍ରୀ ଗୌରାଙ୍ଗ ଗୋଟିଏ ଆହୁଲା ଦେଇଥିଲେ ଗୌରାଦାସଙ୍କୁ । ସେ ଆହୁଲାଟି ଏ ପର୍ଯ୍ୟନ୍ତ ଖୁଲନା ମନ୍ଦିରରେ ରହିଛି । ବାସ୍ତବରେ ପରବର୍ତ୍ତୀ କାଳରେ ଏଇ ଗୌରୀଦାସ ଓଡ଼ିଶାରେ ବୈଷ୍ଣବଧର୍ମ ପ୍ରଚାର କରିଥିଲେ ବିଶେଷଭାବରେ । ଦିନେ ମହାପ୍ରଭୁ ଶ୍ରୀ ଗୌରାଙ୍ଗ ଭକ୍ତମାନଙ୍କୁ କହିଲେ, ‘‘ଆସ ସମସ୍ତେ ମିଳିମିଶି ଶ୍ରୀକୃଷ୍ଣଲୀଳା ପ୍ରଦର୍ଶନକରିବା । ଏ ସଂପର୍କରେ ଏକ ନାଟକ ମଞ୍ଚସ୍ଥ କରିବା ପାଇଁ ପ୍ରସ୍ତାବ କଲେ ସେ । ଏଥିପାଇଁ ସମସ୍ତ ପ୍ରକାରର ଆୟୋଜନ କରାଗଲା । ଭକ୍ତମାନେ କହିଲେ, ‘‘କିଏ କେଉଁ ଭୂମିକାରେ ଅଂଶ ଗ୍ରହଣ କରିବ ତାର ବ୍ୟବସ୍ଥା ତ କରିବାକୁ ପଡ଼ିବ । ଆଗରୁ ଅଭ୍ୟାସ ତ କରିବା ଆବଶ୍ୟକ ।’’

 

ଶ୍ରୀ ଗୌରାଙ୍ଗ କହିଲେ, ‘‘ଅଭ୍ୟାସ କରିବାର କୌଣସି ଆବଶ୍ୟକତା ନାହିଁ । ସବୁ କାର୍ଯ୍ୟ ତା ମନକୁ ହୋଇଯିବ । ଏ ବିଶ୍ୱ-ବ୍ରହ୍ମାଣ୍ଡର ପରିଚାଳକ ଯିଏ, ସେ ହେବେ ଆମର ନିର୍ଦ୍ଦେଶକ । ଆମେମାନେ ତାଙ୍କର କ୍ରୀଡ଼ା—ପୁତ୍ତଳିକା ମାତ୍ର ।’’

 

କିନ୍ତୁ କିଏ କଣ ଭୂମିକା ଗ୍ରହଣ କରିବ ସେ ସମ୍ପର୍କରେ ଭକ୍ତମାନେ ପଚାରିବା ମାତ୍ରେ ମହାପ୍ରଭୁ କହିଲେ, ‘‘ମୁଁ ହେବି ରାଧା; ଅଦ୍ୱୈତ ଆଚାର୍ଯ୍ୟ ହେବେ ଶ୍ରୀକୃଷ୍ଣ । ଗଦାଧର ହେବେ ଲଳିତା । ହରିଦାସ ଓ ନିତ୍ୟାନନ୍ଦଙ୍କୁ ମଧ୍ୟ ଗୋଟିଏ ଗୋଟିଏ ଭୂମିକା ଦେଲେ ସେ । ଅଦ୍ୱୈତ ଆଚାର୍ଯ୍ୟଙ୍କୁ ସେ ଲକ୍ଷ୍ୟ କରି କହିଲେ, ‘‘ବୁଝିଲେ ଆଚାର୍ଯ୍ୟ, ତୁମେ ବୃଦ୍ଧ ହେଲେ ମଧ୍ୟ ଶ୍ରୀକୃଷ୍ଣ ଭୂମିକା ଗ୍ରହଣ କରୁଥିବାରୁ ତୁମକୁ ଯଥେଷ୍ଟ ସଂଯମ ଅବଲମ୍ବନ କରିବାକୁ ପଡ଼ିବ । ରାଧା ଭୂମିକା ଗ୍ରହଣ କରିବା ପରେ ମୁଁ ଏତେ ସୁନ୍ଦର ଦେଖାଯିବି ଯେ, ତୁମେ ବର୍ତ୍ତମାନ କଳ୍ପନା ସୁଦ୍ଧା କରିପାରିବ ନାହିଁ । ସେ ସୌନ୍ଦର୍ଯ୍ୟ, ସେ ରୂପଲାବଣ୍ୟ, ଅଙ୍ଗଲତାର କୋମଳତା, ନୟନ-ଯୁଗଳର କଟାକ୍ଷ, ବିରହିଣୀ ରାଧାର ତାରୁଣ୍ୟ ଓ କାରୁଣ୍ୟ, ଏ ସବୁକୁ ସମ୍ଭାଳି ପାରିବ ତ ?’’ ବୃଦ୍ଧ ଅଦ୍ୱୈତ ଆଚାର୍ଯ୍ୟ ଶ୍ରୀ ଚୈତନ୍ୟଙ୍କ ଶ୍ରୀମୁଖରୁ ଏସବୁ ବାଣୀ ଶୁଣିବା ପରେ କହିଲେ,’’ପ୍ରଭୁ, ମତେ ସେ ଭୁମିକା ଦିଅନ୍ତୁ ନାହିଁ । ମୁଁ ହୁଏତ ସକ୍ଷମ ହୋଇ ନ ପାରେ ।’’

 

ଶ୍ରୀ ଗୌରାଙ୍ଗ କହିଲେ, ‘‘ଯିଏ ତୁମକୁ ଏଇ ଭୁମିକା ଦେଉଛି, ସିଏ ତୁମକୁ ଶକ୍ତି ଦେବ । ମୁଁ ତୁମକୁ ଯଥେଷ୍ଟ ଆତ୍ମସଂଯମ ପ୍ରଦାନ କରିବି । ମୁହଁରେ କୃଷ୍ଣ କୃଷ୍ଣ ତ କହୁଛ, ଶ୍ରୀକୃଷ୍ଣ ହୋଇଯିବା ପାଇଁ ଏତେ ଭୟ କାହିଁକି ?’ ’ଶ୍ରୀକୃଷ୍ଣଲୀଳା ଅଭିନୟ ଲାଗି ସମସ୍ତ ଆୟୋଜନ ଶେଷ ହେଲା । ଏକ ପ୍ରଶସ୍ତ ସ୍ଥାନ ନିରୂପଣ ହେଲା । ସନ୍ଧ୍ୟାବେଳେ ନଦିୟାର ଆବାଳ-ବୃଦ୍ଧବନିତା ଯାଇ ସମବେତ ହେଲେ ସେଇଠାରେ । ପାଟକ ବନ୍ଦ କରି ଦିଆଗଲା । ବାଜିଉଠିଲା ନାନା ବାଦ୍ୟଯନ୍ତ୍ର । ମଞ୍ଚ ଉପରକୁ ବାହାରିଲେ ପ୍ରଥମେ ହରିଦାସ । କଟୁଆଳ ଭୂମିକା ଗ୍ରହଣ କରିଥିଲେ ସେ । ନାକ ତଳେ ଦି'ପଟା ନିଶ । ଇଏ ହରିଦାସ ବୋଲି କେହି ଟିହ୍ନିପାରିଲେ ନାହିଁ । ସେ ଗୀତରେ ଶ୍ରୀକଷ୍ଣଙ୍କୁ ପ୍ରାର୍ଥନା କରି କହିଲେ, ‘‘ଆଜି ଏଇ ମଞ୍ଚ ପାଲଟୁ୍ ବୃନ୍ଦାବନ ।’’ ତା'ପରେ ଦର୍ଶକମାନଙ୍କୁ ଲକ୍ଷ୍ୟ କରି କହିଲେ, ମନୁଷ୍ୟ ଜୀବନ କ୍ଷଣିକ ପାଇଁ । ଆରପୁରକୁ ଗଲାବେଳେ ସାଙ୍ଗରେ ଆତ୍ମୀୟ ସ୍ୱଜନ ଯିବେ ନାହିଁ କି ଧନ-ସଂପତ୍ତି ଯିବ ନାହିଁ । ତେଣୁ ଜପ ଶ୍ରୀକୃଷ୍ଣ, ଭଜ ଶ୍ରୀକୃଷ୍ଣ, ପୂଜ ଶ୍ରୀକୃଷ୍ଣ ।’’

 

ଦର୍ଶକମଣ୍ଡଳୀ ଅଭିଭୂତ ହୋଇ ପଡ଼ିଲେ ତାଙ୍କ ଗୀତରେ । ସମସ୍ତଙ୍କ ତୁଣ୍ଡରୁ ସମସ୍ୱରରେ ବାହାରିପଡ଼ିଲା—'ହରିବୋଲ' ଧ୍ୱନି ।

 

ତାପରେ ହରିଦାସ ଦର୍ଶକମାନଙ୍କୁ କହିଲେ, ‘‘ଆଜି ମୁଁ ଯାଇଥିଲି ବ୍ରହ୍ମଲୋକକୁ । ସେଠାରେ ନାରଦଙ୍କ ସହ ଦେଖାହେଲା । ନାରଦଙ୍କ ଇଚ୍ଛା ଶ୍ରୀକୃଷ୍ଣଲୀଳା ଦେଖିବା ପାଇଁ । ସେଥିପାଇଁ ଏ ଆୟୋଜନ ।’’ ତା'ପରେ ପହଞ୍ଚିଲେ ନାରଦ । ହାତରେ ତାଙ୍କର ବୀଣା । ଏ ଭୂମିକା ଗ୍ରହଣ କରିଥିଲେ ଶ୍ରୀବାସ । ସେ ଏଭଳି ବେଶଭୂଷା ପିନ୍ଧିଥିଲେ ଯେ, ଦର୍ଶକମଣ୍ଡଳୀ ଭିତରେ ବସିଥିବା ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ଚିହ୍ନିପାରିଲେ ନାହିଁ । ନାରଦ ମଞ୍ଚ ଉପରେ ଥିବାବେଳେ ହଠାତ୍ ପ୍ରବେଶ କଲେ କେତେ ଜଣ ଗୋପିକା ।

 

ନାରଦ—କିହୋ ତୁମେ ସବୁ କିଏ ? ବୃନ୍ଦାବନକୁ ମୁଁ ଆସିଛି ଶ୍ରୀକୃଷ୍ଣଙ୍କୁ ଦେଖିବାକୁ । ଗୋପିକା—ଆମେ ହେଉଛୁ ବ୍ରଜବୃନ୍ଦାବନର ଗୋପିକା ।

 

ନାରଦ—ମୋ ନାଁ ନାରଦ । ( ଗୋପିକାମାନେ ମୁଣ୍ଡ ନୁଆଇଁ ପ୍ରଣିପାତ କଲେ ।)

 

ଜଣେ ଗୋପୀ—ଆପଣ ତ ଶ୍ରୀକୃଷ୍ଣଙ୍କର ସବୁଠାରୁ ବଡ଼ ଭକ୍ତ । ଶୁଣୁଛୁ, ଶ୍ରୀକୃଷ୍ଣ ଏବେ ଅଛନ୍ତି ନଦିୟାରେ । ଶଚୀଙ୍କ ପୁତ୍ର ଭାବରେ ସେ ଲୀଳା କରୁଛନ୍ତି ସେଠାରେ । ତାଙ୍କୁ ସେଠାରୁ ଏଠାକୁ ଆଣିପାରିବେ କି ? ନାରଦ—ତୁମମାନଙ୍କ ଇଚ୍ଛା ନିଶ୍ଚୟ ପୂରଣ ହେବ । କିନ୍ତୁ ତୁମେମାନେ ହେଉଛ ବ୍ରଜବାଳା ଗୋପିକା । ସମସ୍ତେ ନୃତ୍ୟନିପୁଣ । ବହୁକାଳରୁ ମୁଁ ଦେଖିନାହିଁ ତୁମମାନଙ୍କ ନୃତ୍ୟ ।

 

ଆରମ୍ଭ ହେଲା ଗୋପୀମାନଙ୍କ ନୃତ୍ୟ । ହରିଦାସଙ୍କ ଆନନ୍ଦ କହିଲେ ନ ସରେ । ତାଙ୍କ ତୁଣ୍ଡରେ’’ହରି ହରୟେ ନମଃ, କୃଷ୍ଣ ଯାଦବାୟ ନମଃ’’ । କୀର୍ତ୍ତନ ଚାଲିଲା । ହଠାତ୍ ଜଣେ ଗୋପିକା ଅନ୍ୟ ଗୋପୀମାନଙ୍କୁ କହିଲେ—"କିଲୋ ଏମିତି କଣ ନାଚୁଥିବା ନା କଣ ? ଘରେ ପରା କେତେ କାମ ପଡ଼ିରହିଛି । ଚାଲ ଶୀଘ୍ର ବୃନ୍ଦାବନକୁ ଯିବା ।’’ ଗୋପିକାଙ୍କ ସାଙ୍ଗରେ ଚାଲିଲେ ନାରଦ । ଗୋପିକାମାନେ ମଞ୍ଚ ଉପରୁ ଅନ୍ତର୍ହିତା ହୋଇଯିବା ପରେ ହଠାତ୍ ଶୁଣାଗଲା ବଂଶୀଧ୍ୱନ । ନାରଦ ସେତେବେଳକୁ ମଞ୍ଚ ଉପରେ । ଚମକି ପଡ଼ିଲେ ସେ । ସେ ମନେ ମନେ କହିଲେ, ଶ୍ରୀକୃଷ୍ଣଙ୍କ ସହିତ ଯଦି ମୋର ସାକ୍ଷାତ ହୋଇଯାଏ ମୁଁ ତ ଚେତନାଶୂନ୍ୟ ହୋଇ ପଡ଼ିବି । ତେଣୁ ଅନ୍ତରାଳରେ ରହି ତାଙ୍କର ଲୀଳା ଦେଖିବା ମୋ ପକ୍ଷରେ ଶ୍ରେୟସ୍କର ହେବ । ଏହା କହି ନାରଦ ମଞ୍ଚରୁ ଅନ୍ତର୍ହିତ ହେଲେ । ପ୍ରବେଶ କଲେ ଶ୍ରୀକୃଷ୍ଣଙ୍କ ସାଙ୍ଗରେ କେତେ ଜଣ ଗୋପାଳ । ଶ୍ରୀକୃଷ୍ଣଙ୍କ ହାତରେ ବଂଶୀ । ଛଅସ୍ତରୀ ବର୍ଷ ବୟସ୍କ ବୃଦ୍ଧ ଅଦ୍ୱୈତ ଦେଖାଯାଉଛନ୍ତି ଦଶ ବାର ବର୍ଷର ବାଳକ ଭଳି । ଦର୍ଶକଙ୍କ ମନେହେଲା ସ୍ୱୟଂ ଶ୍ରୀକୃଷ୍ଣ ଅବତୀର୍ଣ୍ଣ ହୋଇଛନ୍ତି ମଞ୍ଚ ଉପରେ । ଶ୍ରୀକୃଷ୍ଣ ସାଙ୍ଗମାନଙ୍କୁ ପଚାରିଲେ, ମଧୁମଙ୍ଗଳ କାହିଁ ? ସଙ୍ଗେ ସଙ୍ଗେ ମଧୁମଙ୍ଗଳ ଆଗକୁ ଆସି କହିଲା, ମୁଁ ନ ମରି ବଞ୍ଚିଛି କେମିତି ସେଇକଥା ଭାବୁଛି । ବାଟରେ ଦେଖିଲେ ଜଣେ ବୃଦ୍ଧ ଆଗରେ ଚାଲିଛନ୍ତି । ତାଙ୍କ ପଛେ ପଛେ ଖାଲି ଭୂଆଷୁଣୀ ଝିଅଗୁଡ଼ାକ । ସେମାନେ ବୃନ୍ଦାବନ ପାଖାପାଖି ହୋଇଗଲେଣି ।

 

ଶ୍ରୀକୃଷ୍ଣ ସୁବଳକୁ କହିଲେ, ଏ ବ୍ରାହଣ ଟୋକାଟା କଣ କହୁଛ ବୁଝଲ । ସୁବଳ କହିଲେ, ବୋଧହୁଏ ରାଧା ଆସୁଛନ୍ତି । ହଠାତ୍ ରାଧା ପ୍ରବେଶ କଲେ ମଞ୍ଚ ଉପରକୁ । ସାଙ୍ଗରେ ଗୋପୀଗଣ-। ରାଧା ହେଉଛନ୍ତି ଶ୍ରୀ ଚୈତନ୍ୟ ନିଜେ । ମଞ୍ଚ ଉପରେ ରାଧାଙ୍କୁ ଦେଖୁ ଦେଖୁ ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇ ପଡ଼ିଲେ । ନିମାଇଁ ପଣ୍ଡିତ ଯେ ରାଧା ଭୂମିକା ଗ୍ରହଣ କରିଛନ୍ତି, କେହି ଜାଣି ପାରିଲେ ନାହିଁ । ଚାରିଆଡ଼େ ଦେଖାଗଲା ଏକ ଅଭିନବ ସ୍ତବ୍ଧତା । ରାଧାଙ୍କ ମୁହଁରୁ ପଦେ କଥା ବାହାରିବା ମାତ୍ରେ ଦର୍ଶକଙ୍କ ଦେହରେ ସୃଷ୍ଟି ହେଉଥିଲା ଅପୂର୍ବ ପୁଲକ, ଅକଥନୀୟ ଶିହରଣ-। ଅଭିସାରରେ ବାହାରିଛନ୍ତି ଶ୍ରୀରାଧା । ଇତିମଧ୍ୟରେ ଶ୍ରୀକୃଷ୍ଣ, ମଧୁମଙ୍ଗଳ ଓ ଗୋପାଳଙ୍କ ସହିତ ଚାଲିଯାଇଛନ୍ତି ମଞ୍ଚ ଉପରୁ । ମଞ୍ଚ ଉପରେ ରାଧା ଓ ଲଳିତାଙ୍କ ମଧ୍ୟରେ ଚାଲିଛି କଥୋପକଥନ-। ରାଧା କହୁଛନ୍ତି, ସଖି ଲଳିତେ ǃ ଶ୍ରୀକୃଷ୍ଣଙ୍କୁ ପାଇବା ପାଇଁ ଶିବପୂଜା କରିବାପାଇଁ ଆସିଲେ ସତ, କିନ୍ତୁ ଫୁଲ ତ ଆଣି ନାହିଁ । ଲଳିତା କହିଲେ ଶ୍ରୀରାଧାଙ୍କୁ, ବୃନ୍ଦାବନରେ କଣ ଫୁଲର ଅଭାବ ? ରାଧା କହିଲେ, ସେ କାଳିଆ ତ ସବୁଠି ବୁଲୁଥିବ । କୁଉଠିକି ଯିବା ଫୁଲ ତୋଳିବା ପାଇଁ । ହଠାତ୍ ଏକ କଳା ଭ୍ରମର ଆସି ରାଧାଙ୍କ ମୁହଁ ପାଖରେ ଭଅଁ ଭଅଁ ଶବ୍ଦ କରିବାକୁ ଲାଗିଲା । ହାତରେ ଯେତେ ଓଡ଼େଇଲେ ମଧ୍ୟ ଗଲା ନାହିଁ ସେ । ସଙ୍ଗେ ସଙ୍ଗେ ଲଳିତା ରାଧାଙ୍କୁ କହିଲେ, ବଡ଼ପାଟିରେ ଶ୍ରୀକୃଷ୍ଣଙ୍କୁ ଡାକ । ସେ କେବଳ ତୁମକୁ ରକ୍ଷା କରି ପାରିବେ ।

 

ଏତିକି କହୁ କହୁ ଶ୍ରୀକୃଷ୍ଣ ଆସି ଲଳିତାଙ୍କ ପାଖରେ ହାଜର । ଲଳିତାକୁ ଧମକ ଦେବା ଭଳି ଛଳନା କରି କହିଲେ, କାହା ଅନୁମତିରେ ଫୁଲ ତୋଳୁଚ ? ଦେଖୁଚି ସାହସ ତ କମ୍ ନୁହଁ । ମଧୁମଙ୍ଗଳ ଲଳିତାଙ୍କୁ କହିଲେ, ‘‘ବୁଢ଼ୀ ହେଲାଣି, ଅନ୍ୟମାନଙ୍କୁ ମନାକରିବ କ'ଣ, ଭୁଆଷୁଣୀ ବୋହୂଗୁଡ଼ାଙ୍କୁ ଆଣି ଫୁଲ ତୋଳିବା ଲାଗି ଉତ୍ସାହିତ କରୁଛ, ଲାଜ ମାଡ଼ୁ ନାହିଁ ।’’ ଏତିକିରେ କେବଳ ଲଳିତା ନୁହଁ, ସାଙ୍ଗରେ ଥିବା ସମସ୍ତ ଗୋପିକା ରାଗିଯାଇ ରାଧିକାଙ୍କୁ କହିଲେ, ‘‘ଫୁଲତକ ଦିଅ ଫିଙ୍ଗି ଦିଅ କୃଷ୍ଣ ଉପରକୁ, ନିଅନ୍ତୁ ସେ । କିହୋ, ବୃନ୍ଦାବନରେ କ'ଣ ତୁମର ହିଁ ଅଧିକାର ǃ" ରାଧା କହିଲେ,"ଫୁଲ ତୋଳା ହୋଇଛି ଶୁବପୂଜା ଲାଗି । ତାଙ୍କ ଉପରେ ମଣ୍ଡିବି କାହିଁକି ?’’

 

ରାଧା ହେରିକା କହିଲେ,’’ଆଉ ମୂହିର୍ତ୍ତେ ସୁଦ୍ଧା ଆମେ ଏଠି ରହିବା ପାଇଁ ଚାହୁଁନା ।’’ ମଧୁମଙ୍ଗଳ ସମସ୍ତଙ୍କୁ ବାଟ ଓଗାଳି କହିଲେ, ‘‘କିହୋ ଯିବ କୁଆଡ଼େ ? ଆଗେ ବଟି ଦିଅ । ଏହା ଭିତରକୁ ଯିଏ ଆସିବ ତାକୁ ବଟି ଦେବାକୁ ପଡ଼ିବ ।’’ ଶ୍ରୀକୃଷ୍ଣ ଯାଇ ବାଟ ଓଗାଳିଲେ ରାଧାଙ୍କର—କହିଲେ, ‘‘ତମେ ମତେ ବଟି ଦେବାକୁ ପଡ଼ିବ । ଦେଲେ ଯାଇ ଛାଡ଼ିବି ।’’ରାଧା କହିଲେ, ‘‘ମୋ ପାଖରେ ତ କିଛି ନାହିଁ, ଦେବି କ'ଣ ?’’

 

ଶ୍ରୀକୃଷ୍ଣ କହିଲେ, ‘‘କିହୋ ତମେ ତ ଅଛ । ନିଜକୁ ଅର୍ପଣ କର ।’’ ତାପରେ ରାଧାଙ୍କ ମୁଖମଣ୍ଡଳରେ ଯେଉଁ ଅଭିନୟ ଫୁଟିଉଠିଲା ତାହା ଅବର୍ଣ୍ଣନୀୟ । ଦର୍ଶକମଣ୍ଡଳୀ ଦେହରେ ସୃଷ୍ଟିହେଲା ଏକ ଅଦ୍ଭୁତ ଭାବାବେଶ । ମନେହେଲା ଯେପରି ସମସ୍ତ ଦର୍ଶକ ପାଲଟିଛନ୍ତି ଶ୍ରୀରାଧା । ରାଧାଭାବରେ ସମସ୍ତେ ବିଭୋର । ମଞ୍ଚ ଖାଲି । ଅଥଚ ଦର୍ଶକମାନେ ଉଠି ଚାଲିଯିବାକୁ ପ୍ରସ୍ତୁତ ନୁହନ୍ତି ।

 

ସମସ୍ତେ ଅନୁଭବ କରୁଛନ୍ତି ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି ଶ୍ରୀରାଧା । ଲଜ୍ଜାରେ ସମସ୍ତଙ୍କ ମୁଖ ଅବନତ ହୋଇ ଆସୁଛି । କେତେବେଳେ ମୁହଁ ଉଠେଇ: କଣେଇ କଣେଇ ଚାହୁଁଛନ୍ତି ସେମାନେ । ଶ୍ରୀକୃଷ୍ଣଙ୍କ ବଂଶୀଧ୍ୱନି ଶୁଭୁଚି ଦୂରରୁ—ଦର୍ଶକଙ୍କ କାନରେ ପଡ଼ୁଛି ସେ ବଂଶୀଧ୍ୱନି । କଟୁଆଳ ବେଶରେ ହରିଦାସ ଆସି ସମସ୍ତଙ୍କୁ ଚେତେଇ ଦେଲେ, ‘‘କୃଷ୍ଣଲୀଳା ଶେଷ ହେଲାଣି ବହୁ ଆଗରୁ । କିନ୍ତୁ ଆପଣମାନେ ଉଠୁନାହାଁନ୍ତି କାହିଁକି ? ଫେରି ଯାଆନ୍ତୁ ଘରକୁ ।’’ ଜଣେ କିଏ ସମସ୍ତଙ୍କୁ ନିଦରୁ ଉଠେଇବା ଭଳି ଅନୁଭବ କଲେ ଦର୍ଶକମଣ୍ଡଳୀ । ସମସ୍ତଙ୍କ ମୁହଁରୁ ଉଠିଲା ଗୋଟିଏ ଧ୍ୱନି–‘‘ଜୟ ରାଧେ କୃଷ୍ଣ, ରାଧେ କୃଷ୍ଣ ǃ"

 

କୀର୍ତ୍ତନବେଳେ ବାହାରର କୌଣସି ଲୋକଙ୍କୁ ଭିତରକୁ ଛାଡ଼ି ଦିଆଯାଉ ନ ଥିଲା । ଏଭଳି କୋଠର କଟକଣା ରଖାଯିବାର ଯଥେଷ୍ଟ କାରଣ ମଧ୍ୟ ଥିଲା । କୀର୍ତ୍ତନ ପ୍ରତି ଆଗ୍ରହ ନ ଥିବା କୌଣସି ବ୍ୟକ୍ତି ଭିତରେ ପ୍ରବେଶ କଲେ କୀର୍ତ୍ତନ ବାଧାପ୍ରପ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଥାଏ ଦିନେ କୀର୍ତ୍ତନ ଚାଲିଛି । ହଠାତ୍ ଜଣେ ଲୋକ ଶ୍ରୀବାସଙ୍କୁ ବିନୀତ ଭାବରେ କହିଲା, ‘‘ମୁଁ ଅତି ପବିତ୍ର ଭାବରେ ଚଳେ, ମତେ ଟିକିଏ ଭିତରକୁ ଯିବା ପାଇଁ ସୁଯୋଗ ଦିଆଯାଉ ।’’

 

ଶ୍ରାବାସ ଲୋକଟିର ଅନୁରୋଧ ରକ୍ଷାକଲେ । କିନ୍ତୁ ଲୋକ ଜଣକ ଭିତରକୁ ପ୍ରବେଶ କରୁ କରୁ କୀର୍ତ୍ତନ ବନ୍ଦ ହୋଇ ଆସିଲା । ମହାପ୍ରଭୁ ଶ୍ରୀଗୌରାଙ୍ଗ ଅତି ବ୍ୟସ୍ତ ହୋଇ କହିଲେ, କାହିଁକି କେଜାଣି ମୋ ମନରେ କୌଣସି ଭାବ ଆସୁନି । ଶ୍ରୀବାସ ନିଜ ଦୋଷ ସ୍ୱୀକାର କରିବା ଭଳି କହିଲେ, ପ୍ରଭୋ ǃ ମୁଁ ଜଣେ ଲୋକକୁ ଭିତରେ ପ୍ରବେଶକରିବା ପାଇଁ ସୁଯୋଗ ଦେବାରେ ଏଭଳି ବିଘ୍ନ ହେଲା କି ? କିନ୍ତୁ ମୋର ମନେହେଲା ଲୋକଟି ପବିତ୍ର ଜୀବନଯାପନ କରେ । ଦୁଗ୍ଧ ହିଁ କେବଳ ତାର ଖାଦ୍ୟ । ସେଥିପାଇଁ... ଶ୍ରୀ ଚୈତନ୍ୟ କହିଲେ, ‘‘ତୁମର ଭଦ୍ରଲୋକଟିକୁ ଅନ୍ୟତ୍ର ପଠେଇଥିଲେ ଭଲହୋଇଥାଆନ୍ତା ।’’

 

ଲୋକଟିର କାନରେ ପଡ଼ିଲା ଏ କଥା । ସେ ସଂଗେ ସଂଗେ ବାହାରିଗଲା ସେଠାରୁ । କିନ୍ତୁ ସେ ଯେଉଁ କ୍ଷଣିକ ପାଇଁ କୀର୍ତ୍ତନର ଅମୃତ ପାନ କରିଥିଲା, ସେଥିରେ ତାର ପୂନର୍ଜ୍ଜନ୍ମ ଘଟିଥିବାଭଳି ଅନୁଭବ କଲା । ମହାପ୍ରଭୁ ପୁଣି ତାକୁ ଡ଼କେଇ ପଠେଇଲେ । ତା ଉପସ୍ଥିତିରେ ପୁଣି ଚାଲିଲା କୀର୍ତ୍ତନ । ଶ୍ରୀଚୈତନ୍ୟ ତାକୁ ଶିକ୍ଷା ଦେଲେ ଯେ, କବଳ ସାତ୍ତ୍ୱିକ ଖାଦ୍ୟ ଖାଇଲେ ମନୁଷ୍ୟ ପବିତ୍ର ହୋଇ ଯାଏ ନାହିଁ ।

 

ଘରଭିତରେ କେବଳ ଭକ୍ତମାନଙ୍କୁ ନେଇ କୀର୍ତ୍ତନ କରିବାର ଦୁଇଟି କାରଣ ରହିଛି । ପ୍ରଥମ କାରଣ ହେଉଛି ଅଭକ୍ତମାନଙ୍କର ଦୌରାତ୍ମ୍ୟକୁ ଏଡ଼େଇବା, ଦ୍ୱିତୀୟରେ ଏକାଗ୍ରତା ଲାଗି ପରିବେଶ ସୃଷ୍ଟି କରିବା । ଏହାକୁ କୁହାଯାଏ ଯୋଗ । କୀର୍ତ୍ତନ ଲାଗି କୌଣସି ବଣ ଜଙ୍ଗଲକୁ ଯିବାର ଆବଶ୍ୟକତା ନାହିଁ । କୃତ୍ରିମ ନୀରବତାର ଛଳନା କରିବା ଅନୁଚିତ । କୀର୍ତ୍ତନବେଳେ ଆପେ ଆପେ ଏକାଗ୍ରଭାବ ଚାଲିଆସେ ।

 

ଗୟାରୁ ଫେରିବା ପରେ ଶ୍ରୀଗୌରାଙ୍ଗଙ୍କର ଯେଉଁ ଆଚରଣ ଦେଖାଗଲା ସେଥିରେ କେହି କେହି କହିଲେ ପାଗଳଟାଏ । କିନ୍ତୁ ସେ କ୍ରମଶଃ ନିଜର ଭାବାବେଶକୁ ସଂଯତ କରିନେଲେ-। ଭକ୍ତିମାର୍ଗର ପ୍ରଚାର କରିବା ପରେ ସେ ପ୍ରଚାର କଲେ ପ୍ରେମମାର୍ଗ । କିନ୍ତୁ ପରେ ଆଉ ଏକ ଅଭିନବ ଭାବ ଦେଖାଗଲା ତାଙ୍କଠି । କୀର୍ତ୍ତନରେ ଉପସ୍ଥିତ ରହିଲେନି ସେ । ସାଙ୍ଗ ସାଥୀ ମେଳରେ ରହିବା ପାଇଁ ଭଲ ପାଇଲେନି ସେ । ଏପରିକି କୃଷ୍ଣଙ୍କ ସଂପର୍କରେ ଆଲୋଚନା କରିବା ପାଇଁ କୌଣସି ଆଗ୍ରହ ପ୍ରକାଶ କଲେନି । ଭକ୍ତମାନେ ତାଙ୍କର ଏଇ ନୂତନ ଭାବକୁ ଲକ୍ଷ୍ୟ କରୁଥିଲେ ସତ; କିନ୍ତୁ ଏ ପରିବର୍ତ୍ତନ ସଂପର୍କରେ କୌଣସି ପ୍ରଶ୍ନ କରିବାକୁ ସାହସ କରିପାରୁନଥିଲେ । କୌଣସି ଏକ ନିଛାଟିଆ ସ୍ଥାନରେ ବସି ରହୁଥିଲେ ସେ । ଆଖିରୁ ଧାର ଧାର ହୋଇ ସୁହ ଗଡ଼ି ଆସୁଥିଲା । ସମୟେ ସମୟେ ଭୀଷଣ କୋହ ଉଠୁଥିଲା ତାଙ୍କର । କାନ୍ଦି କାନ୍ଦି ବିଭୋଳ ହୋଇ ପଡୁଥିଲେ । ବସିବା ସ୍ଥାନରେ ଢ଼ଳି ପଡୁଥିଲେ । ମୃତ ପ୍ରାୟ ଅବସ୍ଥା ହୋଇ ହୋଇ ଉଠୁଥିଲା ତାଙ୍କର । ଥରେ ଏଭଳି ବସିଥିବା ଅବସ୍ଥାରେ ବାଟରେ ଯାଉଥିବା ଗୋଟିଏ ଛୋଟ ପିଲା ମୁହଁରୁ ‘‘ହରି" ଶବ୍ଦ ଶୁଣିବା ମାତ୍ରେ ଶ୍ରୀ ଚୈତନ୍ୟ ଲୋଟିପଡ଼ିଲେ ତଳେ ।

ଶ୍ରୀ ଚୈତନ୍ୟଙ୍କର ଏପରି ଅବସ୍ଥା ସତ୍ତ୍ୱେ କୀର୍ତ୍ତନ ବନ୍ଦ ହୋଇ ନଥିଲା । ପ୍ରତି ସଂଧ୍ୟାରେ ଆରମ୍ଭ ହେଉଥିଲା କୀର୍ତ୍ତନ । ଶ୍ରୀ ଗୌରାଙ୍ଗଙ୍କ ସ୍ଥାନ ଅଧିକାର କରୁଥିଲେ ଅଦ୍ୱୈତ ଆଚାର୍ଯ୍ୟ । ଦିନେ ସକାଳ ପାହିଗଲା ଅଥଚ କୀର୍ତ୍ତନ ବନ୍ଦ ହେଲାନାହିଁ । ଅଦ୍ୱୈତ ଆଚାର୍ଯ୍ୟ ହଠାତ୍ ତଳେ ଲୋଟିପଡ଼ି ଖାଲି ଗଡ଼ିବାକୁ ଲାଗିଲେ । ତାଙ୍କ ମୁହଁରେ କେବଳ ଗୋଟିଏ ମାତ୍ର ବାକ୍ୟ—‘‘ପ୍ରଭୋ ମତେ କ୍ଷମାଦିଅ, ମୋ ମନରୁ ଅବିଶ୍ୱାସ ପୋଛିନିଅ ।’’ ଭକ୍ତମାନେ ବହୁତ ବୁଝେଇବା ପରେ ତାଙ୍କର ସ୍ୱାଭାବିକ ଅବସ୍ଥା ଆସିଲା । ଅନ୍ୟ ସମସ୍ତେ ଗଲେ ନଦୀକି ଗାଧୋଇବା ପାଇଁ । କିନ୍ତୁ ଅଦ୍ୱୈତ ଗଲେ ନାହିଁ । ହତାଶ ଭାବ ଛାଇ ରହିଥିଲା ତାଙ୍କ ମନରେ । ଶ୍ରୀଚୈତନ୍ୟ ବସି ରହିଥିଲେ ଟିକିଏ ଦୂରରେ, ବାରଣ୍ଡାର ଗୋଟିଏ କୋଣରେ । ହଠାତ୍ ତାଙ୍କ କାନରେ ପଡ଼ିଲା ଅଦ୍ୱୈତଙ୍କ ଚିତ୍କାର । ସେ ସଂଗେ ସଂଗେ ଦୌଡ଼ି ଆସି କହିଲେ, ‘‘ମୁଁ ତ ଏଇଠି ଅଛି ଡାକୁଛ, କାହାକୁ ?’’ ଅଦ୍ୱୈତ ଆଚାର୍ଯ୍ୟଙ୍କ ଆଖି ଛଳ ଛଳ ହୋଇଆସିଲା । ସେ ହାତ ଯୋଡ଼ି କହିଲେ, ‘‘କାହିଁକି କେଜାଣି ମୁଁ ଯେତେ ଚେଷ୍ଚା କଲେ ମଧ୍ୟ ମନରୁ ସଂଦେହ ଦୂରହେଉନି ।’’

ଶ୍ରୀ ଚୈତନ୍ୟ ପଚାରିଲେ, ‘‘କଣ କଲେ ତୁମେ ସନ୍ତୁଷ୍ଟହୋଇ ପାରିବ, ନିଜେ କହନ୍ତୁ ।’’

ଆଚାର୍ଯ୍ୟ ମହାଶୟ କହିଲେ, ‘‘ମତେ ତୁମର ବିଶ୍ୱରୂପ ଦେଖାଅ ।’’

ମହାପ୍ରଭୁ କହିଲେ, ‘‘ଠିକ୍ ଅଛି, ମୋ ସାଙ୍ଗରେ ଘରଭିତରକୁ ଆସ ।’’ ଘରର କବାଟ ବନ୍ଦକରିଦେଲେ ସେ । ହଠାତ୍ ଶ୍ରୀଗୌରାଙ୍ଗଙ୍କ ଶରୀରରେ ଦେଖାଗଲା ଏକ ଅଭିନବ, ଅପରୂପ ପରିବର୍ତ୍ତନ । ଏ ରୂପକୁ ଦେଖି ଅଦ୍ୱୈତ ଆଚାର୍ଯ୍ୟଙ୍କ ମନରେ ଭୀଷଣ ଭୟରେ ସଂଚାର ହେଲା । ମହାପ୍ରଭୁ ତାଙ୍କୁ ସାହସ ଦେଇ କହିଲେ, ‘‘ଭୟ କରନାହିଁ । ଯାହା ଦେଖିବାକୁ ଚାହିଁଥିଲ ତାହାହିଁ ତ ଦେଖାଉଛି ।’’ ଠିକ୍ ଏତିକିବେଳେ ନିତ୍ୟାନନ୍ଦ ପ୍ରବେଶକଲେ ଘରଭିତରେ । କବାଟ ଭିତରୁ ବନ୍ଦଥିଲେ ସୁଦ୍ଧା ତାହା ଅଦ୍ଭୁତ ଭାବରେ ଖୋଲିଗଲା । ନିତ୍ୟାନନ୍ଦ ମଧ୍ୟ ବିଶ୍ୱରୂପ ଦେଖି ଅଭିଭୂତ ହୋଇ ପଡ଼ିଲେ । ମହାପ୍ରଭୁ ସଂଗେ ସଂଗେ ବିଶ୍ୱରୂପ ପ୍ରତ୍ୟାହାର କରିନେଲେ—ପୁଣି ଯେଉଁ ନିମାଇଁକୁ ସେଇ ନିମାଇଁ । ଅଦ୍ୱୈତ ଓ ନିତ୍ୟାନନ୍ଦ ନାଚିଉଠିଲେ ଆନନ୍ଦରେ ।

ଶ୍ରୀଗୌରାଙ୍ଗ ପୂର୍ବଭଳି ନୀରବତା ଅବଲମ୍ବନ କରିବାକୁ ଲାଗିଲେ । କ୍ରମଶଃ ରାଧାଭାବର ବିକାଶ ଘଟୁଥିଲା ତାଙ୍କ ମନରେ । ଏପରିକି ତାଙ୍କ ଶରୀରରେ ମଧ୍ୟ ରାଧାଙ୍କ ଲକ୍ଷଣ ଲକ୍ଷ୍ୟ କରାଯାଇଥିଲା । ସେ ମନୁଷ୍ୟ ସମାଜକୁ ଯେଉଁ ଭକ୍ତିର ମାର୍ଗ ପ୍ରଦର୍ଶନ କରିବାକୁ ଇଚ୍ଛାକଲେ-। ଶ୍ରୀକୃଷ୍ଣ ପ୍ରତି ରାଧାଙ୍କର ଯେଉଁ ଭକ୍ତିଭାବ ତାର ପଟାନ୍ତର ନାହିଁ । ଭକ୍ତି ଓ ପ୍ରେମର ଶ୍ରେଷ୍ଠ ପ୍ରତୀକ ହେଉଛନ୍ତି ରାଧା ।

ସେଥିପାଇଁ ଶ୍ରୀଗୌରାଙ୍ଗ ରାଧାଙ୍କ ଭୂମିକା ଗ୍ରହଣ କରିବାକୁ ପଡ଼ିଥିଲା । ପୂର୍ବରୁ ସେ ଯେଉଁ କୃଷ୍ଣଲୀଳା ପ୍ରଦର୍ଶନ କରିଥିଲେ ସେଥିରେ ସେ ଗ୍ରହଣ କରିଥିଲେ ରାଧାଙ୍କ ଭୂମିକା । ଶ୍ରୀକୃଷ୍ଣଙ୍କ ବୃନ୍ଦାବନ ଲୀଳାରେ ବର୍ଣ୍ଣନା କରାହୋଇଛି ଯେ, ରାଧାଙ୍କ ଭକ୍ତିରସ ଆସ୍ୱାଦନ କରିବା ଲାଗି ସମୟେ ସମୟେ ଶ୍ରୀକୃଷ୍ଣ ନିଜେ ରାଧା ହୋଇଥିଲେ । ରାଧାଙ୍କ ହୃଦୟ,ରାଧାଙ୍କ ମନ ନେଇ ଶ୍ରୀକୃଷ୍ଣ ନିଜେ ନିଜର ମଧୁରତା ଆସ୍ୱାଦନ କରୁଥିଲେ । ଶ୍ରୀଗୌରାଙ୍ଗଙ୍କ ଭକ୍ତ ଓ ବନ୍ଧୁ ମାନେ ଅନୁବଭ କଲେ ଯେ, ଆଉ ନିମାଇଁ ପଣ୍ଡିତଙ୍କର କୌଣସି ଅସ୍ତିତ୍ୱ ନାହିଁ । ଦିନେ ବନ୍ଧୁ ନରହରି ପଚାରିଲେ, ‘‘ତୁମର କଣ ହୋଇଛି କହ ଭଲା ǃ ଏଭଳି ଏକା ଏକା ବସିରହି ଖାଲି କାନ୍ଦୁଥିବ କେତେ ଦିନ ?’’

 

ଶ୍ରୀଗୌରାଙ୍ଗ ସଂଗେ ସଂଗେ ନରହରିଙ୍କୁ କୁଣ୍ଡେଇ ଧରି କହିଲେ, ‘‘ମୋର କୃଷ୍ଣ ଗଲେ କୁଆଡ଼େ ? ପ୍ରିୟତମ କୃଷ୍ଣ ମୋର, ତାଙ୍କୁ ଛାଡ଼ି ମୂହୂର୍ତ୍ତେ ସୁଦ୍ଧା ରହିପାରିବି ନାହିଁ । ମୋ କୃଷ୍ଣଙ୍କୁ ଆଣ, ନଚେତ୍ କୃଷ୍ଣ ପାଖରେ ମତେ ପହଞ୍ଚାଇଦିଅ ।

 

ନରହରି ସ୍ତବ୍ଧ, ଚକିତ । ନିମାଇଁକୁ ସେ କିଭଳି ଭାବରେ ବୁଝେଇବେ ଭାବି ପାରିଲେ ନାହିଁ । ଶ୍ରୀଗୌରାଙ୍ଗ ପୁଣି ନରହରିଙ୍କୁ ସମ୍ବୋଧନ କରି କହିଲେ, ‘‘ଆଗୋ ଲଳିତେ ǃ ଏ ଜୀବନ ରଖିବି କହିଁକି, ଯାଉଚି ଯମୁନାରେ ଝାସ ଦେବି ।’’ ସଂଗେ ସଂଗେ ଭାବାନ୍ତର । ପୁଣି କହିଲେ, ‘‘ମତେ ବେଶ ଭୂଷା କରିଦିଅ । ଆଖିରେ ଦିଅ କଜ୍ଜଲ, ମଥାରେ ସିନ୍ଦୂର, ଗଳାରେ ବନମାଳା । ସଂସାରରେ ଯେତେ ସୌନ୍ଦର୍ଯ୍ୟ ଅଛି ମୋ ଦେହରେ ମଣ୍ଡିଦିଅ । ମତେ କଣ୍ଟ ଦେଇଛନ୍ତି ଆଜି ରାତିରେ ସେ ନିଶ୍ଚୟ ଆସିବେ ।’’

 

ଏଭଳି ରାଧାଭାବ ପ୍ରକାଶ କରିବାର ଯଥେଷ୍ଟ କାରଣ ରହିଛି । ଶ୍ରୀକୃଷ୍ଣଙ୍କୁ ପାଇବାକୁ ହେଲେ ଆବଶ୍ୟକ ପ୍ରେମ ଓ ଭକ୍ତି; କିନ୍ତୁ ପ୍ରେମ ଓ ଭକ୍ତି ଆସିବ କିପରି ? ତାର ଉତ୍ତର ହେଉଛି, ରାଧାଭଳି ହୁଅ । ମନୁଷ୍ୟ ସମାଜକୁ ଏହି ଉତ୍ତର ଦେବାପାଇଁ ହିଁ ଶ୍ରୀଗୌରାଙ୍ଗ ହୋଇଉଠିଥିଲେ ରାଧା । ପ୍ରକୃତ ପ୍ରେମ କଣ ଶ୍ରୀଗୌରାଙ୍ଗ ଶିକ୍ଷା ଦେଇଥିଲେ ରାଧାଭାବରେ । ରାଧା ଯାହା କରିଥିଲେ, । ଯାହା କରିଥିଲେ, ଯାହା କହୁଥିଲେ, ତାଙ୍କର ପୂର୍ବରାଗ, ରାସ, ଅଭିସାର, ବିରହ ସବୁ ଭାବକୁ ଗ୍ରହଣ କରିଥିଲେ ଶ୍ରୀଗୌରାଙ୍ଗ ।

 

ଶ୍ରୀଗୌରାଙ୍ଗ ଗଙ୍ଗାକୂଳରେ ବସିରହୁଥିଲେ ବହୁ ସମୟ ଧରି । ଥରେ ଥରେ ଦିନ ଗୋଟିକଯାକ କଟାଉଥିଲେ ଗଙ୍ଗାକୂଳରେ । ଚନ୍ଦ୍ରକୁ ଚାହିଁ କହୁଥିଲେ, ପାଖରେ ତ କୃଷ୍ଣ ନାହାନ୍ତି, ତୋର ଏଇ ସ୍ନିଗ୍ଧ ଶୀତଳ ଜ୍ୟୋସ୍ନାପସରା ମେଲେଇଚୁ କାହିଁକି ? ସେ ଗଂଗାକୁ ଭାବୁଥିଲେ ଯମୁନା ନଦୀବୋଲି । ପାଖରେ ଯାହାକୁ ପାଉଥିଲେ ତା କୋଳରେ ମୁଣ୍ଡ ରଖି କଇଁ କଇଁ ହୋଇ କାନ୍ଦି ଉଠୁଥିଲେ । କହୁଥିଲେ, କୃଷ୍ଣ ତ କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ; ମୁଁ ଏପରି ବିରହ ଯଂନ୍ତ୍ରଣାରେ ସଢ଼ୁଛି ବୋଲି ସେ କଣ ଜାଣିପାରୁନାହାନ୍ତି ?

 

ନିଜ ଘରେ ମଧ୍ୟ ନିମାଇଁଙ୍କର ସେଇ ଭାବ । ମା'ଶଚୀ, ସ୍ତ୍ରୀ ବିଷ୍ଣୁପ୍ରିୟା ଯେତେ ବୁଝେଇଲେ ମଧ୍ୟ ବୁଝୁନଥିଲେ ସେ ।

 

ଶ୍ରାଚୈତନ୍ୟଙ୍କର ବାଲ୍ୟବନ୍ଧୁ ହେଉଛନ୍ତି କୃଷ୍ଣାନନ୍ଦ । ସେ ଥିଲେ ଜଣେ ତାଂନ୍ତ୍ରିକ । ବହୁଦିନ ଧରି ନିମାଇଁଙ୍କ ସହିତ ସାକ୍ଷାତ ହୋଇ ନଥିଲା ତାଙ୍କର । ସେ କେବଳ ଶୁଣୁଥିଲେ ଯେ ଇତିମଧ୍ୟରେ ନିମାଇଁଙ୍କଠାରେ ଐଶ୍ୱରୀକ ଶକ୍ତିର ବିକାଶ ଘଟିଛି । ସେ ଆସିଲେ ନିମାଇଁଙ୍କ ନିକଟକୁ-। ତଂନ୍ତ୍ରଶାସ୍ତ୍ରରୁ ସେ ଯେଉଁ ଜ୍ଞାନ ଆହରଣ କରିଥିଲେ ତାକୁ ଭିତ୍ତି କରି ନିମାଇଁକୁ କେତେକ ପରାମର୍ଶ ଦେବା ଆରମ୍ଭ କଲେ ସେ । ନିମାଇଁ ତ ଥିଲେ ରାଧା-ଭାବବେଶରେ । ସେ ଭାବିଲେ ମଥୁରାରୁ କେହି ଜଣେ ଆସିଛି କୃଷ୍ଣଙ୍କୁ ନେଇଯିବାପାଇଁ । କଠୋର ଭାଷାରେ ସେ ତିରସ୍କାର କରିବାକୁ ଲାଗିଲେ କୃଷ୍ଣାନନ୍ଦଙ୍କୁ । କହିଲେ, ‘‘ମୋ କୃଷ୍ଣକୁ ନେବାକୁ ଆସିଛୁ, ନା-?’’

 

ନିମାଇଁ ଯେ ଭାବାବେଶରେ ଏଭଳି ସବୁ ଭତ୍ସର୍ନା କଲେ କୃଷ୍ଣନନ୍ଦ ବୁଝିବେ ବା କାହିଁକି-? ସେ କହିଲେ, ‘‘ଛାଡ଼ ସେ କୃଷ୍ଣକୁ । ଆରେ ନିମାଇଁ, ତୋ ପଣ୍ଡିତପଣିଆଁ ଆଉ କାହା ପାଖରେ ଦେଖେଇବୁ, ମୋ ପାଖରେ ନୁହେଁ-।’’

 

'ଛାଡ଼ ସେ କୃଷ୍ଣଙ୍କୁ' କହିବାମାତ୍ରେ ରାଧାଭାବାପନ୍ନ ଗୌରାଙ୍ଗ ରାଗରେ ଜଳିଉଠିଲେ । ପାଖରେ ପଡ଼ିଥିଲା ଗୋଟାଏ ଠେଙ୍ଗା । ତାକୁ ଉଠେଇ କୃଷ୍ଣାନନ୍ଦଙ୍କୁ କହିଲେ, ‘‘ଚାଲିଯା କହୁଛି, ନଚେତ୍ ଦେଖୁଚୁ ତ ଏ ଠେଙ୍ଗାକୁ ।’’

 

କୃଷ୍ଣାନନ୍ଦଙ୍କ ଅବସ୍ଥା ଶୋଚନୀୟ । ପଡ଼ି-ଉଠି ଏକମୁହାଁ ହୋଇ ଦୌଡ଼ିଲେ ସେ । ନମାଇଁ ଆସୁଛି କି ନାହିଁ ପଛକୁ ଚାହିଁବା ଲାଗି ମଧ୍ୟ ତାଙ୍କର ତର ସହିଲା ନାହିଁ ।

 

କୃଷ୍ଣାନନ୍ଦ ଘରକୁ ଫେରି ନିଜ ସାହିପଡ଼ିଶାଙ୍କ ଆଗରେ ଏ ଘଟଣା ବର୍ଣ୍ଣନା କଲେ । ପାଖରେ ଥିବା ଭକ୍ତମାନଙ୍କୁ ମଧ୍ୟ କହିଲେ । ଶ୍ରୀ ଗୌରାଙ୍ଗଙ୍କ ବିରୋଧୀ ଲୋକେ ମେଳିକରି ସ୍ଥିର କଲେ ଯେ ଠେଙ୍ଗାର ପ୍ରତିଶୋଧ ଠେଙ୍ଗାରେ ନିଆଯିବ ।

 

ଇଆଡ଼େ ଶ୍ରୀ ଗୌରାଙ୍ଗ ସ୍ୱାଭାବିକ ଅବସ୍ଥାକୁ ଫେରିଆସିବା ପରେ ହାତରେ ଥିବା ବଡ଼ିଟିକୁ ଫିଙ୍ଗିଦେଇ ଚାରିଆଡ଼କୁ ଚାହିଁଲେ । ପାଖରେ କେହି ନାହାନ୍ତି । ଭାବିଲେ ଏଭଳି କାମ କରିବାକୁ ଯାଉଥିଲା କାହିଁକି ? ସେ ସଙ୍ଗେ ସଙ୍ଗେ ଗଂଗାକୂଳକୁ ଦୌଡ଼ିଲେ । କେତେ ଜଣ ଭକ୍ତ ମଧ୍ୟ ତାଙ୍କ ପଛେ ପଛେ ଗଲେ । କିନ୍ତୁ ଗଙ୍ଗାକୂଳରେ ପହଞ୍ଚି ସେ ଖୁବ ବଡ଼ପାଟିରେ ହସିବାକୁ ଲାଗିଲେ । ସେ ଗୁଣୁଗୁଣୁ ହୋଇ କହିଲେ ଔଷଧ ତ ରୋଗଠୁ ବଳିପଡ଼ିଲା, ଏବେ କରାଯିବ କଣ-? ଘରକୁ ଫେରିଲେ ସତ, ଆଉ ତାଙ୍କ ମୁହଁରୁ କଥା ବାହାରିଲା ନାହିଁ—ଏକାବେଳେ ମୌନ । ଏହି ମୌନ ଅବସ୍ଥା ଲାଗି ରହିଲା ବହୁଦିନ ଧରି ।

 

ଭକ୍ତମାନେ ଏହି ଭାବରୁ ଠଉରେଇ ନେଲେ ଯେ ପ୍ରଭୁ ସଂଭବତଃ ଆମମାନଙ୍କୁ ଛାଡ଼ି ଅନ୍ୟତ୍ର ଚାଲିଯିବେ ।

 

ପରେ ଶ୍ରୀଗୌରାଙ୍ଗ ନିତ୍ୟାନନ୍ଦଙ୍କୁ ଡାକି ତାଙ୍କୁ ଜଣାଇଦେଲେ ଯେ—ସାଂସାରିକ ଜୀବନ ତ୍ୟାଗ କରି ସନ୍ନ୍ୟାସୀ ହୋଇଯିବି । ଯେଉଁମାନେ ମୋତେ ବିରୋଧ କରୁଛନ୍ତି, ସେମାନଙ୍କ ଦ୍ୱାର ଦ୍ୱାର ବୁଲି ମୁଁ ଭିକ୍ଷା କରିବି । ଏହି ପନ୍ଥା ଗ୍ରହଣ କଲେ ସେମାନଙ୍କ ହୃଦୟ ପରିବର୍ତ୍ତନ ଘଟିବ-

 

କିନ୍ତୁ ନିତ୍ୟାନନ୍ଦ ଏ କଥା ଶୁଣିବାମାତ୍ରେ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଲେ ।

 

ଶ୍ରୀଗୌରାଙ୍ଗ ସେମାନଙ୍କୁ ବୁଝାଇ କହିଲେ, ‘‘ମୁଁ ବିଳାସରେ ଜୀବନ ନିର୍ବାହ କରିବାରେ ଲାଗିଚି । ସଂସାର ଭିତରେ ରହିଥିବା ପର୍ଯ୍ୟନ୍ତ ଲୋକେ ମୋ'ଠାରୁ ଆଧ୍ୟାତ୍ମିକ ଜ୍ଞାନ ଲାଭ କରିବାକୁ ଆଗ୍ରହ ପ୍ରକାଶ କରିବା ସ୍ୱାଭାବିକ । ତେଣୁ ହେ ଶ୍ରୀପାଦ, (ଶ୍ରୀଟୈତନ୍ୟ ନିତ୍ୟାନନ୍ଦଙ୍କୁ 'ଶ୍ରୀପାଦ' ନାମରେ ସଂବୋଧନ କରୁଥିଲେ) ମତେ ସନ୍ନ୍ୟାସୀ ହେବାକୁ ମନା କରନାହିଁ ।’’

 

ନିତ୍ୟାନନ୍ଦ ନିଜ ପାଇଁ ଯେତେ ଦୁଃଖିତ ହେଲେନାହିଁ, ବେଶୀ ଦୁଃଖିତ ହେଲେ ମାଆ ଶଚୀ ଓ ନିମାଇଁଙ୍କ ନାବାଳିକା ସ୍ତ୍ରୀ ବିଷ୍ଣୁପ୍ରିୟାଙ୍କ ଦଶା କ’ଣ ହେବ ସେହି କଥା ଭାବି ଭାବି । କିନ୍ତୁ ଶ୍ରୀଚୈତନ୍ୟଙ୍କର ଏହି ପରିକଳ୍ପନା ସମ୍ପର୍କରେ କାହାକୁ କିଛି ନକହି ଅତି ଗୋପନ ରଖିଲେ ସେ ।

 

ଏହି ଘଟଣା ଘଟିବାର ଦିନେ ଦୁଇଦିନ ପରେ ଶ୍ରୀଗୌରାଙ୍ଗ କୃଷ୍ଣଙ୍କ ବିରହ ଯନ୍ତ୍ରଣାରେ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଲେ ।

 

କୃଷ୍ଣଙ୍କୁ ଝୁରି ଝୁରି ତାଙ୍କର ଶରୀର କ୍ରମଶଃ କ୍ଷୀଣ ହୋଇ ଆସିଲା । ଭକ୍ତମାନଙ୍କର ଭୟ ହେଲା, ହୁଏତ ପ୍ରଭୁ ଦେହଛାଡ଼ି ଚାଲିଯିବେ । ସେ ଦୁଇଦିନ କାଳ ବସିରହିଲେ ଗୋଟିଏ ଘରେ । ଚକ୍ଷୁରୁ କେବଳ ଅଶ୍ରୁବର୍ଷଣ ଚାଲିଲା ।

 

ହଠାତ୍ ଦିନେ ଦିପହରେ ବହୁ କଷ୍ଟରେ ପଦେଦିପଦ କଥା କହିଲେ ସେ । ଭକ୍ତମାନଙ୍କୁ କହିଲେ, ‘‘ସମସ୍ତେ ମୋ ପାଖକୁ ଲାଗି ଆସ ।’’ ଭକ୍ତମାନଙ୍କ ଆଖି ଛଳ ଛଳ ହୋଇଉଠିଲା । ମହାପ୍ରଭୁ ଭକ୍ତମାନଙ୍କୁ ହାତଯୋଡ଼ି କହିଲେ, ‘‘ତୁମେମାନେ ମୋର ବହୁତ ସେବା କରିଚ । ସେଥିଲାଗି ମୁଁ ଚିରଋଣୀ । ମତେ ଏଣିକି ଏଠାରୁ ଯିବାକୁ ପଡ଼ିବ । କୃଷ୍ଣ ଯେଉଁଠି, ମୁଁ ସେଇଠି ରହିବି ।’’ କୃଷ୍ଣନାମ ଧରିବାମାତ୍ରେ ପୁଣି ତାଙ୍କ ଦେହରେ ଜାତହେଲା ଅଦ୍ଭୁତ ଆବେଶ, ଆଉ ପାଟିରୁ କଥା ବାହାରିଲାନି ତାଙ୍କର । ତ କିଛି ସମୟ ପରେ ପୁନଶ୍ଚ ସେ କହିଲେ, ଜୀବନର ଏକାନ୍ତ ଲକ୍ଷ୍ୟ ହେଉଛି ଭଗବାନଙ୍କ ଶ୍ରୀଚରଣ ତଳେ ଆଶ୍ରୟ ନେବା । ମୁଁ ଯାଉଛି କୃଷ୍ଣପ୍ରେମ ଭିକ୍ଷା କରିବା ପାଇଁ । ଭିକ୍ଷାଝୁଲିରେ ଯାହା ପାଇବି, ତୁମମାନଙ୍କ ଭିତରେ ବିତରଣ କରିବି । ସମସ୍ତେ ଏକତ୍ର ଉପଭୋଗ କରିବା ସେହି ପରମ ସୁଖଦାୟକ ପ୍ରେମ । ଭକ୍ତମାନେ ସେତେବେଳେ ଅନୁଭବ କଲେ ସେମାନଙ୍କ ମନରେ କେହି ଯେପରି ବଜ୍ରାଘାତ କରିବାରେ ଲାଗିଛି । ଶ୍ରୀବାସ କହି ଉଠିଲେ, ହେ ପ୍ରଭୁ, ତୁମେ ଚାଲିଗଲେ ଅନ୍ୟମାନେ ତୁମ ବିଚ୍ଛେଦ ସହ୍ୟ କରିପାରିବେ କି ନାହିଁ କେଜାଣି କିନ୍ତୁ ମୁଁ ତୁମକୁ ଛାଡ଼ି ମୂହୂର୍ତ୍ତେ ସୁଦ୍ଧା ବଂଚି ରହିପାରିବି ନାହିଁ । ଯେଉଁଠିକି ଯାଅ ପଛକେ ମୋତେ ସାଙ୍ଗରେ ନେଇଯାଅ ।

 

ଗଦାଧର ଶ୍ରୀଚୈତନ୍ୟଙ୍କୁ କେବେ କିଛି କହନ୍ତି ନାହିଁ । କିନ୍ତୁ ଆଜି ନ କହି ରହିପାରିଲେ ନାହିଁ ସେ । ସେ ରୋକ୍ ଠୋକ୍ ଭାବରେ କହିଲେ ଯେ ଯେଉଁ କୃଷ୍ଣଭକ୍ତି ପାଇବା ପାଇଁ ମଣିଷ ତାର ବୁଢ଼ୀ ମାଆକୁ ଛାଡ଼ି ଚାଲିଯାଇପାରେ, ସେ କୃଷ୍ଣଭକ୍ତିରେ ମୋର ବିଶ୍ୱାସ ନାହିଁ । ସେ ଭକ୍ତିକୁ ଧିକ୍ !

 

ଗଦାଧରଙ୍କ ଏପରି କଠୋର ବାକ୍ୟରେ ଉପସ୍ଥିତ ଭକ୍ତମାନେ ସ୍ତମ୍ଭୀଭୂତ ହୋଇପଡ଼ିଲେ-। କିନ୍ତୁ ପ୍ରଭୁ ଶ୍ରୀଗୌରାଙ୍ଗ ଏହାର ଉତ୍ତର କଣ ଦେବେ, ସେଥିଲାଗି ସମସ୍ତେ ଅପେକ୍ଷା କରି ରହିଲେ । ପ୍ରଭୁ କହିଲେ, ‘‘ଗଦାଧର, ତୁମ କଥାଗୁଡ଼ାକ ମୋ ହୃଦୟ ଭିତରେ ତୀକ୍ଷ୍ଣ ଶରଭଳି ବିଦ୍ଧି ହେଉଛି । ମୁଁ ଜାଣେ, ଗୃହ ଛାଡ଼ି ଚାଲିଯିବା ବାଟରେ ମୋର ପ୍ରଧାନ ବାଧା ହେଉଛନ୍ତି ମୋର ମାଆ । କିନ୍ତୁ ଏହି ବାଧା କିପରି ଅତିକ୍ରମ କରାଯିବ, ସେ ବାଟ ମତେ ବତାଅ । ମୁଁ ନିଶ୍ଚୟ ଗୃହତ୍ୟାଗ କରିବି, କାରଣ କୃଷ୍ଣପ୍ରେମଠୁ ବଳି ସୁଖକର ଆଉ କିଛି ନାହିଁ । ଏଠାରେ ରହି ଧୀରେ ଧୀରେ ବିରହ-ଅଗ୍ନିରେ ଦଗ୍ଧ ହୋଇ ମରିବି । ତା ଅପେକ୍ଷା କୃଷ୍ଣ ପ୍ରେମରେ ଡୁବି ମରିବି ନାହିଁ କାହିଁକି ?’’ ମୁରାରି ଭାବି ଭାବି କହିଲେ, ପ୍ରଭୁ, ଆଗଭଳି ମାୟାମୋହଗ୍ରସ୍ତ ସଂସାରୀ ଲୋକଙ୍କୁ ତୁମେ ଭକ୍ତି ଭାବ କଣ ଶିକ୍ଷାଦେଇ ପୁଣି ତାକୁ ଛଡ଼େଇ ନେବାକୁ ଚାହୁଁଛନ୍ତି କିପରି ?

 

ମୁକୁନ୍ଦ ଦେଖିଲେ, ଏଭଳି ବୁଝେଇ କିଛି ଲାଭ ନାହିଁ । ସେ ସିଧାସଳଖ ପ୍ରଭୁଙ୍କ ପାଦ ତଳେ ପଡ଼ି କେବଳ କାନ୍ଦିବାରେ ଲାଗିଲେ । ତାଙ୍କ କାନ୍ଦ ଦେଖି ଅନ୍ୟ ଭକ୍ତମାନେ ସମ୍ଭାଳି ପାରିଲେ ନାହିଁ । ସେମାନେ ମଧ୍ୟ କାନ୍ଦିଉଠିଲେ ।

 

ଶ୍ରୀଗୌରାଙ୍ଗ ଏତେ କଥା ଶୁଣିବା ପରେ ବିଚଳିତ ନ ହୋଇ ସ୍ଥିର ଭାବରେ କହିଲେ, ‘‘ସାମାନ୍ୟ କଥାରେ ତୁମେମାନେ ଏଭଳି ଭାଙ୍ଗିପଡ଼ୁଚ କାହିଁକି ? ମୁଁ ତ ଏହି ମୂହୂର୍ତ୍ତରେ ଚାଲିଯାଉନି-।’’ ଏହା କହି ପ୍ରତ୍ୟେକଙ୍କୁ କୁଣ୍ଡେଇ ଧରି ପିଲାକୁ ମାଆ ବୁଝେଇବା ଭଳି ବୁଝେଇବାରେ ଲାଗିଲେ ସେ ।

 

ନରହରି କହିଲେ, ‘‘ମୁଁ ତ ତାଙ୍କୁ ମୋର ହୃଦୟରେ ସବୁବେଳେ ଦେଖୁଛି । ମତେ କି ବ୍ୟାଧି ହୋଇଛି କେଜାଣି, ଯେଉଁଠି କି ଚାହୁଁଚି ସେଠାରେ ଦେଖୁଛି ପ୍ରଭୁଙ୍କର ହସହସ ମୁହଁ ।’’

 

ଏ ସବୁ ଆଲୋଚନା ପରେ ଭକ୍ତମାନଙ୍କ ମନରେ କି ଭାବ ସୃଷ୍ଟି ହେଲା କେଜାଣି ସମସ୍ତେ କୁହାକୁହି ହେଲେ, ପ୍ରଭୁଙ୍କ ବିଚ୍ଛେଦ ହୁଏତ ଆମମାନଙ୍କ ପକ୍ଷରେ ଆଶୀର୍ବାଦ ହେଇପାରେ-। ହୁଏତ ଏହି ବିଚ୍ଛେଦହିଁ ଆମମାନଙ୍କ ପାଇଁ ମୁକ୍ତିର ବାଟ ।

 

ଭକ୍ତମାନଙ୍କ ସହିତ ଏସବୁ କଥାବାର୍ତ୍ତା ବେଳେ ମା ଶଚୀ ଉପସ୍ଥିତ ରହୁ ନଥଲେ ମଧ୍ୟ ତାଙ୍କ କାନରେ ସବୁ କଥା ପଡୁଥିଲା । ସେ ଜାଣିଥିଲେ, ଇତି ମଧ୍ୟରେ କାଟୋଆର ବିଖ୍ୟାତ ସନ୍ନ୍ୟାସୀ କେଶବ ଭାରତୀ ନଦିଆକୁ ଆସିଥିଲେ । ନିମାଇଁ ସହିତ କେଶବ ଭାରତୀଙ୍କ ସାକ୍ଷାତ ଓ କଥାବାର୍ତ୍ତା ହୋଇଛି । ବଡ଼ପୁଅ ବିଶ୍ୱରୂପ ତ ଯୁବକ ବୟସରେ ସନ୍ନ୍ୟାସୀ ହୋଇ ଚାଲିଗଲା । ଅବଶ୍ୟ ନିମାଇଁ କଥା ଦେଉଛି ଘରେ ରହିବ ବୋଲି, କିନ୍ତୁ ତା ହାବଭାବରୁ ଯାହା ଜଣାପଡ଼ୁଚି ସେ ମଧ୍ୟ ଦିନେ ହୁଏତ ଘରଦ୍ୱାର, ମାଆ ଓ ସ୍ତ୍ରୀକୁ ଛାଡ଼ି ଚାଲିଯିବ । କିନ୍ତୁ ନଯିବାପାଇଁ ନିମାଇଁକୁ ବୁଝେଇବ କିଏ ? ସେ ତାଙ୍କ ସାନ ଭଉଣୀକି ଡକେଇ ପଠେଇଲେ । ଭଉଣୀ ଆସି ଶଚୀଙ୍କୁ କହିଲା, ‘‘ଦିଦି ତୁ ବୃଥାରେ ବ୍ୟସ୍ତ ହୋଇପଡ଼ୁଛୁ ।’’ ଶଚୀ ତାଙ୍କୁ କହିଲେ, ‘‘ତୁ ମୋ ମନ କଥା ବୁଝିପାରିବୁ ନାହିଁ । ଅତୀତରେ ସେପରି ଆଘାତ ପାଇଚି ବୋଲି କହୁଚି । ନଦିୟାକୁ କୌଣସି ସନ୍ନ୍ୟାସୀ ଆସିବା ଶୁଣିବା ମାତ୍ରେ କାହିଁକି କେଜାଣି ମୋ ମନରେ ଭୟ ଜାତ ହେଉଚି । ଭାବୁଚି ମୋ ନିମାଇଁକୁ ହୁଏତ ସେ ଟାଣିନେଇ ଯାଇପାରନ୍ତି ।’’

 

ଦୁଇ ଭଉଣୀଙ୍କ ଭିତରେ ଏପରି କଥାବାର୍ତ୍ତା ଚାଲିଥିବାବେଳେ ହଠାତ୍ ପହଞ୍ଚିଗଲେ ନିମାଇଁ । ଶଚୀ ମା' କହିଲେ, ‘‘ଶଣୁଛ ତୁ ନଦିୟାଛାଡ଼ି ଅନ୍ୟତ୍ର ଚାଲିଯିବାକୁ ପ୍ରସ୍ତୁତ ହେଉଛୁ । ମତେ ସ୍ପଷ୍ଟଭାବରେ ତୋ ମନକଥା କହ । ମୁଁ ମୂହୂର୍ତ୍ତେ ସୁଦ୍ଧା ତତେ ଛାଡ଼ି ରହିପାରିବି ନାହିଁ ।’’ ନିମାଇଁ କହିଲେ, ‘‘ମୁଁ ଏକ ତୀର୍ଥସ୍ଥାନକୁ ଯିବାକୁ ଚାହୁଁଚି । କିନ୍ତୁ ତୁମର ଅନୁମତି ନ ପାଇଲେ ଯିବି ନାହିଁ । ମୁଁ ଯେଉଁଠିକି ଯାଏ ନା କାହିଁକି ନିଶ୍ଚୟ ଫେରିଆସିବ ।’’

 

ଶଚୀ କହିଲେ, ‘‘ମୋ ଦେହ ଛୁଇଁ କହ ଫେରିଆସିବୁ ତ ?’’ —ହଁ ମା ନିଶ୍ଚୟ ।

 

ଯାହାଦେଉ ପୁଅ ମୁହଁରୁ ଏହି ନିର୍ଭର ପ୍ରତିଶ୍ରୁତି ପାଇବା ପରେ ଯାଇ ତାଙ୍କ ମନ ଥୟହେଲା ।

 

ମାଆ ଶଚୀଙ୍କର ହଠାତ୍ ଗୋଟିଏ କଥା ମନେପଡ଼ିଲା । କିନ୍ତୁ ଦୋଷ କରିଥିବାରୁ ପୁଅକୁ କହିଲେ, ‘‘ଭୁଲ ପାଇଁ ପ୍ରଥମେ ତୋଠୁ କ୍ଷମା ଚାହୁଁଛି ।’’

 

ନିମାଇଁ କହିଲେ, ‘‘କୌଣସି ମାଆ କେବେହେଲେ ଭୁଲ କରିନପାରେ । କଥା କଣ କହ ।’’

 

ଶଚୀଦେବୀ କହିଲେ,’’ତୋ ଭାଇ ବିଶ୍ୱରୂପ ମତେ ଖଣ୍ଡିଏ ପୁସ୍ତକ ଦେଇଥିଲା; କହିଥିଲେ, ନିମାଇଁ ଯେତେବେଳେ ବଡ଼ ହେବ ତାକୁ ଏହି ପୁସ୍ତକଟି ଦେଇଦେବ । କିନ୍ତୁ ସେ ବହିରେ ହୁଏତ ସନ୍ନ୍ୟାସୀ ହେବାଲାଗି କଣ ଲେଖାଥିବ; ତୁ ପଢ଼ିଲେ ସନ୍ନ୍ୟାସୀ ହୋଇଯିବୁ ବୋଲି ଭୟକରି ପୁସ୍ତକଟିକୁ ମୁଁ ନିଆଁକୁ ଫିଙ୍ଗି ଦେଇଥିଲି ।’’ ଏକଥା ଶୁଣିବାମାତ୍ରେ ଶ୍ରୀ ଗୌରାଙ୍ଗ ମନେ ମନେ ଭାରି ବ୍ୟଥିତ ହୋଇପଡ଼ିଲେ । କିନ୍ତୁ ମାଆଙ୍କୁ କହିଲେ, ‘‘ଯାହା ହୋଇଛି, ପୁତ୍ର ସ୍ନେହରୁ ହିଁ ହୋଇଛି । ଏହାକୁ ଭୁଲ କୁହାଯାଇନପାରେ ।’’ ନିମାଇଁ ଅନ୍ୟତ୍ର ଗଲେ ଫେରିଆସିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ମାଆ ଶଚୀ ସନ୍ତୁଷ୍ଟ ହୋଇ ପାରିଲେ ନାହିଁ । କାରଣ ପ୍ରତିଦିନ ତାଙ୍କ କାନରେ ଆସ ପଡ଼ୁଥିଲା; ନିମାଇଁ ଗୃହତ୍ୟାଗ କରିବା ନିଶ୍ଚିତ ।

 

ଦିନେ ମାଆ ଶଚୀ ନିମାଇଁକୁ ପାଖରେ ବସାଇ କହିଲେ, ‘‘କିରେ ତୁ ପରା ତୀର୍ଥ କରିବାକୁ ଯିବୁ ବୋଲି କହୁଥିଲୁ, କାହିଁ ଗଲୁ ତ ନାହିଁ ? ଗଲେ କେଉଁସ୍ଥାନକୁ ଯିବୁ କହ ?’’

 

ନିମାଇଁ ସୁଯୋଗ ପାଇ କହିଲେ, ‘‘ଯିବି ବୃନ୍ଦାବନକୁ ।’’

 

ଏତିକି ଶୁଣୁ ଶୁଣୁ ମାଆ ଶଚୀ ଏକାବେଳେ ଭାଙ୍ଗିପଡ଼ିଲେ । ତାଙ୍କ ମୁହଁରୁ କଥା ବାହାରିଲା ନାହିଁ । ନିମାଇଁ ମାଆଙ୍କୁ ବୁଝାଇ କହିଲେ, ‘‘ଏ ଦେହ ହେଉଛି ତୁମର । ତମେ ଜନ୍ମ ଦେଇଛ । ଲାଳନ-ପାଳନ କରିଚ ତୁମେ । ମୁଁ ତୁମକୁ ଆଜୀବନ ସୁଖୀ ରଖିବାକୁ ଚାହେଁ । ତୁମ ଅନୁମତି ବିନା ମୁଁ ଘରୁ ପାଦ କାଢ଼ି ନପାରେ ।’’

 

ମା' ଶଚୀ ଜାଣିପାରିଲେ, ଦୁଃସମୟ ପହଞ୍ଚିଗଲା । ବିଶ୍ୱରୂପ ଭଳି ନିମାଇଁ ମଧ୍ୟ ଘରଦ୍ୱାର ଛାଡ଼ି ଚାଲିଯିବ ।

 

ନିମାଇଁ ପୁଣି କହିଲେ, ‘‘ଦେଖ ମା, ମୋର କର୍ତ୍ତବ୍ୟ ହେଉଛି କୃଷ୍ଣ ସେବା ନୁହଁ, ମାତୃସେବା । କିନ୍ତୁ ଏଭଳି କେତେକ ପିଲା ଥାଆନ୍ତି, ଭାରି ଅବୁଝା । ସେମାନଙ୍କୁ କୁହାଯାଏ କୁଳାଙ୍ଗାର । ମୁଁ ସେହିଭଳି ଜଣେ । ତୁମେ ମୋ ପାଇଁ ଯାହା କରିଚ, ଜୀବନରେ କଦାପି ପରିଶୋଧ କରିପାରିବି ନାହିଁ । ମତେ ଏ ସଂସାର ବନ୍ଧନରୁ ମୁକ୍ତ କର ମା ।’’

 

ମାଆ, ସଂଗେ ସଂଗେ କହିଉଠିଲେ, ‘‘ତାହାହେଲେ ତୁ କଣ କହୁଚୁ ସନ୍ନ୍ୟାସୀ ହୋଇ ଚାଲିଯିବୁ ?’’

 

ଶ୍ରୀ ଗୌରାଙ୍ଗ କହିଲେ,—‘‘ହଁ ।’’

 

ମା କହିଲେ—"ଏଥିପାଇଁ କ'ଣ ତୁ ମୋର ଅନୁମତି ଚାହୁଁଚୁ ?’’

 

—"ହଁ ମା । ମନଖୋଲି ଯଦି ଅନୁମତି ଦିଅ, ତାହାହେଲେ ଶାନ୍ତରେ ଯାଇପାରିବି ।’’

 

‘’ହଁ"—ମାଆ କହିଲେ, ‘‘ମାଆଠୁ ଅନୁମତି ନିଆଯାଏ ବୋଲି ଯଦି ତୁ ଅନୁମତି ଚାହୁଁ ଥାଉ ତାହାହେଲେ ନେଇପାରୁ । କାରଣ ତୁ ଯେତେବେଳେ ଯାହା ଚାହୁଁଛୁ ମୁଁ ନାହିଁ କରି ନାହିଁ । କିନ୍ତୁ ଏ ଅନ୍ତର ଭିତରୁ ଅନୁମତି ମିଳିବା ଅସମ୍ଭବ । କୌଣସି ମାଆ ଏହା କରିନପାରେ ।’’

 

ଏତିକି କହୁ କହୁ ମନେହେଲା ଶଚୀଦେବୀ ଯେପରି ଏକ ପଥରମୂର୍ତ୍ତି ପାଲଟି ଯାଇଛନ୍ତି-। ଏକାବେଳେ ସ୍ତବ୍ଧ । ଅଳ୍ପ କେତେ ସମୟ ପରେ ମାଆ ନିଜକୁ ସଂଭାଳି ନେଇ କହିଲେ, ‘‘ଦେଖ ନିମାଇଁ, କେବଳ ମତେ ଯେ ଛାଡ଼ି ଚାଲିଯିବୁ ତା ନୁହଁ । ଘରେ ଅଛି ତୋର ବାଳିକା ସ୍ତ୍ରୀ ବିଷ୍ଣୁପ୍ରିୟା-। ସ୍ୱାମୀସୁଖ କ'ଣ ସେ ଏପର୍ଯ୍ୟନ୍ତ ଜାଣିନି । କିନ୍ତୁ ତୁ ତାର ହେଉଛୁ ଆରାଧ୍ୟ ଦେବତା । ମୁଁ ଜାଣେ ଲୋକଙ୍କ ଦୁଃଖତାପ ଦୂର କରିବା ପାଇଁ ତୁ ବ୍ୟାକୁଳ । କିନ୍ତୁ ସେ ଲୋକଙ୍କ ମଧ୍ୟରେ କ'ଣ ମା ଓ ସ୍ତ୍ରୀ ଗଣାହେବେନାହିଁ ?’’

 

ଶ୍ରୀ ଚୈତନ୍ୟ ଆଉ ଏକ ପନ୍ଥା ଧରିଲେ । ମାଆକୁ ପୁଣି ବୁଝାଇ କହିଲେ, ‘‘ମୁଁ ଏକ ପବିତ୍ର କାର୍ଯ୍ୟ କରିବାକୁ ଯାଉଛି । ଶ୍ରୀକୃଷ୍ଣ-ପ୍ରାପ୍ତି ହେଉଛି ମନୁଷ୍ୟ ଜୀବନର ପ୍ରଧାନ ଲକ୍ଷ୍ୟ । ମୁଁ ଯେ ସ୍ୱ ଇଚ୍ଛାରେ ଯାଉଚି ତା ନୁହଁ । ଯିଏ ମତେ ଡାକି ନେଉଛି, ସେ ମୋଦ୍ୱାରା କିଛି କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ମାଆ, ତୁମେ ନିଜେ କୃଷ୍ଣ ଭାବରେ ନିଜକୁ ବୁଡ଼େଇରଖ । ଦେଖିବ ଏ ସଂସାର କିଛି ନୁହଁ । ମତେ କେବଳ ଅନୁମତି ଦିଅ, କାରଣ ତୁମ ଅନୁମତି ବିନା ମୁଁ କୁଆଡ଼େ ଯାଇପାରିବି ନାହିଁ ।’’

 

ଏହା ପରେ ଶଚୀଦେବୀଙ୍କ ଅବସ୍ଥା କ'ଣ ହୋଇଥିବ ସହଜେ ଅନୁମେୟ । କିନ୍ତୁ ଶଚୀଦେବୀ ଜାଣିପାରିଲେ ଯେ ବାଧା ଦେଇକରି ଲାଭ ହେବ ନାହିଁ । ସେ ନିମାଇଁଙ୍କ ମୁଣ୍ଡରେ ହାତ ବୁଲାଇ କହିଲେ, ‘‘ଏହା ଘଟିବ ବୋଲି ମୁଁ ଆଗରୁ ଜାଣିଥିଲି । ତୁ ପାଖରେ ଥିବାଯାଏଁ ମୁଁ ଯେଉଁ ପରମସୁଖ ଲାଭକରିଆସିଛି, ତାହା ବେଶି ଦିନ ଯିବ ନାହିଁ ବୋଲି ମୁଁ ମର୍ମେ ମର୍ମେ ଅନୁଭବ କରିଆସିଛି । ମୁଁ ମନେ ମନେ ଯେତେ ଆଶାର ବନ୍ଧ ବାନ୍ଧି ଆସିଥିଲି, ସେସବୁ ଆଜି ଧୂଳିସାତ୍ ହୋଇଛି । ତୁ କେତେ ଅଲିଅଳରେ ଚଳିଆସୁଛୁ । ସନ୍ନ୍ୟାସୀ ହେଲେ ତତେ ହୁଏତ ବଣ ଜଙ୍ଗଲରେ ଖାଲି ପାଦରେ ବୁଲିବାକୁ ପଡ଼ିପାରେ । ଦେହରେ ଲୁଗାପଟା ରହିବ ନାହିଁ; ଘର ଘର ବୁଲି ଭିକ୍ଷା କରିବାକୁ ପଡ଼ିବ । ଏ ସବୁ କଥା ଭାବିଲାବେଳକୁ କେଉଁ ମାଆର ମନ ଥୟ ହୋଇ ରହିବ କହିଲୁ-?’’ ...କହୁ କହୁ ଶଚୀଙ୍କ ମନ ଶୁଖି ଆସିଲା । ସେ ଅଜାଡ଼ି ହୋଇ ପଡ଼ିଗଲେ ତଳେ ।

 

ମାଆଙ୍କୁ ତଳୁ ଉଠେଇ ନିମାଇଁ କହିଲେ, ‘‘ଦେଖ ମା, ତୁମକୁ ଅସନ୍ତୁଷ୍ଟ ରଖି ମୁଁ ଯିବାକୁ ଚାହେଁନା ।’’

 

ଶଚୀ ମା କାନ୍ଦୁଥାଆନ୍ତି, କହୁଥାଆନ୍ତି—"ଯିବୁ ଯଦି ଚାହୁଁଛୁ, ଯାଆ । କୃଷ୍ଣଙ୍କ ଇଚ୍ଛା ହିଁ ପୂରଣ ହେଉ ।’’

 

ନିମାଇଁ ପୁଣି କହିଲେ, ‘‘ମୋ ଇଚ୍ଛାରେ ମୁଁ ଯାଉନାହିଁ ମା । ସବୁ ତାର, ସେହି ଶ୍ରୀକୃଷ୍ଣଙ୍କ ଇଚ୍ଛା । ବୃନ୍ଦାବନରେ ନିଶ୍ଚୟ ତାଙ୍କ ସହିତ ସାକ୍ଷାତ ହେବ ମୋର ।’’

 

'ଚୈତନ୍ୟ ମଙ୍ଗଳ' ଗ୍ରନ୍ଥରେ ଅଛି—ପ୍ରଭୁ ଏହି ସମୟରେ ଶଚୀଦେବୀଙ୍କୁ ଦିବ୍ୟଜ୍ଞାନ ପ୍ରଦାନ କରିଥିଲେ । ତା ଫଳରେ ପୁତ୍ରକୁ ସେ ଅନୁମତି ଦେବାବେଳେ ଆନନ୍ଦ ଉଲ୍ଲାସରେ ବିହ୍ୱଳିତ ହୋଇଉଠିଥିଲେ । ସେ ଆନନ୍ଦାଶ୍ରୁ ଗଡ଼ାଇ ପୁଅକୁ କହିଲେ, ‘‘ମୋଭଳି ମୂର୍ଖ ଜଗତରେ କେହି ନାହିଁ-। ମୁଁ ଏପର୍ଯ୍ୟନ୍ତ ତତେ ବାଧାଦେଇ ଆସିଥିଲି । ମୁଁ କେତେ କାଳ ପାଇଁ ତୋର ମା' ହୋଇ ରହିଥିଲି-। ଏବେ ତୁ ସଂସାରର ଗୁରୁ ଭାବରେ ସମସ୍ତଙ୍କୁ ଶିକ୍ଷା ଦେବାକୁ ଯାଆ । ମୁଁ ତୋତେ ମନଖୋଲି ଅନୁମତି ଦେଉଛି ।’’ ପ୍ରଭୁ ଶ୍ରୀଗୌରାଙ୍ଗ ମାଆଙ୍କୁ ବୁଝେଇ କହିଲେ, ‘‘ମୁଁ ତୁମକୁ ଛାଡ଼ି ଚାଲିଯାଉଛି ବୋଲି ଭାବ ନାହିଁ । ମତେ ଯେଉଁ ମୁହୂର୍ତ୍ତରେ ଦେଖିବାକୁ ଚାହିଁବ, ହୃଦୟ ଭିତରେ ଦେଖିପାରିବ-। ବିଷ୍ଣୁପ୍ରିୟା ରହିଲା, ସେ ତୁମର ସେବା ସୁଶ୍ରୁଷା କରିବ ।’’ କିନ୍ତୁ ମାଆଙ୍କ ମନରୁ ଦିବ୍ୟଜ୍ଞାନ ଚାଲିଯିବା ପରେ, ‘‘ମୁଁ ଅଭାଗିନୀ କ'ଣ କଲି, ପୁଅକୁ ଘର ଛାଡ଼ି ଚାଲିଯାଆ ବୋଲି କହିଦେଇପାରିଲି !" ଭାବି ଭାବି ବହୁତ ବାଡ଼େଇ କଚାଡ଼ି ହେଲେ । କିନ୍ତୁ ଯାହା କହିସାରିଛନ୍ତି ତାକୁ ଫେରାଇ ଆଣିବାକୁ ଆଉ ବାଟ ନଥିଲା । ମୁହଁମାଡ଼ି ସେ ବହୁତ ସମୟ ଧରି ପଡ଼ିରହିଲେ । ଏହା ପରେ କେତ ଦିନ ଧରି ପ୍ରଭୁ ଶ୍ରୀଗୌରାଙ୍ଗ ପୂରାପୂରି ଜଣେ ଗୃହସ୍ଥି ସଂସାରୀ ଭଳି ଚଳିଲେ । ମନେ ମନେ ତାଙ୍କର ଏକମାତ୍ର ଚିନ୍ତା—ଗୋଟିଏ ବାଧା ସିନା ଅତିକ୍ରମ କଲି, ଆଉ ଏକ ବାଧା ରହିଛି । ଏହି ବାଧା ହେଉଛି ସ୍ତ୍ରୀ ବିଷ୍ଣୁପ୍ରିୟା । ବିଷ୍ଣୁପ୍ରିୟା ସେତେବେଳେ ଥିଲେ ତାଙ୍କ ବାପଘରେ । ତାଙ୍କ ଅନୁପସ୍ଥିତିରେ ହିଁ ଶ୍ରୀଗୌରାଙ୍ଗ ମାଆଙ୍କ ଠାରୁ ଅନୁମତି ହାସଲ କରିପାରିଲି । ବାପଘରେ ଥିବାବେଳେ ସ୍ୱାମୀ ତାଙ୍କର ସନ୍ନ୍ୟାସୀ ହେବାକୁ ମନସ୍ଥ କରିଥିବା ଜନରବ ତାଙ୍କ କାନରେ ପଡ଼ୁଥିଲା-। ସେ ସଙ୍ଗେ ସଙ୍ଗେ ଚାଲିଆସିଲେ ଶାଶୁଘରକୁ ।

 

ବେଳ ରତରତ ସମୟ । ଘରେ ଚାଲିଛି ହରି କୀର୍ତ୍ତନ । ବିଷ୍ଣୁପ୍ରିୟା ପହଞ୍ଚିଗଲେ ଶାଶୁଘରେ । ଘରକୁ ଯାଇ ଦେଖିଲେ ସ୍ୱାମୀ ଶେଯରେ ଶୋଇଛନ୍ତି । ସନ୍ଧ୍ୟାବେଳେ ସ୍ୱାମୀ ଏଭଳି ଶୋଇବା ସେ କେବେ ଦେଖିନଥିଲେ । ଯାହାହେଉ ସ୍ୱାମୀଙ୍କର ଘର ପ୍ରତି ମମତା ବଢ଼ିଛି ବୋଲି ମନେ ମନେ ଭାବି ଭାରି ଖୁସି ହୋଇଉଠିଲେ ସେ । ଧୀରେ ଧୀରେ ଗଲେ ଶ୍ରୀଗୌରାଙ୍ଗଙ୍କ ନିକଟକୁ । ସ୍ୱାମୀଙ୍କୁ ନ ଉଠାଇ ବସିଲେ ଯାଇ ଠିକ୍ ତାଙ୍କ ପାଦତଳେ । ହଠାତ୍ ନିଦ ଭାଙ୍ଗିଗଲା ଶ୍ରୀଗୌରାଙ୍ଗଙ୍କର । ସ୍ୱାମୀଙ୍କୁ ଦେଖୁ ଦେଖୁ ବିଷ୍ଣୁପ୍ରିୟାଙ୍କ ଆଖି ଛଳଛଳ ହୋଇ ଆସିଲା । ସ୍ୱାମୀଙ୍କ ପଦଯୁଗଳକୁ ଆଉଁସି ଧୀର ସ୍ୱରରେ କହିଲେ, ‘‘ପୃଥିବୀରେ ମୋଠୁ ବଳି ଭାଗ୍ୟବତୀ କିଏ ଅଛି ? କିନ୍ତୁ ଏ ଅଭାଗିନୀ କ'ଣ ତମ ପାଦପଦ୍ମର ଆଶ୍ରୟ ଲାଗି ଯୋଗ୍ୟା ?’’

 

ଶ୍ରୀଗୌରାଙ୍ଗ ଶେଯରୁ ଉଠିପଡ଼ି ବସିଲେ ଯାଇ ବିଷ୍ଣୁପ୍ରିୟାଙ୍କ ନିକଟରେ । ଅତି କୋମଳ ସ୍ୱରରେ କହିଲେ, ‘‘ତୁମ ଆଖିରେ ଲୁହ କାହିଁକି ? ତୁମର ହୋଇଛି କ'ଣ ?’’

 

ବିଷ୍ଣୁପ୍ରିୟା କହିଲେ, ‘‘ମୁଁ ଯାହାସବୁ ଶୁଣୁଛି କ'ଣ ସତ ?’’

 

ଶ୍ରୀଗୌରାଙ୍ଗ ସ୍ତ୍ରୀକୁ ଆଶ୍ୱାସନା ଦେଇ କହିଲେ, ‘‘ଲୋକେ କ'ଣ କହୁଛନ୍ତି ସେଥିପ୍ରତି ତମେ କାନ ଦେଉଚ କାହିଁକି ? ବହୁଦିନ ଧରି ବାପଘରେ ଥିଲ; ଆସିଚ ସ୍ୱାମୀଙ୍କ ନିକଟକୁ । ଖୁସି ଗପ କରିବା କଥା କୁଆଡ଼େ ଗଲା, କାନ୍ଦୁଚ—ଛି ।’’

 

ବିଷ୍ଣୁପ୍ରିୟା ସଙ୍ଗେ ସଙ୍ଗେ କହିଉଠିଲେ, ‘‘କିନ୍ତୁ ତମ ଆଖରେ ଲୁହ କାହିଁକି ?’’

ଶ୍ରୀ ଚୈତନ୍ୟ

 

ଶ୍ରୀଗୌରାଙ୍ଗ ହସି ହସି କହିଲେ, ‘‘କାହିଁ ମୁଁ ତ କାନ୍ଦୁନି, ହେଇ ତ ହସୁତି ।’’

 

କିନ୍ତୁ ବିଷ୍ଣୁପ୍ରିୟା ସ୍ୱାମୀଙ୍କ ମନର ଭାବକୁ ଠିକ୍ ଠଉରେଇ ନେଇ କହିଲେ, ‘‘ନାନା କଥା କହି ମତେ ଭୁଲେଇବାକୁ ଚେଷ୍ଟା କରନି । ମୁଁ ଜାଣିପାରିଛି, ଲୋକେ ଯାହା କହୁଛନ୍ତି ତାହା ସତ ।’’

 

ଏଥିରେ ଶ୍ରୀଗୌରାଙ୍ଗ ସ୍ପଷ୍ଟଭାବରେ ଜଣେଇଦେଲେ, ‘‘ତମେ ଠିକ୍ ଠଉରେଇ ପାରିଛ-। ମୁଁ ସନ୍ନ୍ୟାସୀ ହେବାକୁ ଯାଉଛି । ଦେଖ ତୁମ ନାଁ ହେଉଛି ବିଷ୍ଣୁପ୍ରିୟା—ବିଷ୍ଣୁଙ୍କର ପ୍ରିୟା ତୁମେ-। ତୁମେ ହିଁ ତୁମ ନାମକୁ ସାର୍ଥକ କରିପାରିବ ।’’

 

ବିଷ୍ଣୁପ୍ରିୟା ହାତ ଯୋଡ଼ି କହିଲେ, ‘‘ମୁଁ ଜାଣେ, ମୁଁ ତୁମଲାଗି ଉପଯୁକ୍ତା ନୁହଁ । ଆଧ୍ୟାତ୍ମିକ ପଥରେ ମୁଁ ହୁଏତ ଏକ ପ୍ରତିବନ୍ଧକ ହୋଇପାରେ । ତମେ ଚାଲିଗଲେ ମୁଁ ହୁଏତ ମୋ ବାପଘରେ ଯାଇ ରହିପାରେ । କିନ୍ତୁ ତମର ମାଆ ? ମାଆଙ୍କ ପ୍ରତି ଏତେ ନିଷ୍ଠୁର ହୁଅନି ।’’ ଶ୍ରୀଗୌରାଙ୍ଗ ବିଷ୍ଣୁପ୍ରିୟାଙ୍କୁ ବୁଝାଇ କହିଲେ, ‘‘ଏସବୁ ସେପରି ସଂସାରର ମାୟା । ମୁଁ ଜାଣେ ମୁଁ ଚାଲିଗଲେ ତମେ ବହୁତ କଷ୍ଟ ପାଇବ । ମୋର ଯେ କ୍ଷତି ନ ହେବ ତାହା ନୁହଁ । ତଥାପି ଛାଡ଼ିଯାଉଚି କାହିଁକି-? କାରଣ ସମସ୍ତଙ୍କୁ ଛାଡ଼ି ମତେ ଯିବାକୁ ହିଁ ପଡ଼ିବ । ମତେ କେହି ରୋକିପାରିବେ ନାହିଁ । ତେଣୁ ମତେ ଆନନ୍ଦରେ ଯିବାକୁ ଦିଅ । ତମେ ମଧ୍ୟ ଆନନ୍ଦରେ କହ—"ଯାଅ ବୋଲି ।’’ ଏଥିରେ ତମର ସତୀତ୍ୱ ବଢ଼ିବ ।

 

—"କିନ୍ତୁ ମୋଠୁ ଅନୁମତି ନେବା ଦରକାର କ'ଣ ? ତମେ ତ ତମ ଇଚ୍ଛା ଅନୁଯାୟୀ ଯାହା କିଛି କରିପାରୁଛ ।’’

 

—"ତମ ଅନୁମତି ଯାଇ ପଚାରେ—କହି ବିଷ୍ଣୁପ୍ରିୟା ଶାଶୁଙ୍କ ପାଖକୁ ଯିବାକୁ ବାହାରିବା ମାତ୍ରେ ଶ୍ରୀ ଚୈତନ୍ୟ କହିଲେ, ‘‘ମାଆ ତ ଅନୁମତି ଦେଇସାରିଛନ୍ତି ।’’ ଏକଥା ଶୁଣିବା ମାତ୍ରେ ବିଷ୍ଣୁପ୍ରିୟା ଅନୁଭବ କଲେ ଯେପରିକି ତାଙ୍କ ଶରୀରରୁ ପ୍ରାଣ ଛାଡ଼ି ଆସୁଛି । ତାଙ୍କ ଝିମ୍ ଝିମ୍ ମାରି ଆସିଲା । ଚାରିଆଡ଼େ ଅନ୍ଧକାର ଦେଖାଗଲା । ସ୍ୱାମୀଙ୍କ କୋଳରେ ମୁଣ୍ଡକୁ ରଖି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ ସେ । ଖାଲି କହିବାରେ ଲାଗିଲେ, ‘‘ମୋଭଳି ଭାଗ୍ୟବତୀ କେହି ନାହିଁ ସତ, କିନ୍ତୁ ଜୀବନରେ ପାଇଲି କ'ଣ ? କେତେ ରାତି ଉଜାଗର ରହିଛି ତୁମକୁ ଅପେକ୍ଷା କରି କରି-। କୀର୍ତ୍ତନ ସାରି ତୁମେ ଘରକୁ ଫେରିବାବେଳକୁ ପ୍ରାୟ ସକାଳ ହୋଇଆସେ । ସବୁବେଳେ ଭାବେ, ତମେ ଆସନ୍ତ, ଶେଯରେ ଶୁଅନ୍ତୁ, ତୁମ ଗୋଡ଼ ମୋଡ଼ି ଦିଅନ୍ତି, ତମେ ଆସନ୍ତ, ତମର ସେବା କରନ୍ତି । କିନ୍ତୁ ସେବା କରିବାର ଟିକିଏ ସୁଯୋଗ ମଧ୍ୟ ପାଇପାରିଲିନି କେବେ । ଏଭଳି ଭାବରେ ସ୍ତ୍ରୀକୁ ଛାଡ଼ି ଯିବା କ'ଣ ତୁମର ଧର୍ମ ? ମାଆ ଅନୁମତି ଦେଇସାରିଛନ୍ତି ବୋଲି ତୁମଠୁ ଶୁଣୁଚି-। ହୁଏତ ତମ ମାଆଙ୍କ ହୃଦୟ ଅତି ଉଦାର ହୋଇପାରେ; କିନ୍ତୁ ସେ ଉଦାରତା, ସେ ମନୋବଳ ମୋର ନାହିଁ । ମୋଠୁ ବଳି ନିରୀହା ଆଉ କିଏ ଅଛି ? ଯାହା କର ପଛେ, ଏହି ବାଳିକାକୁ ଛାଡ଼ି ଚାଲିଯାଅ ନାହିଁ ।’’ ଶ୍ରୀଗୌରାଙ୍ଗ ଦେଖିଲେ ବିଷ୍ଣୁପ୍ରିୟାଙ୍କୁ ଏହି ସମୟରେ ବିଶ୍ୱରୂପ ଦର୍ଶନ କରାଇବା ବ୍ୟତୀତ ଅନ୍ୟ ଉପାୟ ନାହିଁ । ବିଷ୍ଣୁପରୂପ ଧରିଲେ ସେ । ହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ । ବିଷ୍ଣୁପ୍ରିୟା ଦେଖିଲେ ତାଙ୍କ ସମ୍ମୁଖରେ ସାକ୍ଷାତ ବିଷ୍ଣୁ ଦଣ୍ଡାୟମାନ ।

 

ବିଷ୍ଣୁପ୍ରିୟା କରପତ୍ରଯୋଡ଼ି ନତମସ୍ତକରେ ପ୍ରାର୍ଥନା କରି କହିଲେ, ‘‘ହେ ବିଶ୍ୱକର୍ତ୍ତା, କେବଳ ଗୋଟିଏ ମାତ୍ର ବର ଚାହେଁ । ମୋ ସ୍ୱାମୀଙ୍କୁ ମତେ ଫେରାଇଦିଅ ।’’ ବିଷ୍ଣୁରୂପୀ ମହାପ୍ରଭୁ ଶ୍ରୀଗୌରାଙ୍ଗ କହିଲେ, ‘‘ମତେ ତ ପାଇ ସାରିଛୁ—ଆଉ ଅଧିକ କ'ଣ ଚାହୁଁ ?’’

 

ବିଷ୍ଣୁପ୍ରିୟା କହିଲେ, ‘‘ହେ ପ୍ରଭୁ, ମୁଁ ତୁମକୁ ପୂଜା କରେ । କିନ୍ତୁ ମୁଁ ମୋ ସ୍ୱାମୀଙ୍କୁ ଛାଡ଼ି ରହିପାରିବି ନାହିଁ ।’’

 

ସଙ୍ଗେ ସଙ୍ଗେ ବିଶ୍ୱରୂପ ଅନ୍ତର୍ଦ୍ଧାନ ହୋଇଗଲା । ବିଷ୍ଣୁପ୍ରିୟା ଦେଖିଲେ, ବିଷ୍ଣୁଙ୍କ ସ୍ତାନରେ ନିଜ ସ୍ୱାମୀ ଶ୍ରୀଗୌରାଙ୍ଗଙ୍କୁ । ଶ୍ରୀଗୌରାଙ୍ଗ କହିଲେ, ‘‘ତୁମେ ସତରେ ମୋର ଅର୍ଦ୍ଧାଙ୍ଗିନୀ । ତେଣୁ ମୁଁ ଯେଉଁଠି ତୁମେ ବି ସେଇଠି । ମୁଁ ଯାଉଛି ଲୋକଙ୍କୁ ହରିନାମ ଦେବାପାଇଁ । ସେଥିଲାଗି ମତେ ସନ୍ନ୍ୟାସୀ ହେବାକୁ ପଡ଼ିବ ।’’

 

ବିଷ୍ଣୁପ୍ରିୟା କହିଲେ, ‘‘ଯାଅ, ମୋର କୌମସି ଆପତ୍ତି ନାହିଁ । କିନ୍ତୁ ମତେ ସାଙ୍ଗରେ ନେଇ ଯିବାରେ କ୍ଷତି କ'ଣ ?’’

 

ଶ୍ରୀଗୌରାଙ୍ଗ କହିଲେ, ‘‘ଚିନ୍ତା କରି ଦେଖ । ଲୋକଙ୍କ ଦୈନ୍ୟ ଦୁଃଖ ସହିତ ତୁମର ଦୁଃଖ ତୁଳନା କର । କେବଳ ବ୍ୟକ୍ତିଗତ ସ୍ୱାର୍ଥ ଦୃଷ୍ଟିରୁ ତୁମେ ମୋତେ ଚାହୁଁଛ । ମୁଁ ଚାହେଁ ମନୁଷ୍ୟ ସମାଜକୁ ଉଦ୍ଧାର କରିବା ପାଇଁ । ତା ତୁଳନାରେ ତୁମ କଷ୍ଟ ତ ଅତି ସାମାନ୍ୟ ǃ" ବିଷ୍ଣୁପ୍ରିୟା କହିଲେ, ‘‘ହଁ, ଏଥର ବୁଝିଗଲି, ତୁମକୁ ରଖିପାରିବି ନାହିଁ । କିନ୍ତୁ ମୋ ଅନ୍ତରର କଥା ହେଉଛି, ତୁମ ବିଚ୍ଛେଦ ଏ ବିଷ୍ଣୁପ୍ରିୟା ମୁହୂର୍ତ୍ତେ ସୁଦ୍ଧା ସହ୍ୟ କରିପାରିବନି ।’’

 

ଶ୍ରୀଗୌରାଙ୍ଗ ତତ୍ତ୍ୱ ବୁଝେଇ କହିଲେ, ‘‘ଏହାକୁ ବିଚ୍ଛେଦ କୁହାଯାଇନପାରେ । ମୋ ଶରୀର ବ୍ୟତୀତ ତୁମ ପାଖରେ ତମ ସ୍ୱାମୀଙ୍କର ସମସ୍ତ ସୁଖ ସଂପଦ ରହିବ । ଆମେ ପରସ୍ପରକୁ ଯିମିତି ଭଲପାଉଛେ, ସିମିତି ଭଲପାଉଥିବା । ତମେ ଯେତେବେଳେ ଚାହିଁବ ମତେ ହୃଦୟ ଭିତରେ ପାଇପାରିବ । ମୋ ସଂବାଦ ତମ କାନରେ ସବୁବେଳେ ପଡ଼ିବ । ଦିନ ରାତି କେବଳ କୃଷ୍ଣଚିନ୍ତାରେ ନିମଗ୍ନ ରହ । ଏତକ ହେଉଛି ତମ ପାଖରେ ତମ ସ୍ୱାମୀଙ୍କର ଶେଷ ଅଳି । ବିଷ୍ଣୁପ୍ରିୟା ବାଳିକା ବୟୟରେ ମଧ୍ୟ ସ୍ୱାମୀଙ୍କୁ ଛାଡ଼ି ମାନବସମାଜର ମଙ୍ଗଳ ଲାଗି ନିଜ ଜୀବନ ଅତିବାହିତ କରିପାରିଲା ବୋଲି ଲୋକେ ତୁମକୁ ଧନ୍ୟ ଧନ୍ୟ କହିବେ ।’’

 

ବିଷ୍ଣୁପ୍ରିୟା କହିଲେ, ‘‘ସତେ କ'ଣ ଆଜି ଚାଲିଯିବ ? ଆଉ କୋତୋଟି ଦିନ ମୋ ସହିତ ଯାପନ କର—ତାପରେ ଯିବ ।’’

 

ଅନୁମତି ମିଳିଗଲା ବିଷ୍ଣୁପ୍ରିୟାଙ୍କ ଠାରୁ । ଶ୍ରୀଗୌରାଙ୍ଗ କହିଲେ, ‘‘ନା ବିଷ୍ଣୁପ୍ରିୟା, ମୁଁ ଏହିକ୍ଷଣି ଚାଲିଯାଉନି । ଯଥା-କାଳରେ ମୁଁ ବିଦାୟ ନେବି ।’’

 

ମାଆଙ୍କୁ ଦେଇଥିବା କଥା ଅନୁଯାୟୀ ଶ୍ରୀଗୌରାଙ୍ଗ ହଠାତ୍ ଗୃହତ୍ୟାଗ ନ କରି କେତେ ଦିନ ଘରେ ରହି ସଂସାରୀଙ୍କ ଭଳି ଚଳିଲେ । ମାଆଙ୍କୁ ସବୁବେଳେ ପ୍ରସନ୍ନ ରଖିବାକୁ ଚେଷ୍ଟା କଲେ-। ପିଲାଦିନେ ମାଆଙ୍କ ସହିତ ଯେପରି ଅଝଟ ଲଗାନ୍ତି, ସେହିଭଳି ବ୍ୟବହାର କଲେ ସେ-। କହିଲେ, ଏଇଟା ରାନ୍ଧ, ସେଇଟା ରାନ୍ଧ, ଏ ପିଠା କର, ସେ ପିଠା କର । ରନ୍ଧାଘରକୁ ଯାଇ ଥରେ ଥରେ ମାଆଙ୍କ ପିଠିରେ ଓହଳି ପଡ଼ୁଥିଲେ ସେ । ଏସବୁ ଆଚରଣରେ, ପୁଅ ଯେ ସନ୍ନ୍ୟାସୀ ହୋଇ ଚାଲିଯିବ, ମାଆ ଶଚୀଙ୍କ ମନରୁ ସେ ଆଶଙ୍କା ଚାଲିଗଲା ।

 

କିନ୍ତୁ କେଉଁଦିନ ଗୃହ ତ୍ୟାଗ କରିବେ ଶ୍ରୀଗୌରାଙ୍ଗ ଆଗରୁ ମନେ ମନେ ସ୍ଥିର କରିସାରିଥିଲେ । ସେ ଦିନଟି ଆସି ପହଞ୍ଚିଗଲା । ସେ ଶେଯରୁ ଉଠୁଲେ, ଗାଧୁଆ ପାଧୁଆ ସାରିଲେ । ଭକ୍ତମାନଙ୍କୁ ଶ୍ରୀକୃଷ୍ଣ ମହିମା ଶୁଣାଇଲେ । ସକାଳ ଜଳଖିଆ ସରିଲା । ମଧ୍ୟାହ୍ନ-ଭୋଜନ ମଧ୍ୟ ଶେଷ ହେଲା । ଅପରାହ୍ନରେ ଗଲେ ସହର ପରିକ୍ରମା କରିବା ଲାଗି । ପିଲାଦିନେ ଯେଉଁଠି ଖେଳୁଥିଲେ, ନଈର ଯେଉଁ ତୁଠରେ ଗାଧୋଉଥିଲେ, ଯେଉଁଠି ପାଠ ପଢ଼ାଉଥିଲେ, ସେଠାକୁ ମଧ୍ୟ ଗଲେ । ମନେ ମନେ ସେ ସମସ୍ତଙ୍କଠାରୁ ଯେ ବିଦାୟ ନେଉଛନ୍ତି ଏକଥା କେହି ଜାଣିପାରୁନଥିଲେ । ସଂଧ୍ୟାବେଳେ ଫେରିଲେ ଘରକୁ । ମନେ ମନେ ସେ ଭାବୁଥିଲେ, ପ୍ରଥମ କର୍ତ୍ତବ୍ୟ ହେଉଛ ମାଆଙ୍କ ଠାରୁ ବିଦାୟ ନେବା, ଦ୍ୱିତୀୟ କର୍ତ୍ତବ୍ୟ ହେଉଛି ସହରବାସୀଙ୍କୁ ଠାରୁ ବିଦାୟ ନେବା । ସେ ପ୍ରଥମେ ଦ୍ୱିତୀୟ କର୍ତ୍ତବ୍ୟ ଶେଷ କଲେ । ସେଦିନ କାହିଁକି କେଜାଣି ଶ୍ରୀଗୌରାଙ୍ଗଙ୍କୁ ଦର୍ଶନ କରିବା ପାଇଁ ନଦିୟାର ସମସ୍ତଙ୍କ ମନ ଗୋଳେଇଘାଣ୍ଟି ହେଲା । ଜଣକ ପରେ ଜଣେ ଆସିଲେ ଦର୍ଶନ କରିବା ଲାଗି । ଅଧରାତି ପର୍ଯ୍ୟନ୍ତ ଲୋକଙ୍କ ଧାଡ଼ି ଲମ୍ବିଲା ଶ୍ରୀଗୌରାଙ୍ଗଙ୍କ ଘରକୁ । ସେଦିନ ସେ ଏତେ ପ୍ରସନ୍ନ ଦେଖାଯାଉଥିଲେ ଯେ କେହି ସ୍ୱପ୍ନରେ ସୁଦ୍ଧା ଭାବି ପାରି ନଥିଲେ ଯେ ସତରେ ମହାପ୍ରଭୁ ଗୃହ ତ୍ୟାଗ କରିବେ ।

 

ଭକ୍ତମାନେ ଯିବା ପରେ ରାତ୍ରିଭୋଜନ ପାଇଁ ବସିଲେ ସେ । ଭାତ ବଢ଼ା ଯାଇଥାଏ । ଆସନରେ ବସି ଥାଆନ୍ତି ମହାପ୍ରଭୁ ଶ୍ରୀଗୌରାଙ୍ଗ । ପାଖରେ ବସିଥାଆନ୍ତି ମାଆ ଶଚୀ । ଟିକିଏ ଦୂରରେ ଠିଆହୋଇଥାଆନ୍ତି ବିଷ୍ଣୁପ୍ରିୟା । ଖାଇବାବେଳେ ଏଭଳି ମଜାଳିଆ କଥା କହୁଥାଆନ୍ତି ଯେ ମାଆ ଓ ବିଷ୍ଣୁପ୍ରିୟାଙ୍କ ଆନନ୍ଦ କହିଲେ ନ ସରେ । ହସି ହସି ବେଦମ୍ ହୋଇପଢ଼ୁଥାନ୍ତି ସେ । ସ୍ୱାମୀଙ୍କ ନିକଟରେ ବିଷ୍ଣୁପ୍ରିୟାଙ୍କର ଏଭଳି ହସ କବେ ଶୁଣାଯାଇ ନ ଥିଲା । ମନେ ମନେ ବିଷ୍ଣୁପ୍ରିୟା ଭାବୁଥାଆନ୍ତି, ଯାହାହେଉ ତାଙ୍କ ସ୍ୱାମୀ ଇତିମଧ୍ୟରେ ବଦଳିଯାଇଛନ୍ତି । ସେଦିନ କାହିଁକି କେଜାଣି ବାଳିକା ବୟସରେ ମଧ୍ୟ ବିଷ୍ଣୁପ୍ରିୟା ଦେଖାଯାଉଥିଲେ ପୂର୍ଣ୍ଣଯୌବନା ରୂପସୀ ଲକ୍ଷ୍ମୀଠାକୁରାଣୀ ଭଳି । ଖିଆପିଆ ସରିଲା । ସ୍ୱାମୀ-ସ୍ତ୍ରୀ ଗଲେ ଶୋଇବା ପାଇଁ । କଥାହେଲା ବିଷ୍ଣୁପ୍ରିୟାଙ୍କୁ ବେଶରକରାଇବେ ଶ୍ରୀ ଚୈତନ୍ୟ, ଶ୍ରୀ ଚୈତନ୍ୟଙ୍କୁ ସଜେଇଦେବେ ବିଷ୍ଣୁପ୍ରିୟା । ସ୍ୱାମୀଙ୍କ କୋମଳ କର ସ୍ପର୍ଶରେ ବିଷ୍ଣୁପ୍ରିୟାଙ୍କୁ ଆଖିରେ ଧୀରେ ଧୀରେ ନିଦ ମାଡ଼ି ଆସିଲା । ସେ ନିଘୋଡ଼ ନିଦରେ ସ୍ୱାମୀଙ୍କ ଛାତି ଉପରେ ଶୋଇ ପଡ଼ିଲେ । କିନ୍ତୁ ଶ୍ରୀଗୌରାଙ୍ଗଙ୍କ ଆଖିରେ ନିଦ ନାହିଁ । ତାଙ୍କୁ ଶୁଆଇବ କିଏ ? କିନ୍ତୁ ବିଷ୍ଣୁପ୍ରିୟାଙ୍କ କବଳରୁ ସେ ଛାଡ଼ପାଇବେ କିପରି ? ସ୍ୱାମୀ ଅଥବା ଚାଲିଯିବେ, ଏ ସଂଦେହ ସବୁବେଳେ ତାଙ୍କ ମନରେ ରହିଆସିଥିଲା । ତେଣୁ ସ୍ୱାମୀଙ୍କ ଛାତି ଉପରେ ମୁଣ୍ଡ ରଖି ଶୋଇଥିଲେ ସେ । କିନ୍ତୁ ଆଜି ତାଙ୍କୁ ମୋହ ନିଦ୍ରା ଘାରିଛି । ଶ୍ରୀ ଚୈତନ୍ୟ ଧୀରେ ଧୀରେ ବିଷ୍ଣୁପ୍ରିୟାଙ୍କ ହାତକୁ ଏବଂ ମୁଣ୍ଡକୁ ଖସେଇ ନେଲେ । ବିଷ୍ଣୁପ୍ରିୟା ଯେଉଁ ସବୁ ଅଳଙ୍କାରରେ ସ୍ୱାମୀଙ୍କ ଦେହକୁ ସଜେଇଥିଲେ ସେସବୁ ଆସ୍ତେ ଆସ୍ତେ କାଢ଼ି ଶେଯ ଉପରେ ଥୋଇଦେଲେ ଶ୍ରୀଗୌରାଙ୍ଗ ।

 

ସେତେବେଳେ ଭୀଷଣ ଶୀତ । ବାହାରକୁ ବାହାରିବା ମାତ୍ରେ ଦେହ ଥରି ଉଠୁଥିଲା । ଶ୍ରୀଗୌରାଙ୍ଗ ନିଜ ଶୋଇବା ଘର ଭିତରୁ ବାହାରି ସିଧାସଳଖ ଗଲେ ମା'ଙ୍କ ଶୋଇବା ଘରଭିତରକୁ । ମା'ଙ୍କ ଆଖିରେ ମଧ୍ୟ ନିଘୋଡ଼ ନିଦ । ତାଙ୍କ ପାଦତଳେ ପ୍ରଣିପାତ ଜଣାଇଁ ତରତର ହୋଇ ଘରଛାଡ଼ି ବାହାରକୁ ଆସିଲେ । ଗଲେ ନଈ ତୁଠକୁ । ସେ ଜାଣିଥିଲେ ଯେ ଏତେ ରାତିରେ କେହିହେଲେ ତାଙ୍କୁ ନାଆବାହି ନଦୀ ପାର କରାଇ ନପାରେ । ଭାଇ ବିଶ୍ୱରୂପଙ୍କ ପନ୍ଥା ଧରିଲେ ସେ । ଘନ ଅନ୍ଧକାର ମଧ୍ୟରେ ନଦୀକୁ ଝାମ୍ପଦେଇ ପହଁରି ପହଁରି ଚାଲିଲେ ସେ ଆଗକୁ ଆଗକୁ । କିଛି ସମୟ ପରେ ଆର କୂଳରେ ପହଞ୍ଚିବା ବେଳକୁ ପ୍ରାୟ ପାହାନ୍ତିଆ ହୋଇଆସିଥିଲା । ଅଥବା କେହି ଦେଖିଦେବ, ସେଇ ଭୟରେ ସେ ଦୌଡ଼ିବାକୁ ଲାଗିଲେ । ତାଙ୍କର ଲକ୍ଷ୍ୟସ୍ଥଳ ହେଉଛି କାଟୋଆ । ଏଠାରେ ରହୁଥିଲେ ସନ୍ନ୍ୟାସୀ କେଶବଭାରତୀ ।

 

ଶ୍ରୀଗୌରାଙ୍ଗ ଶଯ୍ୟା ତ୍ୟାଗକରି ଯିବାର ଅଳ୍ପ ସମୟ ପରେ ନିଦ ଭାଙ୍ଗିଯାଇଥିଲା ବିଷ୍ଣୁପ୍ରିୟାଙ୍କର । ଆଖି ମଳି ମଳି ଚାରିଆଡ଼େ ଦରାଣ୍ଡିବାକୁ ଲାଗିଲେ ସେ ସ୍ୱାମୀଙ୍କୁ ପାଇବା ପାଇଁ । ଚିତ୍କାର କରି ଉଠିଲେ ସେ । ତାଙ୍କ କଣ୍ଠରୁ ଏକମାତ୍ର ବିକଳ କରୁଣ ଧ୍ୱନି ବାହାରିଲା ‘‘ପ୍ରଭୁ, ମତେ ଛାଡ଼ିଗଲ କୁଆଡ଼େ ।’’ ଘରର ଅନ୍ଦିକନ୍ଦି ଚାରିଆଡ଼େ ଖୋଜିଗଲେ ସେ । କବାଟ ଖୋଲି ଦେଖିଲେ ବାହାର ଅଗଣାରେ ମଧ୍ୟ କେହି ନାହାନ୍ତି । ସଙ୍ଗେ ସଙ୍ଗେ ଉଠିଗଲେ ମାଆଙ୍କୁ ଉଠେଇବା ପାଇଁ । କହିଲେ,’’ମା, ଜଲ୍ଦି ଉଠ ǃ" ମା' ଶଚୀ ଚମକିଉଠି କହିଲେ, ‘‘କିଲୋ, ନିମାଇଁର କଣ ହେଲା କି ?’’ ସେଇ ଅନ୍ଧାକାର ଭିତରେ ବିଷ୍ଣୁପ୍ରିୟା ଥରଥର କଣ୍ଠରେ କହିଲେ, ‘‘ମା, ସେ ଆଉ ଘରେ ନାହାନ୍ତି । ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ।’’

 

ମା' ଶଚୀ ଦୀପ ଲଗେଇ ଦେଖିଲେ ବିଷ୍ଣୁପ୍ରିୟା କାନ୍ଥକୁ ଆଉଜି ଠିଆହୋଇଛି । ଶାଶୁ ବୋହୁ ଦୁହେଁ ଦଉଡ଼ି ଆସିଲେ ଦଣ୍ଡକୁ । ମାଆଙ୍କ ମୁହଁରେ ଏକମାତ୍ର ଡାକ— "ନିମାଇଁ, ନିମାଇଁ ।’’ ସେତେବେଳେ ନଦିୟାର ଦାଣ୍ଡଘାଟ ନିର୍ଜ୍ଜନ ନିସ୍ତବ୍ଧ । ସମସ୍ତେ ସୁପ୍ତ । ଚାରିଆଡ଼େ ପ୍ରତିଧ୍ୱନିତ ହେଲା ‘‘ନିମାଇଁ, ନିମାଇଁ ।’’ କିନ୍ତୁ କେହି ଶୁଣିପାରିଲେ ନାହିଁ । ମୋହନିଦ୍ରା ଘାରିଛି ସମଗ୍ର ନଦିୟାବାସୀଙ୍କୁ । ମାଆଙ୍କ କାତର ଧ୍ୱନି ପ୍ରଥମେ ପଡ଼ିଲା ଘରର ଚାକର ଇଶାନ କାନରେ । ସେ ଉଠିଲା । ସଙ୍ଗେ ସଙ୍ଗେ ଯାଇ ଉଠାଇଲା ଶ୍ରୀବାସଙ୍କୁ । ଧୀରେ ଧୀରେ ଆସିଲେ ଅନେକ ଭକ୍ତ । ସମସ୍ତେ ଜାଣିଥିଲେ ଦିନେ ଏହା ଘଟିବ । କିନ୍ତୁ ଆଜି ଯେ ସେହି ଦିନଟି କେହି କଳ୍ପନା କରି ନ ଥିଲେ । ସମସ୍ତେ ଭାଙ୍ଗି ପଡ଼ିଲେ । ମା' ଶଚୀ ଭକ୍ତମାନଙ୍କୁ କହିଲେ, ‘‘ମୋର ଏହି ଘରଦ୍ୱାର, ଧନ-ସଂପତ୍ତି ସବୁ ରହିଲା । ବୋହୂ କଥା ଆପଣମାନେ ବୁଝିବେ । ମୁଁ ଚାଲିଲି ମୋ ପୁଅକୁ ଖୋଜିବା ପାଇଁ ।’’

 

ଶ୍ରୀବାସ ଓ ନିତ୍ୟାନନ୍ଦ ପ୍ରମୁଖ ମା'ଙ୍କୁ ବହୁତ ବୁଝାଇଲେ । କହିଲେ, ‘‘ଆମେମାନେ ସମସ୍ତେ ଯିବୁ ପ୍ରଭୁଙ୍କୁ ଖୋଜିବା ପାଇଁ । ଯେଉଁଠି ପାଇବୁ ଧରି ଆଣିବୁ ତୁମ ପାଖକୁ ।’’ ଭକ୍ତମାନଙ୍କ ବୈଠକ ବସିଲା । ନିତ୍ୟାନନ୍ଦ କହିଲେ, ‘‘ପ୍ରଭୁ ଯାଇଛନ୍ତି କାଟୋଆ, ସନ୍ନ୍ୟାସୀ କେଶବଭାରତୀଙ୍କ ଠାରୁ ଦୀକ୍ଷା ଗ୍ରହଣ କରିବା ପାଇଁ । କାଟୋଆ ହେଉଛି ନଦିୟାଠୁ ମାତ୍ର ଷୋଳମାଇଲ ଦୂର ।’’ ନିତ୍ୟାନନ୍ଦ ବାହାରିଲେ କାଟୁଆ ଅଭିମୁଖେ । ଗଙ୍ଗାକୂଳ । ଏକ ଝାଙ୍କଲା ମଳେ ତପସ୍ୟାରେ ବସିଛନ୍ତି ସନ୍ନ୍ୟାସୀ କେଶବ ଭାରତୀ । ସେ ଦିବ୍ୟ ଚକ୍ଷୁରେ ଦେଖିଲେ ସ୍ୱୟଂ ଭଗବାନ ଖସି ଆସୁଛନ୍ତି ତଳକୁ । କ୍ରମଶଃ ଲାଗି ଆସୁଛନ୍ତି ତାଙ୍କ ପାଖକୁ । ହଠାତ୍ ତାଙ୍କ ଆଖି ଖୋଲିଗଲା । ଦେଖିଲେ ଜଣେ ଜ୍ୟୋତିର୍ମୟ ଯୁବକ ତାଙ୍କ ପାଦତଳେ ନତମସ୍ତକ । ଶଙ୍କିତ ହେଇ ଉଠିଲେ କେଶବଭାରତୀ । ଯୁବକଙ୍କୁ କହିଲେ, ‘‘ତୁମ ପ୍ରଣାମ ଗ୍ରହଣ କରିବାର ଶକ୍ତି କିମ୍ବା ଯୋଗ୍ୟତା ମୋର ନାହିଁ । ତୁମେ ମୋଠାରୁ ବହୁତ ଉଚ୍ଚରେ ।’’

 

ଧୀରେ ଧୀରେ ମୁଣ୍ଡ ଉଠାଇ ଯୁବକ ଜଣକ କହିଲେ, ‘‘ଲୋକେ ମତେ ଡାକନ୍ତି ନିମାଇଁ ବୋଲି । ମନେଥିବ, ନଦିୟା ଯାଇଥିବା ବେଳେ ଆପଣଙ୍କ ସହିତ ସାକ୍ଷାତ ହୋଇଥିଲା ମୋର । ମତେ ସନ୍ନ୍ୟାସଦୀକ୍ଷା ଦେବେ ବୋଲି ଆପଣ ସେତେବେଳଏ ପ୍ରତିଶ୍ରୁତି ଦେଇଥିଲେ । ଅନୁଗ୍ରହପୂର୍ବକ ଆପଣ ସେହି ପ୍ରତିଶ୍ରୁତି ରକ୍ଷା କଲେ କୃତାର୍ଥ ହେବି । ଏହି ସଂସାର ମହାସାଗରରୁ ପାରିହେବା ଲାଗି ଆପଣ ହିଁ ମୋର ନାବିକ ।’’ କେଶବ ଭାରତୀଙ୍କର ସବୁକଥା ମନେପଡ଼ିଗଲା । କିନ୍ତୁ ସେ ମନେ ମନେ ଭାବିଲେ, ‘‘ଏଇତ ବୟସରେ ଯୁବକ । ଏହି ବୟସରୁ ଜଣକୁ ସନ୍ନ୍ୟାସୀ କରାଇବା ବଡ଼ ନିଷ୍ଠୁର କାର୍ଯ୍ୟ ହେବ । ମନରେ କାହିଁକି କେଜାଣି ଭାରି ଦୟା ହେଲା ତାଙ୍କର । କହିଲେ, ‘‘ବାପ, ବୟସ ଆଉ ଟିକିଏ ବେଶି ହେଉ, ତାପରେ ଦେଖିବା ।’’

 

କିନ୍ତୁ ଶ୍ରୀ ଗୌରାଙ୍ଗ ଯେ ଦୃଢ଼ପ୍ରତିଜ୍ଞା ǃ କହିଲେ, ‘‘ମୁଁ ଜାଣେ ମତେ ମନାକରିଦେଇ ଆପଣ ମତେ ପରୀକ୍ଷା କରିବାକୁ ଚାହୁଁଛନ୍ତି । କିନ୍ତୁ ମତେ ହତାଶ କରନ୍ତୁ ନାହିଁ । କୃଷ୍ଣଙ୍କୁ ପାଇବା ପାଇଁ ମୋ ମନ ବ୍ୟାକୁଳ । ଆପଣ ହିଁ ମତେ ବନ୍ଧନରୁ ମୁକ୍ତ କରିପାରିବେ ।’’ କେଶବ ଭାରତୀ କହିଲେ, ‘‘ତୁମ ଘରହିଁ ତୁମର ବଂଧୁ । ଘରେ ତୁମର ମା' ଅଛନ୍ତି, ସ୍ତ୍ରୀ ଅଛନ୍ତି, ସେମାନଙ୍କ ପ୍ରତି ତୁମର ଯଥେଷ୍ଟ କର୍ତ୍ତବ୍ୟ ରହିଛି । ତୁମକୁ ଯଦି ଏ ବୟସରେ ସନ୍ନ୍ୟାସ ଦୀକ୍ଷା ଦିଏ ଭଗବାନଙ୍କଠାରେ ମୁଁ ଅପରାଧୀ ହେବି । ତୁମର ମାଆ ଓ ସ୍ତ୍ରୀ ମତେ ଅଭିଶାପ ଦେବେ ।’’

 

ଶ୍ରୀ ଗୌରାଙ୍ଗ ସୌମ୍ୟକାନ୍ତ ଲାବଣ୍ୟମୟ ରୂପ ଦେଖି ସେତେବେଳକୁ ସେଇ ସ୍ଥାନରେ ବାହାର କେତେକ ଲୋକଙ୍କ ସମାଗମ ହୋଇଥିଲା । ଶ୍ରୀ ଗୌରାଙ୍ଗଙ୍କ ପାଞ୍ଚଜଣ ଭକ୍ତ ମଧ୍ୟ ଆସି ପହଞ୍ଚିଯାଇଥିଲେ ସେଠାରେ । କେଶବଭାରତୀଙ୍କ ମୁହଁରୁ ଏକଥା ଶୁଣିବାମାତ୍ରେ ଏଇ ଭକ୍ତମାନେ କହି ଉଠିଲେ, ‘‘ଆପଣ ଠିକ୍ କହିଛନ୍ତି ।’’ ଶ୍ରୀ ଗୌରାଙ୍ଗ ନିଜର ବଂଧୁମାନଙ୍କୁ ଦେଖି ଭାରି ଖୁସିହୋଇ ଉଠିଲେ । ସମସ୍ତଙ୍କୁ ଆନନ୍ଦରେ କୁଣ୍ଡେଇ ପକେଇଲେ । କିନ୍ତୁ ଉପସ୍ଥିତ ଅନ୍ୟମାନେ ଏସବୁ ଦୃଶ୍ୟ ଦେଖି ବିସ୍ମିତ ହୋଇଉଠିଥିଲେ । ଶ୍ରା ଗୌରାଙ୍ଗ ଗୃହତ୍ୟାଗ କରିଛନ୍ତି, ଏକଥା ଏ ତୁଣ୍ଡରୁ ସେତୁଣ୍ଡ ହୋଇ ଚାରିଆଡ଼େ ବ୍ୟାପିଗଲା । କ୍ରମଶଃ ବହୁଲୋକ ଆସିଲେ ଶ୍ରୀ ଗୌରାଙ୍ଗଙ୍କୁ ଦେଖିବାକୁ । ଭକ୍ତମାନଙ୍କ ମଧ୍ୟରେ ଥିଲେ ଶ୍ରୀ ଗୌରାଙ୍ଗଙ୍କ ବାଲ୍ୟବନ୍ଧୁ ମୁକୁନ୍ଦ । ସେ ପ୍ରଥମେ ମୁକନ୍ଦଙ୍କୁ କହିଲେ, ‘‘କୃଷ୍ଣଙ୍କନାମ କୀର୍ତ୍ତନକର ।’’ ମୁକୁନ୍ଦଙ୍କ ଆଖିରୁ ଝର ଝର ହୋଇ ଲୁହ ବୋହି ଆସୁଥାଏ । ସେ ମନାକରିପାରିଲେ ନାହିଁ । ତାଙ୍କ ମୁହଁରୁ ବାହାରି ଆସିଲା ହରିକୀକର୍ତ୍ତନର ମଧୁରମୂର୍ଚ୍ଛନା । କୀର୍ତ୍ତନ ସଙ୍ଗରେ ନୃତ୍ୟ ମଧ୍ୟ ଚାଲିଲା । କେଶବଭାରତୀଙ୍କ ଆଶ୍ରମର ଚତୁର୍ଦ୍ଦିଗ ମୁଖରିତ ହୋଇଉଠିଲା କୃଷ୍ଣନାମ ସଂକୀର୍ତ୍ତନରେ । କ୍ରମଶଃ ଆବାଳବୃଦ୍ଧ-ବନିତା ରୁଣ୍ଡହେଲେ ସେଠାରେ ।

 

କେଶବଭାରତୀ ଧୀରେ ଧୀରେ ନିମାଇଁଙ୍କୁ କହିଲେ, ‘‘ମନୁଷ୍ୟ-ଜୀବନରେ ଶ୍ରେଷ୍ଠ ଲକ୍ଷ୍ୟ ଯଦି କୃଷ୍ଣପ୍ରେମ, ସେ ପ୍ରେମ ତ ତୁମଠାରେ ଅଛି ପ୍ରଚୁର—ତେବେ ସନ୍ନ୍ୟାସୀ ହେବ କାହିଁକି ? ସେଇ ପ୍ରଭୁଙ୍କୁ ପାଇବା ଲାଗିତ ଆମେମାନେ ସନ୍ନ୍ୟାସୀ ହୋଇଛୁ । କିନ୍ତୁ ଯିଏ ପାଇ ସାରିଲାଣି ତାର ସନ୍ନ୍ୟାସୀ ହେବାର କୌଣସି ପ୍ରୟୋଜନ ନାହିଁ । ମନୁଷ୍ୟ ସମାଜକୁ ପଙ୍କିଳପଥରୁ ଉଦ୍ଧାର କରିବା ପାଇଁ ତୁମେ ତ ସମର୍ଥ ।’’ ଶ୍ରୀ ଗୌରାଙ୍ଗ ଅତି ବିନୀତ ଭାବରେ କେଶବଭାରତୀଙ୍କୁ କହିଲେ, ‘‘ଯାହା କୁହନା କାହିଁକି ମୁଁ ମର୍ମେ ଅନୁଭବ କରୁଛି; କୃଷ୍ଣ ମୋଠାରୁ ଛାଡ଼ି ପଳେଇଛନ୍ତି । ମୁଁ ତାଙ୍କୁ ଫେରି ପାଇବାକୁ ଚାହେଁ ।’’

 

କେଶବଭାରତୀ ପୁଣି ବୁଝେଇ କହିଲେ, ‘‘ତୁମେ ତ ନିଜେ କୃଷ୍ଣ—ଖୋଜୁଛ କେଉଁ କୃଷ୍ଣଙ୍କୁ ?’’

 

କୃଷ୍ଣନାମ ବାରମ୍ବାର ଉଚ୍ଚାରିତ ହେବାମାତ୍ରେ ଅପୂର୍ବ ସ୍ପନ୍ଦନ ଦେଖାଦେଲା ଶ୍ରୀ ଗୌରାଙ୍ଗଙ୍କ ଶରୀରରେ । ସେ ତଳେ ପଡ଼ିଗଲେ । କହିଲେ, ‘‘ମୁଁ ତ କୀଟପତଙ୍ଗଠାରୁ ହୀନ—ମତେ କୃଷ୍ଣ କହି ଆଉ ଭୁଲେଇବାକୁ ଚେଷ୍ଟା କରନ୍ତୁ ନାହିଁ ।’’

 

କେଶବଭାରତୀ ହୃଦୟ ସେତେବେଳକୁ ତରଳି ଉଠିଥିଲା । କିନ୍ତୁ ନିଜକୁ ସଂଭାଳିନେଲେ ସେ । ଶ୍ରୀ ଗୌରାଙ୍ଗଙ୍କୁ ରୋକ୍ ଠୋକ୍ କହିଲ, ‘‘ପ୍ରଥମେ ମାଆଙ୍କଠାରୁ ଅନୁମତି ନେଇ ଆସ । ତା'ପରେ ସନ୍ନ୍ୟାସ ଦୀକ୍ଷା ଦେବା ପ୍ରଶ୍ନ ଉଠିବ ।’’ ନିମାଇଁ କହିଲେ, ‘‘ମାଆଙ୍କଠାରୁ ମୁଁ ଅନୁମତି ନେଇ ସାରିଛି । ମୁଁ ମୃତ୍ୟୁକୁ ଭୟ କରେନା । ଏ ଯୌବନ କିଛି ନୁହେଁ । ମତେ ଦୀକ୍ଷାଦିଅ ।’’ କେଶବଭାରତୀ କିଛି ସମୟ ଚିନ୍ତାମଗ୍ନ ରହିବା ପରେ କହିଲେ—"ତୁମ ମାଆ ଓ ସ୍ତ୍ରୀ ତୁମକୁ ସନ୍ନ୍ୟାସୀ ହେବାପାଇଁ ଅନୁମତି ଦେଇଛନ୍ତି—କାହିଁକି କେଜାଣି ମୋ ମନରେ ବିଶ୍ୱାସ ହେଉନାହିଁ । ମୁଁ ଆଜୀବନ ବ୍ରହ୍ମଚାରୀ । ସନ୍ନ୍ୟାସୀ ଜୀବନ ଯାପନ କରି ଆସିଛି ବହୁବର୍ଷ ଧରି । ତଥାପି ତୁମକୁ ଦେଖିବା ମାତ୍ରେ ମୋ ହୃଦୟ ବିଚଳିତ ହୋଇପଡ଼ୁଛି । ମୁଁ ଏକା ନୁହଁ, ଏଠାରେ ଉପସ୍ଥିତ ଥିବା ଶହ ଶହ ଲୋକ ତୁମେ ସନ୍ନ୍ୟାସୀ ହେଉଥିବା ଜାଣି କାନ୍ଦି ଉଠୁଛନ୍ତି । ସେଥିରେ ତୁମ ମାଆ ଓ ସ୍ତ୍ରୀ ତୁମକୁ ମନ ଖୋଲି ଅନୁମତି ଦେଇଛନ୍ତି ବୋଲି ବିଶ୍ୱାସ କରିବି କେମିତି ?’’

 

ସେତେବେଳେ ନିମାଇଁ ମୁଣ୍ଡ ତଳକୁ କରି ବସିଥିଲେ । ତାଙ୍କ ଲାଗି ଶହ ଶହ ଲୋକ କାନ୍ଦୁଛନ୍ତି; ଏକଥା ଶୁଣିବାମାତ୍ରେ ମୁଣ୍ଡକୁ ଉଠେଇ ଉପସ୍ଥିତ ସମସ୍ତଙ୍କୁ ଚାହିଁଲେ । ତା'ପରେ ଠିଆ ହୋଇ, ହାତ ଯୋଡ଼ି ସମସ୍ତଙ୍କୁ କହିଲେ, ‘‘ଆପଣମାନେ ମୋ ଦୁଃଖ ବୁଝିପାରିବେ ନାହିଁ । ମୁଁ ରାଜପ୍ରାସାଦରେ ରହି କି ଗୁମ୍ଫା ଭିତରେ ରହେ ସେଥିରେ କିଛି ଯାଏ ଆସେ ନାହିଁ । କୃଷ୍ଣ ମୋର ହୃଦୟ ଭିତରେ ନାହାନ୍ତି । ତେଣୁ ମୁଁ ଚାରିଆଡ଼େ ଶୂନ୍ୟ ଅନୁଭବ କରୁଛି ।’’ଶ୍ରୀ ଗୌରାଙ୍ଗଙ୍କର ଏଇ ଆବେଦନରେ ସମସ୍ତେ ନୀରବ ରହିଲେ । କାହା ମୁଁହରୁ ପଦେହେଲେ କଥା ବାହାରିଲା ନାହିଁ । ସମସ୍ତେ ଯେପରି କୃଷ୍ଣ ବିଚ୍ଛେଦରେ ବିହ୍ୱଳ । ସମସ୍ତେ ମନେ ମନେ କହିହେଲେ, ‘‘ନିମାଇଁ ପଣ୍ଡିତ ଯାହା କହୁଛନ୍ତି ଠିକ୍ । ଆମେ କିଏ ବାଟ ଓଗାଳିବାକୁ ?’’

 

କେଶବଭାରତୀ ଆଉ ଏକ ଯୁକ୍ତି ବାଢ଼ି ବସିଲେ । କହିଲେ, ‘‘ମାଆ ଓ ସ୍ତ୍ରୀଙ୍କଠାରୁ ତୁମେ ଅନୁମତି ଆଣିଛ ବୋଲି କହିଲ ମଧ୍ୟ ମୁଁ ସନ୍ତୁଷ୍ଟ ହୋଇପାରୁନି । ପୁଣି ଅନୁମତି ଆଣି ଆସ । ତା ପରେ ମୁଁ ସନ୍ନ୍ୟାସ ଦୀକ୍ଷା ଦେବି ।’’

 

‘’ଏଇ କଥା ତ"—କହ ଶ୍ରୀଗୌରାଙ୍ଗ ପୁଣି ଅନୁମତି ଆଣିବା ଉଦ୍ଦେଶ୍ୟରେ ଦୌଡ଼ିବାକୁ ଲାଗିଲେ । କିନ୍ତୁ ଭକ୍ତମାନେ ତାଙ୍କ ପଛେ ପଛେ ଦୌଡ଼ିଯାଇ ତାଙ୍କୁ ଧରିନେଲେ ଏବଂ ଶ୍ରୀଗୌରାଙ୍ଗଙ୍କ ସହ ସମସ୍ତେ ଫେରିଆସିଲେ କେଶବଭାରତୀଙ୍କ ନିକଟକୁ । ନିମାଇଁ ଯେ ଏଡ଼େ ବେଗି ଫେରିଆସିବେ କେଶବଭାରତୀ କଳ୍ପନା ସୁଦ୍ଧା କରି ନଥିଲେ । ସେ ଭାବିଥିଲେ ନିମାଇଁ ଘରକୁ ଯାଇ ଫେରିଆସିବା ଭିତରେ ସେ କାଟୁଆ ଛାଡ଼ି ଅନ୍ୟତ୍ର ଚାଲିଯିବେ । କିନ୍ତୁ ନିମାଇଁ ଫେରିଆସିବାରେ ତାଙ୍କର ସମସ୍ତ ଯୋଜନା ଧୂଳିସାତ୍ ହୋଇଗଲା । ଭାବାନ୍ତର ଦେଖାଦେଲା କେଶବଭାରତୀଙ୍କ ମନରେ । ସେ ନିମାଇଁଙ୍କୁ କହିଲେ, ‘‘ମୁଁ ତୁମକୁ ସନ୍ନ୍ୟାସୀ ଦୀକ୍ଷା ଦେବାପାଇଁ ପ୍ରସ୍ତୁତ ।’’ ଉପସ୍ଥିତ ସମସ୍ତେ ଥକ୍କାମାରି ବସିପଡ଼ିଲେ । କେଶବଭାରତୀଙ୍କ ସମେତ ସମସ୍ତଙ୍କ ଆଖି ଛଳଛଳ ହୋଇଉଠିଲା । ସମସ୍ତେ ଦୁଃଖିତ କିନ୍ତୁ ଜଣେ କେବଳ ଆନନ୍ଦରେ ଉତ୍‍ଫୁଲ୍ଲ । ସେ ହେଉଛନ୍ତି ନିମାଇଁ ପଣ୍ଡିତ—ଶ୍ରୀଗୌରାଙ୍ଗ ।

 

ଉପସ୍ଥିତ ଭକ୍ତମାନଙ୍କୁ ସେ କହିଲେ, ‘‘ଆସନ୍ତାକାଲି ମୁଁ ସଂସାର ବନ୍ଧନରୁ ମୁକ୍ତ ହେବି । ଏହାଠୁ ବଳି ଆନନ୍ଦ କିଛି ନାହିଁ ।’’

 

ସେଦିନ ରାତିଟି ଅତିବାହିତ ହେଲା କୀର୍ତ୍ତନରେ । ସକାଳ ହେଲା । ନଦିୟାରୁ ଯେଉଁ ଭକ୍ତ ଓ ଆତ୍ମୀୟସ୍ୱଜନମାନେ ଯାଇଥିଲେ ନିମାଇଁଙ୍କୁ ଫେରେଇ ଆଣିବାଲାଗି ସମସ୍ତେ ରାତିରେ କୀର୍ତ୍ତନରେ ବିଭୋର ହୋଇପଡ଼ିଥିଲେ । ଆତ୍ମୀୟସ୍ୱଜନମାନଙ୍କ ମଧ୍ୟରେ ଥିଲେ ନିମାଇଁଙ୍କ ନିଜ ମାମୁଁ ଚନ୍ଦ୍ରଶେଖର । ନିମାଇଁ ଚନ୍ଦ୍ରଶେଖରଙ୍କୁ ଡାକି କହିଲେ,’’ଆଜି ମୋର ସନ୍ନ୍ୟାସ ଦୀକ୍ଷା ଦିନ । ଏଥିଲାଗି ଯାହା ଆବଶ୍ୟକ ସବୁ କାମ ତୁମକୁ କରିବାକୁ ପଡ଼ିବ ।’’ ଚନ୍ଦ୍ରଶେଖର ନିରୁପାୟ । ଆସିଥିଲେ ଭଣଜାକୁ ଫେରେଇ ନେବାଲାଗି, କିନ୍ତୁ ତାଙ୍କୁ ହିଁ ସବୁ ଆୟୋଜନ କରିବାକୁ ପଡ଼ିବ ଭଣଜାର ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିବା ଲାଗି । ସେ କିଛି ସମୟ ନିରୁତ୍ତର ରହିବା ପରେ କହିଲେ, ‘‘ତୋର ଯାହା ଇଚ୍ଛା ତାହାହିଁ ହେବ ।’’ କିନ୍ତୁ ବାସ୍ତବରେ ଚନ୍ଦ୍ରଶେଖରଙ୍କୁ କିଛି କରିବାକୁ ପଡ଼ି ନ ଥିଲା । ଉପସ୍ଥିତ ଅନ୍ୟ ଭକ୍ତମାନେ ଓ ଅନ୍ୟ ଲୋକେ ସମସ୍ତ ପ୍ରକାରର ବ୍ୟବସ୍ଥା କଲେ । କ୍ରମଶଃ ଲୋକାରଣ୍ୟ ହୋଇଉଠିଲା କେଶବଭାରତୀଙ୍କ ଆଶ୍ରମ । ସମସ୍ତଙ୍କ ଆଖିରେ ଲୁହ, ଅଥଚ ସମସ୍ତେ ଆନନ୍ଦରେ ନାଚିଉଠିଲେ । କିନ୍ତୁ କେତେକଙ୍କ ମନରେ କ୍ରୋଧ ଜାତ ହେଲା । ଏତେ କମ୍ ବୟସରେ ଜଣେ ଯୁବକକୁ, ସେ ତାର ମାଆ ଓ ସ୍ତ୍ରୀକୁ ଛାଡ଼ି ଆସିଥିବା ସତ୍ତ୍ୱେ, ସନ୍ନ୍ୟାସ ଦୀକ୍ଷା ଦେବା କେଶବଭାରତୀଙ୍କ ପକ୍ଷରେ ଘୋର ଅନ୍ୟାୟ ବୋଲି ସେମାନେ ବିଚାର କଲେ । କେତେ ଜଣ ଯାଇ କେଶବଭାରତୀଙ୍କୁ ଧମକ ଦେଇ କହିଲେ, ‘‘ତୁମକୁ ଏଠାରୁ ତଡ଼ିଦେବୁ । ଯଦି ପ୍ରତିରୋଧ କର ପ୍ରାଣରେ ମାରୁଦେବୁ ।’’ କେଶବଭାରତୀ କହିଲେ, ‘‘ମୁଁ ରାଜି ଅଛି ଏଠାରୁ ଚାଲିଯିବା ପାଇଁ, କିନ୍ତୁ ତାହା କଣ ସମାଧାନର ବାଟ ? ବରଂ ତୁମେମାନେ ଚେଷ୍ଚାକର ନିମାଇଁକୁ ତାର ପ୍ରତିଜ୍ଞାରୁ ହଟେଇବାପାଇଁ ।’’ କ୍ରୋଧାନ୍ଧ ଲୋକଙ୍କ ମନକୁ ଏ କଥାଟି ବେଶ ପାଇଲା । ସମସ୍ତେ ଆସିଲେ ନିମାଇଁଙ୍କ ପାଖକୁ । କିନ୍ତୁ ଶ୍ରୀ ଗୌରାଙ୍ଗ ତଥା ନିମାଇଁ ନିଜର ମନଭର କଥାକୁ ଏପରି ସୁନ୍ଦର, ସରଳ ଓ ପରିଷ୍କାର ଭାବରେ ବୁଝେଇଦେଲେ ଯେ, ସମସ୍ତେ ଭାବିଲେ ନିମାଇଁଙ୍କ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିବା ଯଥାର୍ଥ । ସମସ୍ତେ ବୁଝିଗଲେ, ଆଜି ନିମାଇଁ ଯାହା କରୁଛି ହୁଏତ କାଲି ଅନ୍ୟମାନଙ୍କୁ ମଧ୍ୟ ତାହା କରିବାକୁ ପଡ଼ିପାରେ । ଜଣେ ଭଣ୍ଡାରି ଡକ ହୋଇ ଆସିଲା, କାରଣ ନିମାଇଁଙ୍କୁ ଲଣ୍ଡା ହେବାକୁ ପଡ଼ିବ । ଭଣ୍ଡାରି ଆସିଲା ସତ, କିନ୍ତୁ ନିମାଇଁଙ୍କୁ ଦେଖୁ ଦେଖୁ ତା ଆଖି ଛଳଛଳ ହୋଇ ଆସିଲା । ସେ ପ୍ରଭୁଙ୍କ ପାଦତଳେ ସାଷ୍ଟାଙ୍ଗ ପ୍ରଣିପାତ କରି କହିଲା, ‘‘ପ୍ରଭୁ, ମତେ କ୍ଷମା କରିବେ । ମୁଁ ଆପଣଙ୍କୁ ଲଣ୍ଡା କରିପାରିବିନାହିଁ ।’’ ନିମାଇଁ ଭଣ୍ଡାରିକୁ ବହୁତ ବୁଝେଇଲେ । ବୁଝାଉ ବୁଝାଉ ସେ କୃଷ୍ଣ ନାମ କୀର୍ତ୍ତନ କରି ନାଚି ଉଠିଲେ । ଭଣ୍ଡାରି ମଧ୍ୟ ନାଚି ଉଠିଲା । ନୃତ୍ୟ ପରେ ଭଣ୍ଡାରିର ଭାବାନ୍ତର ଘଟିଲା । ଲଣ୍ଡିତ ହେଲେ ନିମାଇଁ । ତା'ପରେ ନିମାଇଁ ଗଲେ ନଦୀକୁ ସ୍ନାନ କରିବା ପାଇଁ । ସ୍ନାନ ପରେ ଫେରିଆସିଲେ ଗୁରୁଙ୍କ ନିକଟକୁ । କେଶବଭାରତୀ ଦେଲେ ତାଙ୍କୁ ଦୁଇଟି ଗେରୁଆ ଲୁଗା । ସେଥିରୁ ଗୋଟିଏ ପିନ୍ଧି ଆଉ ଗୋଟିଏ କାନ୍ଧରେ ପକାଇଲେ । ତା'ପରେ ପାଖରେ ଯାଇ ବସିଲେ କେଶବଭାରତୀଙ୍କର । ଗୁରୁ ଦେଲେ ତାଙ୍କୁ କର୍ଣ୍ଣମନ୍ତ୍ର । ଚାରିପଟେ ଘେରି ରହିଥିଲେ ଶହ ଶହ ଲୋକ । କିନ୍ତୁ ସମସ୍ତେ ନୀରବ, ନିସ୍ତବ୍ଧ ।

 

କେଶବଭାରତୀ ଘୋଷଣା କଲେ, ‘‘ଏଣିକି ନିମାଇଁଙ୍କ ସନ୍ନ୍ୟାସୀ ନାମ ରହିବ କୃଷ୍ଣଚୈତନ୍ୟ । ଲୋକଙ୍କ ହୃଦୟରେ ଶ୍ରୀକୃଷ୍ଣଚେତନା ଖେଳେଇବା ହେବ ଏହାର କାମ ।’’ ସନ୍ନ୍ୟାସ ଦୀକ୍ଷା ଦେବା କାର୍ଯ୍ୟ ଶେଷ ହେଲା । ଉପସ୍ଥିତ ସମସ୍ତେ ଜଣକ ପରେ ଜଣେ ଆସି ମୁଣ୍ଡିଆ ମାରିଲେ ନବୀନ ସନ୍ନ୍ୟାସୀଙ୍କୁ । ଶ୍ରୀ ଚୈତନ୍ୟ ଗୁରୁଙ୍କ ପାଦ ସ୍ପର୍ଶ କରିବାକୁ ଯିବାମାତ୍ରେ କେଶବଭାରତୀ ମନା କରିଦେଲେ । ସେ କୁଣ୍ଡାଇପକାଇଲେ ଶ୍ରୀ ଚୈତନ୍ୟଙ୍କୁ । ବୃଦ୍ଧ କେଶବଭାରତୀଙ୍କ ଶରୀରରେ ଦେଖାଦେଲା ନୂତନ ସ୍ପନ୍ଦନ । ସେ ଶ୍ରୀ ଚୈତନ୍ୟଙ୍କୁ ଧରି ନାଚି ଉଠିଲେ ପାଗଳଙ୍କ ଭଳି । ଉପସ୍ଥିତ ସମସ୍ତଙ୍କ ମୁହଁରେ ଧ୍ୱନିତ ହେଲା କେବଳ ଏକ ମାତ୍ର ଶବ୍ଦ, ଚୈତନ୍ୟ, ଚୈତନ୍ୟ ।

 

ଚୈତନ୍ୟଙ୍କ ମନରେ ସୃଷ୍ଟି ହେଲା ପୂର୍ବଭଳି ସେଇ କୃଷ୍ଣ-ଭାବାବେଶ । କୃଷ୍ଣ ଅଛନ୍ତି ବୃନ୍ଦାବନରେ—କହି ସେ ଦୌଡ଼ିବାକୁ ଲାଗିଲେ । କିନ୍ତୁ କେଶବଭାରତୀ ଡାକ ଛାଡ଼ିଲେ, ‘‘ଫେରିଆସ ନିମାଇଁ ǃ ମନେରଖ ତୁମେ ସନ୍ନ୍ୟାସୀ । ହାତରେ ଦଣ୍ଡ ନେଇ ନାହଁ, କିମ୍ବା ଭକ୍ଷାପାତ୍ର ନେଇନାହଁ, ଯିବ କୁଆଡ଼େ ?’’ ଫେରି ଆସିଲେ ଶ୍ରୀ ଚୈତନ୍ୟ । ସେତେବେଳକୁ ତାଙ୍କର ଭାବାବେଶ ଚାଲି ଯାଇଥାଏ । ଦକ୍ଷିଣ ହସ୍ତରେ ଧରିଲେ ଦଣ୍ଡ । ଉପସ୍ଥିତ ଲୋକଙ୍କୁ ନିବେଦନ କରି କହିଲେ, ତୁମମାନଙ୍କଠାରେ ମୋର ଏକମାତ୍ର ଭିକ୍ଷା, କୃଷ୍ଣଙ୍କୁ କେବେ ଭୁଲିଯିବ ନାହିଁ । ମାମୁଁ ଚନ୍ଦ୍ରଶେଖରଙ୍କୁ କହିଲେ, ‘‘ମା'ଙ୍କୁ କହିବ ମତେ କ୍ଷମାକରିବେ ।’’ ତା'ପରେ 'ହେ ମୋର ପ୍ରିୟତମ କୃଷ୍ଣ, ମୁଁ ତୁମରି ପାଖକୁ ହିଁ ଯାଉଛି," କହି ପୁଣି ସେ ଦୌଡ଼ିବାକୁ ଲାଗିଲେ । ତାଙ୍କ ପଛେପଛେ ଦୌଡ଼ିଲେ ଶହ ଶହ ଭକ୍ତ । ସେ ସମସ୍ତଙ୍କୁ ହାତଯୋଡ଼ି କହିଲେ, ‘‘ଆପଣମାନେ ଘରକୁ ଫେରିଯାଆନ୍ତୁ । ମୁଁ ଯାଉଛି ମୋର କୃଷ୍ଣ ପାଖକୁ ।’’ କିନ୍ତୁ କେହିହେଲେ ଫେରିଆସିବା ପାଇଁ ନାରାଜ । କ୍ରମଶଃ ସମାଧି ଅବସ୍ଥା ଆସିଗଲା ଶ୍ରୀଚୈତନ୍ୟଙ୍କର ।

 

ସମାଧି ଅବସ୍ଥା ସହଜ ନୁହ । ଯୋଗାଭ୍ୟାସ ଦ୍ୱାରା ମନୁଷ୍ୟ ଏହି ସୋପାନରେ ପହଞ୍ଚିପାରେ । 'ଯୋଗ' ଅର୍ଥ ହେଉଛି ଭଗବାନଙ୍କ ସହିତ ଜୀବାତ୍ମାର ସଂଯୋଗ । ଗୋଟିଏ ମତରେ ଆତ୍ମା ହେଉଛି ସ୍ତ୍ରୀ । ତାର ପ୍ରେମିକ ବା ଉପପତି ହେଉଛି ଶରୀର, କିନ୍ତୁ ତାର ପ୍ରକୃତ ସ୍ୱାମୀ ହେଉଛନ୍ତି ଭଗବାନ । ଯୋଗର ଲକ୍ଷ୍ୟ ହେଉଛି ଏହି ସ୍ତ୍ରୀକୁ ଉପପତି ହଟେଇ ଆଣି ତାର ପ୍ରକୃତ ସ୍ୱାମୀ ସହିତ ମିଳନ କରାଇବା । ଏଥିଲାଗି ସାଧନା ଓ କଠୋର ତପସ୍ୟା ଆବଶ୍ୟକ । ଏହା ହେଉଛି ଅଦ୍ୱୈତବାଦୀମାନଙ୍କର ମତ । କିନ୍ତୁ ଦ୍ୱୈତବାଦୀମାନଙ୍କର ମତ ହେଉଛି ପ୍ରେମ ଓ ଭକ୍ତିଦ୍ୱାରା ହିଁ ଭଗବତପ୍ରାପ୍ତି ସମ୍ଭବ ।

 

ଶ୍ରୀଚୈତନ୍ୟ କ୍ରମଶଃ ବାହ୍ୟଜ୍ଞାନଶୂନ୍ୟ ହୋଇପଡ଼ିଲେ । ତାଙ୍କର ଏକମାତ୍ର ବ୍ୟାକୁଳତା ରହିଲା ବୃନ୍ଦାବନକୁ ଯିବାପାଇଁ । ସେ ଏତେ କ୍ଷିପ୍ରଗତିରେ ଦୌଡ଼ିବାକୁ ଲାଗିଲେ ଯେ ଅନ୍ୟମାନେ ତାଙ୍କ ପଛେ ପଛେ ଧାଇଁ ଧାଇଁ କ୍ଳାନ୍ତଶ୍ରାନ୍ତ ହୋଇପଡ଼ିଲେ । ଗୋଡ଼ୋଉଥିବା ଭକ୍ତଙ୍କ ମଧ୍ୟରେ ଥିଲେ ନିତ୍ୟାନନ୍ଦ ( ନିତାଇ ), ଚନ୍ଦ୍ରଶେଖର, ମୁକୁନ୍ଦ ଓ ଗୋବିନ୍ଦ । ଶ୍ରୀଚୈତନ୍ୟ ଦୌଡ଼ି ଦୌଡ଼ି ଏକ ଜଙ୍ଗଲ ଭିତରେ ପ୍ରବେଶ କଲେ । ‘‘ଧୀରେ ଧୀରେ ଯାଅ, ଆମେ କେହି ଯାଇ ପାରୁନାହୁଁ’’—ବୋଲି ଅନୁସରଣକାରୀମାନେ ଯେତେ ପାଟି କରି କହିଲେ ମଧ୍ୟ ଶ୍ରୀଚୈତନ୍ୟ କାହା କଥା ଶୁଣିଲେ ନାହିଁ । ଯାଉ ଯାଉ ଶ୍ରୀଚୈତନ୍ୟ ବାଟଭୁଲି ଜଙ୍ଗଲ ଭିତରେ କୁଆଡ଼େ ପଶିଗଲେ ଭକ୍ତମାନେ ଜାଣିପାରିଲେ ନାହିଁ । ତିନିଦିନ କାଳ ନ ଖାଇ ନ ପିଇ ସେମାନେ ବହୁତ ଖୋଜାଖୋଜି କଲେ, କିନ୍ତୁ ପ୍ରଭୁଙ୍କର କୌଣସି ସନ୍ଧାନ ମିଳିଲା ନାହିଁ । ହଠାତ୍ ଦିନେ ସକାଳେ ସେମାନଙ୍କ କାନରେ ପଡ଼ିଲା ଏକ କରୁଣ ଶବ୍ଦ । ଜଣେ କେହି ସ୍ତ୍ରୀଲୋକ କାନ୍ଦୁଥିବା ଭଳି ଶୁଣାଗଲା । ଶବ୍ଦ ବାରିବାରି ପହଞ୍ଚିଲେ ଯାଇ ସେହି ଲୋକ ପାଖରେ । ଦେଖିଲେ ଏକ ବଟବୃକ୍ଷମୂଳେ ବସିଛନ୍ତି ଶ୍ରୀଚୈତନ୍ୟ । ଦେହରେ ଲଟକି ରହିଛି କେଶବଭାରତୀ ଦେଇଥିବା ଗେରୁଆ ଲୁଗା ଖଣ୍ଡିକ । କିନ୍ତୁ ଉଲଗ୍ନ । କେବଳ ଶ୍ରୀକୃଷ୍ଣଙ୍କୁ ଝୁରିଝୁରି କାନ୍ଦୁଛନ୍ତି ସେ ।

 

ନିତାଇ କହିଲେ, ‘‘ତୁମେ ସନ୍ନ୍ୟାସୀ ହେଲ ମାନବସମାଜକୁ ମୁକ୍ତ କରିବା ପାଇଁ । କିନ୍ତୁ ଏବେ ତୁମେ ଯେଉଁ ରୂପରେ ଅଛ, ଏଥିରେ ମନୁଷ୍ୟ ସମାଜକୁ ରକ୍ଷା କରିବ କ'ଣ ବରଂ ହତ୍ୟା କରିବା ଭଳି ମନେହେଉଛି ।’’ ନିତାଇ ଏତେ କଡ଼ାକଥା କହିଲେ ମଧ୍ୟ ଶ୍ରୀଚୈତନ୍ୟ କିଛି ଶୁଣିପାରିଲେ ନାହିଁ । କାରଣ ତାଙ୍କର ସମସ୍ତ ଇନ୍ଦ୍ରିୟର ଦ୍ୱାର ସେତେବେଳକୁ ବନ୍ଦ । ତାଙ୍କର ଧାରଣା ଯେ ସେ ଚିଲିଛନ୍ତି ବୃନ୍ଦାବନ ଅଭିମୁଖେ । ପୁଣି ଉଠି ଦୌଡ଼ିଲେ ସେ । କିନ୍ତୁ ସେ ପଶ୍ଚିମ ଆଡ଼କୁ ଗତି କରୁଥିଲେ ବୋଲି ଜାଣିପାରୁନଥିଲେ । ବାସ୍ତବରେ ସେ ନିଜ ଘର ଆଡ଼କୁ ହିଁ ଆସୁଥିଲେ ।

 

ପଞ୍ଚମ ଦିବସରେ ଶ୍ରୀଚୈତନ୍ୟ ଆସି ପହଞ୍ଚିଲେ ଏକ ଖୋଲା ପଡ଼ିଆରେ । ସେଠାରେ ଗଉଡ଼ପିଲାମାନେ ଗାଇ ଚରାଉଥିଲେ । ନିତାଇ (ନିତ୍ୟାନନ୍ଦ) ପିଲାମାନଙ୍କୁ କହିଲେ, 'ହରିବୋଲ' ଧ୍ୱନି କର । 'ହରିବୋଲ' ଡାକ ଛାଡ଼ିଲେ ପିଲାମାନେ । ହରିବୋଲ ଧ୍ୱନିରେ ଶ୍ରୀଚୈତନ୍ୟ ସଚେତ ହୋଇଉଠିଲେ । ତାଙ୍କ ଆଖି ଖୋଲିଲା । ପ୍ରଭୁ ହୁଏତ ସେମାନଙ୍କୁ ଦେଖିଦେବେ ଏ ଭୟରେ ନିତାଇ ମୁକୁନ୍ଦ ପ୍ରମୁଖ ଲୁଚିଗଲେ ଗଛ ଆଢ଼ୁଆଳରେ । ଶ୍ରୀଚୈତନ୍ୟ ଗଉଡ଼ପିଲାଙ୍କୁ ଡାକି କହିଲେ, ‘‘ଏ ମଧୁର ହରିନାମ ତୁମକୁ ଶିଖାଇଲା କିଏ ? ତୁମେମାନେ କ'ଣ ବୃନ୍ଦାବନର ଗୋପାଳ ?’’ ଗଉଡ଼ପିଲାମାନେ କିଛି ବୁଝିପାରିଲେ ନାହିଁ । ଶ୍ରୀଚୈତନ୍ୟ କହିଲେ ‘‘ଥରେ ଗାଅ ।’’ ଗଉଡ଼ପିଲାମାନେ ଧରିଲେ 'ହରିନାମ' । ଆନନ୍ଦରେ ନାଚି ଉଠିଲେ ଶ୍ରୀଚୈତନ୍ୟ । ଅଳ୍ପ ସମୟ ପରେ ସେ ଫେରିଆସିଲେ ସ୍ୱାଭାବିକ ଅବସ୍ଥାକୁ । ପିଲାମାନଙ୍କୁ ପଚାରିଲେ, ‘‘ବୃନ୍ଦାବନକୁ ବାଟ କୁଆଡ଼େ କହିଦେଇପାରିବ ?’’

 

ନିତାଇ ଥିଲେ ଏକ ଗଛ ଆଢ଼ୁଆଳରେ । ସେ ଗଉଡ଼ପିଲାଙ୍କୁ ଠାରି କହିଲେ, ‘‘ତାଙ୍କୁ ଶାନ୍ତପୁରକୁ ଯିବା ବାଟଟି ଦେଖାଇଦିଅ ।’’ ଗଉଡ଼ପିଲାମାନେ ନିତାଇଙ୍କ କଥା ରଖି ଶ୍ରୀଚୈତନ୍ୟଙ୍କୁ ଶାନ୍ତିପୁରକୁ ଯିବା ବାଟଟି ଦେଖାଇଦେଲେ । ଶ୍ରୀଚୈତନ୍ୟ ପିଲାମାନଙ୍କ କଥା ସତ ମନେକରି ଚାଲିଲେ ବୃନ୍ଦାବନ ଯିବା ଆଶାରେ ଶାନ୍ତିପୁର ଅଭିମୁଖେ । ନିତାଇ ଚନ୍ଦ୍ରଶେଖର କହିଲେ, ‘‘ତୁମେ ଆଗେ ଆଗେ ଧାଇଁଯାଇ ଅଦ୍ୱୈତଙ୍କୁ କହିବ ସେ ନଈ ଏପାରିକୁ ଆସି ଗୋଟିଏ ଡଙ୍ଗା ଠିକ୍ କରି ରଖିଥିବେ । ମୁଁ ପ୍ରଭୁଙ୍କୁ ଡଙ୍ଗାରେ ବସାଇ ଶାନ୍ତିପୁର ନେଇଯିବି ।’’ ଆଗକୁ ଆଗକୁ ଚାଲିଛନ୍ତି ଶ୍ରୀଚୈତନ୍ୟ । ପଛେ ପଛେ ନିତ୍ୟାନନ୍ଦ । ଅବଶ୍ୟ କାଶ ଓ ଛିଙ୍କ ଛଳରେ ସେ ପଛରେ ଥିବା କଥା ପ୍ରଭୁଙ୍କୁ ଜଣାଉଥିଲେ, କିନ୍ତୁ ଶ୍ରୀଚୈତନ୍ୟ ଆଦୌ ପଛକୁ ଚାହୁଁ ନଥିଲେ, କେବଳ ଜାଣୁଥିଲେ ଯେ ତାଙ୍କ ପଛରେ କେହି ଜଣେ ଆସୁଛି । ମଝିମଝିରେ ଶ୍ରୀଚୈତନ୍ୟ ପଚାରୁଥିଲେ, ‘‘ବୃନ୍ଦାବନ ଆଉ କେତେ ଦୂର ?’’ ନିତାଇ ଉତ୍ତର ଦେଉଥିଲେ,’’ବେଶି ଦୂର ନୁହେଁ, ହେଇ ପାଖେଇ ଆସିଲାଣି ।’’ ହଠାତ୍ ଶ୍ରୀଚୈତନ୍ୟଙ୍କ ସାମନାରେ ଆସି ଠିଆହେଲେ ନିତାଇ । ଉଭୟଙ୍କ ଚକ୍ଷୁର ମିଳନ ହେଲା । ଶ୍ରୀଚୈତନ୍ୟ କହିଲେ, ‘‘ତୁମକୁ କେଉଁଠି ଦେଖିଲା ଭଳି ମନେହେଉଛି ।’’

 

—"ମୁଁ ପରା ନିତାଇ !" ଶ୍ରୀଚୈତନ୍ୟ କୁଣ୍ଢେଇ ପକାଇଲେ ନିତ୍ୟାନନ୍ଦକୁ । କହିଲେ, ‘‘ଶ୍ରୀପାଦ ǃ ମୁଁ ତ ତୁମକୁ ନଦିଆରେ ଛାଡ଼ିଦେଇ ଆସିଥିଲି —ତୁମେ ଏତେ ବାଟ ଆସିଲ କିପରି ? ମୁଁ ବର୍ତ୍ତମାନ ବୃନ୍ଦାବନ ପାଖାପାଖି ।’’

 

ନିତ୍ୟାନନ୍ଦ କହିଲେ, ‘‘ମୁଁ ଆପଣଙ୍କ ପଛେ ପଛେ ଆସୁଥିଲି ।’’ ଶ୍ରୀଚୈତନ୍ୟ ଖୁସି ହୋଇ କହିଲେ,’’ଯାହାହେଉ ବୃନ୍ଦାବନରେ ଦୁହେଁ ମିଶି ଶ୍ରୀକୃଷ୍ଣଙ୍କ ପାଦପୂଜା କରିବା । ତୁମେ ତ ଆମର ବୃନ୍ଦାବନରେ ଥିଲେ—ବାଟଘାଟ ଜଣାଥିବ । ତୁମେ ଆଗେ ଆଗେ ଚାଲ, ମୁଁ ପଛେ ପଛେ ଯିବି ।’’ ଏହି ସୁଯୋଗଟିକକ ପାଇବା ପାଇଁ ଚାହୁଁଥିଲେ ନିତ୍ୟାନନ୍ଦ ।

 

ନିତ୍ୟାନନ୍ଦ ଚାଲିଲେ ଆଗେ ଆଗେ, ପଛେ ପଛେ ଶ୍ରୀଚୈତନ୍ୟ । ପୂର୍ବଭଳି ସେ କେବଳ ପଚାରିବାରେ ଲାଗିଥିଲେ, ‘‘ବୃନ୍ଦାବନ ଆଉ କେତେ ଦୂର ?’’ ନିତ୍ୟାନନ୍ଦ କହୁଥିଲେ, ‘‘ଏହି ଡାକେ ବାଟ । ଏଇ ତ ବୃନ୍ଦାବନ ।’’

 

ଦୁହେଁ ଆସି ପହଞ୍ଚିଥିଲେ ଭାଗୀରଥୀ କୂଳରେ । ପ୍ରଶ୍ନ ପଚାରିଲେ, ‘‘ଏ ନଦୀର ନାମ-?’’ ନିମାଇ କହିଲେ,’’ଇଏ ସେହି ଯମୁନା ।’’ 'ଯମୁନା' ନାମ ଶୁଣିବା ମାତ୍ରେ ଶ୍ରୀଚୈତନ୍ୟଙ୍କ ମନରେ ଦେଖାଦେଲା ଏକ ଅପୂର୍ବ ଭାବ । ସେ ଆଖି ବୁଜି ଠିଆହେଲେ ନଦୀ କୂଳରେ-। ହାତଯୋଡ଼ି ପ୍ରାର୍ଥନା କଲେ ଯମୁନାକୁ ।

 

ଆଗରୁ ଖବର ପାଇଁ ଉପସ୍ଥିତ ହୋଇଥିଲେ ଅଦ୍ୱୈତ ଆଚାର୍ଯ୍ୟ । ଶ୍ରୀଚୈତନ୍ୟ ଆଖି ଖୋଲିବାମାତ୍ରେ ଦେଖିଲେ ଅଦ୍ୱୈତଙ୍କୁ । ବିସ୍ମିତ ହୋଇପଡ଼ିଲେ ସେ । କିନ୍ତୁ ପରମୁହୂର୍ତ୍ତରେ ଖୁସିହୋଇ କହିଲେ, ‘‘ଏଣିକି ତୁମେ, ମୁଁ ଓ ଶ୍ରୀପାଦ ତିନି ହେଁ ମିଶି ବୃନ୍ଦାବନରେ ରହିବା ଶ୍ରୀକୃଷ୍ଣଙ୍କ ଚରଣାବିନ୍ଦ ସେବାରେ ।’’ କିନ୍ତୁ ପରମୁହୂର୍ତ୍ତରେ ସେ ଭାବିଲେ—ଅଦ୍ୱୈତାଚାର୍ଯ୍ୟ ଏଠାକୁ ଆସିଲେ କିପରି ? କ୍ରମଶଃ ଶ୍ରୀଚୈତନ୍ୟ ସବୁ କଥା ଜାଣିପାରିଲେ । ନିତ୍ୟାନନ୍ଦଙ୍କୁ କହିଲେ, ‘‘ଇଏ ହେଉଛି ତୁମର କୌଶଳ । ତୁମେ ଜାଣିଚ ମୁଁ ସନ୍ନ୍ୟାସୀ ହୋଇଛି, ମୁଁ ଯିବାକୁ ଚାହେଁ ବୃନ୍ଦାବନ । ମୋର ଭାଇ ହୋଇ ଶେଷରେ ତୁମେ ହିଁ ମୋର ବାଟ ଓଗାଳୁଚ ?’’ ମୁଣ୍ଡ ଉଠାଇପାରିଲି ନାହିଁ ନିତ୍ୟାନନ୍ଦ-। ଲାଜରେ ସେ ଏକାବେଳକେ ଭାଙ୍ଗିପଡ଼ିଲେ । କିନ୍ତୁ ଅଦ୍ୱୈତାଚାର୍ଯ୍ୟ ତାଙ୍କୁ ଏ ପରିସ୍ଥିତରୁ ଉଦ୍ଧାର କରି ଶ୍ରୀଚୈତନ୍ୟଙ୍କୁ କହିଲେ, ‘‘ପୁରାଣରେ ଅଛି ଯମୁନା ଭାଗୀରଥୀର ପଶ୍ଚିମ ତୀରରେ ପ୍ରବାହିତ ।’’ ଶ୍ରୀଚୈତନ୍ୟ କହିଲେ, ‘‘କିନ୍ତୁ ମତେ କୁହାଗଲା ଯେ ଏହି ସ୍ଥାନ ହିଁ ବୃନ୍ଦାବନ-।’’

 

ଅଦ୍ୱୈତ କହିଲେ, ‘‘ପ୍ରଭୁ, ତୁମେ ଯେଉଁଠି ବୃନ୍ଦାବନ ସେଇଠି ।’’ ଶ୍ରୀଚୈତନ୍ୟ କ'ଣ କହିବାକୁ ଯାଉଥିଲେ, ନିତ୍ୟାନନ୍ଦ ବାଧାଦେଇ କହିଲେ,’’ଦେଖନ୍ତୁ, ଗତ ପାଞ୍ଚଦିନ ହେଲା ଆମେମାନେ ଅନ୍ନଜଳ ସୁଦ୍ଧା ସ୍ପର୍ଶ କରିନୁ । ଆପଣ ସିନା ସନ୍ନ୍ୟାସୀ ଲୋକ, ମାତ୍ର ଆମେମାନେ ସେହି ସାଧାରଣ ମନୁଷ୍ୟ । ଚାଲନ୍ତୁ ଅଦ୍ୱୈତଙ୍କ ଘରେ ଖିଆପିଆ କରି, କାହାର କେଉଁଠି ଭୁଲ ହେଲା ପରେ ବିଚାର କରିବା । ମୁଁ ଯଦି ଆପଣଙ୍କୁ ଠକିଥାଏ, ସେଥିଲାଗି ଯେକୌଣସି ଦଣ୍ଡ ପାଇବା ପାଇଁ ମୁଁ ପ୍ରସ୍ତୁତ ।’’

 

ଡଙ୍ଗାରେ ବସିଲେ ସମସ୍ତେ । କିଛି ସମୟ ପରେ ପହଞ୍ଚିଲେ ଶାନ୍ତିପୁରରେ, ଅଦ୍ୱୈତଙ୍କ ଘରେ । ଡଙ୍ଗାରେ ଚାଲିଲା କୀର୍ତ୍ତନ । ବୃନ୍ଦାବନ ଯାଇପାରିନଥିବା ଦୁଃଖ ଭୁଲିଗଲେ ଶ୍ରୀଚୈତନ୍ୟ । ରାତିରେ ଖିଆପିଆ ସରିଲା । ଶ୍ରୀଚୈତନ୍ୟ ଠିକ୍ ଖାଇବାକୁ ଯିବାବେଳକୁ ନିତାଇ ପାଖରେ ଠିଆହୋଇ କହିଲେ, ‘‘ନଦିଆର ଭକ୍ତମାନେ ଆପଣଙ୍କ ସଂବାଦ ପାଇବା ପାଇଁ ବ୍ୟାକୁଳ ଚିତ୍ତରେ ଅପେକ୍ଷା କରି ରହିଛନ୍ତି । ସେମାନଙ୍କୁ ଖବର ଦେବାକୁ ଯାଇପାରବି କି ? ତାଛଡ଼ା ଏଠାକୁ ମାଆଙ୍କୁ ଆଣିପାରିବି କି ?’’ ପୁଅ ନିମାଇଁ ଘର ଛାଡ଼ି ଯିବା ଦିନଠାରୁ ମା ଶଚୀ ଅନ୍ନ କଥା ଛାଡ଼, ଜଳ ସୁଦ୍ଧା ସ୍ପର୍ଶ କରିନଥିଲେ । ପୁଅର ଖବର ଅନ୍ତର ପାଇବା ପରେ ଯାଇ ଅନ୍ନ ସ୍ପର୍ଶ କରିବେ ବୋଲି ମନେ ମନେ ସ୍ଥିର କରିନେଇଥିଲେ ସେ । ଏଥିରେ ବିଷ୍ଣୁପ୍ରିୟାଙ୍କ ଅବସ୍ଥା କ'ଣ ହୋଇଥିବ ସହଜେ ଅନୁମେୟ । ଶାଶୁବୋହୂ ଦୁହେଁ ଚୁପ୍‍ଚାପ୍ କବାଟ କିଳି ଘର ଭିତରେ ପଡ଼ିରହିଥିଲେ ଛଅଦିନ ଧରି-

 

ହଠାତ୍ କବାଟ ବାଡ଼ିଆ ଶୁଭିଲା । ଶଚୀ ଭାବିଲେ ନିମାଇଁ ଫେରିଆସିଚି । ଉତ୍କଣ୍ଠତା ହୋଇ ପଚାରିଲେ—ନିମାଇଁ ? ବାହୁରୁ ଉତ୍ତର ଆସିଲା—ମୁଁ ନିତାଇ । ଶଚୀ ବହୁ କଷ୍ଟରେ ଗଲେ କବାଟ ଖୋଲିବା ପାଇଁ । ନିତାଇକୁ ଦେଖିବା ମାତ୍ରେ ପଚାରିଲେ,’’କହିଥିଲ ନିମାଇଁକୁ ଫେରାଇ ଆଣିବ ବୋଲି, ନିମାଇଁ ତ ନାହିଁ ?’’ ନିତାଇ କହିଲେ, ‘‘ଫେରାଇ ଆଣିଚି ତୁମ ନିମାଇଁଙ୍କୁ, କିନ୍ତୁ ସେ ଅଛନ୍ତି ଶାନ୍ତିପୁରରେ । ସେ ସନ୍ନ୍ୟାସଦୀକ୍ଷା ଗ୍ରହଣ କରିଥିବା କଥା ସତ । ତୁମକୁ ଆଜି ଶାନ୍ତିପୁର ଯିବାକୁ ପଡ଼ିବ । ତୁମକୁ ନେବାପାଇଁ ନିମାଇଁଙ୍କଠାରୁ ଅନୁମତି ଆଣି ଆସିଛି ।’’ ନିମାଇଁ ସନ୍ନ୍ୟାସଦୀକ୍ଷା ଗ୍ରହଣ କରିସାରିଛି ଶୁଣିବା ମାତ୍ରେ ଶଚୀ ମୂର୍ଚ୍ଛିତା ହୋଇପଡ଼ିଲେ । ବହୁ ସମୟ ପରେ ଚେତା ଆସିଲା ତାଙ୍କର । କ୍ରମଶଃ ସମଗ୍ର ନଦିଆରେ ନିତାଇ ଫେରିଥିବା ସଂବାଦ ପ୍ରଚାରିତ ହୋଇଗଲା । ବହୁ ଲୋକ ଆସି ରୁଣ୍ଡ ହେଲେ । ନିମାଇଁ ସନ୍ନ୍ୟାସୀ ହୋଇସାରିଲେଣି ଶୁଣିବାମାତ୍ରେ ସମସ୍ତେ ଦୁଃଖାଭିଭୂତ ହୋଇପଡ଼ିଲେ । କିନ୍ତୁ ଶଚୀ ପୁଅପାଖକୁ ଯାଉଥିବା ଜାଣିବାମାତ୍ରେ ସେମାନେ ଆନନ୍ଦିତ ହୋଇଉଠିଲେ । ନିତାଇ ବହୁ କଷ୍ଟରେ ମାଆଙ୍କୁ ରାଜି କରାଇଲେ ଶାନ୍ତିପୁର ଯିବାପାଇଁ ।

 

ପାଲିଙ୍କ ସଜଡ଼ା ଗଲା । ଶଚୀ ଠିକ୍ ଭିତରେ ବସିବାକୁ ଗଲାବେଳେ ପାଖରେ ଆସି ଉପସ୍ଥିତ ହେଲେ ଜଣେ ମହିଳା । ମୁଣ୍ଡରେ ଓଢ଼ଣା ଦେଇଥିବାରୁ କିଏ ଇଏ ହଠାତ୍ କେହି ଜାଣିପାରିଲେ ନାହିଁ । କିନ୍ତୁ ଶଚୀ ଠିକ୍ ଜାଣିପାରିଲେ । ପାଲିଙ୍କି ଭିତରୁ କହିଲେ, ‘‘ତତେ ନନେଇ ମୁଁ କୁଆଡ଼େ ଯିବି ? ନିମାଇଁ ପାଖକୁ ତ ଯାଉଛି—ଆ ମାଆ, ତୁ ବି ଆ । ଦୁହେଁ ମିଶିକରି ଯିବା ।’’ କିନ୍ତୁ ନିତ୍ୟାନନ୍ଦ ବାଧାଦେଇ କହିଲେ, ‘‘ନା ମାଆ, ତାଙ୍କୁ ନେବାପାଇଁ ପ୍ରଭୁଙ୍କଠାରୁ ଅନୁମତି ଲୋଡ଼ା-। ମୁଁ ତ ସେ ଅନୁମତି ପାଇନାହିଁ ।’’ ଓଢ଼ଣା ଭିତରେ ଥିବା ବିଷ୍ଣୁପ୍ରିୟାଙ୍କ ଆଖିରେ ସେତେବେଳକୁ ଲୁହ ଭରିଆସିଥାଏ । କିନ୍ତୁ ସେ କାନ୍ଦିଛନ୍ତି ବୋଲି କାହାକୁ ନଜଣାଇ ଧୀରେ ଧୀରେ ଫେରିଗଲେ ଘରକୁ । ନୀରବ ନିଶ୍ଚଳ ନିସ୍ତବ୍ଧ ବାତାବରଣ ମଧ୍ୟରେ କେବଳ ଶୁଭୁଥିଲା ସେ ପାଦରେ ପିନ୍ଧିଥିବା କିଙ୍କିଣୀର ରୁଣୁଝୁଣୁ ଶବ୍ଦ । ବିଷ୍ଣୁପ୍ରିୟା ନିଜ ମନକୁ ବୁଝାଇବାରେ ଲାଗିଲେ, ‘‘ମୋ ପ୍ରତି ଯେ ତାଙ୍କର ସ୍ନେହ ନାହିଁ ତା ନୁହଁ, ମତେ ସ୍ଥାନ ଦେଇଛନ୍ତି ସମସ୍ତଙ୍କ ଊର୍ଦ୍ଧରେ, ମୁଁ ସେଥିଲାଗି ଭାଜନ ହେବା ଉଚିତ ।’’ ଶାଶୁ ନିକଟକୁ ଖବର ପଠାଇଲେ, ‘‘ମୋତେ ସାଙ୍ଗରେ ନ ନେଇ ଏକା ଯାଅ, ପୁଅକୁ ଦେଖିସାରି ଫେରିଆସିବ ।’’ ପରିସ୍ଥିତି ବୁଝିପାରି ଶଚୀ ବାହାରିଲେ ଶାନ୍ତିପୁର ଅଭିମୁଖେ-। ପାଲିଙ୍କି ଉଠୁ ଉଠୁ 'ହରିବୋଲ' ଧ୍ୱନିରେ ଚତୁର୍ଦ୍ଦିଗ ମୁଖରିତ ହୋଇଉଠିଲା-। ପାଲିଙ୍କି ଶାନ୍ତିପୁରରେ ପହଞ୍ଚିଲା ବେଳକୁ ଶ୍ରୀଚୈତନ୍ୟଙ୍କ ଚାରିପଟେ ଲୋକଙ୍କ ଭିଡ଼ କହିଲେ ନସରେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ପ୍ରଭୁଙ୍କ ନିକଟରେ ଏକମାତ୍ର ଅଳି; ପାପୀ, ତାପୀ, ପତିତମାନଙ୍କୁ ଉଦ୍ଧାର କର-। ତୁମେ ହିଁ ପତିତପାବନ, ଆସିଚ ମନୁଷ୍ୟରୂପରେ । ସମସ୍ତେ ଯେପରି ଦର୍ଶନ ପାଇବେ, ସେଥିଲାଗି ଶ୍ରୀଚୈତନ୍ୟ ଗଲେ ଏକ ଉଚ୍ଚସ୍ଥାନକୁ । ତାଙ୍କ ଦେହରେ ଗେରୁଆ ବସ୍ତ୍ର । ଉଜ୍ୱଳ ମୁଖମଣ୍ଡଳ-। ଯିଏ ଦେଖିଲା କହିଲା, ‘‘ପ୍ରଭୁ ମତେ ହିଁ ଚାହିଁଲେ-।’’ ଶ୍ରୀଚୈତନ୍ୟ ଦୁଇ ହାତ ଉଠାଇ ଲୋକଙ୍କୁ କହିଲେ, ‘‘ହରିବୋଲ" ଧ୍ୱନି କର । 'ହରିବୋଲ' ଚାଲିଲା ବହୁ ସମୟ ଧରି-

 

ଠିକ୍ ଏତିକିବେଳକୁ ପହଞ୍ଚିଲେ ମା ଶଚୀ । ଶଚୀଙ୍କ ଯିବା ପାଇଁ ଉପସ୍ଥିତ ସମସ୍ତେ ବାଟ କରିଦେଲେ । କିନ୍ତୁ ମାଆଙ୍କୁ ଦେଖୁ ଦେଖୁ ଶ୍ରୀଚୈତନ୍ୟ ଓହ୍ଲାଇ ଆସିଲେ ତଳକୁ—ମାଆଙ୍କୁ ପାଛୋଟି ନେବାପାଇଁ । ମାଆଙ୍କ ପାଦତଳେ ପ୍ରଣିପାତ କରିବା ମାତ୍ରେ ଶଚୀ କହିଲେ, ‘‘ସନ୍ନ୍ୟାସୀ ହୋଇସାରିବା ପରେ ଏହା କରିବା ଠିକ୍ ନୁହେଁ ।’’ ସଂଗେ ସଂଗେ ନିମାଇଁଙ୍କୁ ଆଉଁସାଆଉଁସି କରି କହିଲେ,’’କେଉଁ ଭଣ୍ଡାରିର ହାତ ଗଲାରେ ତତେ ଲଣ୍ଡା କରିବା ପାଇଁ ? କେଶବଭାରତୀ ମଧ୍ୟ ଏତେ କମ୍ ବୟସରେ ସନ୍ନ୍ୟାସୀଦୀକ୍ଷା ଦେଲେ କିପରି ?’’ ଏପର୍ଯ୍ୟନ୍ତ ଶ୍ରୀଚୈତନ୍ୟ ମାଙ୍କ ପାଦତଳେ ହାତଯୋଡ଼ି ବସି ରହିଥିଲେ ଯେପରିକି ଜଘନ୍ୟ ଦୋଷ କରିଛନ୍ତି ସେ—ସେଥିପାଇଁ କ୍ଷମାଭିକ୍ଷା କରୁଛନ୍ତି । ମାଆ କହିଲେ, ‘‘ତତେ କ'ଣ କରିନଥିଲେ ? ପାଠ ପଢ଼େଇଲି । ବିବାହ କରାଇଦେଲି । ଭାବିଥିଲି ନିମାଇଁ ମୋର ଘରସଂସାର କରିବ । ସବୁଠୁ ସୁନାପିଲା ମୋର । କିନ୍ତୁ କଲୁ କ'ଣ ? ଗେରୁଆ ଲୁଗା, ଲଣ୍ଡାମୁଣ୍ଡରେ ତତେ ଦେଖିବି ବୋଲି ସ୍ୱପ୍ନରେ ସୁଦ୍ଧା ଭାବିନଥିଲି ମୁଁ । ତୋର ଯଦି ଗୃହ ତ୍ୟାଗ କରିବାକୁ ଇଚ୍ଛା ଥିଲା, ମୁଁ ମଲାପର୍ଯ୍ୟନ୍ତ ଅପେକ୍ଷା କଲୁ ନାହିଁ କାହିଁକି ?’’ ଅତି ବିନାୟକାତର ସ୍ୱରରେ ଶ୍ରୀଚୈତନ୍ୟ କହିଲେ, ‘‘ଯାହା ହୋବାର ତ ହେଲାଣି, ଏଣିକି ତୁମର ବିନା ଅନୁମତିରେ ମୁଁ କିଛି କରିବି ନାହିଁ । ଏ ଶରୀର ହେଉଛି ତୁମର । ଯଦି କହିବ ମୁଁ ପୁଣି ଘରକୁ ଫେରିଯିବି, ନଦିୟାକୁ ଫେରିଯିବି ।’’ ଠିକ୍ ଏହି ସମୟରେ ଅଦ୍ୱୈତଙ୍କ ସ୍ତ୍ରୀ କହିଲେ, ‘‘ମାଆ ǃ ହାଣ୍ଡିଶାଳକୁ ଆସନ୍ତୁ ।’’ ମା ଶଚୀ କଥାଟି ଧରିପାରିଲେ ନାହିଁ । ଅଦ୍ୱୈତଙ୍କ ସ୍ତ୍ରୀଙ୍କୁ କହିଲେ, ‘‘ଆଜି ମୋ ପୁଅ ପାଇଁ ମୁଁ ନିଜେ ରାନ୍ଧିବି । ତା' ପାଇଁ ବୋଧହୁଏ ଇଏ ମୋର ଶେଷ ରନ୍ଧା ।’’

 

ଶ୍ରୀବାସ ଓ ଅନ୍ୟ ଭକ୍ତମାନେ ମଧ୍ୟ ଆସିଥିଲେ ଶଚୀଙ୍କ ପଛେ ପଛେ ଶ୍ରୀଚୈତନ୍ୟଙ୍କ ଦର୍ଶନ ଲାଗି । ଶ୍ରୀବାସ ଓ ଭକ୍ତମାନଙ୍କୁ ପାଖରେ ପାଇ ଭାରି ଖୁସି ହୋଇଉଠିଲେ ଶ୍ରୀଚୈତନ୍ୟ । ସେ ଦିନ ସଂଧ୍ୟାବେଳେ ହେଲା କୀର୍ତ୍ତନ । ଲୋକେ ଅନୁଭବ କଲେ ସ୍ୱୟଂ ଶ୍ରୀକୃଷ୍ଣଙ୍କୁ ସେମାନେ ପାଇଛନ୍ତି ଅତି ପାଖରେ । କୀର୍ତ୍ତନରେ ବିଭୋର ହୋଇପଡ଼ିଲେ ସମସ୍ତେ । ଶ୍ରୀଚୈତନ୍ୟ ନାଚି ନାଚି ଏକାବେଳେ ବେହୋସ । ମାଆ ଶଚୀ, ମୁରାରି, ଶ୍ରୀବାସ, ଅଦ୍ୱୈତଙ୍କ ନାଁ ଧରି ବହୁତ ଡାକିଲେ । କୀର୍ତ୍ତନ ବନ୍ଦ କର ବୋଲି ହାତଯୋଡ଼ି ମିନତି କଲେ, କିନ୍ତୁ କିଏ ତାଙ୍କ କଥା ଶୁଣୁଛି ? ସମସ୍ତେ ତ ବିଭୋର ǃ

 

ଏହିଭଳି ପ୍ରାୟ ପ୍ରତି ସଂଧ୍ୟାରେ ବହୁତ ରାତି ପର୍ଯ୍ୟନ୍ତ ଦୁଇ ତିନି ଦିନ ଧରି ଚାଲିଲା କୀର୍ତ୍ତନ । ଦିନେ ଭକ୍ତମାନଙ୍କୁ ଡାକି ଶ୍ରୀଚୈତନ୍ୟ କହିଲେ, ‘‘ମୁଁ କହୁ କହୁ ମାଆଙ୍କୁ କହିପକେଇଚି ତାଙ୍କର ବିନା ଅନୁମତିରେ ଆଉ କୁଆଡ଼େ ଯିବି ନାହିଁ । ଯଦି ସେ ଚାହାନ୍ତି ମୁଁ ନଦିୟାକୁ ଫେରିଯିବି-। କିନ୍ତୁ ନଦିୟାକୁ ଫେରିଯିବା କଣ ମୋ ପକ୍ଷରେ ଠିକ୍ ହେବ ? ଆପଣମାନେ ମୋ ମାଆଙ୍କର ପ୍ରକୃତ ଇଚ୍ଛା କଣ ଜାଣି ମତେ ଟିକିଏ ଜଣେଇବା ପାଇଁ ଚେଷ୍ଚା କରନ୍ତୁ ।’’ ନିତାଇ ଗଲେ ମାଆଙ୍କ ପାଖକୁ, ଅଦ୍ୱୈତ ମଧ୍ୟ ଗଲେ । ମାଆଙ୍କୁ ପଚାରିଲେ, ‘‘ପ୍ରଭୁ କଣ ନଦିୟାକୁ ଫେରିଯିବେ ବୋଲି ଆପଣ ଚାହୁଁଛନ୍ତି ?’’ ମା' ଶଚୀ ହସି ହସି କହିଲେ, ‘‘ତୁମେମାନେ କଣ ଭାବୁଛ ଯେ, ମୋ ପୁଅକୁ ମୁଁ ସାଙ୍ଗରେ ନେଇ ଫେରିବି ? ତା କଦାପି ହୋଇ ନ ପାରେ । ଲୋକେ କଣ କହିବେ ? ସପ୍ତାହକ ତଳେ ମୁଁ ଯାହାକୁ ଗୃହତ୍ୟାଗ ଲାଗି ନିଜେ ଅନୁମତି ଦେଇଛି, ତାକୁ ଘରକୁ ଫେରିଆ ବୋଲି କହିବା କଣ ସମ୍ଭବ ନା ଉଚିତ ହେବ ? ଯାଅ, ପୁଅକୁ କହିଦିଅ, ସନ୍ନ୍ୟାସଦୀକ୍ଷା ତ ଗ୍ରହଣ କରିସାରିଲାଣି; ସେ ସେଇଥିରେ ଅଟଳ ରହୁ ।’’ ମାଆଙ୍କ ମୁହଁରୁ ଏ ପ୍ରକାର କଥା ଶୁଣି ଭକ୍ତମାନେ ବିସ୍ମିତ ହୋଇପଡ଼ିଲେ । ସମସ୍ତେ କହିଲେ, ‘‘ପୁଅଠୁ ବଳିପଡ଼ିଲା ମାଆ ।’’

 

କିନ୍ତୁ ଶଚୀଙ୍କ ମନରେ ଥିଲା ଆଉ ଏକ ଚିନ୍ତା । ନିମାଇଁ ଯଦି ପୁରୀ ଜଗନ୍ନାଥଙ୍କ ପାଖରେ ରହନ୍ତା ଭାରି ଭଲହୁଅନ୍ତା ǃ ବୃନ୍ଦାବନ ଭଳି ପୁରୀ ନଦିୟାଠାରୁ ବେଶି ଦୂର ନୁହେଁ । ନଦିୟାର ଲୋକେ ପୁରୀ ଜଗନ୍ନାଥଙ୍କ ଦର୍ଶନ ଲାଗି ପ୍ରାୟ ଆଠକାଳି ବାରମାସୀ ଯାଇଥାଆନ୍ତା । ନିମାଇଁ ସେଇଠି ରହିଲେ ତାର ଖବର ଅନ୍ତର ସବୁବେଳେ ପାଆନ୍ତେ; ତା’ଛଡ଼ା ନିମାଇଁ ଯେଉଁ ଦୀକ୍ଷା ଗ୍ରହଣ କରିଛି, ସେଥିରେ ମଧ୍ୟ ସେ ଅଟଳ ରହିପାରନ୍ତା । ମାଆ ଶଚୀ ନିଜର ଏଇ ମନକଥା ଭକ୍ତଗଣଙ୍କ ଜରିଆରେ ଜଣାଇଦେଲେ ନିମାଇଁକୁ । ଶ୍ରୀଚୈତନ୍ୟ ହସି ହସି କହିଲେ, ‘‘ମାଆଙ୍କ ଇଚ୍ଛା ପୂରଣ ହେଉ । ମୁଁ ଜଗନ୍ନାଥ ଧାମରେ ରହିବି ।’’

 

କିନ୍ତୁ ଭକ୍ତମାନଙ୍କ ଭିତରୁ କେତେଜଣ ଆପତ୍ତି ଉଠାଇଲେ । କହିଲେ, ‘‘ଉତ୍କଳର ହିନ୍ଦୁରାଜା ଓ ବଂଗଳାର ନବାବଙ୍କ ମଧ୍ୟରେ ଶତ୍ରୁତା ରହିଆସିଛି ବହୁ ଦିନରୁ । ତେଣୁ ଓଡ଼ିଶା ସୀମା ଅତିକ୍ରମ କରିବାରେ ବଡ଼ ଅସୁବିଧା ଦେଖାଯିବ ।’’

 

କିନ୍ତୁ ଶ୍ରୀଚୈତନ୍ୟ କହିଲେ, ‘‘ସେ କଥା ଶ୍ରୀକୃଷ୍ଣ ବୁଝିବେ ।’’

 

ଅଦ୍ୱୈତ ଆଚାର୍ଯ୍ୟ କହିଲେ, ‘‘ପ୍ରଭୁ ଆଉ କେତୋଟି ଦିନ ଶାନ୍ତିପୁରରେ ରହନ୍ତୁ, ତା'ପରେ ଯିବେ ।’’

 

ଶ୍ରୀଚୈତନ୍ୟ ଅଦ୍ୱୈତଙ୍କ ଅନୁରୋଧକ୍ରମେ ଆଉ ପାଞ୍ଚଦିନ ରହିଲେ ଶାନ୍ତିପୁରରେ । ସ୍ଥିର ହେଲା, ଶ୍ରୀଚୈତନ୍ୟଙ୍କ ସାଙ୍ଗରେ ନୀଳାଚଳଧାମକୁ ଯିବେ ପାଞ୍ଚଜଣ, ଯଥା : ନିତ୍ୟାନନ୍ଦ, ମୁକୁନ୍ଦ, ଜଗଦାନନ୍ଦ, ଗୋବିନ୍ଦ ଓ ଦାମୋଦର । ଯେହେତୁ ହରିଦାସ ଏକଦା ମୁସଲମାନ ଥିଲେ, ଓଡ଼ିଶାକୁ ଯିବା ତାଙ୍କ ପକ୍ଷରେ ନିରାପଦ ହେବନି ମନେକରି ତାଙ୍କୁ ବଛାଗଲାନି । କିନ୍ତୁ କେତେଦିନ ପରେ ସେ ମଧ୍ୟ ପୁରୀ ଆସି ଶ୍ରୀଚୈତନ୍ୟଙ୍କ ସହିତ ଯୋଗଦେଇଥିଲେ । ମାଆଙ୍କଠାରୁ ବିଦାୟ ନେଲେ ଶ୍ରୀଚୈତନ୍ୟ । ଆସିଲା ବେଳେ କହିଲେ, ‘‘ତୁମେ କିମ୍ବା ବିଷ୍ଣୁପ୍ରିୟା ଯେତେବେଳେ ଚାହିଁବ ମତେ ହୃଦୟରେ ଦେଖିପାରିବି ।’’ ସଙ୍ଗେ ସଙ୍ଗେ ସେ ହରିବୋଲ ଧ୍ୱନି ଦେଇ ଦକ୍ଷିଣଦିଗକୁ ଅଗ୍ରସର ହେଲେ । ସେତେବେଳେ କଲିକତା ସହର ନ ଥିଲା । ଏବେ ଯେଉଁ ସ୍ଥାନକୁ କଲିକତା କୁହାଯାଉଛି, ତାହା ଥିଲା ଏକ ଜଙ୍ଗଲ । ଏହି ଜଙ୍ଗଲ ଅତିକ୍ରମ କରି ଶ୍ରୀଚୈତନ୍ୟ ପହଞ୍ଚିଲେ ଛତ୍ରଭୋଗ ନାମକ ଏକ ସ୍ଥାନରେ । ଏହିଠାରୁ ଗଙ୍ଗା ପାରିହେଲେ ତା ପରପଟେ ଉତ୍କଳ ଦେଶ । ସେତେବେଳେ ଉତ୍କଳ ଥିଲା ଏକ ବଡ଼ ଦେଶ । ଏହା ବହୁଆଡ଼କୁ ଲମ୍ବିଥିଲା । ବଂଗଳାଦେଶରେ ମୁସଲମାନ ରାଜୁତି ହେବାରୁ ଉତ୍କଳର ହିନ୍ଦୁରାଜା ପ୍ରତାପରୁଦ୍ର ବାହାରୁ ଉତ୍କଳ ଭିତରକୁ କାହାକୁ ପୂରାଇ ଦେଉନଥିଲେ । ସୀମାର ଘାଟି ଜାଗାମାନଙ୍କରେ ଜଗି ରହିଥିଲେ ଉତ୍କଳର ଦୁର୍ଦ୍ଧର୍ଷ ପାଇକମାନେ । ରାମଚନ୍ଦ୍ର ଖାନ୍ ଥିଲେ ବଂଗଳାର ଦକ୍ଷିଣାଞ୍ଚଳର ଶାସକ । ଛତ୍ରଭୋଗକୁ ଜଣେ ଯୁବକ ସନ୍ନ୍ୟାସୀ ଆସିଛନ୍ତି—ସେ ହେଉଛନ୍ତି ମନୁଷ୍ୟରୂପରେ ସ୍ୱୟଂ ଭଗବାନ—ଏ ଖବର ରାମଚନ୍ଦ୍ରଙ୍କ କାନରେ ପଡ଼ିବାମାତ୍ରେ ସେ ଆସିଲେ ଏହି ନବୀନ ସନ୍ନ୍ୟାସୀଙ୍କୁ ଦେଖିବାପାଇଁ ।

 

ଶ୍ରୀଚୈତନ୍ୟଙ୍କୁ ଦେଖୁ ଦେଖୁ ରାମଚନ୍ଦ୍ର ତାଙ୍କ ପାଦତଳେ ଲୋଟିପଡ଼ିଲେ । ଶ୍ରୀଚୈତନ୍ୟଙ୍କ ମୁହଁରେ ସେତେବେଳେ ଥିଲା ଏକମାତ୍ର ଧ୍ୱନି ‘‘ଜୟ ଜଗନ୍ନାଥ, ନୀଳାଚଳଚନ୍ଦ୍ର ।’’ ରାମଚନ୍ଦ୍ରଙ୍କ କାନରେ ମଧ୍ୟ ଏହି ଶବ୍ଦ ପଡ଼ିଲା । ତାଙ୍କ ହୃଦୟ ବିଗଳିତ ହୋଇପଡ଼ିଲା । ସେ କହିଲେ, ‘‘ପ୍ରଭୁ, ମୁଁ ଆପଣଙ୍କର କୌଣସି ସେବାରେ ଲାଗିପାରେ କି ?’’ ଶ୍ରୀଚୈତନ୍ୟ କିଛି କହିଲେ ନାହିଁ, କିନ୍ତୁ ନିତାଇ କହିଲେ,’’ଆମକୁ ଯଦି କାଲି ସକାଳେ ଓଡ଼ିଶା ସୀମା ଆରପଟେ ପହଞ୍ଚାଇ ଦେଇପାରନ୍ତେ ତାହାହେଲେ ପ୍ରଭୁଙ୍କର ଯଥେଷ୍ଟ ସେବା କଲେ ବୋଲି ସମସ୍ତେ ଭାବନ୍ତେ-।’’ ରାମଚନ୍ଦ୍ର ବଡ଼ ଅଡ଼ୁଆରେ ପଡ଼ିଲେ । ବହୁ ଚିନ୍ତା କରିବା ପରେ ସେହି ଦାୟିତ୍ୱ ସେ ନିଜେ ବହନ କଲେ । ତା ଆରଦିନ ସକାଳେ ସେ ଶ୍ରୀଚୈତନ୍ୟ ଓ ଭକ୍ତମାନଙ୍କୁ ଉତ୍କଳରାଜ୍ୟକୁ ପାର କରାଇଦେଲେ । ଏଥିଲାଗି ସମସ୍ତଙ୍କୁ ନଦୀ ପାରହେବାକୁ ପଡ଼ିଥିଲା । ଏହି ନଦୀ ପାରି ହେବାବେଳେ ଶ୍ରୀଚୈତନ୍ୟ କେତେକ ଲୀଳା ପ୍ରଦର୍ଶନ କରିଥିଲେ । ଘାଟୁଆମାନେ ବାନ୍ଧି ରଖିଥିବା କେତେକ ଯାନ୍ତ୍ରୀଙ୍କୁ ସେ ଉଦ୍ଧାର କରାଇଥିଲେ ।

 

ଓଡ଼ିଶା ଭିତରକୁ ଆସିବା ପରେ ବାଟରେ ପ୍ରଥମେ ଦେଖାହେଲା ଜଣେ ଧୋବା ସହିତ-। ଶ୍ରୀଚୈତନ୍ୟ ଧୋବାକୁ କହିଲେ, ‘ହରିବୋଲ' କର ।’’ ଧୋବା କହିଲା, ‘‘ଲୁଗା କାଚିବି କେତେବେଳେ, ‘‘ହରିବୋଲ' କରିବି କେତେବେଳେ ?’’ ଶ୍ରୀଚୈତନ୍ୟ କହିଲେ, ‘‘ଦେ ତୋ ଲୁଗାତକ ମୁଁ କାଚୁଚି, ତୁ 'ହରିବୋଲ' କର ।’’ଧୋବା ପ୍ରଭୁଙ୍କୁ ଦେଖିଲାମାତ୍ରେ ତ ଭୋଳ ହୋଇଯାଇଥିଲା; ସେ ହରିଙ୍କ ମଧୁର ନାମ ନେବାମାତ୍ରେ ନାଚି ନାଚି ବିଭୋର ହୋଇପଡ଼ିଲା-। ଧୋବଣୀ ଆସି ପହଞ୍ଚିଲା ଖାଇବା ଧରି । ଦେଖିଲା ଗୁଡ଼ିଏ ଲୋକ ଜମିଚନ୍ତି, ଧୋବା ନାଚୁଚି-। ଡରିଗଲା ସେ । ଭାବିଲା ସ୍ୱାମୀକୁ ତାର ଭୂତ ଡାହାଣୀ ଲାଗିଗଲା-। ସେ କାନ୍ଦିବାକୁ ଲାଗିଲା । ବହୁ ଲୋକ ରୁଣ୍ଡହେଲେ । ଉପସ୍ଥିତ ଲୋକଙ୍କ ମଧ୍ୟରୁ ଜଣେ ଧୋବାକୁ ଧରିବାକୁ ଯିବାମାତ୍ରେ ତାକୁ ଛୁଉଁ ଛୁଉଁ ସେ ମଧ୍ୟ ଭାବବିହ୍ୱଳ ହୋଇ 'ହରିହରି' ଧ୍ୱନି କରି ନାଚିବାକୁ ଲାଗିଲା ।

 

ଶ୍ରୀଚୈତନ୍ୟଙ୍କୁ ଯିଏ ଦେଖୁଥିଲା ବାସ୍ତବିକ ତା ମନରେ ଚାଲିଆସୁଥିଲା ଭାବବେଶ । ଜଳେଶ୍ୱର ବାଟ ଦେଇ ସେ ଆସିଲେ ରେମୁଣା । ସେଠାରେ ସେ ଦର୍ଶନ କଲେ କ୍ଷୀରଚୋରା ଗୋପୀନାଥଙ୍କୁ । ରେମୁଣାଠାରୁ ଆସିଲେ ଯାଜପୁର । ସେଠାରେ ସେ ବିରଜାଙ୍କ ଦର୍ଶନ ଶେଷକରି ତାଙ୍କ ପୂର୍ବପୁରୁଷମାନଙ୍କ ବଂଶଧର କମଳଲୋଚନ ମିଶ୍ରଙ୍କ ଘରେ ରହିଲେ ଦୁଇଦିନ ଧରି । ଯାଜପୁରରୁ ଆସି ପହଞ୍ଚିଲେ କଟକରେ କାର୍ତ୍ତିକ ପୂର୍ଣ୍ଣମୀ ଦିନ । ସେ ମହାନଦୀର ଯେଉଁ ଘାଟରେ ପହଞ୍ଚିଥିଲେ ତାର ନାମ ଗଡ଼ଗଡ଼ିଆ । ସେତେବେଳେ ଉତ୍କଳସମ୍ରାଟଙ୍କ ରାଜଧାନୀ ଥିଲା କଟକ । ତେଣୁ କଟକଗଡ଼ କୁହାଯାଉଥିଲା । କଟକରୁ ସେ ଗଲେ ଭୁବନେଶ୍ୱରର ଏକାମ୍ରକାନନରେ ଲିଙ୍ଗରାଜଙ୍କ ଦର୍ଶନ ଲାଗି । ଭୁବନେଶ୍ୱରର ଅନ୍ୟନାମ ହେଉଛି ଗୁପ୍ତକାଶୀ । ମନ୍ଦିରରେ ଶିବଲିଙ୍ଗ ଥିଲେ ମଧ୍ୟ, ଏହା ହେଉଛି ହରି ଓ ହର ଉଭୟଙ୍କର ମିଶ୍ରଣ । ତେଣୁ ବୈଷ୍ଣବମାନେ ଲିଙ୍ଗରାଜଙ୍କ ଦେଉଳର ମହାପ୍ରସାଦ ସେବା କରିଥାଆନ୍ତି । ଶ୍ରୀଚୈତନ୍ୟ ଲିଙ୍ଗରାଜ ଦର୍ଶନ ପରେ ବାହାରିଲେ ପୁରୀ ଅଭିମୁଖେ । ପୁରୀ ପାଖ ହୋଇଯିବାମାତ୍ରେ ଦେଖିବାକୁ ପାଇଲେ ମନ୍ଦିରଚୂଡ଼ାରେ ଥିବା ନୀଳଚକ୍ର । ନାଳଚକ୍ରକୁ ଦେଖୁ ଦେଖୁ ସେ ହୃଦୟ ଭିତରେ ଦର୍ଶନ କରିପାରିଲେ ବଡ଼ଠାକୁର ଶ୍ରା ଜଗନ୍ନାଥଙ୍କୁ । ସେ ଦେଖପିପାରିଲେ ମନ୍ଦିର ଭିତରୁ ଜଣେ କେହି ବାଳକ ତାର ହାତ ବଢ଼େଇ ତାଙ୍କୁ ଡାକୁଚି ଶୀଘ୍ର ଶୀଘ୍ର ଆସିବାକୁ । ପିଲାଟିର ଦେହର ବର୍ଣ୍ଣ ଶ୍ୟାମଳ । ପିନ୍ଧିଚି ପୀତବାସ । ଶିରରେ ମୟୂରର ଚୂଳ । ଗଳାରେ ବନମାଳା, ବାମ ହସ୍ତରେ ବେଣୁ । ‘‘ଏଇ ତ ମୋର ଶ୍ୟାମଘନ ମୟୂରଚୂଳିଆ କୃଷ୍ଣ"—କହି ବାଟରେ ଅଚେତ ହୋଇପଡ଼ିଲେ ଶ୍ରୀଚୈତନ୍ୟ । ଇତିମଧ୍ୟରେ ସେ ତାଙ୍କ ଦଣ୍ଡଟିକୁ ଦେଇଥିଲେ ନିତ୍ୟାନନ୍ଦଙ୍କୁ ଧରି ଆସିବାପାଇଁ । ନିତ୍ୟାନନ୍ଦ ଦଣ୍ଡଟିକୁ ବାଟରେ ତିନିଖଣ୍ଡ କରି ଭାଙ୍ଗି ଭାର୍ଗବୀନଦୀକୁ ଫିଙ୍ଗି ଦେଇଥିଲେ । ଭାବାବେଶ ପରେ ଶ୍ରୀଚୈତନ୍ୟ ଠିକ୍ ଅଠରନଳା ପାଖରେ ପଚାରିଲେ, ‘‘ମୋ ଦଣ୍ଡ କାହିଁ ?’’ ନିତ୍ୟାନନ୍ଦ କହିଲେ, ‘‘ସନ୍ନ୍ୟାସୀର ଦଣ୍ଡ ଆବଶ୍ୟକ; କିନ୍ତୁ ସନ୍ନ୍ୟାସୀ ଯଦି କୃଷ୍ଣଭକ୍ତ ପାଲଟିଲା ତାର ଦଣ୍ଡର କୌଣସି ଆବଶ୍ୟକତା ନାହିଁ ବୋଲି ମନେକରି ମୁଁ ଭାଙ୍ଗିଭୁଙ୍ଗି ଫିଙ୍ଗିଦେଲି । ଏଥିଲାଗି ଯେକୌଣସି ଶାସ୍ତି ପାଇବା ପାଇଁ ମୁଁ ପ୍ରସ୍ତୁତ ।’’

 

ଶ୍ରୀଚୈତନ୍ୟ ପ୍ରଥମେ ଅବଶ୍ୟ ବିରକ୍ତ ହୋଇଥିଲେ; କିନ୍ତୁ ପରେ ନୀରବ ରହିଲେ । ଶ୍ରୀଚୈତନ୍ୟ ପୁରୀରେ ପହଁଞ୍ଚିଲେ । ଜଗନ୍ନାଥ ଦର୍ଶନ ଲାଗି କିଏ ଆଗରେ କିଏ ପଛରେ ଯିବ ପ୍ରଥମ ଏହି କଥା ପଚାରିଲେ ଭକ୍ତମାନଙ୍କୁ । କଥାହେଲା ଶ୍ରୀଚୈତନ୍ୟ ଯିବେ ଆଗରେ । କଥା ସ୍ଥିର ହେଉ ହେଉ ସେ କ୍ଷିପ୍ରଗତିରେ ଦୌଡ଼ିଲେ ମନ୍ଦିର ଆଡ଼କୁ ନୀଳାଚଳନାଥ ଜଗନ୍ନାଥଙ୍କ ଦର୍ଶନ ଲାଗି-। ସେ ଏତେ ବ୍ୟାକୁଳ ଭାବରେ ଦୌଡ଼ି ଦୌଡ଼ି ଯାଇ ମନ୍ଦିର ଭିତରେ ପ୍ରବେଶ କଲେ ଯେ, ମନ୍ଦିରର ପ୍ରହରୀମାନେ ମଧ୍ୟ ତାଙ୍କୁ ଅଟକେଇପାରିଲେ ନାହିଁ । ସେତେବେଳେ ସାହାଣ ମେଲା ଥିଲା । ଚୈତନ୍ୟ ଲମ୍ପ ଦେଲେ ଜଗନ୍ନାଥଙ୍କ ବିଗ୍ରହ ଆଡ଼କୁ । ସେ ଚାହିଁଥିଲେ ଜଗନ୍ନାଥଙ୍କୁ କୁଣ୍ଡେଇ ଧରିପକାଇବା ପାଇଁ, କିନ୍ତୁ ତଳେ କଚାଡ଼ି ହୋଇପଡ଼ିଲେ । ପଣ୍ଡାପଢ଼ିଆରୀମାନେ ତାଙ୍କୁ ମାରିବାକୁ ବାହାରିଲେ । ସେମାନଙ୍କ ଭିତରେ ଥିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ । ଶ୍ରୀଚୈତନ୍ୟଙ୍କ ଅଷ୍ଟସାତ୍ୱକଭାବ ଦେଖି ସେ ଜାଣିପାରିଲେ ଯେ ଇଏ ମନୁଷ୍ୟ ନୁହନ୍ତି, ଏ ଜଣେ ଦେବପୁରୁଷ-। ତେଣୁ ସେ ଅନ୍ୟମାନଙ୍କୁ କ୍ଷାନ୍ତ କରାଇନେଲେ ।

 

ସାର୍ବଭୌମଙ୍କ ପୂରାନାମ ଥିଲା ପଣ୍ଡିତ ଶ୍ରୀ ବାସୁଦେବ ସାର୍ବଭୌମ ଭଟ୍ଟାଚାର୍ଯ୍ୟ । ନ୍ୟାୟଦର୍ଶନରେ ଥିଲା ତାଙ୍କର ଅଗାଧ ପାଣ୍ଡିତ୍ୟ । ବେଦବେଦାନ୍ତ ସଂପର୍କରେ ମଧ୍ୟ ତାଙ୍କର ପ୍ରଗାଢ଼ ଜ୍ଞାନ ଥିଲା । ତାଙ୍କ ଘର ଥିଲା ନଦିଆରେ । ଗଜପତି ମହାରାଜା ପ୍ରତାପରୁଦ୍ର ତାଙ୍କୁ ନଦିଆରୁ ଆଣି ଅବସ୍ଥାପିତ କରାଇଥିଲେ ପୁରୀରେ । ସେ ଥିଲେ ରାଜଗୁରୁ । ପୁରୀରେ ଏକ ଟୋଲ ପ୍ରତିଷ୍ଠା କରିଥିଲେ । ପୁରୀ ଦେଉଳର ସମସ୍ତ ନୀତି-ନିୟମ, ବିଧି-ବିଧାନ ପ୍ରସ୍ତୁତ କରିଥିଲେ ସେ । ପାଣ୍ଡିତ୍ୟ ଥିଲେ କଣ ହେବ, ଆଧ୍ୟାତ୍ମିକତାର ବିନ୍ଦୁବିସର୍ଗ ନଥିଲା ତାଙ୍କ ମନରେ । ସେ ଥିଲେ ଜ୍ଞାନଗର୍ବୀ । ବିଦ୍ୟାର ବଡ଼ିମା ଥିଲା ତାଙ୍କ ମନରେ । ସେ ନଦିଆରେ ଥିବାବେଳେ ଶ୍ରୀଚୈତନ୍ୟ କେତେ କାଳ ତାଙ୍କର ଛାତ୍ର ଥିଲେ । କିନ୍ତୁ ଇତିମଧ୍ୟରେ ବହୁବର୍ଷ ଅତିବାହିତ ହୋଇଯାଇଥିବାରୁ ସେ ହଠାତ୍ ଚିହ୍ନିପାରିଲେ ନାହିଁ ନିମାଇଁଙ୍କୁ ।

 

ଶ୍ରୀଚୈତନ୍ୟ ସେମିତି ମୂର୍ଚ୍ଛିତ ଅବସ୍ଥାରେ ପଡ଼ିରହିଥାଆନ୍ତା ଦେଉଳ ଭିତରେ । ସାର୍ବଭୌମ୍ୟ ନିର୍ଦ୍ଦେଶ ଦେଲେ ତାଙ୍କ ଶିଷ୍ୟମାନଙ୍କୁ ଶ୍ରୀଚୈତନ୍ୟଙ୍କୁ ସେହିଭଳି ଅର୍ଦ୍ଧଚେତନ ଅବସ୍ଥାରେ ଟେକି ଟେକି ନେଇଯିବା ପାଇଁ ତାଙ୍କ ଘରକୁ । ଶ୍ରୀଚୈତନ୍ୟଙ୍କ ପ୍ରତି ତାଙ୍କର ସ୍ନେହଶ୍ରଦ୍ଧା ଜାତ ହେବାର ପ୍ରଧାନ କାରଣ ହେଲା, ସେ ଶାସ୍ତ୍ରରେ ଯାହା ଯାହା ପଢ଼ିଥିଲେ ସେଥିରୁ ଅନେକ କଥାର ପ୍ରମାଣ ପାଉଥିଲେ ଶ୍ରୀଚୈତନ୍ୟଙ୍କ ଶରୀର ଓ ଭାବରୁ । ଶ୍ରୀଚୈତନ୍ୟଙ୍କଠାରେ ରାଧାସୁଲଭ ସମସ୍ତ ଲକ୍ଷଣ ଦେଖିପାରିଲେ । ସେ ମନେ ମନେ ଭାବିଲେ ଭଗବାନ ବୋଲି ଜଣେ କେହି ନିଶ୍ଚୟ ଅଛନ୍ତି । ଏହି କଳିଯୁଗରେ ମଧ୍ୟ ମନୁଷ୍ୟ ଦେହରେ ଭଗବତ୍ ସତ୍ତା ପ୍ରକାଶ ପାଇବା ସମ୍ଭବ ।

 

ସାର୍ବଭୌମଙ୍କ ପାଖରେ ରହୁଥିଲେ ତାଙ୍କ ଭିଣୋଇ ଗୋପୀନାଥ । ତାଙ୍କ ଘର ମଧ୍ୟ ନଦିଆରେ । ସେ ସେଠାରେ ଥିବାବେଳେ ଶ୍ରୀଚୈତନ୍ୟଙ୍କ କୀର୍ତ୍ତନ ଯୋଗଦେଉଥିଲେ । ତେଣୁ ସମସ୍ତଙ୍କ ସହିତ ତାଙ୍କର ଘନିଷ୍ଠ ପରିଚୟ ଥିଲା । ବଡ଼ଦାଣ୍ଡରେ ନିତ୍ୟାନନ୍ଦ ମୁକୁନ୍ଦ ପ୍ରମୁଖ ଭକ୍ତମାନଙ୍କୁ ଦେଖିବାମାତ୍ରେ ସେ ଆଶ୍ଚର୍ଯ୍ୟ ହୋଇପଡ଼ିଲେ । ପଚାରିଲେ, ‘‘କିହୋ, ତୁମେମାନେ କୁଆଡ଼େ ?’’ ନିତ୍ୟାନନ୍ଦ ଜଣାଇଲେ—ମହାପ୍ରଭୁ ଶ୍ରୀଚୈତନ୍ୟ ଆସିଛନ୍ତି; ସେ ଆଗରେ ଆସୁଥିଲେ କୁଆଡ଼େ ଗଲେ ଆମେ ଜାଣିପାରୁନାହୁଁ । ଶୁଣୁଚୁ ସେ ସାର୍ବଭୌମଙ୍କ ଘରକୁ ଯାଇଛନ୍ତି । ଗୋପୀନାଥ ସମସ୍ତଙ୍କୁ ନେଇଗଲେ ସାର୍ବଭୌମଙ୍କ ଘରକୁ । ଶ୍ରୀ ଚୈତନ୍ୟ ସେଠାରେ ମଧ୍ୟ ମୂର୍ଚ୍ଛିତ ଅବସ୍ଥାରେ ପଡ଼ିରହିଥିଲେ । ଭକ୍ତମାନେ କୀର୍ତ୍ତନ କରିବାମାତ୍ରେ 'ହରି ହରି' ନାମ ଗାନକରି ଚେତନା ଲାଭକରି ଉଠି ଠିଆହେଲେ ସେ । ସାର୍ବଭୌମ ସଙ୍ଗେ ସଙ୍ଗେ ତାଙ୍କ ପାଦତଳେ ଲୋଟିପଡ଼ି ଆଶୀର୍ବାଦ ଭିକ୍ଷା କଲେ । ଶ୍ରୀଚୈତନ୍ୟ ତାଙ୍କୁ’’କୃଷ୍ଣ ମତିରସ୍ତୁ" କହି ଆଶୀର୍ବାଦ କଲେ ।

 

ସାର୍ବଭୌମ ପରେ ଗୋପୀନାଥଙ୍କଠାରୁ ଶ୍ରୀଚୈତନ୍ୟଙ୍କ ପରିଚୟ ପାଇ ଭାରି ଖୁସିହେଲେ । ଏକେ ତ ନଦିୟାବାସୀ; ଦ୍ୱିତୀୟରେ ଶ୍ରୀଚୈତନ୍ୟଙ୍କ ଅଜା ଥିଲେ ସାର୍ବଭୌମଙ୍କ ସହପାଠୀ । କିନ୍ତୁ ଜ୍ଞାନଗର୍ବ ତାଙ୍କୁ ସବୁବେଳେ ମାଡ଼ିବସିଥିଲା । ଶ୍ରୀଚୈତନ୍ୟଙ୍କ ପାଦତଳେ ପ୍ରଣିପାତ କରିଥିବାରୁ ସେ ମନେ ମନେ ଲଜ୍ଜା ବୋଧ କଲେ । ପରେ ଗୋପୀନାଥଙ୍କୁ ଡାକି କହିଲେ, ‘‘ସନ୍ନ୍ୟାସୀ ହେଲେ କଣ ହେବ, ନିମାଇଁଟା ପିଲାଲୋକ, କିଛି ଜାଣେନା । ଖିଆଲରେ ସନ୍ନ୍ୟାସୀ ହୋଇଯାଇଛି । କେଶବଭାରତୀଙ୍କଠାରୁ ଦୀକ୍ଷା ନେବାଟା ପ୍ରକୃତ ଦୀକ୍ଷା ନୁହେଁ । ତାକୁ ପୁଣି ଦୀକ୍ଷା ନେବାକୁ କୁହ । ତା ଛଡ଼ା ମୁଁ ତାକୁ ବେଦ ଶିକ୍ଷାଦେବି ।’’

 

ଗୋପୀନାଥ ହସି ହସି କହିଲେ, ‘‘ତୁମ ପଣ୍ଡିତପଣିଆ ସେତିକି ଥାଉ । ଯିଏ ସବୁ ବଦ୍ୟାର ଗନ୍ତାଘର, ଯିଏ ଭଗବାନଙ୍କ ଅବତାର, ତାକୁ ଶିକ୍ଷା ଦେବ କଣ ଦୀକ୍ଷା ଦେବ କଣ ?’’ ସାର୍ବଭୌମ ତ ନ୍ୟାୟ ପଣ୍ଡିତ । କହିଲେ, ‘‘ସେ ଭଗବାନ ବୋଲି ଆମେ ଜାଣିବୁ କେମିତି ? ତାର ପ୍ରମାଣ କଣ ?’’ ଗୋପୀନାଥ କହିଲେ, ‘‘ଭଗବାନ ହିଁ ଭଗବାନଙ୍କୁ ଜାଣନ୍ତି, ତାଛଡ଼ା କେହି ପ୍ରମାଣ ଦେଇପାରିବେ ନାହିଁ । ଯୁକ୍ତିରେ କ'ଣ ଭଗବାନଙ୍କୁ ଜାଣିହୁଏ ? ସମୟ ଆସିବ ଜାଣିବ ।’’ ସାର୍ବଭୌମ ଶ୍ରୀଚୈତନ୍ୟଙ୍କ ନିକଟକୁ ଯାଇ ପଚାରିଲେ, ‘‘ଶାସ୍ତ୍ରମତରେ ପଚାଶ ବର୍ଷ ପୂର୍ବରୁ କେହି ସନ୍ନ୍ୟାସୀଦୀକ୍ଷା ଗ୍ରହଣ କରିବା ଅନୁମତି । ତୁମେ ଅଳ୍ପ ବୟସରେ ସନ୍ନ୍ୟାସୀ ହେଲ କାହିଁକି ?’’ ଶ୍ରୀଚୈତନ୍ୟ କହିଲେ, ‘‘ସନ୍ନ୍ୟାସ କଣ ମୁଁ ଜାଣେନା । କୃଷ୍ଣପ୍ରେମରେ ପାଗଳ ହୋଇ ମୁଁ ସନ୍ନ୍ୟାସୀ ହୋଇଛି ।’’ ଦିନେ ସାର୍ବଭୌମ ଗୋପୀନଥଙ୍କୁ କହିଲେ, ‘‘ତମର ଶ୍ରାଚୈତନ୍ୟ ସନ୍ନ୍ୟାସୀ ହୋଇ ଏଭଳି ନାଚି ଗାଇ ବୁଲିବା ଶୋଭନୀୟ ନୁହେଁ । ତାଙ୍କୁ ଏ ସବୁ ଛାଡ଼ିବାକୁ କୁହ ।’’ ସାର୍ବଭୌମଙ୍କ ଏହି ଆପେକ୍ଷା ଗୋପୀନାଥଙ୍କ ପକ୍ଷରେ ଅସହ୍ୟ ହୋଇଉଠିଲା । ସେ ମନେ ମନେ ସଂକଳ୍ପ କଲେ, ମହାପ୍ରଭୁ ଶ୍ରୀଚୈତନ୍ୟ ଏହି ଆତ୍ମାଭିମାନୀ ପଣ୍ଡିତକୁ ନ ବଦଳାଇବା ପର୍ଯ୍ୟନ୍ତ ସେ ଅନଶନ କରିବେ-। ସେ ଶ୍ରୀଚୈତନ୍ୟଙ୍କୁ ଯାଇ କହିଲେ, ‘‘ସାର୍ବଭୌମ କହୁଛନ୍ତି ସେ ଆପଣଙ୍କୁ ପୁଣି ଦୀକ୍ଷା ଦେବେ; କେବଳ ସେତେକି ନୁହଁ, ବେଦ ଶିକ୍ଷା ମଧ୍ୟ ଦେବେ ।’’

 

ଇତିମଧ୍ୟରେ ମୁକୁନ୍ଦ ପ୍ରଭୁଙ୍କୁ ଜଣାଇଦେଇଥିଲେ ଯେ, ସେ ପଣ୍ଡିତ ସାର୍ବଭୌମଙ୍କୁ ଉପଯୁକ୍ତ ଶିକ୍ଷା ନ ଦେବା ଯାଏଁ ଗୋପୀନାଥ ଅନ୍ନଜଳ ସୁଦ୍ଧା ସ୍ପର୍ଶ କରିବେ ନାହିଁ ବୋଲି ଶପଥ କରିଛନ୍ତି । ତେଣୁ ପ୍ରଭୁ ଗୋପୀନାଥଙ୍କୁ ଡାକି କହିଲେ, ‘‘ତୁମେ କୃଷ୍ଣଙ୍କ ଭକ୍ତ । ଭକ୍ତ ଯାହା ଚାହେଁ, ତାହା ହିଁ ହେବ ।’’ ସାର୍ବଭୌମ ଶ୍ରୀଚୈତନ୍ୟଙ୍କୁ ଜଣାଇଦେଲେ ଯେ ତାଙ୍କୁ ଜଗନ୍ନାଥଙ୍କ ମନ୍ଦିର ଭିତରେ ପ୍ରତିଦିନ ଅପରାହ୍ନରେ ବେଦଶିକ୍ଷା ଦିଆଯିବ । ଶ୍ରୀଚୈତନ୍ୟ କହିଲେ, ‘‘ଠିକ୍ ଅଛି ।’’ ଆରମ୍ଭ ହେଲା ବେଦଶିକ୍ଷାଦାନ । ସାର୍ବଭୌମ ବେଦପାଠ କରି ବୁଝାଉଥାଆନ୍ତି; ଶ୍ରୀଚୈତନ୍ୟ ନୀରବରେ ଶୁଣୁଥାଆନ୍ତି । ଉଁ କି ଚୁଁ ପଦେ କଥା ବାହାରୁ ନଥାଏ ତାଙ୍କ ତୁଣ୍ଡରୁ । ଏପରି ଚାଲିଲା ଛଅ ଦିନ କାଳ । ସପ୍ତମ ଦିବସରେ ସାର୍ବଭୌମ ପଚାରିଲେ ଶ୍ରୀଚୈତନ୍ୟଙ୍କୁ । କହିଲେ, ‘‘କିହୋ, ମୁଁ ତ ବୁଝେଇବାରେ ଲାଗିଛି, ତୁମେ ବୁଝୁଛ କି ନାହିଁ; ଯାହା ପଢ଼ଉଛି ତାକୁ ଗ୍ରହଣ କରୁଛ କି ନାହିଁ, କିଛି ତ ଜାଣିପାରୁନାହିଁ ?’’ ଶ୍ରୀଚୈତନ୍ୟ କହିଲେ, ‘‘ଆପଣ ଯାହା କହୁଛନ୍ତି ମୁଁ ସେଥିରୁ ପଦେବେଲେ ବୁଝିପାରୁନାହିଁ ।’’ ସାର୍ବଭୌମ ବିରକ୍ତ ହୋଇ କହିଲେ, ‘‘ବୁଝିପାରୁନ ଯଦି ପଚାରୁନ କାହିଁକି—ଏଭଳି ଚୁପ୍ ଚାପ୍ ବସିରହୁଚ କାହିଁକି ?’’ ଶ୍ରୀଚୈତନ୍ୟ କହିଲେ, ‘‘ମୂଳଗ୍ରନ୍ଥରେ ଯେଉଁ ଶ୍ଳୋକ-ଗୁଡ଼ିକ ଅଛି ସେ ସବୁ ସୁସ୍ପଷ୍ଟ । କେବଳ ଆପଣ ଯାହା ବୁଝାଉଛନ୍ତି ତାହା ଅସ୍ପଷ୍ଟ । ବେଦ ଉପରେ ଅଦ୍ୱୈତବାଦୀ ଶଙ୍କରାଚାର୍ଯ୍ୟ ଯେଉଁ ଭାଷ୍ୟ କରିଯାଇଛନ୍ତି ଆପଣ କେବଳ ତାକୁ ଭିତ୍ତି କରି ବୁଝାଉଛନ୍ତି । କିନ୍ତୁ ସେ ଭାଷ୍ୟ ତ ଅବୋଧ୍ୟ ǃ ବେଦବାକ୍ୟ ଅତି ସରଳ । ତାକୁ ବାଖ୍ୟା କରିବାକୁ ଯାଇ ଶଂକରାଚାର୍ଯ୍ୟ ତାର ଅର୍ଥକୁ ଅନର୍ଥ କରିପକାଇଛନ୍ତି ।’’

 

ଏପର୍ଯ୍ୟନ୍ତ ସମଗ୍ର ଭାରତରେ ଶଙ୍କରାଚାର୍ଯ୍ୟଙ୍କ ଭାଷ୍ୟ ପ୍ରତି କେହି ଆକ୍ଷେପ କରିନଥିଲେ । ଶ୍ରୀଚୈତନ୍ୟଙ୍କ ମୁହଁରୁ ଏହି ଆକ୍ଷେପୋକ୍ତି ଶୁଣି ସାର୍ବଭୌମ କହିଲେ, ‘‘ଆଚ୍ଛା, ତୁମେ କ'ଣ ବୁଝିଚ ମତେ ବୁଝାଅ ।’’ ଶ୍ରୀଚୈତନ୍ୟ ବୁଝାଇଦେଲେ ଯେ ବେଦ ପ୍ରେମ ଓ ଭକ୍ତିକୁ ହିଁ ସମର୍ଥନ କରୁଛି । ଭାଗବତରେ ମଧ୍ୟ ସେହି କଥା ରହିଛି । ବେଦର ଶ୍ଳୋକ ଓ ଭାଗବତର ଶ୍ଳୋକଗୁଡ଼ିକ ଅତି ସରଳ । ତାକୁ ଯଥାର୍ଥ ଭାବରେ ପଢ଼ିଲେ, ଉଚ୍ଚାରଣ କଲେ, ଆଉ ବୁଝେଇବା ଦରକାର ହେବନାହିଁ । ଏହା କହି ସେ ବେଦ ଓ ଭାଗବତର କେତୋଟି ଶ୍ଳୋକ ପାଠକଲେ । ସେ ଏଡ଼େ ସୁନ୍ଦର ଭାବରେ ଶ୍ଳୋକାବୃତ୍ତି କଲେ ଯେ ସାର୍ବଭୌମ ଚକିତ ହୋଇପଡ଼ିଲେ । ମନେ ମନେ ଭାବିଲେ ସ୍ୱୟଂ ଭଗବାନ ଶ୍ଳୋକାବୃତ୍ତି କରୁଛନ୍ତି । ପୁଣି ଭାବିଲେ—ଭଗବାନ ନହେଲେ ମଧ୍ୟ ଶ୍ରୀଚୈତନ୍ୟ ସ୍ୱୟଂ ବାଚସ୍ପତି । ପୁଣି ପର ମୁହୂର୍ତ୍ତରେ ଭାବିଲେ ନା ସେ ସରସ୍ୱତୀ । ସରସ୍ୱତୀ ନ ହେଲେ ମଧ୍ୟ ସରସ୍ୱତୀଙ୍କ ସ୍ୱାମୀ ସ୍ୱୟଂ ବିଷ୍ଣୁ ।

 

ଏଭଳି ଭାବୁ ଭାବୁ ତାଙ୍କ ଶରୀରରେ ଖେଳିଗଲା ଏକ ନୂତନ ସ୍ପନ୍ଦନ । ସେ ନିଜକୁ ସମ୍ଭାଳି ପାରିଲେ ନାହିଁ । ସେ ଶ୍ରୀଚୈତନ୍ୟଙ୍କ ପାଦତଳେ ପଡ଼ି କହିଲେ, ‘‘ମତେ କ୍ଷମାକର ପ୍ରଭୁ; ମୁଁ ଆପଣଙ୍କୁ ବହୁତ ଅପମାନିତ କରିଛି ।’’ ସାର୍ବଭୌମ ଭାବିଥିଲେ ପ୍ରଭୁଙ୍କ ମୁହଁରୁ ସାନ୍ତ୍ୱନାରବାଣୀ ଶୁଣିବେ । କିନ୍ତୁ ଶ୍ରୀଚୈତନ୍ୟ ସେତେବେଳେ ଅନ୍ତର୍ଦ୍ଧାନ । ତାଙ୍କ ସ୍ଥାନରେ ଠିଆହୋଇଛନ୍ତି ଏକ ଷଡ୍ଭୁଜ କମନୀୟ ମୂର୍ତ୍ତି । ଏହି ମୂର୍ତ୍ତିର ଦୁଇହାତରେ ରହିଛି ଧନୁଶର, ଦୁଇହାତରେ ମୂରଳୀ, ଆଉ ଦୁଇହାତରେ ଦଣ୍ଡ ଓ ଭିକ୍ଷାପାତ୍ର । ଦେଖୁ ଦେଖୁ ସାର୍ବଭୌମ ମୂର୍ଚ୍ଛିତ ହୋଇପଡ଼ିଲେ । ଚେତା ଫେରିବା ପରେ ଉଠି ବସିଲେ ସାର୍ବଭୌମ । ଚିତ୍କାର କଲେ—ସେ ଅପରୂପ ମୂର୍ତ୍ତି ଗଲା କୁଆଡ଼େ-? କିନ୍ତୁ ସେ ଦେଖିଲେ ସେହି ମୂର୍ତ୍ତି ସ୍ଥାନରେ ଠିଆହୋଇଛନ୍ତି ଶ୍ରୀଚୈତନ୍ୟ । ଶ୍ରୀଚୈତନ୍ୟ କହିଲେ, ‘‘ସମୟ ହୋଇଗଲାଣି, ଚାଲନ୍ତୁ ଘରକୁ ଫେରିଯିବା ।’’

 

ସାର୍ବଭୌମ ଯାଉ ଯାଉ ବାଟରେ ଖାଲି ଭାବୁଥାନ୍ତୁ, ଗୋଟିଏ ଶରୀରରେ ରାମଙ୍କୁ ଦେଖିଲି, କୃଷ୍ଣଙ୍କୁ ଦେଖିଲି, କିନ୍ତୁ ଦୁଇଟି ହାତରେ ଦଣ୍ଡ ଓ ଭିକ୍ଷାପାତ୍ର ଥିଲେ କାହିଁକି ? ଭଗବାନ କ'ଣ ମନୁଷ୍ୟ ରୂପରେ ଲୋକଙ୍କଠାରୁ ଶ୍ରଦ୍ଧା ଓ ଭକ୍ତି ଭିକ୍ଷା କରୁଛନ୍ତି ? ଘରକୁ ଆସି ସେ ଆନନ୍ଦରେ ଅଶ୍ରୁପାତ କରିବାକୁ ଲାଗିଲେ । କିନ୍ତୁ ମନରୁ ଦ୍ୱନ୍ଦ ଗଲା ନାହିଁ । ରାତିରେ ଶେଯରେ ଶୋଇ ସେ କେବଳ ଭାବିବାକୁ ଲାଗିଲେ—ଶ୍ରୀଚୈତନ୍ୟ କ'ଣ ସତରେ ଭଗବାନ ? ଶ୍ରୀଚୈତନ୍ୟ ପ୍ରତିଦିନ ସକାଳେ ଜଗନ୍ନାଥଙ୍କ ଦର୍ଶନ ଲାଗି ବଡ଼ଦେଉଳକୁ ଯାଉଥିଲେ । ପୁରୀରେ ପହଞ୍ଚିବା ଦିନର ଘଟଣା ପରଠାରୁ ସେ ଗରୁଡ଼ସ୍ତମ୍ଭ ପଛରେ ରହି ଜଗନ୍ନାଥ ଦର୍ଶନ କରୁଥିଲେ । ସେଦିନ ସକାଳେ ବଡ଼ଠାକୁରଙ୍କ ଦର୍ଶନ ପରେ ଦୁଇଜଣ ସେବକ ତାଙ୍କୁ ଏକ ଫୁଲମାଳ ଓ କିଛି ପ୍ରସାଦ ଦେଇଥିଲେ । ପ୍ରସାଦତକ ସେ ଲୁଗାକାନିରେ ବାନ୍ଧି ସିଧା ଆସିଲେ ସାର୍ବଭୌମଙ୍କ ଘରକୁ । ସାର୍ବଭୌମ ସେତେବେଳକୁ ଉଠି ନଥିଲେ । କବାଟ ବାଡ଼େଇବା ମାତ୍ରେ ସେ ଧଡ଼ଧଡ଼ ହୋଇ ଉଠି କବାଟ ଫିଟାଇ ଦେଖନ୍ତି ତ ସାମନାରେ ଶ୍ରୀଚୈତନ୍ୟ । ସଙ୍ଗେ ସଙ୍ଗେ ତାଙ୍କ ଗୋଡ଼ ତଳେ ପଡ଼ିଗଲେ ସାର୍ବଭୌମ । ଶ୍ରୀଚୈତନ୍ୟ ତାଙ୍କୁ ଜଗନ୍ନାଥଙ୍କ ପ୍ରସାଦ ଦେଇ କହିଲେ, ‘‘ନିଅ, ସେବନ କର ।’’ କିନ୍ତୁ ସାର୍ବଭୌମ ଗାଧୁଆ ପାଧୁଆ କରି ନ ଥିଲେ କି ପୂଜାପୂଜି କରି ନ ଥିଲେ । ନୈଷ୍ଠିକ ହିନ୍ଦୁ ଭାବରେ ତାଙ୍କର ଗର୍ବ ଥିଲା ମନରେ । ସେ ସଙ୍ଗେ ସଙ୍ଗେ କହିଲେ, ‘‘ଏହିକ୍ଷଣି ତ ଶେଯରୁ ଉଠୁଛି, ଏ ଅବସ୍ଥାରେ ଜଗନ୍ନାଥଙ୍କ ସଙ୍କୁଡ଼ି ଭୋଗ ସେବନ କରିବି କିପରି ?’’ ଶ୍ରୀଚୈତନ୍ୟ ଶାସ୍ତ୍ରରୁ ଏକ ଶ୍ଳୋକ ଉଦ୍ଧାର କରି କହିଲେ, ‘‘ହୃଦୟ ନିର୍ମଳ ଥିଲେ ସବୁ ନିର୍ମଳ । ବିଧିବିଧାନ, ଲୋକାଚାର କେବଳ ଉପରଠାଉରିଆ ଭାବ । ପ୍ରେମ ଓ ଭକ୍ତି ପାଖରେ ଜାତି, ଧର୍ମ, ପ୍ରଥା ତୁଚ୍ଛ ।’’ ସାର୍ବଭୌମ ସେବନ କଲେ ମହାପ୍ରସାଦ । ଏହାଦ୍ୱାରା ସେ ଜଣାଇଦେଲେ, କୃଷ୍ଣପ୍ରେମ ଲାଗି ସେ ସାମାଜିକ ପରଂପରା, ବିଧି-ବିଧାନ, ଜାତି-ଧର୍ମକୁ ମଧ୍ୟ ତ୍ୟାଗ କରିବାପାଇଁ ପ୍ରସ୍ତୁତ ।

 

ଶ୍ରୀଚୈତନ୍ୟ କୁଣ୍ଢେଇପକାଇଲେ ସାର୍ବଭୌମଙ୍କୁ । ତାଙ୍କର ସ୍ପର୍ଶ ପାଇବାମାତ୍ରେ ସାର୍ବଭୌମଙ୍କ ମନରେ ଖେଳିଗଲା ଏକ ଅପୂର୍ବ ଭାବ । ସେ ନାଚିଉଠିଲେ । ଯେଉଁ ନୃତ୍ୟକୁ ସେ ଘୃଣା କରୁଥିଲେ, ସେହି ନୃତ୍ୟ କରି କରି ସେ ବିଭୋର ହୋଇପଡ଼ିଲେ । ଛୋଟ ପିଲାଙ୍କ ଭଳି ହାତଯୋଡ଼ି କହିଲେ, ‘‘ପ୍ରଭୁ, ମତେ ତୁମ ପରିବାରର ଆଉ ଜଣେ ଭାବରେ ଗ୍ରହଣ କରି ନିଅ ।’’ ଏତେବେଳକୁ ଗୋପୀନାଥଙ୍କ ଆନନ୍ଦ କହିଲେ ନସରେ । ସେ ତ ସହଜେ ସାର୍ବଭୌମଙ୍କ ଭିଣୋଇ, ତେଣୁ ତାଙ୍କୁ ପରିହାସ କରି କହିଲେ, ‘‘କିହୋ ପଣ୍ଡିତେ, ଯୁବକ ସନ୍ନ୍ୟାସୀ ଚୈତନ୍ୟଙ୍କୁ ପରା ବେଦ ଶିକ୍ଷା ଦେଉଥିଲେ ? ଗୁରୁଗିରି କେତେ ବାଟ ଗଲା ?’’ ସାର୍ବଭୌମ ମୁଣ୍ଡ ନୁଆଁଇ କେବଳ ହସିବାରେ ଲାଗିଲେ । ସେଦିନଠାରୁ ସାର୍ବଭୌମ ହେଲେ ଶ୍ରୀଚୈତନ୍ୟଙ୍କ ଭକ୍ତ । ମହାରାଜାଙ୍କ ଅନୁମତିକ୍ରମେ ସେ ମନ୍ଦିର ଭିତରେ ସ୍ଥାପନ କଲେ ଏକ ଷଡ଼ଭୁଜ ମୂର୍ତ୍ତି ସେ ଦର୍ଶନ କରିଥିଲେ ǃ

 

ଏହି ଘଟଣାର ଅଳ୍ପ କେତେ ଦିନ ପରେ ଶ୍ରୀଚୈତନ୍ୟ ଦକ୍ଷିଣ-ଭାରତ ଯିବାକୁ ଚାହିଁଲେ-। କିନ୍ତୁ ସେ ତାଙ୍କ ମାଆଙ୍କୁ କଥା ଦେଇଥିଲେ ଯେ ସେ ସାରା ଜୀବନ ପୁରୀରେ କଟାଇବେ-। ଏକଥା ନିତ୍ୟାନନ୍ଦ ତାଙ୍କର ମନେପକାଇଦେବାରେ ଶ୍ରୀଚୈତନ୍ୟ କହିଲେ, ସେ ଦକ୍ଷିଣ-ଭାରତ ପର୍ଯ୍ୟଟନ ଶେଷ କରି ଅଳ୍ପ କେତେ ମାସ ଭିତରେ ପୁରୀକୁ ଫେରିଆସିବେ । କହିଲେ, ମୁଁ ମୋ ବଡ଼ଭାଇ ବିଶ୍ୱରୂପଙ୍କୁ ଖୋଜିବା ପାଇଁ ଯାଉଚି । ତେଣୁ ଏକା ଯିବି, ମୋ ସହିତ ଆଉ କେହି ଯିବାର ଆବଶ୍ୟକତା ନାହିଁ । ଭକ୍ତମାନେ ଏହି ପ୍ରସ୍ତାବରେ ଦୁଃଖିତ ହୋଇ କହିଲେ, ‘‘ଯଦି ଏକା ଯିବେ ଆମ ଶବ ଉପରେ ଚଢ଼ି ଯାଆନ୍ତୁ । ଯଦି ଯିବେ ଦେଖାଚାହାଁ କରିବାକୁ ଦୁଇଜଣଙ୍କୁ ସାଙ୍ଗରେ ଧରି ଯାଆନ୍ତୁ ।’’ ଶେଷରେ ସ୍ଥିର ହେଲା ଗୋବିନ୍ଦ ଯିବେ ।

 

ଶ୍ରୀଚୈତନ୍ୟ ଦକ୍ଷିଣ-ଭାରତ ଅଭିମୁଖେ ବାହାରିବା ସମୟରେ ଭକ୍ତମାନଙ୍କ କ୍ରନ୍ଦନରେ ନୀଳାଚଳଧାମର ବାତାବରଣ ସକରୁଣ ହୋଇଉଠିଲା । ସାର୍ବଭୌମ ପ୍ରଭୁଙ୍କ ବିଚ୍ଛେଦ ସହ୍ୟ କରି ନପାରି ଅଚେତ ହୋଇପଡ଼ିଲେ । ତାଙ୍କୁ ଲୋକେ ଟେକି ଟେକି ନେଲେ ଘରକୁ । ନିତ୍ୟାନନ୍ଦ ପ୍ରଭୃତି ଆଲାନନାଥ(ବ୍ରହ୍ମଗିରି) ପର୍ଯ୍ୟନ୍ତ ପ୍ରଭୁଙ୍କ ପଛେ ପଛେ ଯାଇ ସେହିଠାରେ ବାଧ୍ୟ ହୋଇ ଫେରିଲେ । ଶ୍ରୀଚୈତନ୍ୟ ଆଲାରନାଥରେ ପହଞ୍ଚିବା ବେଳକୁ ସେ ଅଞ୍ଚଳର ଆବାଳବୃଦ୍ଧବନିତା ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ସମବେତ ହୋଇଥିବା ଦେଖାଗଲା । ସେଦିନ ରାତିସାରା ସେଠାରେ କୀର୍ତ୍ତନ ଚାଲିଲା । ଏହିଠାରେ ନିତ୍ୟାନନ୍ଦ ଜାଣିପାରିଲେ ଯେ ବିଶ୍ୱରୂପଙ୍କୁ ଖୋଜିବାଲାଗି ଶ୍ରୀଚତନ୍ୟଙ୍କ ଦକ୍ଷିଣ-ଭାରତ ପର୍ଯ୍ୟଟନ କେବଳ ଏକ ବାହାନା । ପ୍ରକୃତରେ ସେ ଯାଉଥିଲେ ସେ ଅଞ୍ଚଳର ଲୋକଙ୍କର ସଂସ୍କାର ଲାଗି । କାରଣ ସମଗ୍ର ଦକ୍ଷିଣ ଭାଗରେ ସେତେବେଳେ ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱେତବାଦର ପ୍ରଭାବ ଲୋକଙ୍କ ମନରେ ପ୍ରଗାଢ଼ ଭାବରେ ରହିଥିଲା ।

 

ଶ୍ରୀଚୈତନ୍ୟଙ୍କ ତୁଣ୍ଡରେ ଥାଏ କେବଳ ଗୋଟିଏ ମାତ୍ର ଶବ୍ଦ-କୃଷ୍ଣ, କୃଷ୍ଣ । ଦେହରେ ଗୈରିକବସନ । ହାତରେ ସଢ଼େଇର ଭିକ୍ଷାପାତ୍ର । ଯାଉ ଯାଉ ଯେଉଁଠି ରାତି ହେଲା, ସେଇଠି ଗଛମୂଳେ ବିଶ୍ରାମ ନେଉଥିଲେ । ଗଛକୁ ଆଉଜି ରାତିଟି କେବଳ କୃଷ୍ଣ କୃଷ୍ଣ ନାମ ଉଚ୍ଚାରଣରେ କଟିଯାଉଥିଲା । ଅଖିଆ ଅପିଆ ଭାବରେ କେତେ ଯେ ରାତି କଟିଯାଉଥିଲା ତାର ଠିକ୍ ଠିକଣା ନାହିଁ । ବାଟରେ ଯାହାକୁ ଦେଖୁଥିଲେ, ହାତଯୋଡ଼ି କହୁଥିଲେ, କହ 'ହରି' । 'ହରି' ନାମ ଉଚ୍ଚାରଣ କରିବାମାତ୍ରେ ଶ୍ରୀଚୈତନ୍ୟ ତାକୁ ଆନନ୍ଦରେ କୁଣ୍ଢାଇ ପକାଉଥିଲେ । ତାଙ୍କ ସ୍ପର୍ଶ ପାଇ ଅଭକ୍ତ ମଧ୍ୟ ଭକ୍ତ ହୋଇ ପଡ଼ୁଥିଲା । ଏହିଭଳି ଭାବରେ ହରିନାମ ବିତରଣ କରି କରି ସେ ଚାଲିଲେ ଆଗକୁ ଆଗକୁ । ଭିକ୍ଷା ମିଳିଲା ତ ଖାଇଲେ, ନଚେତ୍ ଖାଡ଼ା ଖାଡ଼ା ଉପବାସ । ସାଙ୍ଗରେ ଯାଉଥିବା ଭକ୍ତ ଗୋବିନ୍ଦ ପ୍ରଭୁଙ୍କ ଏହି ଅବସ୍ଥା ଦେଖି ଥରେ ଥରେ ଅତ୍ୟନ୍ତ ମର୍ମାହତ ହୋଇ ପଡ଼ୁଥିଲେ । ଶ୍ରୀଚୈତନ୍ୟ ତାଙ୍କୁ ବୁଝାଉଥିଲେ, ‘‘ ମୋର କିଛି ହେବ ନାହିଁ । ଆରେ ମୁଁ ପରା କୃଷ୍ଣନାମାମୃତ ପାନ କରୁଛି, ତାଠୁ ବଳି ଆହାର କ'ଣ ଥାଇପାରେ ?’’ ଏ ଗାଁରୁ ସେ ଗାଁ ହୋଇ ସେ ଚାଲିଥାଆନ୍ତି-। ଯେଉଁ ଗାଁକୁ ଯାଉଥିଲେ ଗାଁ ସାରା ଲୋକ ହରିନାମ କୀର୍ତ୍ତନରେ ଭୋଳ ହୋଇପଡ଼ୁଥିଲେ । ଶ୍ରୀଚୈତନ୍ୟ କେତେବେଳେ ନାଚୁଥିଲେ ତ କେତେବେଳେ ହସୁଥିଲେ, କେତେବେଳେ କାନ୍ଦୁଥିଲେ-

 

ଜଣେ ସନ୍ନ୍ୟାସୀ ଅମୂକ ଗାଁକୁ ଆସିଛନ୍ତି, ସେ କ'ଣ କରି ଦେଉଛନ୍ତି କେଜାଣି ଗାଁର ସମସ୍ତେ ହରିନାମ କୀର୍ତ୍ତନ କରି ପାଗଳ ହୋଇ ଉଠୁଛନ୍ତି—ଏ ସଂବାଦ ପ୍ରଚାର ହେବା ମାତ୍ରେ ଲୋକଙ୍କ ଧାଡ଼ି ଲମ୍ବୁଥିଲା ଶ୍ରୀଚୈତନ୍ୟଙ୍କ ଦର୍ଶନ ଲାଗି । ଦର୍ସନ ମାତ୍ରେ ସମସ୍ତଙ୍କ ମୁହଁରୁ ବାହାରୁଥିଲା—"ହରେକୃଷ୍ଣ, ହରେକୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ ।’’ ଶ୍ରୀଚୈତନ୍ୟ ଦକ୍ଷିଣ-ଭାରତକୁ ଗଲାବେଳେ ବହୁ ଲୀଳା ପ୍ରଦର୍ଶନ କରିଥିଲେ-। ବାସୁଦେବ ନାମକ ଜଣେ କୁଷ୍ଠରୋଗୀକୁ ଛୁଇଁ ଦେବାମାତ୍ରେ ସେ ରୋଗମୁକ୍ତ ହୋଇଉଠିଥିଲା-। ସବୁଠାରୁ ଉଲ୍ଲେଖଯୋଗ୍ୟ ଘଟଣା ହେଉଛି ଜଣେ ପଣ୍ଡିତ ବିଦ୍ୱାନ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇଥିଲା ତାଙ୍କର; ସେ ହେଉଛନ୍ତି ରାୟ ରାମାନନ୍ଦ । ରାୟ ରାମନନ୍ଦ ପଟ୍ଟନାୟକ ଥିଲେ ଉତ୍କଳର ଦକ୍ଷିଣାଞ୍ଚଳର ପ୍ରଧାନ ଶାସକ, ଉତ୍କଳ ସମ୍ରାଟଙ୍କ ପ୍ରତିନିଧି । ସେ ରାଜମହେନ୍ଦ୍ରୀ (ବିଦ୍ୟାନଗରୀ)ରେ ଅବସ୍ଥାନ କରୁଥିଲେ । ଉତ୍କଳରାଜ୍ୟ ସମ୍ରାଟ ପ୍ରତାପରୁଦ୍ରଙ୍କ ସମୟରେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାରି ଥିଲା । ରାୟରାମାନନ୍ଦ ଶାସକ ଭାବରେ ରାଜନୀତି କରୁଥିଲେ ମଧ୍ୟ ଆଧ୍ୟାତ୍ମିକ ଜ୍ଞାନ ଥିଲା ତାଙ୍କର ପ୍ରଗାଢ଼ । ଶ୍ରୀଚୈତନ୍ୟ ପୁରୀ ଛାଡ଼ିବା ବେଳେ ଭଟ୍ଟାଚାର୍ଯ୍ୟ ସାର୍ବଭୌମ ତାଙ୍କୁ କହିଥିଲେ ବାଟରେ ରାୟ ରାମାନନ୍ଦଙ୍କୁ ଭେଟିବାଲାଗି ।

 

ସେଦିନ ଶ୍ରୀଚୈତନ୍ୟ ଗୋଦାବରୀ ନଦୀ ପାର ହେଲେ । ଆର କୂଳରେ ସ୍ନାନ ଶେଷକରି ନଦୀକୂଳରେ ବସିଥିବା ସମୟରେ ଠିକ୍ ସେହି ଘାଟକୁ ଆସିଲେ ରାୟ ରାମାନନ୍ଦ ଗାଧୋଇବା ପାଇଁ । ସେ ଅଳ୍ପ ଦୂରରେ ଜଣେ ସନ୍ନ୍ୟାସୀ ବସିଥିବା ଦେଖିଲେ । ସନ୍ନ୍ୟାସୀଙ୍କ ଜ୍ୟୋତିର୍ମୟ ଗୌରକାନ୍ତ ରୂପ ଦେଖି ରାମାନନ୍ଦଙ୍କ ମନରେ ସଂଚାରିତ ହେଲା ଭକ୍ତିଭାବ । ସେ ଆଗରୁ ବହୁ ସାଧୁ ସନ୍ନ୍ୟାସୀଙ୍କୁ ଦେଖିଥିଲେ, କିନ୍ତୁ ତାଙ୍କ ମନରେ ଏଭଳି ଭକ୍ତିଭାବ କେବେ ଜାଗ୍ରତ ହୋଇ ନ ଥିଲା । ଏକ ଅମୋଘ ଆକର୍ଷଣରେ ସେ ଟାଣିହୋଇଗଲେ ଶ୍ରୀଚୈତନ୍ୟଙ୍କ ନିକଟକୁ । ଯାଉ ଯାଉ ତାଙ୍କ ପାଦତଳେ ଲୋଟି ପଡ଼ିଲେ । ବହୁ ଦିନର ପରିଚିତ ବନ୍ଧୁଙ୍କ ଭଳି ଶ୍ରୀଚୈତନ୍ୟ ତାଙ୍କୁ ତଳୁ ଉଠେଇ ପଚାରିଲେ, ତୁମେ ରାମାନନ୍ଦଟିକି ? ରାମାନନ୍ଦ 'ହଁ' କହିବାମାତ୍ରେ ଶ୍ରୀଚୈତନ୍ୟ ଅତି ଆନନ୍ଦରେ ତାଙ୍କୁ କୁଣ୍ଢେଇ ପକାଇଲେ । ଦୁହେଁ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲେ । ଚେତନା ଆସିବାପରେ ପରସ୍ପରକୁ ଚାହିଁ ରହିଲେ କିଛି ସମୟ ପାଇଁ ।

 

ଶ୍ରୀଚୈତନ୍ୟ ଉତ୍‍ଫୁଲ୍ଲ ହୋଇ କହିଲେ, ସାର୍ବଭୌମ ତୁମ କଥା ମତେ କହିଥିଲେ । ଯାହାହେଉ ତୁମକୁ ପାଇ ମୁଁ ନିଜକୁ ଧନ୍ୟ ମନେକରୁଛି ରାୟ ରାମାନନ୍ଦ କହିଲେ, ବରଂ ମୁଁ ନିଜକୁ ଧନ୍ୟ ମନେ କରୁଛି । ସାକ୍ଷାତ ଭଗବାନଙ୍କୁ ଅତି ନିକଟରେ ପାଇ ମୋ ମନ କୃତ୍ୟକୃତ୍ୟ । ପୁଣି ସନ୍ଧ୍ୟାବେଳେ ଶ୍ରୀଚୈତନ୍ୟଙ୍କ ନିକଟକୁ ଆସିଲେ ରାୟ ରାମାନନ୍ଦ । ତାଙ୍କ ଦେହରେ ଥିଲା ସାଧାରଣ ଲୋକଙ୍କ ଭଳି ପୋଷାକ । ତାଙ୍କୁ ଦେଖୁ ଦେଖୁ ଶ୍ରୀଚୈତନ୍ୟ ସମୟ ନଷ୍ଟ ନକରି ପଚାରିଲେ, ‘‘ରାମାନନ୍ଦ, ତୁମେ କୁହ ଲୋକେ ନିଜକୁ ନିଜେ କିପରି ଉଦ୍ଧାର କରିପାରିବେ ?’’ ରାମାନନ୍ଦ ଜଣେ ସନ୍ନ୍ୟାସୀ ମୁହଁରୁ ଏଭଳି ପ୍ରଶ୍ନ ଆଶା କରୁନଥିଲେ । ସେ ଆସିଥିଲେ ସନ୍ନ୍ୟାସୀଙ୍କଠାରୁ ଉପଦେଶ ପାଇବା ପାଇଁ । ତେଣୁ ସେ କହିଲେ, ‘‘ଆପଣ ହେଉଛନ୍ତି ସନ୍ନ୍ୟାସୀ, ଜ୍ଞାନୀ । ଏ ବିଷୟରେ ମୁଁ କଣ କହିବି ?’’

 

କିନ୍ତୁ ଶ୍ରୀଚୈତନ୍ୟ ତାଙ୍କୁ ସହଜେ ଛାଡ଼ିବାପାଇଁ ନାରାଜ । ସେ କହିଲେ, ‘‘ଏଠାକୁ ଆସିବାର ପ୍ରଧାନ କାରଣ ହେଉଛି, ତୁମକୁ ଭେଟି ତୁମଠାରୁ ମୁକ୍ତିର ପନ୍ଥା ଓ ଶ୍ରୀକୃଷ୍ଣଙ୍କ ସଂପର୍କରେ ତୁମର ମତ କ'ଣ ଜାଣିବା । ତେଣୁ ମତେ ତୁମେ ହତାଶ କରନାହିଁ ।’’

 

ରାମାନନ୍ଦ ତାଙ୍କ ବୁଦ୍ଧି-ବିଦ୍ୟାକୁ ମନ୍ଥନ କରି କହିଲେ, ‘‘ଆମ ମୁନିଋଷିମାନେ ଏ ସଂପର୍କରେ ନିର୍ଦ୍ଦିଷ୍ଟ ପନ୍ଥା ନିରୂପଣ କରି ଯାଇଛନ୍ତି । ତାହା ଏତେ ସହଜ ଯେ ଆଜି ମଧ୍ୟ ସେ ବାଟରେ ଯାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିହେବ ।’’ ବିଷ୍ଣୁପୁରାଣକୁ ଉଦ୍ଧାର କରି ସେ କହିଲେ, ‘‘ନିଷ୍ଠାର ସହିତ ନିଜ ପୂର୍ବପୁରୁଷଙ୍କ ଧର୍ମ ଅନୁସରଣ କଲେ ମନୁଷ୍ୟ ଭଗବାନଙ୍କ ପାଖରେ ପହଞ୍ଚିପାରିବ ।’’ ଶ୍ରୀଚୈତନ୍ୟ ହସି ହସି କହିଲେ, ‘‘ଆହୁରି ଗଭୀରକୁ ଯାଅ ।’’ ଶାସ୍ତ୍ର ଉଦ୍ଧାର କରି ରାମାନନ୍ଦ କହିଲେ, ‘‘ଯିଏ ଭାବେ ଭଗବାନଙ୍କ ଇଚ୍ଛାହିଁ ପୂରଣ ହେବ, ସେ ନିଶ୍ଚୟ ମୁକ୍ତି ଲାଭ କରିପାରିବ ।’’

 

ଶ୍ରୀଚୈତନ୍ୟ କହିଲେ, ‘‘ଏହା ଏକ ଉପରଠାଉରିଆ କଥା । ଆହୁରି ଭିତରକୁ ଯାଅ । ଯାହା କହିଲ, ସେ ତ ଏକ ସାଧାରଣ ନୀତି । ଭଗବାନ ଓ ମନୁଷ୍ୟ ମଧ୍ୟରେ ହାର୍ଦ୍ଦିକ ସଂପର୍କ ରକ୍ଷା କେଉଁ ପନ୍ଥାରେ ହେବ, ତାହା କୁହ ।’’ ରାମାନନ୍ଦ ଏ ପର୍ଯ୍ୟନ୍ତ ଶିକ୍ଷକ ଭୂମିକା ଗ୍ରହଣ କରି ଆସିଥିଲେ । ସେ ଭାବିଲେ ତାଙ୍କୁ ଏଣିକି ଛାତ୍ର ହେବାକୁ ପଡ଼ିବ । ପୁଣି ସେ ଶାସ୍ତ୍ରର ଏକ ଶ୍ଳୋକ ଉଦ୍ଧାର କରି କହିଲେ, ‘‘ଜ୍ଞାନ ଓ ଭକ୍ତି ଦ୍ୱାରା ଯିଏ ଭଗବାନଙ୍କୁ ପୂଜା କରେ ସେ 'ତାଙ୍କୁ' ପାଇପାରେ-।’’ ଶ୍ରୀଚୈତନ୍ୟ କହିଲେ, ‘‘ମୁଁ ଆସିଚି ତୁମ ପାଖକୁ ସ୍ୱଚ୍ଛଳ ଜଳ ପାନ ଲାଗି । କିନ୍ତୁ ଦେଖୁଚି ପାଣି ଗୋଳିଆ ରହିଛି ।’’ ରାମାନନ୍ଦ ବିଶ୍ଳେଷଣ କରି କହିଲେ, ‘‘ଅବଶ୍ୟ ଭଗବାନଙ୍କ ପୂଜାଲାଗି ଜ୍ଞାନ ଆଉ ଭକ୍ତି ଆବଶ୍ୟକ; କିନ୍ତୁ ଏହା ଏକ ସାଧାରଣ ନୀତି । ଉତ୍କୃଷ୍ଟ ନୀତି ହେଉଛି 'ଜ୍ଞାନ'କୁ ସମ୍ପୁର୍ଣ୍ଣ ଭାବରେ ଧ୍ୱଂସ କରି କେବଳ ନିର୍ମଳ ଭକ୍ତିଦ୍ୱାରା ତାଙ୍କୁ ପୂଜା କରିବା ।’’

 

ଶ୍ରୀଚୈତନ୍ୟ ସାମାନ୍ୟ ଖୁସିହୋଇ କହିଲେ, ‘‘ତେବେ ମତେ କୁହ, ଜ୍ଞାନ ଓ ଭକ୍ତି ମଧ୍ୟରୁ ସରଳ ହେଉଚି କେଉଁଟି ? 'ଜ୍ଞାନ' ଦ୍ୱାରା ଆମେ ଭଗବାନଙ୍କୁ 'ଜାଣିବାକୁ ଚାହୁଁ' କିନ୍ତୁ 'ଭକ୍ତି' ଦ୍ୱାରା ଆମେ ତାଙ୍କୁ 'ଏକାବେଳକେ ପାଇଯାଉ ।' ଜ୍ଞାନଦ୍ୱାରା ଭଗବାନ କ'ଣ, କିପରି, କିଭଳି ଏବଂ ତାଙ୍କୁ ପାଇବା ପାଇଁ ନାନା କଥାର ବିଶ୍ଳେଷଣ କରାଯାଇଥାଏ, କିନ୍ତୁ ଭକ୍ତିଦ୍ୱାରା ତାଙ୍କପ୍ରତି ମନୁଷ୍ୟ ଆକୃଷ୍ଟ ହୋଇପଡ଼େ । ଜ୍ଞାନ ପ୍ରଶ୍ନ କରିଥାଏ 'ଭଗବାନଙ୍କୁ ସୃଷ୍ଟି କଲା କିଏ ?' କିନ୍ତୁ ଭକ୍ତି ଏ ସବୁଥିରେ ମୁଣ୍ଡ ନପୂରାଇ ସେ ସିଧା ସଳଖ ଅଗ୍ରସର ହୁଏ ଭଗବାନଙ୍କ ଆଡ଼କୁ । ଗଲାବେଳେ ଖାଲିଢିପ କିଛି ଜଣାପଡ଼େନା ।’’ ଶ୍ରୀଚୈତନ୍ୟ ପୁଣି କହିଲେ, ‘‘ଅବଶ୍ୟ ଅନ୍ଧଭକ୍ତି ଶ୍ରେୟସ୍କର ଏବଂ ଉତ୍ତମ, ତେବେ ତାଠାରୁ ଆହୁରି ଉତ୍ତମ ପନ୍ଥା କ'ଣ ଅଛି କୁହ । ମତେ କିଛି ଲୁଚାଅ ନାହିଁ ।’’ ରାମାନନ୍ଦ ବଡ଼ ଅଡ଼ୁଆରେ ପଡ଼ିଲେ । ସେ ଅନୁଭବ କଲେ ଶ୍ରୀଚୈତନ୍ୟ ଯାହା ଭାବୁଛନ୍ତି, ସେହି କଥାଗୁଡ଼ିକ ତାଙ୍କ ତୁଣ୍ଡରେ କୁହାଉଛନ୍ତି । ରାମାନନ୍ଦ କହିଲେ, ପ୍ରେମମୟ କୃଷ୍ଣଙ୍କୁ ପାଇବାପାଇଁ କେବଳ ଭକ୍ତି ଯଥେଷ୍ଟ ନୁହେଁ । ଏହା ଦ୍ୱାରା ଭଗବାନ ଓ ଭକ୍ତ ମଧ୍ୟରେ ବ୍ୟବଧାନ ରହିଯାଉଛି । କିନ୍ତୁ ଭଗବାନ ରହିଛନ୍ତି ଆମ ହୃଦୟରେ, ମନମନ୍ଦିରରେ । ତାଙ୍କଠୁ ବଳି ଘନିଷ୍ଠ କେହି ନାହିଁ । ତେଣୁ 'ପ୍ରେମ' ଦ୍ୱାରା ହିଁ ତାଙ୍କୁ ଅନୁଭବ କରାଯାଇପାରିବ, ଉପଲବ୍ଧ କରାଯାଇପାରିବ ।’’ ଚୈତନ୍ୟ ପଚାରିଲେ, ‘‘କିନ୍ତୁ ଉତ୍କୃଷ୍ଟ ପ୍ରେମ କ'ଣ ?’’ ରାମାନନ୍ଦ ପ୍ରଥମେ କହିଲେ, ‘‘ଶ୍ରୀକୃଷ୍ଣଙ୍କ ପ୍ରତି ବଳରାମଙ୍କର ଯେଉଁ ଭ୍ରାତୃପ୍ରେମ ଥିଲା ସେହି ପ୍ରେମ ହିଁ ଉତ୍କୃଷ୍ଟ ।’’ ପୁଣି କହିଲେ, ‘‘ଶ୍ରୀକୃଷ୍ଣଙ୍କ ପ୍ରତି ନନ୍ଦ ଓ ଯଶୋଦାଙ୍କର ଯେଉଁ ବାତ୍ସଲ୍ୟ ଥିଲା ତାହା ଉତ୍କୃଷ୍ଟ ପ୍ରେମର ନିଦର୍ଶନ ।’’ ଶ୍ରୀଚୈତନ୍ୟଙ୍କ ମନ ନମାନିବାରେ ରାମାନନ୍ଦ ଶ୍ରୀକୃଷ୍ଣଙ୍କ ପ୍ରତି ରୁକ୍ମିଣୀ, ସତ୍ୟଭାମା ପ୍ରଭୃତିଙ୍କ ପ୍ରେମକୁ ଦର୍ଶାଇଥିଲେ । ଶ୍ରୀଚୈତନ୍ୟଙ୍କର ସେଥିରେ ମଧ୍ୟ ମନ ମାନିଲା ନାହିଁ । ରାମାନନ୍ଦ ପରିଶେଷରେ କହିଲେ, ‘‘ଶ୍ରୀକୃଷ୍ଣଙ୍କ ପ୍ରତି ରାଧାଙ୍କର ଯେଉଁ ନିଷ୍କାର ପ୍ରେମ ରହିଥିଲା ସେହି ପ୍ରେମହିଁ ସର୍ବୋତ୍କୃଷ୍ଟ । ଏହି ପ୍ରେମରେ ମଳି ଧୂଳି ନଥିଲା । ଏହି ପ୍ରେମ ଥିଲା ନିର୍ମଳ, ଅନାବିଳ । ଏହି ପ୍ରେମ ପାଇଁ ସେ ସଂସାରର ସମସ୍ତ ପ୍ରିୟ ବସ୍ତୁକୁ ତ୍ୟାଗ କରିଥିଲେ, ମାନ ଅପମାନକୁ ପାଦରେ ଦଳି ଚକଟି ଚାଲିଥିଲେ । ସେ କହୁଥିଲେ, ‘‘ତତ୍ ସୁଖା ସୁଖୀତମ୍"—ହେ କୃଷ୍ଣ ତୁମ ସୁଖରେହିଁ ମୁଁ ସୁଖୀ; ମୁଁ ତୁମକୁ ଛାଡ଼ି ରହିନପାରେ । ତଥାପି ସେ କୃଷ୍ଣଙ୍କଠାରୁ କିଛିହେଲେ ପାଇବା ପାଇଁ ଆଶା କରିନଥିଲେ । କୃଷ୍ଣ ନାମ ସ୍ମରଣକରି ସେ ମରିବାଠୁ ବଞ୍ଚିଥିଲେ । କୃଷ୍ଣଙ୍କର ଏତେ ଘନିଷ୍ଠ, ଏତେ ନିଜର ହୋଇ ସୁଦ୍ଧା ସେ କୃଷ୍ଣଙ୍କୁ ବାଂଧି ରଖିବାକୁ ଚାହିଁନଥିଲେ । କୃଷ୍ଣ ଯେ ମୋର ଏକଚାଟିଆ ଏକଥା ପୃଥିବୀରେ ଯେପରି କେହି ନକହୁ, ଏକଥା ମଧ୍ୟ ସେ ଚାହିଁଥିଲେ । କାରଣ ସେ ଜାଣିଥିଲେ ଚିରଦିନ କୃଷ୍ଣ ମୋର ହୋଇ ରହିବେ ।’’

 

ରାମାନନ୍ଦ କହିଚାଲିଥାଆନ୍ତି, ଶ୍ରୀଚୈତନ୍ୟ ଆନନ୍ଦରେ କହୁଥାଆନ୍ତି—କୁହ ରାମାନନ୍ଦ କୁହ । ପ୍ରେମର ଅମୃତ ବର୍ଷଣ କରି ଚାଲିଚ ତମେ । ରାମାନନ୍ଦ କହିଲେ, ‘‘ମୁଁ ତ କିଛି କହୁନାହିଁ, ଆପଣ ଯାହା କହ ବୋଲି କହୁଛନ୍ତି ମୁଁ କେବଳ ତାକୁ ବ୍ୟକ୍ତ କରିବାରେ ଲାଗିଛି ।’’ ରାମାନନ୍ଦ କହିଲେ, ‘‘ଥରେ ମୁଁ ରାଧାଙ୍କ ସଂପର୍କରେ ଏକ କବିତା ଲେଖିଥିଲି—ଗାଇବି ?’’ ଶ୍ରୀଚୈତନ୍ୟ ଅତି ଖୁସି ହୋଇ କହିଲେ, ‘‘ଗାଅ ରାମାନନ୍ଦ, ତୁରନ୍ତ ଗାଅ ।’’ ଗାଇବାକୁ ଲାଗିଲେ ରାମାନନ୍ଦ । ରାଧା କହୁଛନ୍ତି ପ୍ରିୟ ସଖୀ ଲଳିତାଙ୍କୁ—"ଯାଆ ସଖୀ ହୁଏତ ସେ ଭଲିଯିବେଣି, ମନେ ପକାଇଦେବୁ । ତାଙ୍କ ସହିତ ପ୍ରଥମ ଦେଖାରେ ମୋ ମନରେ ଅଙ୍କୁରିତ ହେଲା 'ପ୍ରେମ' । ଧୀରେ ଧୀରେ ଏହା ବଢ଼ିବାରେ ଲାଗିଲା । ବଢ଼ି ଚାଲିଚି ଆହୁରି । ଏ ପ୍ରେମ କେତେ ବଡ଼ ହେବ ମୁଁ ଜାଣେନା । ଲୋକେ କହନ୍ତି ସ୍ତ୍ରୀ ପୁରୁଷ ପରସ୍ପର ସହିତ ପ୍ରେମରେ ପଡ଼ିଯାଆନ୍ତି । କିନ୍ତୁ ମୋ ଅବସ୍ଥା ଅଲଗା ପ୍ରକାରର । କାରଣ ସେ ଯେ ଜଣେ ପୁରୁଷ, ମୁଁ ଜଣେ ସ୍ତ୍ରୀ ଏ ଧାରଣା ମୋର ଆଦୌ ନାହିଁ । ତେଣୁ କୃଷ୍ଣଙ୍କ ସହିତ ମୋ ପ୍ରେମର କୁଳକିନାରା ମୁଁ କିଛି ପାଇପାରୁନାହିଁ । ତାଙ୍କ ସହିତ ମୋ ପ୍ରେମ କି ପ୍ରକାରର ମୁଁ ନିଜେ ଜାଣିପାରୁନି ।’’ କବିତାବୃତ୍ତି ଶେଷ ହେବା ପରେ ରାମାନନ୍ଦ ଦେଖିଲେ, ଶ୍ରୀଚୈତନ୍ୟ ତାଙ୍କ ଆଗରେ ଆଉ ନାହାନ୍ତି । ତାଙ୍କ ସ୍ଥାନରେ ଠିଆ ହୋଇଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି । ବ୍ରହ୍ମାଣ୍ଡର ସମସ୍ତ ସୌନ୍ଦର୍ଯ୍ୟ ଯେପରି ଠୁଳହୋଇଚି ଏହି ଯୁଗଳ ମୂର୍ତ୍ତି ଦେହରେ । ଦେଖିବାମାତ୍ରେ ରାମାନନ୍ଦ ମୂର୍ଚ୍ଛିତ ହୋଇପଡ଼ିଲେ । ଚେତା ଫେରି ପାଇଲେ ବହୁ ସମୟ ପରେ ।

 

ଶ୍ରୀଚୈତନ୍ୟ ବିଦ୍ୟାନଗରୀରେ ଆଉ ଅଳ୍ପ କେତେ ଦିନ ରହିବା ପରେ ବିଦାୟ ନେଲେ ସେଠାରୁ । ଗଲାବେଳେ ରାମାନନ୍ଦଙ୍କୁ କହିଗଲେ, ‘‘ଫେରିଲାବେଳେ ଏଠିକି ଆସିବି । ଦୁହେଁ ସାଙ୍ଗ ହୋଇ ଫେରିବା ପୁରୀଧାମକୁ ।’’ ସେତେବେଳେ ଦକ୍ଷିଣଭାରତ ମୁସଲମାନମାନଙ୍କ ଅତ୍ୟାଚାରରୁ ମୁକ୍ତଥାଏ । ତେଣୁ ସେଠାରେ ହିନ୍ଦୁମାନେ ନିଜ ପରଂପରାକୁ ଅକ୍ଷୁର୍ଣ୍ଣ ରଖିଥାଆନ୍ତି । କେହି ସାଧୁ ସନ୍ନ୍ୟାସୀ ଗଲେ ଲୋକେ ତାଙ୍କୁ ଆନନ୍ଦରେ ସ୍ୱାଗତ କରୁଥିଲେ । ତେଣୁ ଶ୍ରୀଚୈତନ୍ୟ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଚାଲିଗଲେ । ଯେଉଁଠି ନିତାନ୍ତ ଆବଶ୍ୟକ ହେଉଥିଲା, ସେଠାରେ ଦିନେ ଦୁଇଦିନ ରହୁଥିଲେ । ବାଟରେ ଭେଟିଥିଲେ ବହୁ ବୌଦ୍ଧପଣ୍ଡିତ, ଅଦ୍ୱୈତବାଦୀ ଏବଂ ଅନ୍ୟ ସଂପ୍ରଦାୟର ଗୁରୁମାନଙ୍କୁ । ସେ ସମସ୍ତଙ୍କ ମନ ବଦଳେଇ ଟାଣି ଆଣିଥିଲେ ଭକ୍ତି ଓ ପ୍ରେମ ଆଡ଼କୁ-। ସେ ଯାହାର ବଦଳେଇବାକୁ ଚାହୁଁଥିଲେ, ସେମାନଙ୍କ ମଧ୍ୟରୁ କେତେକଙ୍କ ପାଖରେ ସେ ନିଜେ ପହଞ୍ଚୁଥିଲେ, ଆଉ କେତେକ ତାଙ୍କ ଲୀଳା ଓ ମହିମା କଥା ଶୁଣି ଆକୃଷ୍ଟ ହୋଇ ଆସିଥିଲେ ତାଙ୍କ ପାଖକୁ । ପ୍ରସିଦ୍ଧ ଅଦ୍ୱୈତବାଦୀ ସନ୍ନ୍ୟାସୀ ସଦାନନ୍ଦ ପୁରୀ ତାଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ପଦ୍ମକୋଟଠାରେ ସେ ବାଳକ ବାଳିକାଙ୍କ ସହିତ ନୃତ୍ୟ କରୁଥିବା ବେଳେ ଶୂନ୍ୟରୁ ପୁଷ୍ପ ବୃଷ୍ଟି ହୋଇଥିଲେ । ଏହିପରି ଭାବରେ ସେ ପହଞ୍ଚିଲେ କୁମାରିକାଠାରେ । ଭାରତର ଦକ୍ଷିଣ ସୀମା ଏଇଠି ଶେଷ । ଫେରିଲାବେଳେ ସେ ଆଉ ଏକ ବାଟ ଧରିଲେ । ପ୍ରଥମେ ଫେରିଲେ ତ୍ରାଭାଙ୍କୋରଠାକୁ । ଶ୍ରୀକୃଷ୍ଣ ନିଜେ ସନ୍ନ୍ୟାସୀ ବେଶରେ ଗ୍ରାମେ ଗ୍ରାମେ ବୁଲୁଥିବା ଚାରିଆଡ଼େ ପ୍ରଚାର ହେବାମାତ୍ରେ ସେ ଅଞ୍ଚଳର ରାଜା ଆସିଲେ ଶ୍ରୀଚୈତନ୍ୟଙ୍କ ଦର୍ଶନ ଲାଗି । ତାଙ୍କ ରାଜ୍ୟରେ ଆଜୀବନ ରହିବା ପାଇଁ ସେ ବହୁ ଅନୁରୋଧ କଲେ । କିନ୍ତୁ ଶ୍ରୀଚୈତନ୍ୟ କହିଲେ ମୁଁ ପରା ସନ୍ନ୍ୟାସୀ । ସେତେବେଳେ ରାମଗିରିରେ ରହୁଥିଲେ ବହୁ ସନ୍ନ୍ୟାସୀ । ଶ୍ରୀଚୈତନ୍ୟ ସେମାନଙ୍କୁ ପାଖକୁ ଯାଇ ସେମାନଙ୍କ ମଧ୍ୟରେ ବିତରଣ କଲେ ପ୍ରେମ ଓ ଭକ୍ତି ଧନ । ଚାନ୍ଦପୁର ସହରରେ ଭେଟିଲେ ବିଶ୍ୱ ଭାରତୀଙ୍କୁ । ସେ ମଧ୍ୟ ଶିଷ୍ୟ ହେଲେ ଶ୍ରୀଚୈତନ୍ୟଙ୍କର । ଏହିଭଳି ଭାବରେ ବହୁ ଶୈବଙ୍କୁ ସେ ବୈଷ୍ଣବ କରାଇଲେ ।

 

ତା'ପରେ ଶ୍ରୀଚୈତନ୍ୟ ପ୍ରବେଶ କଲେ ଏକ ଘୋର ଜଙ୍ଗଲ ଭିତରେ । ତାଙ୍କ ସାଙ୍ଗରେ ଥିବା ଭକ୍ତ ଗୋବିନ୍ଦ ବର୍ଣ୍ଣନା କରି ଯାଇଛନ୍ତି, ଏହି ଜଙ୍ଗଲ ଭିତରେ କିପରି ତାଙ୍କ ମନରେ ଭୟର ସଂଚାର ହୋଇଥିଲା—ସେଇ କଥା । ବାଘ, ଭାଲୁ, ବିଷଧର ସର୍ପ ମାଳ ମାଳ । ବାଘ ଆସି ପହଞ୍ଚେ ପ୍ରଭୁଙ୍କ ନିକଟରେ, ପ୍ରଭୁଙ୍କ କୋମଳ ସ୍ପର୍ଶରେ ବାଘ ମନରୁ ହିଂସାଭାବ କୁଆଡ଼େ ଚାଲିଯାଏ; କିନ୍ତୁ ଗୋବିନ୍ଦ ବାଘକୁ ଦେଖୁ ଦେଖୁ ଭୟରେ କୁଣ୍ଢେଇ ଧରନ୍ତି ଶ୍ରୀଚୈତନ୍ୟଙ୍କୁ । ଶ୍ରୀଚୈତନ୍ୟ ଗୁଜରୀ ବାଟଦେଇ ପହଞ୍ଚିଲେ ପୁଣେ (ପୁନା)ରେ । ସେତେବେଳେ ପୁଣେ ବା ପୁନା ଥାଏ ନଦିୟା ଭଳି ମହାରାଷ୍ଟ୍ରୀୟ ପଣ୍ଡିତମାନଙ୍କର ଏକ ବିଖ୍ୟାତ ପୀଠ । ପୁନାରୁ ସେ ଗଲେ ଛୋଟ ଛୋଟ ସହର ଦେଇ ଖାଣ୍ଡୱା ମନ୍ଦିରକୁ(ଶିରିଡ଼ ନିକଟରେ) । ସେତେବେଳେ ଏହି ମନ୍ଦିରରେ ଯୁବତୀ ଝିଅମାନଙ୍କୁ ଉତ୍ସର୍ଗ କରିବାର ପ୍ରଥା ଚାଲିଗଲା, ଅର୍ଥାତ୍ ଯେଉଁ ଯୁବତୀ ଝୀଅମାନଙ୍କର ଷୋଳ ସତର ବର୍ଷ ଭିତରେ ବିବାହ ହୋଇ ପାରୁ ନଥିଲା ସେମାନେ ଖାଣ୍ଡୱା ଠାକୁରଙ୍କ ସହିତ ବିବାହ କରିଥାଆନ୍ତି । ଠାକୁରଙ୍କ ଆଗରେ ସେମାନେ ନୃତ୍ୟଗୀତ ପ୍ରଦର୍ଶନ କରନ୍ତି ଏବଂ ବେଶ୍ୟାବୃତ୍ତି କରନ୍ତି । ଏମାନଙ୍କର ଏକ ଅଲଗା ସାହି ଥିଲା । ଶ୍ରୀଚୈତନ୍ୟ ସ୍ଥାନୀୟ ଲୋକଙ୍କ ମନା ସତ୍ତ୍ୱେ ବେଶ୍ୟାମାନଙ୍କ ପାଖକୁ ଯାଇ କହିଲେ—ତୁମେମାନେ ଯେଉଁ ଠାକୁରଙ୍କୁ ସ୍ୱାମୀ ଭାବରେ ଗ୍ରହଣ କରିଚ ତାଙ୍କୁ ଭକ୍ତିସହିତ ଭଜନ କରିବା ଉଚିତ । ଏକ ରାତି ସେ ଏହି ସାହିରେ ରହି ନୃତ୍ୟ କୀର୍ତ୍ତନ କଲେ । ବେଶ୍ୟାମାନେ ଭଗବତ୍ ପ୍ରେମରେ ବିଭୋର ହୋଇପଡ଼ିଲେ ଏବଂ ସମସ୍ତେ ନିଜ ବୃତ୍ତି ଛାଡ଼ି ସନ୍ନ୍ୟାସୀ ହେଲେ ।

 

ଶ୍ରୀଚୈତନ୍ୟ ଏହିଠାରୁ ପ୍ରବେଶ କଲେ ଚୋରାନନ୍ଦୀ ଜଙ୍ଗଲ ଭିତରକୁ । ଏହା ଥିଲା ଡକାୟତମାନଙ୍କ ଆଡ଼୍ଡ଼ା ସ୍ଥଳ । ଡକାୟତଙ୍କ ସର୍ଦ୍ଦାର ଥିଲେ ନାରୋଜୀ । ତାଙ୍କ ଭୟରେ କେହି ସେ ଜଙ୍ଗଲ ରାସ୍ତା ମାଡ଼ି ପାରୁ ନ ଥିଲେ । ଜଣେ ସନ୍ନ୍ୟାସୀ ଓ ତାଙ୍କର ଜଣେ ଭକ୍ତ ଜଙ୍ଗଲ ଭିତରେ ପଶିଥିବା ଖବର ପାଇବା ମାତ୍ରେ ନାରୋଜୀ ଆସି ପହଞ୍ଚିଲେ ଶ୍ରୀଚୈତନ୍ୟଙ୍କ ନିକଟରେ । ହାତରେ ଥିଲା ତାଙ୍କର ତରବାରି । କିନ୍ତୁ ଚୈତନ୍ୟଙ୍କୁ ଦେଖିଲା ମାତ୍ରେ ତାଙ୍କ ହୃଦୟରେ, ସୃଷ୍ଟିହେଲା ତୁମୂଳ ଆଲୋଡ଼ନା । ହାତରୁ ତରବାରି ଖସିପଡ଼ିଲା । ସଙ୍ଗେ ସଙ୍ଗେ କୌପୀନ ପରିଧାନ କରି ନାରୋଜୀ ଚାଲିଲେ ଶ୍ରୀଚୈତନ୍ୟଙ୍କ ପଛେ ପଛେ । ପଣ୍ଢରପୁର (ବିଠଲାଙ୍କ ପୀଠ), ପଞ୍ଚବଟୀ, ଦାମନ ଓ ସୁରାଟ ବାଟ ଦେଇ ସେ ପହଞ୍ଚିଲେ ବରୋଦାରେ । (ପଣ୍ଡରପୁରଠାରେ ମହାରାଷ୍ଟ୍ରର ସନ୍ଥ ତୁକାରାମଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିବା କୌଣସି କୌଣସି ଗ୍ରନ୍ଥରେ ଉଲ୍ଲେଖ ଅଛି) । ବରୋଦାଠାରେ ନାରୋଜୀଙ୍କ ଦେହାନ୍ତ ହୋଇଯାଇଥିଲା । ଜାଫରବାଦ ବାଟ ଦେଇ ଶ୍ରୀଚୈତନ୍ୟ ଆସିଲେ ସୋମନାଥ ମନ୍ଦିରକୁ । ଏହି ଧନଶାଳୀ ମନ୍ଦିରରୁ ମୁସଲମାନମାନେ ଲୁଟିନେଇଯାଇଥିଲେ । ଏଠାରୁ ଜୁନାଗଡ଼, ଜୁନାଗଡ଼ରୁ ପ୍ରଭାସ ଏବଂ ସେଠାରୁ ସେ ଯାଇଥିଲେ ଦ୍ୱାରକା । ଏଠାରେ ସେ ରହିଥିଲେ ପନ୍ଦରଦିନ । ଏଠାରେ ସେ ଫେରିଆସିଲେ ବିଦ୍ୟାନଗର (ରାଜମହେନ୍ଦ୍ରୀ), ରାୟ ରାମାନନ୍ଦଙ୍କ ନିକଟକୁ । ଦକ୍ଷିଣ ଓ ପଶ୍ଚିମ ଭାରତରେ ସେ ପର୍ଯ୍ୟଟନ କରିଥିଲେ ଦୁଇବର୍ଷ । ତାଙ୍କର ଦର୍ଶନ, ସ୍ପର୍ଶନ ଓ ଭାଷଣରେ ସମଗ୍ର ଦକ୍ଷିଣ ଓ ପଶ୍ଚିମ ଭାରତରେ ପ୍ରଚାରିତ ହୋଇଥିଲା ବୈଷ୍ଣବ ମତ । କ୍ରମଶଃ ଶୈବ, ଶାକ୍ତ, ଗାଣପତ୍ୟମାନଙ୍କ ପ୍ରଭାବ କମିଆସିଥିଲା । ରାମାନନ୍ଦଙ୍କୁ ସେ କହିଯାଇଥିଲେ—ମୁଁ ତୀର୍ଥ ପର୍ଯ୍ୟଟନରୁ ଫେରିଆସିବା ପରେ ଦୁହେଁ ମିଶିକରି ଯିବା ନୀଳାଚଳଧାମ ପୁରୀକୁ । ତେଣୁ ରାମାନନ୍ଦ ଆଗରୁ ମହାରାଜା ପ୍ରତାପରୁଦ୍ରଙ୍କୁ ପତ୍ରଦ୍ୱାରା ଅନୁରୋଧ କରିଥିଲେ, ତାଙ୍କୁ ଶାସନ କାର୍ଯ୍ୟରୁ ଅବ୍ୟାହତି ଦେବାପାଇଁ । ଆଗରୁ ପ୍ରତାପରୁଦ୍ର ସାର୍ବଭୌମଙ୍କଠାରୁ ଶ୍ରୀଚୈତନ୍ୟଙ୍କ ମହିମା ଶୁଣିଥିଲେ । ତେଣୁ ରାମାନନ୍ଦଙ୍କୁ ସେ ଅବ୍ୟାହତି ଦେବାଲାଗି ପ୍ରସ୍ତୁତ ଥିଲେ ।

 

ଶ୍ରୀ ଚୈତନ୍ୟ ବିଦ୍ୟାନଗରରେ ପହଞ୍ଚିବା ପରେ ରାମାନନ୍ଦଙ୍କୁ କହିଲେ, ‘‘ଶୀଘ୍ର ବାହାର, ପୁରୀ ଯିବା ।’’ ରାମାନନ୍ଦ କହିଲେ, ‘‘ପ୍ରଭୁ ଆଗେ ଆଗେ ଯାଆନ୍ତୁ, ଶାସନ କାର୍ଯ୍ୟର କେତେକ ଅଡ଼ୁଆ ତୁଟେଇଦେଇ ମୁଁ ପରେ ପହଞ୍ଚିବି ପୁରୀରେ ।’’ ଦୁଇବର୍ଷ ପରେ ଶ୍ରୀଚୈତନ୍ୟ ଫେରିଲେ ପୁରୀକୁ । ଶ୍ରୀମନ୍ଦିର ନିକଟରେ ଏକ କୁଟୀରରେ ସେ ଅବସ୍ଥାନ କଲେ । ତାଙ୍କ ଦର୍ଶନ ଲାଗି ବହୁଆଡ଼ୁ ବହୁ ଭକ୍ତ ତ ଆସୁଥିଲେ, କ୍ରମଶଃ ମନ୍ଦିରର ସେବକମାନେ ମଧ୍ୟ ଆସିଲେ । ଏଥର ପାଳିପଡ଼ିଲା ମହାରାଜା ପ୍ରତାପରୁଦ୍ରଙ୍କର । ସେ ଆଗରୁ ସାର୍ବଭୌମ ଓ ରାୟ ରାମାନନ୍ଦଙ୍କଠାରୁ ଶ୍ରୀଚୈତନ୍ୟଙ୍କ ସମ୍ପର୍କରେ ବହୁତ ଶୁଣିଥିଲେ । ତେଣୁ ତାଙ୍କ ମନ ସବୁବେଳେ ଛଟପଟ ହେଉଥାଏ ନିଜେ ଯାଇ ଦର୍ଶନ କରିବାକୁ । ମହାରାଜା ଆପଣଙ୍କ ଶ୍ରୀମୁଖ ଦର୍ଶନ ଲାଗି ବ୍ୟାକୁଳ ବୋଲି ଭକ୍ତମାନେ ଶ୍ରୀଚୈତନ୍ୟଙ୍କୁ କହିଲେ । କିନ୍ତୁ ସେ ମହାରାଜାଙ୍କୁ ଦର୍ଶନ ଦେବାଲାଗି ନାରାଜ । ତାର ଯଥେଷ୍ଟ କାରଣ ମଧ୍ୟ ଥିଲା । ସେ ସନ୍ନ୍ୟାସୀ ହୋଇଥିବାରୁ କୌଣସି ରାଜାରାଜୁଡ଼ାଙ୍କ ସାନ୍ନିଧ୍ୟ ଚାହୁଁ ନ ଥିଲେ । ସାର୍ବଭୌମ ଓ ରାମାନନ୍ଦ ଶ୍ରୀଚୈତନ୍ୟଙ୍କୁ ନିବେଦନ କରି କହିଲେ ଯେ ଉତ୍କଳର ମହାରାଜା ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ଦାସାନୁଦାସ । ମହାରାଜା ଦାସାନୁଦାସ ଭାବରେ ପ୍ରଭୁ (ଶ୍ରୀଚୈତନ୍ୟ)ଙ୍କ ଦର୍ଶନାଭିଳାଷୀ, ତେଣୁ ତାଙ୍କୁ ଦର୍ଶନରୁ ବଞ୍ଚିତ କରନ୍ତୁ ନାହିଁ । ଏହି ନିବେଦନରେ ଶ୍ରୀଚୈତନ୍ୟଙ୍କ ହୃଦୟ ଅବଶ୍ୟ ବିଚଳିତ ହୋଇଉଠିଲା, ତଥାପି ମନା କରି ଦେଲେ ସେ ।

 

କିନ୍ତୁ ଏହି ମନା କରି ଦେବାଦ୍ୱାରା ମହାରାଜାଙ୍କ ମନରେ ଚମତ୍କାର ପ୍ରଭାବ ପଡ଼ିଲା । ଦର୍ଶନ ଲାଗି ତାଙ୍କ ମନରେ ଆକୁଳତା ଦ୍ୱିଗୁଣତ ହୋଇଉଠିଲା; ମନରୁ ରାଜାଭିମାନ ମଧ୍ୟ ଚାଲିଗଲା । କିନ୍ତୁ ଭକ୍ତର ଭକ୍ତି ପାଖରେ ଭଗବାନ ସବୁବେଳେ ହାର ମାନି ଆସିଛନ୍ତି । ଦିନେ ଶ୍ରୀଚୈତନ୍ୟ ଥିଲେ ଭାବାବେଶରେ । ବାହ୍ୟ ଜ୍ଞାନ-ଶୂନ୍ୟ ହୋଇ ସେ ବସିଥିଲେ ଆସନରେ । ଠିକ୍ ସୁଯୋଗ ଉଣ୍ଡି ସାର୍ବଭୌମଙ୍କ ପରାମର୍ଶ କ୍ରମେ ମହାରାଜା ପ୍ରତାପରୁଦ୍ର ପହଞ୍ଚିଲେ ଜଣେ ଅତି ସାଧାରଣ ଲୋକ ବେଶରେ । ନିଜ କୋଳରେ ଶ୍ରୀଚୈତନ୍ୟଙ୍କ ପାଦକୁ ରଖି ଆଉଁସିବାରେ ଲାଗିଲେ ସେ । ପାଦ ଆଉଁସା ଚାଲିଥାଏ, ରାଜାଙ୍କ ମୁଖରେ ଉଚ୍ଚାରିତ ହେବାକୁ ଲାଗିଥାଏ ଶ୍ରୀମତ୍ ଭାଗବତର ଶ୍ଳୋକ । ଶ୍ଳୋକ ଶୁଣି ହଠାତ୍ ଶ୍ରୀଚୈତନ୍ୟଙ୍କ ମନରେ ସୃଷ୍ଟିହେଲା ଏକ ଅଭିନବ ଭାବ-। ସେ ହୁଂକାର କରି ରାଜାଙ୍କୁ କୁଣ୍ଡେଇଧରି କହିଲେ, ‘‘ମୋ କର୍ଣ୍ଣରେ ଅମୃତ ବର୍ଷଣକାରୀ ତୁମେ କିଏ ? ମୁଁ ସନ୍ନ୍ୟାସୀ, ତୁମକୁ ଦେବା ପାଇଁ ମୋ ପାଖରେ କିଛି ନାହିଁ, ଅଛି କେବଳ ଏହି ଆଲିଙ୍ଗନ-।’’

 

ଶ୍ରୀଚୈତନ୍ୟ ଓ ମହାରାଜା ପ୍ରତାପରୁଦ୍ର ଦୁହେଁ ସଙ୍ଗେ ସଙ୍ଗେ ମୂର୍ଚ୍ଛିତ ହୋଇ ତଳେ ଲୋଟିପଡ଼ିଲେ । ଚେତା ଫେରିବା ପରେ ମହାରାଜା ଉଆସକୁ ଫେରିଲେ ସତ, କିନ୍ତୁ ତାଙ୍କ ଅବସ୍ଥା ଆତ୍ମାନନ୍ଦରେ ଟଳମଳ । ଶ୍ରୀଚୈତନ୍ୟ ପୁରୀରୁ ଦକ୍ଷିଣଭାରତ ଯିବା ଦିନଠାରୁ ମାଆ ଶଚୀ, ସ୍ତ୍ରୀ ବିଷ୍ଣୁପ୍ରିୟା ଓ ନଦିୟାର ଭକ୍ତମାନଙ୍କ ମନର ଅବସ୍ଥା ଅତି ଶୋଚନୀୟ ହୋଇଉଠିଥିଲା । ପ୍ରଭୁ ଯେ ଦକ୍ଷିଣଭାରତରୁ ପୁଣି ପୁରୀକୁ ଫେରିବେ ଏହି ବିଶ୍ୱାସ ସେମାନଙ୍କର ନଥିଲା । ଖବର ମିଳିଲା ପ୍ରଭୁ ଫେରିଆସିଛନ୍ତି ପୁରୀକୁ । ନଦିୟାବାସୀଙ୍କ ଆନନ୍ଦ କହିଲେ ନ ସରେ । ଶଚୀଙ୍କ ଘରେ ଚାଲିଲା ଭକ୍ତମାନଙ୍କର ହରିକୀର୍ତ୍ତନ । ସମସ୍ତେ କହିଲେ, ଚାଲ ନୀଳାଚଳ । ଅଦ୍ୱୈତ ଓ ଶ୍ରୀବାସଙ୍କ ନେତୃତ୍ୱରେ ଦଳେ ଭକ୍ତ ବାହାରିଲେ ନୀଳାଚଳ ଅଭିମୁଖେ । ସେତେବେଳେ ତ କୌଣସି ଯାନବାହାନ ନ ଥିଲା । ସେମାନେ ଚାଲି ଚାଲି ମାସକ ପରେ ଆସି ପହଞ୍ଚିଲେ ପୁରୀରେ । ନଦିୟାରୁ ଆସିଥିବା ଭକ୍ତମାନେ ଚାରିମାସ କାଳ କଟାଇଲେ ଶ୍ରୀଚୈତନ୍ୟଙ୍କ ନିକଟରେ । କିନ୍ତୁ ସମସ୍ତେ ଥିଲେ ସଂସାରୀ । ନଦିୟାରେ ସେମାନଙ୍କ ଘରଦ୍ୱାର, ପିଲାପିଲି, ବିଲବାଡ଼ି । ତେଣୁ ଶ୍ରୀଚୈତନ୍ୟ ସମସ୍ତଙ୍କୁ କହିଲେ ନଦିୟା ଫେରି ଯିବାକୁ । ସେତେବେଳକୁ ସମଗ୍ର ଓଡ଼ିଶାରେ ବୈଷ୍ଣବମତର ଚାଲିଥାଏ ପ୍ରଖର ସ୍ରୋତ । ଗ୍ରାମେ ଗ୍ରାମେ ହରିନାମ କୀର୍ତ୍ତନ ।

 

ଦିନେ ଶ୍ରୀଚୈତନ୍ୟ ନିତ୍ୟାନନ୍ଦଙ୍କୁ ଡାକି କହିଲେ—ତୁମକୁ ଗୌଡ଼ଦେଶ(ବଙ୍ଗଳା)କୁ ଫେରିଯିବାକୁ ପଡ଼ିବ । ନିତ୍ୟାନନ୍ଦ ଅନୁଭବ କଲେ ଯେପରି ବଜ୍ରଘାତ ହେଲା ତାଙ୍କ ଉପରେ । ଶ୍ରୀଚୈତନ୍ୟଙ୍କୁ ଛାଡ଼ି ଯେ ଅନ୍ୟତ୍ର ରହିବେ, ଏକଥା ସେ କେବେ କଳ୍ପନା କରିନଥିଲେ । ଶ୍ରୀଚୈତନ୍ୟ ତାଙ୍କୁ ବୁଝାଇ କହିଲେ, ‘‘ବଙ୍ଗଳାର ଲୋକଙ୍କୁ ମଧ୍ୟ ଉଦ୍ଧାର କରିବାକୁ ପଡ଼ିବ । କେବଳ ତୁମ ଦ୍ୱାରା ହିଁ ତାହା ସମ୍ଭବ ।’’ ଏକଥା ଶୁଣିବାମାତ୍ରେ ନିତ୍ୟାନନ୍ଦ ନିଜକୁ ସମ୍ଭାଳି ପାରିଲେ ନାହିଁ । ପିଲାଙ୍କ ଭଳି କାନ୍ଦିଉଠିଲେ ସେ । ଶ୍ରୀଚୈତନ୍ୟ ତାଙ୍କୁ ଆଶ୍ୱାସନା ବାଣୀ ଶୁଣାଇ କହିଲେ, ‘‘ଦେଖ ଶ୍ରୀପାଦ, ତୁମେ ଯଦି କଷ୍ଟ ଅନୁଭବ କରିବ, ସେ କଷ୍ଟ ମଧ୍ୟ ମୋର । ତୁମକୁ ବହୁ ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିବ ।’’ ନିତ୍ୟାନନ୍ଦ ଗଲେ ବଙ୍ଗଳାକୁ । ନଦିୟାର ଲୋକେ ନିତ୍ୟାନନ୍ଦଙ୍କୁ ପାଇ ଅନୁଭବ କଲେ ଶ୍ରୀଚୈତନ୍ୟଙ୍କୁ ପାଖରେ ପାଇବା ଭଳି । ନିତ୍ୟାନନ୍ଦ ଲୋକଙ୍କ ମଧ୍ୟରେ ପ୍ରେମ ଓ ଭକ୍ତି ମାର୍ଗ ପ୍ରଚାର ଲାଗି ଏକ ଅଭିନବ ପନ୍ଥା ଧରିଲେ । ସେ ଗ୍ରାମେ ଗ୍ରାମେ କେବଳ’’ଭଜ ଗୌରାଙ୍ଗ, ଜପ ଗୌରାଙ୍ଗ, ଲହ(ନିଅ) ଗୌରାଙ୍ଗର ନାମ "ଗାଇଗାଇ ନାଚିନାଚି ବୁଲିଲେ । ସେ ଯେଉଁଠିକି ଯାଉଥିଲେ ତାଙ୍କ ପଛରେ ଶହ ଶହ ଲୋକ ନାଚି ନାଚି ଗୋଡ଼ାଉଥିଲେ । ସେ କାହାକୁ କିଛି କହୁନଥିଲେ ଅଥଚ ସମଗ୍ର ଗୌଡ଼ ଦେଶରେ ବୈଷ୍ଣବଧର୍ମର ବନ୍ୟା ଛୁଟିବାରେ ଲାଗିଲା । ନିତ୍ୟାନନ୍ଦଙ୍କ ପ୍ରେମ ଓ ଭକ୍ତି ପ୍ରଚାର ମଧ୍ୟରେ କେତେକ ଅଲୌକିକ ଲୀଳା ମଧ୍ୟ ଦେଖିବାକୁ ମିଳିଲା-। କେତେକ ଲୋକ ହରିନାମ କୀର୍ତ୍ତନ କରିବାମାତ୍ରେ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତ ହୋଇଉଠିଲେ-

 

ବର୍ଷକ ପରେ ପୁଣି ଦଳେ ଭକ୍ତ ବାହାରିଲେ ପୁରୀକୁ-ଶ୍ରୀଚୈତନ୍ୟଙ୍କ ଦର୍ଶନ ଲାଗି । ଏଥର ପୁରୁଷଙ୍କ ସହିତ କେତେକ ସ୍ତ୍ରୀ ଲୋକ ମଧ୍ୟ ବାହାରିଲେ । ଏଥର ମଧ୍ୟ ଭକ୍ତମାନେ ପୁରୀରେ ରହିଲେ ଚାରିମାସ କାଳ । ବିଦାୟ ବେଳ ଆସିବାମାତ୍ରେ ସେମାନଙ୍କ ଭିତରେ ସୃଷ୍ଟିହେଲା କ୍ରନ୍ଦନରୋଳ, ସତେ କି ଅତି ଆତ୍ମୀୟ ଜଣେ ମରିଯାଇଛି । ଶ୍ରୀଚୈତନ୍ୟ ପ୍ରତ୍ୟେକ ଭକ୍ତଙ୍କ ପାଖକୁ ଯାଇ ବୁଝେଇବାକୁ ଲାଗିଲେ । ଭକ୍ତ ବାସୁଦେବ ଶ୍ରୀଚୈତନ୍ୟଙ୍କ ପାଦ ଧରି କହିଉଠିଲେ, ‘‘ମୋର ଏକମାତ୍ର ନିବେଦନ ପୂରଣ କରନ୍ତୁ ।’’ ସେ କହିଲେ, ‘‘ସଂସାରରେ ଯେତେ ମନୁଷ୍ୟ ଅଛନ୍ତି, ସମସ୍ତଙ୍କର ପାପ ମୋ ମୁଣ୍ଡରେ ଲଦିଦିଅନ୍ତୁ, ମୁଁ ନର୍କଗାମୀ ହେବାପାଇଁ ପ୍ରସ୍ତୁତ—କିନ୍ତୁ ମନୁଷ୍ୟ ସମାଜକୁ ପାପଙ୍କରୁ ଉଦ୍ଧାର କରନ୍ତୁ ।’’

 

ଶ୍ରୀଚୈତନ୍ୟଙ୍କ ହୃଦୟ ବିଗଳିତ ହୋଇପଡ଼ିଲା । ଉପସ୍ଥିତ ଲୋକେ କହିଉଠିଲେ, ଗୁରୁଠାରୁ ଶିଷ୍ୟ ବଳିଗଲେ ।’’ ବାରଜାତି ତେରଗୋଲା, ବୈଷ୍ଣବ ହେଲେ ସବୁଗଲା" କଥାଟି ବୋଧହୁଏ ଶ୍ରୀଚୈତନ୍ୟଙ୍କ ଅମଳରୁ ପ୍ରଚଳିତ ହୋଇଆସୁଛି । କାରଣ ଶ୍ରୀଚୈତନ୍ୟଙ୍କ ଦୃଷ୍ଟିରେ ସମସ୍ତେ ଥିଲେ ସମାନ । ତାଙ୍କ ଦୃଷ୍ଟିରେ ଜାତିପତି ଭେଦଭାବର ପ୍ରଶ୍ନ ନଥିଲା । ଚଣ୍ଡାଳ ଘରେ ଯାହାର ଜନ୍ମ ସେ ଯେ ଚଣ୍ଡାଳ ହେବ ଏବଂ ବ୍ରାହ୍ମଣଘର ପିଲା ବ୍ରାହ୍ମଣହିଁ ରହିବ, ଏ ବିଶ୍ୱାସ ତାଙ୍କର ନଥିଲା । ଚଣ୍ଡାଳର ଯଦି ଭକ୍ତି ଓ ପ୍ରେମଭାବ ରହିଛି ସେ ଭକ୍ତିହୀନ ବ୍ରାହ୍ମଣଠାରୁ ଯଥେଷ୍ଚ ଉନ୍ନତ । ଏହି ପ୍ରଚାରରେ ଅନେକ ଉଚ୍ଚଜାତିର ଲୋକ ଶ୍ରୀଚୈତନ୍ୟଙ୍କର ତୀବ୍ର ସମାଲୋଚନା କରିଥିଲେ । କିନ୍ତୁ ଏହି ସମାଲୋଚକମାନେ ହିଁ ପରେ ତାଙ୍କର ଶରଣାପନ୍ନ ହୋଇଥିଲେ । ଜ୍ୱଳନ୍ତ ଦୃଷ୍ଟାନ୍ତ ହେଉଛନ୍ତି ଜଣେ ବିଶିଷ୍ଟ ଅଦ୍ୱୈତବାଦୀ ପଣ୍ଡିତ ଶ୍ରୀ ପ୍ରକାଶାନନ୍ଦ । ସେ ଥିଲେ ଶ୍ରୀଚୈତନ୍ୟଙ୍କ ପ୍ରେମ, ଭକ୍ତି ଓ ଧର୍ମ ପ୍ରଚାରର ତୀବ୍ର ବିରୋଧୀ । ବାରାଣସୀ ଥିଲା ତାଙ୍କର ପୀଠ । ନୀଳାଚଳ ପୁରୀଧାମର ଖବରଅନ୍ତର ସେ ରଖୁଥିଲେ । ସାର୍ବଭୌମଙ୍କ ଭଳି ଜଣେ ଅଦ୍ୱୈତବାଦୀ ଶ୍ରୀଚୈତନ୍ୟଙ୍କୁ ଶ୍ରୀକୃଷ୍ଣଙ୍କ ଅବତାର ବୋଲି ମାନିନେବା ଶୁଣି ପ୍ରକାଶାନନ୍ଦ କ୍ରୋଧରେ ଜଳିଉଠିଲେ-। ସେ ତାଙ୍କ ଶିଷ୍ୟମାନଙ୍କୁ କହିଲେ, ‘‘ଶ୍ରୀଚୈତନ୍ୟ ଜଣେ ଯାଦୁକର । ସେ ମୋର ବନ୍ଧୁ ସାର୍ବଭୌମଙ୍କ ମନରେ ଭେଳିକି ଲଗାଇ ଦେଇଛି । ଲୋକଟା ବାରାଣସୀ ଆସନ୍ତା କି ତାର ସବୁ କୌଶଳ ପଦାରେ ପଡ଼ିଯାଆନ୍ତା ।’’

 

ପ୍ରକାଶାନନ୍ଦ ଖଣ୍ଡିଏ ପତ୍ର ଲେଖିଲେ ଶ୍ରୀଚୈତନ୍ୟଙ୍କ ନିକଟକୁ; ବାରାଣସୀ ଆସିବା ପାଇଁ । ଶ୍ରୀଚୈତନ୍ୟ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ଚିଠିର ପ୍ରାପ୍ତି ସ୍ୱୀକାର କଲେ କିନ୍ତୁ ଲେଖିଲେ—ଶ୍ରୀକୃଷ୍ଣ ତ ନୀଳାଚଳରେ ବିଦ୍ୟାମାନ, ମୁଁ ଅନ୍ୟତ୍ର ଯିବା କାହିଁକି ? ପୁଣି ଏକ ଚିଠି ଆସିଲା ପ୍ରକାଶାନନ୍ଦଙ୍କ ନିକଟରୁ । କିନ୍ତୁ ଶ୍ରୀଚୈତନ୍ୟ ଏ ଚିଠିର କୌଣସି ଉତ୍ତର ନଦେଇ ନୀରବ ରହିଲେ-। ...ଛଅବର୍ଷ ପରେ ଶ୍ରୀଚୈତନ୍ୟ ବୃନ୍ଦାବନକୁ ଯିବା ବାଟରେ ବାରାଣାସୀରେ ରହିଲେ ଅଳ୍ପ କେତେ ଦିନ, କିନ୍ତୁ ପ୍ରକାଶାନନ୍ଦଙ୍କ ସହିତ ସାକ୍ଷାତ କଲେ ନାହିଁ ସେ କିମ୍ବା ପ୍ରକାଶାନନ୍ଦ ଆସିଲେ ନାହିଁ ତାଙ୍କ ପାଖକୁ । ବାରାଣାସୀରୁ ଶ୍ରୀଚୈତନ୍ୟ ଚାଲିଗଲେ ବୃନ୍ଦାବନ । ସେ ବାରାଣସୀ ଛାଡ଼ିବା ମାତ୍ରେ ପ୍ରକାଶାନନ୍ଦ ତାଙ୍କ ଶିଷ୍ୟମାନଙ୍କୁ କହିଲେ, ‘‘ଦେଖିଲ ତ ମୁଁ କ'ଣ କହୁଥିଲି । ଶ୍ରୀଚୈତନ୍ୟର ଲୀଳାଖେଳା ବାରାଣସୀ 'କାଶୀ' ଭଳି ପବିତ୍ର ପୀଠରେ କାଟୁ କରିବନାହିଁ । ବିଚରା ଫେରିଗଲା, କିଛି ଦେଖେଇ ପାରିଲା ନାହିଁ ।’’

 

ବୃନ୍ଦାବନରୁ ଫେରି ଶ୍ରୀଚୈତନ୍ୟ ପୁଣି ଆସିଲେ ବାରାଣସୀକୁ । ଶ୍ରୀଚୈତନ୍ୟ ପୁଣି ଆସିଲେଣି ଖବର ପାଇବା ମାତ୍ରେ ପ୍ରକାଶାନନ୍ଦ ଶିଷ୍ୟମାନଙ୍କୁ କହିଲେ, ‘‘ଯିଏ ନିଜକୁ ଭଗବାନ କହେ ଏବଂ ଯେଉଁମାନେ ତାକୁ ଭଗବାନ ବୋଲି ଗ୍ରହଣ କରନ୍ତି ସେ ସମସ୍ତେ ନିନ୍ଦନୀୟ ।’’ ଶ୍ରୀଚୈତନ୍ୟଙ୍କ କାନରେ ପଡ଼ିଲା ଏକଥା । କିନ୍ତୁ ସେ ନୀରବ ରହିଲେ । ପ୍ରକାଶାନନ୍ଦ ଲୋକଟା କିପରି ଶିକ୍ଷା ପାଆନ୍ତା, ଏ ଚିନ୍ତା ଶ୍ରୀଚୈତନ୍ୟଙ୍କର ବହୁ ଭକ୍ତଙ୍କ ମନରେ ଘାରୁଥିଲା । ବାରାଣସୀରେ ଥିଲେ ଶ୍ରୀଚୈତନ୍ୟଙ୍କର ବହୁ ଭକ୍ତ । ଏହି ଭକ୍ତଙ୍କ ମଧ୍ୟରୁ ଜଣେ ଏକ ଯୋଜନା କଲେ । ‘‘ଆମ ଘରେ ଜଳପାନ କରିବେ" କହି ସହରରେ ଥିବା ସମସ୍ତ ସାଧୁ ସନ୍ନ୍ୟାସୀ, ପଣ୍ଡିତଙ୍କୁ ସେ ନିମନ୍ତ୍ରଣ କଲେ—ଶ୍ରୀଚୈତନ୍ୟଙ୍କୁ ମଧ୍ୟ । ଶ୍ରୀଚୈତନ୍ୟ ଭକ୍ତଜଣକର କୌଶଳ ଜାଣିପାରି ପ୍ରଥମେ ତାଙ୍କ ଘରକୁ ଯିବାପାଇଁ ମନା କରିଦେଲେ । କିନ୍ତୁ ପରେ ବହୁ ଭକ୍ତ ଆସି ଅନୁରୋଧ କରିବାରେ ଏବଂ ପ୍ରକୃତ ଉଦ୍ଦେଶ୍ୟ ଜଣାଇବାରେ ଶ୍ରୀଚୈତନ୍ୟ ହସି ହସି କହିଲେ, ‘‘ଆଚ୍ଛା ଯିବା ।’’

 

ନିମନ୍ତ୍ରଣକାରୀ ଭକ୍ତ ଜଣକର ଘରେ ସେଦିନ ବିରାଟ ଆୟୋଜନ ହୋଇଥିଲା । ତାଙ୍କ ଘର ହତା ଭିତରେ ଚାନ୍ଦୁଆ ଟଣାହୋଇ ଆସନ ପଡ଼ିଥିଲା । ଶହ ଶହ ସନ୍ନ୍ୟାସୀ ସମବେତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ପଣ୍ଡିତ ଶିରୋମଣି ପ୍ରକାଶାନନ୍ଦ । ସେ ଜାଣିପାରିଲେ ଯେ ଏହି ସନ୍ନ୍ୟାସୀ ସମାବେଶକୁ ଶ୍ରୀଚୈତନ୍ୟଙ୍କୁ ମଧ୍ୟ ଡକାଯାଇଛି । ସେ ଅଳ୍ପ କେତେ ସମୟ ପରେ ପହଞ୍ଚିବେ ଶୁଣିବାମାତ୍ରେ ପ୍ରକାଶାନନ୍ଦଙ୍କ ମନ ଭିତରେ ଆଶଙ୍କା ଲହରୀ ଖେଳିଉଠିଲା । ମନେ ଭାବିଲେ, ସାର୍ବଭୌମଙ୍କ ଭଳି ଶ୍ରୀଚୈତନ୍ୟ ଯଦି ମୋ ମନରେ ଭେଳିକି ଲଗେଇଦିଏ...ଶ୍ରୀଚୈତନ୍ୟ ଆସିଲେ ତାଙ୍କର ଚାରିଜଣ ଭକ୍ତଙ୍କ ସହିତ । ସେ ହତା ବାହାରେ ବସିଲେ । କିନ୍ତୁ ତାଙ୍କ ଜୋତିର୍ମୟରୂପକୁ ଦେଖିପାରିଲେ ସମସ୍ତେ । ପ୍ରକାଶାନନ୍ଦ ତାଙ୍କୁ ଦେଖୁ ଦେଖୁ ମୋହି ହୋଇଗଲେ । ସଂଗେ ସଂଗେ ସେ ଶ୍ରୀଚୈତନ୍ୟଙ୍କ ନିକଟକୁ ଯାଇ କହିଲେ,"ସ୍ୱାମିଜୀ, ଭିତରକୁ ଆସନ୍ତୁ; ବାହାରେ ବସି ରହିଲେ ଯେ ।’’ ଭିତରକୁ ଗଲେ ଶ୍ରୀଚୈତନ୍ୟ । ପ୍ରଥମେ କଥାବାର୍ତ୍ତା ଛଳରେ ପ୍ରକାଶାନନ୍ଦ କହିଲେ, "ଶୁଣୁଚି ତମେ ବେଦପାଠ କରୁନା, ଖାଲି କୃଷ୍ଣ କୃଷ୍ଣ ଗାଇଗାଇ ନାଚୁଚ, ଡେଉଁଚ ।’’ ଶ୍ରୀଚୈତନ୍ୟ କହିଲେ, ଶ୍ରୀପାଦ, (ବୟସରେ ବଡ଼ମାନଙ୍କୁ ଶ୍ରୀଚୈତନ୍ୟ 'ଶ୍ରୀପାଦ' ସଂବୋଧନ କରୁଥିଲେ) ମୁଁ ସେଭଳି ମେଧାବୀ ଶିଷ୍ୟ ନୁହେଁ ଜାଣି ମୋ ଗୁରୁ ମତେ ଏକ ସରଳ ବାଟ ବତେଇ କହିଥିଲେ ଶ୍ରୀକୃଷ୍ଣ ନାମ ଉଚ୍ଚାରଣ କର । ଏହି ନାମରେ କି ଶକ୍ତି ଅଛି କେଜାଣି, ତା ପ୍ରଭାତରେ ମୁଁ ଖାଲି ଗାଇଲି ନାଚିଲି । ମନେ ମନେ ଭାବିଲି ପାଗଳ ହୋଇଗଲି କି ? ପରେ ଯାଇ ଗୁରୁଙ୍କୁ ପଚାରିଲି । ସେ କହିଲେ,‘‘ନା ବାପା, ଇଏ ପାଗଳାମି କିମ୍ବା କୌଣସି ବ୍ୟାଧି ନୁହେଁ, ଇଏ ହେଉଛି କୃଷ୍ଣ-ପ୍ରେମ । ଯୁଗ ଯୁଗ ଧରି ମୁନି-ଋଷିମାନେ ତପସ୍ୟା କରି ମଧ୍ୟ ଏହାକୁ ପାଇନାହାନ୍ତି । ତେଣୁ ହେ ଶ୍ରୀପାଦ ଏହି 'ନାମ' ହିଁ ମତେ ନଚାଉଚି ।’’ ଏ କଥା ଶୁଣୁ ଶୁଣୁ ପ୍ରକାଶାନନ୍ଦଙ୍କ ମନ ଭିତରେ ସୃଷ୍ଟି ହେଉଥିଲା ଏକ ଅଭିନବ ଭାବ । ତଥାପି ସେ ତାଙ୍କ ପାଣ୍ଡିତ୍ୟକୁ ଜଳାଂଜଳି ଦେବାକୁ ପ୍ରସ୍ତୁତ ନଥିଲେ ।

 

ସାର୍ବଭୌମଙ୍କ ଭଳି ସେ ମଧ୍ୟ ଚଳାଇଲେ ଯୁକ୍ତିତର୍କ । ତାଙ୍କ ମୁହଁରୁ ଚାଲିଲା ବେଦ-ବେଦାନ୍ତର ଶ୍ଳୋକ । କିନ୍ତୁ ଶ୍ରୀଚୈତନ୍ୟ ବେଦରେ ଥିବା ଉକ୍ତି ଓ ପ୍ରେମଭାବରେ ଗୁରୁତ୍ୱକୁ ଏତେ ସୁନ୍ଦର ଓ ସରଳଭାବରେ ପ୍ରତିପାଦନ କଲେ ଯେ ପ୍ରକାଶାନନ୍ଦ ଏକାବେଳକେ ନିରୁତ୍ତର ହୋଇପଡ଼ିଲେ । ଶେଷରେ ଗୁରୁ ଭାବରେ ଗ୍ରହଣ କଲେ ଶ୍ରୀଚୈତନ୍ୟଙ୍କୁ । ପ୍ରକାଶାନନ୍ଦଙ୍କ ନାଁ ବଦଳି ରହିଲା ପ୍ରବୋଧାନନ୍ଦ । ଶ୍ରୀଚୈତନ୍ୟ ତାଙ୍କୁ କହିଲେ, ‘‘ବୃନ୍ଦାବନରେ ଯାଇ ଅବସ୍ଥାନ କର ଏବଂ ସେଠାରେ ବୈଷ୍ଣବ ଧର୍ମ ପ୍ରଚାର କର । ପ୍ରବୋଧାନନ୍ଦ ପରେ ବୃନ୍ଦାବନରେ ରହି ଲେଖିଥିଲେ 'ଚୈତନ୍ୟ ଚରିତାମୃତ' । ଶ୍ରୀଚୈତନ୍ୟ ନୀଳାଚଳରେ ରହିଥିଲେ ଅଠର ବର୍ଷ । ତା ଭିତରେ ବହୁ ଲୀଳା ପ୍ରଦର୍ଶନ କରିଥିଲେ ସେ । ଥରେ ରଥଯାତ୍ରା ସମୟରେ ରାଜ ପ୍ରଜା ସମସ୍ତେ ମିଶି ଦଉଡ଼ି ଧରି ଟାଣିବା ସତ୍ତ୍ୱେ ରଥ ଚାଲିଲା ନାହିଁ । ମହାରାଜା ପ୍ରତାପରୁଦ୍ରଙ୍କ ଆଦେଶକ୍ରମେ ହାତୀମାନଙ୍କୁ ମଧ୍ୟ ଆଣି ଯୋଚାହେଲା । ତଥାପି ରଥ ଯେଉଁଠି ଥିଲା ସେଇଠି । ପରିଶେଷରେ ଶ୍ରୀଚୈତନ୍ୟ ଓ ତାଙ୍କ ଭକ୍ତମାନେ ଦଉଡ଼ିରେ ହାତଦେବାରେ ଘଡ଼ି ଘଡ଼ି ହୋଇ ରଥ ଚାଲିଲା । ଏହି ଦୃଶ୍ୟ ଦେଖିବା ପରେ ଓଡ଼ିଶାର ମୁକୁଟମଣି ମହାରାଜା ପ୍ରତାପରୁଦ୍ରଙ୍କ ହୃଦୟ ଆନନ୍ଦରେ ନାଚିଉଠିଲା । ସେହି ଦିନଠାରୁ ସେ ଶ୍ରୀଚୈତନ୍ୟଙ୍କ ପଦାରବିନ୍ଦରେ ମନପ୍ରାଣ ଢାଳିଦେଲେ । ଶ୍ରୀଚୈତନ୍ୟ ହେଲେ ତାଙ୍କର ଜପ, ତପ, ଧ୍ୟାନ, ଧାରଣା । ଶ୍ରୀଚୈତନ୍ୟ କି ରାଜା, ପ୍ରଜା ସମସ୍ତଙ୍କୁ କହୁଥିଲେ, ନିରନ୍ତର କର କୃଷ୍ଣ ନାମ ସଂକୀର୍ତ୍ତନ । ସେ କହୁଥିଲେ କୃଷ୍ଣ ଅପେକ୍ଷା କୃଷ୍ଣ ନାମ ଶ୍ରେଷ୍ଠ । ନାମ ନେଲେ ନାମୀ(କୃଷ୍ଣ)ଙ୍କୁ ପାଇପାରିବ । କଳିଯୁଗରେ ନାମ ସ୍ମରଣ, ନାମସଂକୀର୍ତ୍ତନ ହେଉଛି ଶ୍ରେଷ୍ଠ ଓ ସରଳ ପଥ ।

 

ଓଡ଼ିଆ ଭାଗବତକର ଭକ୍ତକବି ଜଗନ୍ନାଥ ଦାସଙ୍କୁ କୁଣ୍ଢାଇ ପକାଇ ସେ ତାଙ୍କୁ ଡାକିଥିଲେ ‘‘ଅତିବଡ଼ି" । ସେହିଦିନଠାରୁ ଜଗନ୍ନାଥ ଦାସ ଜଗତରେ ପରିଚିତ ହେଲେ ‘‘ଅତିବଡ଼ି ଜଗନ୍ନାଥ ଦାସ" ନାମରେ । ନୀଳାଚଳ ପୁରୀଧାମରେ ଶ୍ରୀଚୈତନ୍ୟଙ୍କ ପାଖରେ ରହୁଥିଲେ ସାର୍ବଭୌମ, ଗୋପୀନାଥ, ସ୍ୱରୁପ ଦାମୋଦର, ହରିଦାସ, ଜଗଦାନନ୍ଦ, ଦୋମୋଦର ପଣ୍ଡିତ, ଶଙ୍କର, ବାସୁଘୋଷ, ଗୋବିନ୍ଦ ଓ କାଶୀଶ୍ୱର । ନିତ୍ୟାନନ୍ଦଙ୍କ ସାଙ୍ଗରେ ଗୌଡ଼ଦେଶକୁ ଗଲେ ରାମଦାସ, ଗଦାଧର, ରଘୁନାଥ, କୃଷ୍ଣଦାସ ଓ ପରେମେଶ୍ୱର ଦାସ । ମଝିମଝିରେ ଶ୍ରୀଚୈତନ୍ୟ ଭକ୍ତମାନଙ୍କୁ କହୁଥାଆନ୍ତି ଏଣେବି ମୁଁ ଚାଲିଯିବି । ଦାକ୍ଷିଣାତ୍ୟରୁ ଫେରିବା ପରଠାରୁ ସେ ଥରକୁଥର ଏହିପରି କହିବାରେ ଲାଗିଥାଆନ୍ତି । କିନ୍ତୁ ମହାରାଜା ପ୍ରତାପରୁଦ୍ର, ରାୟ ରାମାନନ୍ଦ ପ୍ରମୁଖ ଭକ୍ତମାନେ ଦୋଳଯାତ୍ରା ସରୁ ଯିବେ, ପୁଣି ରଥଯାତ୍ରା ସରୁ ଯିବେ କହି ତାଙ୍କୁ ଯିବାକୁ ଦେଉନଥିଲେ । ତାଙ୍କୁ ନ ଛାଡ଼ିବାର କାରଣ ହେଉଛି ତାଙ୍କର ବିଚ୍ଛେଦ ଭକ୍ତମାନଙ୍କ ପକ୍ଷରେ ଯେ ଅସହ୍ୟ ହୋଇଉଠିବ ଏକଥା ସେମାନେ ଅନୁଭବ କରୁଥିଲେ ।

 

ନିତ୍ୟାନନ୍ଦଙ୍କୁ ନବଦ୍ୱୀପରେ ନାମକୀର୍ତ୍ତନ ପାଇଁ ନିଯୁକ୍ତି କରାଯାଇଥିଲେ ମଧ୍ୟ ସେ ଶ୍ରୀଚୈତନ୍ୟଙ୍କ ବିରହ ସହ୍ୟ କରିନପାରି ଥରେ ଥରେ ତାଙ୍କୁ ଦେଖିବାପାଇଁ ପୁରୀ ଚାଲିଆସୁଥିଲେ-। କିନ୍ତୁ ଶ୍ରୀଚୈତନ୍ୟ ପୁଣି ତାଙ୍କୁ ପଠାଇଦେଉଥିଲେ ନଦୀୟାକୁ । ନିତ୍ୟାନନ୍ଦ ସେଠାରେ ସନ୍ନ୍ୟାସୀ ବେଶ ଛାଡ଼ି ସଂସାରୀବେଶ ଧରି ନାମ ପ୍ରଚାର କରି ଚାଲିଥିଲେ ।

 

ଶେଷରେ ବିଜୟାଦଶମୀ ଦିନ ଶ୍ରୀ ଚୈତନ୍ୟ ଶ୍ରୀଜଗନ୍ନାଥଙ୍କ ଠାରୁ ବିଦାୟ ନେଇ ବାହାରିଲେ ବୃନ୍ଦାବନ ଅଭିମୁଖେ । ତାଙ୍କ ସାଙ୍ଗରେ ଚାଲିଲେ ସ୍ୱରୂପ, ଦାମୋଦର ଓ ଆଉ ଅଳ୍ପ କେତେ ଜଣ ଭକ୍ତ । ସ୍ୱରୂପ ଆଗରୁ ବୃନ୍ଦାବନରେ ଥିଲେ । ତେଣୁ ଶ୍ରୀଚୈତନ୍ୟ ସବୁବେଳେ ତାଙ୍କଠାରୁ ବୃନ୍ଦାବନର ବର୍ଣ୍ଣନା ଶୁଣୁଥିଲେ । ସେ ଭକ୍ତମାନଙ୍କୁ କହିଲେ, ‘‘ପ୍ରଥମେ ଜନ୍ମଭୂମିକୁ ଯାଇ ଜାହ୍ନବୀ ଓ ଜନନୀଙ୍କ ଦର୍ଶନ ସାରି ସେହି ପଥରେ ବୃନ୍ଦାବନ ଯିବି ।’’

 

ସେ ଉତ୍କଳ ସୀମା ପାରହୋଇ କେତେଦିନ ପରେ ପହଞ୍ଚିଲେ କୁଳିଆ ଗ୍ରାମରେ । ଏପଟେ କୁଳିଆ ସେପଟେ ନବଦ୍ୱୀପ—ମଝିରେ ଜାହ୍ନବୀ । କୁଳିଆ ଗ୍ରାମରେ ଅବସ୍ଥାନ ସମୟରେ ଖବର ପାଇ ପହଞ୍ଚିଲେ ମା' ଶଚୀ । ଦୀର୍ଘ ଚାରିବର୍ଷ ପରେ ମା' ଶଚୀଙ୍କ ଦର୍ଶନ ପାଇଲେ ସେ । କିନ୍ତୁ ଶଚୀ ଭାବିଥିଲେ ବୁଝେଇ ବାଝେଇ ପୁଅକୁ ଏଥର ଘରକୁ ଫେରାଇନେବେ, କିନ୍ତୁ ତାହା ହୋଇପାରିଲା ନାହିଁ । ଶ୍ରୀଚୈତନ୍ୟ ମାଆଙ୍କୁ କହିଲେ, ‘‘ପୁଅର ମାୟା—ପୁଅ ନିମାଇଁ ବର୍ତ୍ତମାନ ସନ୍ନ୍ୟାସୀ ।’’ ତେଣୁ ଶଚୀ ଫେରିଗଲେ ଘରକୁ ।

 

କୁଳିଆଠାରୁ ନୌକାରେ ଜାହ୍ନବୀ ପାରହୋଇ ସେ ଗଲେ ଜନ୍ମଭୂମିକୁ । ଠିକ୍ ନିଜ ଘର ପାଖ ଦାଣ୍ଡରେ ଯାଉ ଯାଉ ସ୍ତ୍ରୀ ବିଷ୍ଣୁପ୍ରିୟା ସ୍ୱାମୀଙ୍କ ଚନ୍ଦ୍ରବଦନ ଦେଖିବା ପାଇଁ ଅତି ବ୍ୟାକୁଳ ହୋଇଉଠିଲେ । ଘରର ଝରକା ବାଟେ ନିରୀକ୍ଷଣ କଲେ ସେ ସ୍ୱାମୀଙ୍କ ମୁଖକୁ । କିନ୍ତୁ ସମ୍ଭାଳି ପାରିଲେନି ସେ ନିଜକୁ । ସ୍ୱାମୀଙ୍କ ଚରଣ ସ୍ପର୍ଶ କରିବା ଲାଗି ଅଧୀର ହୋଇପଡ଼ିଲେ ସେ । ଶେଷରେ ସର୍ବାଙ୍ଗ ଲୁଗାରେ ଆବୃତ କରି ସେ ଅତି ସନ୍ତର୍ପଣରେ ଆସିଲେ ଦାଣ୍ଡକୁ । ସ୍ୱାମୀଙ୍କ ପାଦତଳେ ଲୋଟିପଡ଼ିଲେ । ଶ୍ରୀଚୈତନ୍ୟ ପଚାରିଲେ, ‘‘ତୁମେ କିଏ ?’’ ଉତ୍ତର ମିଳିଲା—"ମୁଁ ପରା ତୁମର ବିଷ୍ଣୁପ୍ରିୟା ।’’ ଶ୍ରୀଚୈତନ୍ୟ କହିଲେ, ‘‘ତୁମେ ବିଷ୍ଣୁପ୍ରିୟା ହୋଇ ବିଷ୍ଣୁପ୍ରିୟା ନାମକୁ ସାର୍ଥକ କର । ବିଷ୍ଣୁପ୍ରିୟା କହିଲେ,’’ ମୁଁ କୃଷ୍ଣଙ୍କୁ ଚାହେଁ ନାହିଁ, ଚାହେଁ ତୁମକୁ ।’’

 

ଶ୍ରୀଚୈତନ୍ୟ ସଙ୍ଗେ ସଙ୍ଗେ ନିଜ ପାଦୁକା ଦୁଇଟି ଦେଇ କହିଲେ, ‘‘ଏହାକୁ ନିଅ, ପୂଜା କର, ସ୍ୱାମୀ ବିରହ ବେଦନାରୁ ତ୍ରାହି ପାଇବ ।’’ ବିଷ୍ଣୁପ୍ରିୟା ପାଦୁକା ଦୁଇଟି କୁଣ୍ଡେଇ ଧରି ବହୁ ସମୟ କାନ୍ଦିବାକୁ ଲାଗିଲେ । ମାଆ ଶଚୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଶ୍ରୀଚୈତନ୍ୟ ମାଆଙ୍କୁ ସାଷ୍ଟାଙ୍ଗ ପ୍ରଣାମ ଜଣାଇଲେ । ସେଦିନ ସେ ଆଉଜଣେ ଭକ୍ତଙ୍କ ଘରେ ରହି ତା ଆରଦିନ ଯାତ୍ରା କଲେ ବୃନ୍ଦାବନ ଅଭିମୁଖେ ।

 

କିନ୍ତୁ ବୃନ୍ଦାବନ ନଯାଇ ସେ ଫେରିଆସିଲେ ନୀଳାଚଳ ପୁରୀଧାମକୁ । ପୁରୀର ଭକ୍ତମାନେ ଭାରି ଖୁସି ହୋଇଉଠିଲେ । ଶ୍ରୀଚୈତନ୍ୟ ସମସ୍ତଙ୍କୁ ବୁଝାଇ କହିଲେ, ‘‘ଜାହ୍ନବୀ, ଜନନୀ ଓ ଜନ୍ମଭୂମି ଦର୍ଶନ ସାରି ବୃନ୍ଦାବନ ଯିବି ବୋଲି ବାହାରିଥିଲି । କନ୍ତୁ ମୋ ସହିତ ଲକ୍ଷ ଲକ୍ଷ ଲୋକ ବାହାରିଲେ । ଏଭଳି ଆଡ଼ା-ଚୌଡ଼ାରେ ବୃନ୍ଦାବନ ଯିବାଟା ନିରର୍ଥକ ହେବ ବୋଲି ମତେ ସନାତନ ଓ ରୂପ ଦୁଇଭାଇ ଚେତାଇଦେଲେ । (ରୂପ ଓ ସନାତନ ଥିଲେ ଗୌଡ଼ଦେଶର ମୁସଲମାନ ରାଜାଙ୍କ ମନ୍ତ୍ରୀ । ଏମାନେ ହିନ୍ଦୁ ବ୍ରାହ୍ମଣ, କିନ୍ତୁ ମୁସଲମାନ ରାଜାଙ୍କ ମନ୍ତ୍ରୀ ଥିବାରୁ ସେମାନଙ୍କୁ ମୁସଲମାନ ଭାବରେ ଧରାଯାଉଥିଲା । ପରେ ଶ୍ରୀଚୈତନ୍ୟଙ୍କ ଭକ୍ତ ହୋଇ ସେମାନେ ସନାତନ ଓ ରୂପ ଗୋସ୍ୱାମୀ ନାମରେ ପରିଚିତ ହୋଇଥିଲେ ।)

 

ନୀଳାଚଳରେ କେତେ ଦିନ ରହିବା ପରେ ଶ୍ରୀଚୈତନ୍ୟଙ୍କର ବୃନ୍ଦାବନ ଯିବାପାଇଁ ବ୍ୟାକୁଳତା ବଢ଼ିଉଠିଲା । ଦିନ ରାତି ସେ କେବଳ ବୃନ୍ଦାବନ, ବୃନ୍ଦାବନ, ମଧୁବନ, ଯମୁନା ଆଦି ଘୋଷିହେଲେ । ବର୍ଷାଋତୁ ଅତିବାହିତ ହେବା ପରେ ବିଜୟା-ଦଶମୀର ଠିକ୍ ପୂର୍ବ ରାତିରେ ଶ୍ରୀଚୈତନ୍ୟ ବାହାରିଲେ ବୃନ୍ଦାବନ ଅଭିମୁଖେ । କେବଳ ସାଙ୍ଗରେ ରହିଲେ ବଳଭଦ୍ର ଆଚାର୍ଯ୍ୟ । ବାଟରେ ସେ ବହୁ ଲୀଳା ପ୍ରଦର୍ଶନ କଲେ । ବହୁ ଲୋକ ତାଙ୍କ କୀର୍ତ୍ତନରେ ଆକୃଷ୍ଟ ହେଲେ । କେତେ ମାସ ପରେ ସେ ପହଞ୍ଚିଲେ ବାରାଣସୀ (କାଶୀ)ର ମଣିକର୍ଣ୍ଣିକା ଘାଟରେ । ସେଠାରେ ସେ ଯାଇ ରହିଲେ ତପନ ମିଶ୍ରଙ୍କ ଘରେ । କାଶୀରୁ ଗଲେ ପ୍ରୟାଗ; ପ୍ରୟାଗରେ ତିନିଦିନ ରହି ତ୍ରିବେଣୀ ସଙ୍ଗମରେ ସ୍ନାନ କଲେ । ସେଠାରେ ସେ ବାହାରିଲେ ମଥୁରା ଅଭିମୁଖେ । ବାଟରେ ଆଗ୍ରାଠାରେ ପଡ଼ିଲା ଯମୁନା । ଏହି ସେହି ଯମୁନା ନଦୀ କହି୍ର ଶ୍ରୀଚୈତନ୍ୟ ଲମ୍ଫଦେଲେ ଯମୁନା ଭିତରକୁ । ଯାହାହେଉ, ବଳଭଦ୍ର ତାଙ୍କୁ ଟାଣି ଆଣିଲେ କୂଳକୁ । ଆଗ୍ରାରୁ ଗଲେ ମଥୁରା । ଶ୍ରୀଚୈତନ୍ୟଙ୍କ ନାମ ସେତେବେଳେ ଭାରତରେ ପ୍ରଚାରିତ ହୋଇସାରିଥିଲା । ଲୋକେ ତାଙ୍କୁ କୃଷ୍ଣଙ୍କ ଅବତାର ଭାବରେ ପୂଜା କରୁଥିଲେ । ଶ୍ରୀକୃଷ୍ଣ ଚୈତନ୍ୟ ରୂପରେ ଆସିଛନ୍ତି ମଥୁରାପୁରକୁ—ଖବର ପାଇବାମାତ୍ରେ ମଥୁରା ନଗରୀ ଲୋକାରଣ୍ୟ ହୋଇଉଠିଲା । କୃଷ୍ଣ, କୃଷ୍ଣ ଧ୍ୱନିରେ ପ୍ରତିଧ୍ୱନିତ ହୋଇଉଠିଲା ମଥୁରା ।

 

ସେଠାରୁ ଶ୍ରୀଚୈତନ୍ୟ ଗଲେ ବୃନ୍ଦବନ । ଶାସ୍ତ୍ର ବର୍ଣ୍ଣିତ ବୃନ୍ଦାବନ ସେତେବେଳେ ବୃନ୍ଦାବନ ହୋଇ ରହିନଥିଲା । ଶ୍ରୀଚୈତନ୍ୟଙ୍କ ଆଗମନରେ ବୃନ୍ଦାବନ ତାର ପୂର୍ବ ଗୌରବ ଫେରିପାଇଲା । ବାଳ ଗୋପାଳ ଶ୍ରୀକୃଷ୍ଣ ଯେଉଁ ଯେଉଁ ସ୍ଥାନରେ ଲୀଳାଖେଳା କରୁଥିଲେ ଅର୍ଥାତ ରାଧାକୃଷ୍ଣ, ଶ୍ୟାମକୁଣ୍ଡ ଆଦିକୁ ଶ୍ରୀଚୈତନ୍ୟ ଉଦ୍ଧାର କରି ଲୋକଙ୍କୁ ଦେଖାଇଦେଲେ । ସେ ସମସ୍ତ ସ୍ଥାନ ଘନ ଅରଣ୍ୟରେ ପରିପୂର୍ଣ୍ଣ ଥିଲା । ସ୍ଥାନୀୟ ଲୋକେ କୃଷ୍ଣଙ୍କୁ ପ୍ରାୟ ଭୁଲିଯାଇଥିଲେ କହିଲେ ଚଳେ । ଶ୍ରୀକୃଷ୍ଣ ପୁଣି ଚୈତନ୍ୟ ରୂପରେ ବୃନ୍ଦାବନକୁ ଆସି ନିଜର ପରିଚୟ ଦେଲେ । ଲୋକଙ୍କୁ ନେଇ ସୁମନ ସରୋବର, ଗୋବର୍ଦ୍ଧନ ଗିରି ଦର୍ଶନ କରାଇଲେ । ସେତେବେଳେ ଗୋବର୍ଦ୍ଧନ ଗିରିରେ ଗୋଟିଏ କୁଡ଼ିଆ ନିର୍ମାଣ କରି ରହିଥିଲେ ଜଣେ ଯୁବକ । ପିଲାଦିନେ ଏହି ଯୁବକ ଜଣକ ଯେଉଁ ରୂପକୁ ସ୍ୱପ୍ନରେ ଦେଖି ‘‘ଗୌରାଙ୍ଗ, ଗୌରାଙ୍ଗ" ଡାକ ଛାଡ଼ିଲେ ଏବଂ ଗୃହତ୍ୟାଗ କରି ଏଠାକୁ ଆସି ରହିଥିଲେ, ସେହି ଗୌରାଙ୍ଗଙ୍କୁ ଦେଖି ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଶ୍ରୀଚୈତନ୍ୟ ଏହାଙ୍କ ପାଖରେ ପହଞ୍ଚି ବହୁ ଦିନର ପରିଚିତ ବନ୍ଧୁ ଭଳି କୁଣ୍ଢାଇ ପକାଇଲେ ଯୁବକ ଜଣଙ୍କୁ । ଶ୍ରୀଚୈତନ୍ୟ ଏହାଙ୍କ ନାମକରଣ କଲେ କୃଷ୍ଣ ଦାସ । ଏହି କୃଷ୍ଣ ଦାସଙ୍କ ଲିଖିତ ‘‘ଚୈତନ୍ୟଚରିତାମୃତ" ବର୍ତ୍ତମାନ ପୃଥିବୀ ବିଖ୍ୟାତ ।

 

ଶ୍ରୀଚୈତନ୍ୟ ବୃନ୍ଦାବନରୁ ଫେରିଆସିଲେ ପ୍ରୟୋଗକୁ ମକର ମେଳା ବେଳକୁ । ସେଠାରୁ ଫେରିଲେ ବାରାଣସୀ । ବାରାଣସୀରେ ପ୍ରକାଶାନନ୍ଦଙ୍କ ହୃଦୟ ଜୟକରି ତାଙ୍କୁ ପ୍ରବୋଧାନନ୍ଦରେ ପରିଣତ କଲେ—ସେ କଥା ଆଗରୁ ବର୍ଣ୍ଣନା କରାଯାଇଛି । ଶ୍ରୀଚୈତନ୍ୟ କାଶୀ, ପ୍ରୟାଗ ଓ ବୃନ୍ଦାବନରେ ଦୁଇମାସ ଅତିବାହିତ କରିବା ପରେ ଫେରିଆସିଲେ ନୀଳାଚଳଧାମକୁ । ସେତେବେଳକୁ ତାଙ୍କର ବୟସ ଏକତ୍ରିଶ ବର୍ଷ । ସନାତନ ଓ ରୂପ ଗୋସ୍ୱାମୀ ଦୁଇଭାଇ ଇତି ମଧ୍ୟରେ ଶ୍ରୀଚୈତନ୍ୟଙ୍କ ସାନିଧ୍ୟ ଲାଭ ଲାଗି ପହଞ୍ଚିଲେ ନୀଳାଚଳରେ । ସନାତନ କୁଷ୍ଠରୋଗଗ୍ରସ୍ତ ହୋଇପଡ଼ିଥିଲେ । ତାଙ୍କ ଦେହରେ ବିଭିନ୍ନ ସ୍ଥାନରୁ ପୂଜା ବାହାରୁଥିଲା । ଶ୍ରୀଚୈତନ୍ୟ ତାଙ୍କୁ ଏତେ ଭଲ ପାଉଥିଲେ ଯେ ଆନନ୍ଦରେ କୁଣ୍ଡେଇ ପକାଉଥିଲେ । ପରେ ଶ୍ରୀଚୈତନ୍ୟଙ୍କ ନିର୍ଦ୍ଦେଶରେ ଦୁଇ ଭାଗ ଗଲେ ବୃନ୍ଦାବନକୁ । ଏମାନେ ବୃନ୍ଦାବନର ଲୁପ୍ତ ତୀର୍ଥସ୍ଥାନଗୁଡ଼ିକୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଭକ୍ତ ଗ୍ରନ୍ଥ ଲେଖିବାରେ ମନୋନିବେଶ କରିଥିଲେ । ନୀଳାଚଳରେ ଶ୍ରୀଚୈତନ୍ୟଙ୍କର ହରି ଦାସ ନାମକ ଜଣେ ମୁସଲମାନ ଭକ୍ତ ଥିଲେ । ପୁରୀରେ ଏହାଙ୍କ ନାମାନୁସାରେ ହରିଦାସ ମଠ ରହିଛି । ଅତି ବୃଦ୍ଧ ଅବସ୍ଥାରେ ମଧ୍ୟ ସେ ତିନି ଲକ୍ଷ ଥର ଭଗବାନଙ୍କ ନାମ ଉଚ୍ଚାରଣ କରୁଥିଲେ । ସେ ଶ୍ରୀଚୈତନ୍ୟଙ୍କ ସମ୍ମୁଖରେ ବସି ନାମ ଉଚ୍ଚାରଣ କରୁଥିବା ବେଳେ ଦେହତ୍ୟାଗ କରିଥିଲେ ।

 

ଇତିମଧ୍ୟରେ ଶ୍ରୀଚୈତନ୍ୟ ବୃନ୍ଦାବନରୁ ଫେରିବା ପରଠାରୁ ନୀଳାଚଳରେ ଛଅ ବର୍ଷ ବିତିଗଲାଣି । ଏହି ଛଅବର୍ଷକାଳ ସେ ପ୍ରକାଶ୍ୟରେ ନିଜର ଲୀଳା ତଥା ମହିମା ପ୍ରଦର୍ଶନ କରିଥିଲେ-। ପ୍ରତିଦିନ ଜଗନ୍ନାଥଙ୍କୁ ଦର୍ଶନ ଲାଗି ଦେଉଳକୁ ଯାଉଥିଲେ । ବାକି ସମୟ କଟୁଥିଲା କୃଷ୍ଣନାମ କୀର୍ତ୍ତନରେ । ରଥଯାତ୍ରାବେଳେ ସେ କୀର୍ତ୍ତନର ପୁରୋଧା ହୋଇ ରଥ ଆଗରେ ନୃତ୍ୟ କରୁଥିଲେ-। ଅଧିକାଂଶ ସମୟରେ ତାଙ୍କ ଦେହରେ ଅଷ୍ଟସାତ୍ତ୍ୱିକ ଭାବ ଜାଗ୍ରତ ହେଉଥିଲା । ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା ଅଛି ଯେ କୃଷ୍ଣ ବିରହରେ ସେ ଯେତେବେଳେ କାନ୍ଦି ଉଠୁଥିଲେ, ତାଙ୍କ ଆଖିରୁ ଲୁହର ବନ୍ୟା ଛୁଟୁଥିଲା । ସେ ଲୁହରେ ବଡ଼ଦାଣ୍ଡ ଓଦା ହୋଇଉଠୁଥିଲା । ସତତିରିଶ ବର୍ଷ ବୟସରେ ତାଙ୍କର ଆରମ୍ଭ ହେଲା ଗମ୍ଭୀର ଲୀଳା; ବାହାର ଜଗତରେ ଲୀଳା ଶେଷ କରି ସେ ଲୀଳା ଆରମ୍ଭ କଲେ ଅନ୍ତର୍ଜଗତରେ । ଯେଉଁ ଅଦ୍ୱୈତାଚାର୍ଯ୍ୟଙ୍କ ଆବାହନ ଓ ତପସ୍ୟା ବଳରେ ସେ ମନୁଷ୍ୟ ରୂପ ଧରି ପୃଥିବୀରେ ଅବତରଣ କରିଥିଲେ ସେହି ଅଦ୍ୱୈତାଚାର୍ଯ୍ୟଙ୍କଠାରୁ ହଠାତ ଖଣ୍ଡିଏ ପତ୍ର (ତରଜା) ପାଇ ସେ ନିଜକୁ ଆବଦ୍ଧ କରି ରଖିଲେ ଏକ କୋଠରି ଭିତରେ-। ଏହି କୋଠରିର ନାମକରଣ କରାଯାଇଥିଲା 'ଗମ୍ଭୀର' । ଅଦ୍ୱୈତାଚାରେର୍ଯ୍ୟଙ୍କ ଚିଠିରୁ ସେ ଜାଣିପାରିଲେ ଯେ ତାଙ୍କର ଦେହତ୍ୟାଗର ସମୟ ଆସିଗଲା । ସତତିରିଶ ବର୍ଷଠାରୁ ଅଠଚାଳିଶ ବର୍ଷ ବୟସ ପର୍ଯ୍ୟନ୍ତ ସେ ଗମ୍ଭୀରା ଭିତରେ ରହି ଗମ୍ଭୀରା ଲୀଳା ପ୍ରକାଶ କରିଥିଲେ-। କିନ୍ତୁ ସମୟେ ସମୟେ ସେ ଯମେଶ୍ୱର ତୋଟାକୁ ମଧ୍ୟ ଯାଉଥିଲେ ।

 

ଶ୍ରୀକୃଷ୍ଣଙ୍କ ମଥୁରା ଗମନ ପରେ ଗୋକୁଳରେ ରାଧାରାଣୀ ପ୍ରଭୃତି ଗୋପିକାମାନେ ଯେପରି ବିରହ ଯଂତ୍ରଣା ଭୋଗ କରୁଥିଲେ, ଶ୍ରୀଚୈତନ୍ୟ ଗମ୍ଭୀର ଭିତରେ ରହି ଠିକ୍ ସେହିଭଳି ବିରହଯନ୍ତ୍ରଣା ଭୋଗ କରୁଥିଲେ । ଭକ୍ତମାନଙ୍କୁ ନିଜର ସଖୀ ଲଳିତା, ବିଶାଖା ପ୍ରଭୃତି ମନେକରି ସେମାନଙ୍କ ପାଖରେ ନିଜର ମର୍ମବେଦନା ପ୍ରକାଶ କରୁଥିଲେ । ସ୍ୱରୂପ ଓ ରାମାନନ୍ଦ ତାଙ୍କୁ ନାନାଭାବରେ ବୁଝାଉଥିଲେ । ଗୋବିନ୍ଦ ଥିଲେ ତାଙ୍କର ପରମ ସେବକ । ମଝିମଝିରେ ଭକ୍ତମାନେ କୀର୍ତ୍ତନରେ ଭୋଲ ଥିବାବେଳେ ଶ୍ରୀଚୈତନ୍ୟ ଅନ୍ତର୍ଦ୍ଧାନ ହୋଇପଡ଼ୁଥିଲେ । ଥରେ ଭକ୍ତମାନେ ତାଙ୍କୁ ଖୋଜି ଖୋଜି ସିଂହଦ୍ୱାର ଆଗରେ ସେ ପଡ଼ିଥିବା ଦେଖି ତାଙ୍କୁ ଟେକି ଆଣିଥିଲେ । ପୁଣି ଥରେ ସେ ଏହିଭଳି ଅନ୍ତର୍ଦ୍ଧାନ ହୋଇ ସମସ୍ତଙ୍କ ଅଗୋଚରରେ କୁଆଡ଼େ ଯେ ଚାଲିଗଲେ ତାଙ୍କୁ ଖୋଜିବାକୁ ବହୁ ସମୟ ଲାଗିଯାଇଥିଲା । ଏଥର ଯାଇ ପାଇଲେ ସିଂହଦ୍ୱାରର ଦକ୍ଷିଣପାର୍ଶ୍ୱରୁ । ଥରେ ଥରେ ବଂଶୀଧ୍ୱନି ଶୁଣି ସେ ପାଗଳଙ୍କ ଭଳି ଇତସ୍ତତଃ ଦୈଡ଼ୁଥିବା ଲକ୍ଷ୍ୟ କରାଯାଇଥିଲା ।

ଥରେ ସେ ଶ୍ରୀକୃଷ୍ଣଙ୍କ ସହିତ ଜଳକ୍ରୀଡ଼ା କରିବା ଲାଗି ରାତି ଅଧରେ ସମୁଦ୍ରକୁ ଯମୁନା ମନେକରି ସେ ଆଡ଼କୁ ଦୌଡ଼ିଲେ ଏବଂ ସମୁଦ୍ର ଭିତରେ ପ୍ରବେଶ କରି କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ । ଭକ୍ତମାନେ ସମୁଦ୍ର କୂଳରେ ରାତିସାରା ଜଗିରହ ତାଙ୍କର କୌଣସି ସଂଧାନ ପାଇଲେ ନାହିଁ । ସକାଳ ହେଲା । ଭକ୍ତମାନେ ସମୁଦ୍ରକୂଳ ବାଲିୁପନ୍ତାରେ ଏପଟ ସେପଟ ବହୁତ ହେଲେ । ଜଣେ ନୋଳିଆକ ଦେଖିଲେ ସେ ‘‘ହରି ହରି" ଉଚ୍ଚାରଣ କରି ଆସୁଛି । ‘‘ଜଣେ ଲୋକକୁ ଦେଖିଚ" କି ପଚାରିବାରେ ସେ କହିଲା, ‘‘ମାଛ ଧରିବା ପାଇଁ ଜାଲ ପକାଇଥିଲୁ, ଜାଲରେ ମାଛ ନ ପଡ଼ି ପଡ଼ିଲା ଗୋଟାଏ ମଣିଷ । ତାକୁ କୂଳରେ ପକାଇଦେଇ ଆସୁଛୁ । ବଡ଼ ବିକଟାଳ ଦେଖାଯାଉଚି । ସେ ଲୋକଟା ଖାଲି ଗଁ ଗଁ ହେଉଛି । ଲୋକଟା ବୋଧହୁଏ ଭୂତ କି ପ୍ରେତ ।’’ ଭକ୍ତମାନେ ଦୌଡ଼ିଯାଇ ଶ୍ରୀଚୈତନ୍ୟଙ୍କୁ ଠାବ କଲେ । କିନ୍ତୁ ଦେଖିଲେ ତାଙ୍କ ଦେହରେ ଚେତା ନାହିଁ । ଭକ୍ତମାନେ ହରିକୀର୍ତ୍ତନ କରିବା ପରେ ଶ୍ରୀଚୈତନ୍ୟ ସଜୀବ ହୋଇଉଠିଲେ । କିନ୍ତୁ ତାଙ୍କ ମୁହଁରେ ଲାଗିରହିଲା ଜଳକେଳିର ପ୍ରଳାପ ।

 

ଦୀର୍ଘ ୧୨ ବର୍ଷ ଧରି ଏହିଭଳି ଭାବରେ ଶ୍ରୀଚୈତନ୍ୟଙ୍କର ଚାଲିଲା ଗମ୍ଭୀରଲୀଳା—କେବଳ ରାଧା ଭାବାବେଶରେ । ଏଣିକି ଭକ୍ତମାନେ ଗମ୍ଭୀରା ଭିତରେ ତାଙ୍କୁ ଏକା ଶୋଇବାକୁ ଦେଲେନାହିଁ । ପାଖରେ ଜଣେ କେହି ଜାଗିରହିଲେ । ଶ୍ରୀଚୈତନ୍ୟଙ୍କ ଇହଲୀଳା ସମ୍ବରଣ ସଂପର୍କରେ ନାନା ମତ ରହିଛି । ୧୪୫୫ ଶତାବ୍ଦୀ ୧୫୩୩ ଖ୍ରୀଷ୍ଟାବ୍ଦରେ ଆଷାଢ଼ ମାସରେ, ୪୭ ବର୍ଷ ୪ ମାସ ୧୦ ଦିନ ବୟସରେ ତାଙ୍କର ତିରୋଧାନ ହୋଇଥିବା ସର୍ବସମ୍ମତ ମତ । କିନ୍ତୁ ପୁରୀର କେଉଁଠି ଓ କିପରି ଭାବରେ ତାଙ୍କର ତିରୋଧାନ ଘଟିଲା ସେ ସଂପର୍କରେ ମତଭେଦ ରହିଛି । ଶ୍ରୀଚୈତନ୍ୟଙ୍କ ଜୀବନୀ ଓ ଲୀଳା ସଂପର୍କରେ ବହୁ ଭକ୍ତ ବିରାଟ ବିରାଟ ଗ୍ରନ୍ଥ ରଚନା କରିଯାଇଛନ୍ତି । ଅଧିକାଂଶ ଲେଖକଙ୍କ ମତ ହେଉଛି ଗମ୍ଭୀରା ଭିତରେ (କାଶୀମିଶ୍ରଙ୍କ ଘର) ଭକ୍ତମାନଙ୍କ ଗହଣରେ ବସି ଶ୍ରୀକୃଷ୍ଣଙ୍କ ଲୀଳା ବର୍ଣ୍ଣନା କରୁ କରୁ ସେ ହଠାତ୍ ବାହାରିଲେ ଜଗନ୍ନାଥ ଦର୍ଶନ ଲାଗି ଶ୍ରୀମନ୍ଦିରକୁ । ସେ ସବୁଦିନ ଗରୁଡ଼ସ୍ତମ୍ଭ ପାଖରେ ଠିଆହୋଇ ଜଗନ୍ନାଥ ଦର୍ଶନ କରିଥାନ୍ତି । କିନ୍ତୁ ସେଦିନ ସେ ଦୌଡ଼ିଗଲେ ଜଗନ୍ନାଥଙ୍କ ବିଗ୍ରହ ପାଖକୁ । ସେ ବିଗ୍ରହ ପାଖରେ ପହଞ୍ଚିବାମାତ୍ରେ କବାଟ ମନକୁ ବନ୍ଦ ହୋଇଗଲା । ସେ ଜଗନ୍ନାଥଙ୍କୁ କୁଣ୍ଢାଇଧରି ବିଗ୍ରହ ଭିତରେ ବିଲୀନ ହୋଇଗଲେ । ସଚଳ ଜଗନ୍ନାଥ ମିଶିଗଲେ ଅଚଳ ଜଗନ୍ନାଥ ଦେହରେ ।

Image